Unknown

 

 

 

 

 

 

 

 

 

 

 

ମାନବିକତା

ଶ୍ରୀ ଗୋକୁଳାନନ୍ଦ ନାୟକ

 

ମୁଖବନ୍ଧ

 

ଛାତ୍ର-ଜୀବନରେ ଜଣେ ଶିକ୍ଷକଙ୍କର ସହୃଦୟତା ଯୋଗୁଁ ଭଗବଦ୍‌ଭକ୍ତି ବିଶେଷତଃ ଗୀତା ଆଡ଼କୁ ମନ ଆକୃଷ୍ଟ ହେଲା । ତତ୍‌ପୂର୍ବେ ସାଧୁମାନଙ୍କ ସଂସ୍ପର୍ଶରେ ଆସି ସଂସାର-ତ୍ୟାଗ ଆଡ଼କୁ ମନର ଝୁଙ୍କ ଥିଲା । ଗୀତାର ଅର୍ଥ କିଞ୍ଚିତ୍ ଅବଗତ ହେବାମାତ୍ରେ ମନର ଗତି ସେ ଦିଗରୁ ଫେରିଲା ଓ ସଂସାର–ତ୍ୟାଗ ପ୍ରତି ବିତୃଷ୍ଣା ଜନ୍ମିଲା । ସଙ୍ଗେ ସଙ୍ଗେ ସାଧୁମାନଙ୍କ ବେଶ ଅନୁଯାୟୀ ଗୁଣ ନ ପ୍ରତ୍ୟକ୍ଷୀଭୂତ ହେବାରୁ ସେମାନଙ୍କ ପ୍ରତି ଘୃଣାଭାବ ଜାତ ହେଲା । ଦଶମବର୍ଷୀୟ ବାଳକ ଥିବାବେଳେ ଜଣେ ଜ୍ଞାତିଠାରୁ ମହାଭାରତ ଓ ରାମାୟଣ ବିଷୟୀଭୂତ ପୌରାଣିକ ଅପୂର୍ବ ଚରିତ୍ର ଶୁଣିବାରେ ଚାରିମାସ କାଳ ଉନିଦ୍ର ହୋଇ ଯେ ଦେଶ ହିତୈଷଣାର ବୀଜ ହୃଦୟେ ବୁଣା ଯାଇଥିଲା, ଛାତ୍ର-ଜୀବନ ସଙ୍ଗେ ସଙ୍ଗେ ପୁରାଣ ପାଠଦ୍ୱାରା ତାହା ଅଙ୍କୁରିତ ହେଲା । ସଙ୍ଗେ ସଙ୍ଗେ ରାଣାପ୍ରତାପ, ଶିବାଜୀ ଚରିତ୍ର ପାଠ କରି ଓ ପତ୍ରପତ୍ରିକାରେ ବାଳଗଙ୍ଗାଧର ତିଳକ, ଗୋପାଳକୃଷ୍ଣ ଗୋଖଲେ ଓ ଆନିବେଶାନ୍ତ ଚରିତ୍ର ସବୁ ପାଠକରିବାରେ ଅଙ୍କୁର ଉପରେ ଜଳସେକ ହୋଇ ତାକୁ ଶ୍ୟାମଳ ପତ୍ରାନ୍ୱିତ କଲା । ଉପରୋକ୍ତ ପାଠଦ୍ୱାରା ପଠତ୍‌ଦଶାରେ ମନ ସହଜେ ଗ୍ରନ୍ଥକର୍ତ୍ତାଙ୍କ ଆଡ଼କୁ ଆକୃଷ୍ଟ ହେଲା । ସେତେବେଳେ ମନରେ ସ୍ଥିର କରିଥିଲି, ଗ୍ରନ୍ଥକର୍ତ୍ତା, କବିର ଗ୍ରନ୍ଥସୃଷ୍ଟି ଓ କବିତ୍ୱ ବିଶ୍ୱସଂସାରର ସାର । ପୂର୍ବେ ସଂସାର ତ୍ୟାଗ ମନକୁ ଯେ ଭାବେ ଟାଣିଥିଲା, ତାର ସ୍ଥାନ ପୂର୍ଣ୍ଣକଲା ଗ୍ରନ୍ଥ ସୃଷ୍ଟି ଓ କବିତ୍ୱ । ସେ ଦିଗରେ ଯେ ଚେଷ୍ଟା କରିନାହିଁ, ତାହା ନୁହେଁ । ବିଭୁଦତ୍ତ ପ୍ରତିଭା ନ ଥିଲେ ଚେଷ୍ଟା କରି କେହି ‘କବି’ ହୋଇ ନ ପାରେ । ବହୁ କଷ୍ଟରେ ଏ ଅଭିଜ୍ଞତା ହାସଲ କଲି । ଏହି ସମୟରେ ଛାତ୍ର-ଜୀବନ ଶେଷ ହେଲା ୧୯୨୦ରେ । ସଙ୍ଗେ ସଙ୍ଗେ ବିବାହବନ୍ଧନରେ ଆବଦ୍ଧ ହୋଇ ବିଷୟସଂସାରର ଦୁଃଖ ଗହଣରେ ପ୍ରବିଷ୍ଟ ହୋଇ ଦେଖିଲି କାହିଁକି ସାଧୁମାନେ ସଂସାର ତ୍ୟାଗ କରନ୍ତି । ବସ୍ତୁତଃ ସେ ପଥ ଭଗବତ୍‌ନିର୍ଦ୍ଦିଷ୍ଟ ନଥିବାର ହୃଦୟଙ୍ଗମ ହେଲେହେଁ ତାର ଲୋଭ ଏଡ଼ାଇବାର ନୁହେ । ଏହି ସମୟେ ଶିଶୁ ପୁତ୍ରକନ୍ୟାଙ୍କର ବିୟୋଗ ଘଟିବାରୁ ଧୈର୍ଯ୍ୟ ହରାଇଲି । ଭୁଲିବାକୁ ଦୀର୍ଘ ଦଶବର୍ଷ କାଳ ଗୀତାର ଆଲୋଚନା ଓ ଦେହହିତେଷୀମାନଙ୍କର ତ୍ୟାଗ ଓ ଦୁର୍ଦ୍ଦଶା ବରଣର ଅନୁଧ୍ୟାନ କଲି । ଛାତ୍ର-ଜୀବନ ପରେ ପରେ ୧୯୨୧ ମସିହାରେ ମହାତ୍ମା ଗାନ୍ଧୀଙ୍କର ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ମଧ୍ୟ କିଛି କରିପାରି ନଥିଲି । ସେଥିରୁ ଏତିକି ମାତ୍ର ଲାଭଉଠାଇଥିଲି ଯେ ଜୀବନକୁ ଅତି ସରଳ ଓ ନୀରାଡ଼ମ୍ବର କରିବି ବୋଲି ସ୍ଥିର କରିଥିଲି । ଏହାର ବହୁପୂର୍ବେ ଅର୍ଥାତ୍‌୧୯୧୮ରୁ ପତ୍ରପତ୍ରିକା ପଢ଼ିବା ଆରମ୍ଭ କରିଥିଲି । ଏତେବେଳକୁ ଦେଶର ସଂମ୍ପୂର୍ଣ୍ଣ ଖବର ନଖାଗ୍ରରେ ରଖୁଥିଲି । ଗାନ୍ଧିଜୀଙ୍କ ନେତୃତ୍ୱରେ ଦେଶ ସ୍ୱାଧୀନତା ପାଇବ ବୋଲି ହୃଦୟରେ ଏ ଧାରଣା ଦୃଢ଼ୀଭୂତ ହୋଇଥିଲା । ୧୯୩୪ରେ ‘‘ଗୀତାର ସାମ୍ରାଜ୍ୟ’’ ଲେଖି ମୃତ ପୁତ୍ରକନ୍ୟାଙ୍କୁ ଭୁଲିଲି । ସଙ୍ଗେ ସଙ୍ଗେ ସୁଭଦ୍ରାଙ୍କ ବାକ୍ୟରେ ‘‘ଏକ ମରପୁତ୍ର ହରାଇ ବିଶ୍ୱର ଅମର ପୁତ୍ରକନ୍ୟା’’ ଲାଭ କଲି । ଏହି ଅମର ପୁତ୍ରକନ୍ୟାଙ୍କର ଉନ୍ନତି ସକାଶେ ଜୀବନ ବିସର୍ଜ୍ଜନ ପରମ ପୁରୁଷାର୍ଥ ବୋଲି ଧରିନେଇ ଏତେଦିନ ପରେ ତହିଁର ପ୍ରଥମ କିସ୍ତି-ସ୍ୱରୂପ ଏହି ‘‘ମାନବିକତା’’କୁ ସେହିମାନଙ୍କ ହାତରେହିଁ ଅର୍ପଣ କଲି ।

 

ପଦ୍ମପୁର,

ଗୋକୁଳାନନ୍ଦ ନାୟକ

ସମ୍ବଲପୁର ।

 

Image

 

 

 

 

 

 

 

 

 

 

 

 

 

ମାନବିକତା

 

ପ୍ରଥମ ପରିଚ୍ଛେଦ

କୁସଂସ୍କାର

 

ବାଲ୍ୟକାଳରେ ଜୀବନର ଉଦ୍ଦେଶ୍ୟ କଅଣ, ଭାବିବାର ଅବକାଶ ନଥାଏ । ବାଲ୍ୟକାଳ ଜୀବନର ଅତି ସୁଖର ସମୟ । ସରଳତା ଓ କ୍ରୀଡ଼ାପ୍ରବଣତା ବାଲ୍ୟାବସ୍ଥାର ସ୍ୱଭାବସିଦ୍ଧ ପ୍ରବୃତ୍ତି । ବାଲ୍ୟ ଜୀବନରେ ଶିକ୍ଷାର ସୁବିଧା ଯଦି ମିଳେ, ତେବେ ପ୍ରଭାତ ଯୌବନରେ ଜୀବନର ଉଦ୍ଦେଶ୍ୟ କଅଣ, ଏ ଭାବନା ମନକୁ ବାରମ୍ବାର ଆଲୋଡ଼ନ କରେ । ବସ୍ତୁତଃ ମନ ସହଜରେ ସାଂସାରିକ ସୁଖ ସୁବିଧା ବଢ଼ାଇବାକୁ ଧନ, ଯଶଃ ଓ କାର୍ଯ୍ୟପଟୁତା ଆଡ଼କୁ ପ୍ରଧାବିତ ହୁଏ । ତଥାପି ବିବେକ ବାରମ୍ବାର ସତର୍କ କରାଏ ଯେ, ଜୀବନର ଉଦ୍ଦେଶ୍ୟ କେବଳ ତାହା ନୁହେଁ । ଅବଶ୍ୟ ତାହା କଅଣ ସମସ୍ୟା ପୂରଣ କରିବାକୁ ସେତେବେଳେ କାହିଁକି ସାରା ଜୀବନଟା ବିତାଇବାକୁ ହୁଏ । ଜୀବନର ଉଦ୍ଦେଶ୍ୟ ସଠିକ୍ ନିରୂପଣ କରିବାକୁ ଶିକ୍ଷା, ସ୍ୱାସ୍ଥ୍ୟ ଓ କେତେକ ପରିମାଣରେ ସାଂସାରିକ ସ୍ୱଚ୍ଛଳତା ଆବଶ୍ୟକ ହୁଏ । ଯାର ଯେଉଁ ସମାଜରେ ଜନ୍ମ, ସେହି ସମାଜର ପ୍ରଥାସବୁ ଶିକ୍ଷା ଦୀକ୍ଷାର ଅନୁପାତରେ ତାହାର ଜୀବନରେ ପ୍ରଭାବ ବିସ୍ତାର କରନ୍ତି । ସାମାଜିକ ପ୍ରଥା ଭଲ ଥିଲେ, ଜୀବନରେ ତାର ପ୍ରତିକ୍ରିୟା ଭଲ ହୁଏ, ମନ୍ଦଥିଲେ ମନ୍ଦହୁଏ । ବ୍ୟକ୍ତିଗତ ଜୀବନ ଭଲ ବା ମନ୍ଦ ହେବା ସକାଶେ ସାମାଜିକ ପ୍ରଥାମାନ ଅନେକାଂଶରେ ଦାୟୀ ଅଟନ୍ତି ।

 

ବାଲ୍ୟକାଳରେ ପର୍ବପର୍ବାଣୀ, ନିମିତ୍ତ କାର୍ଯ୍ୟାଦିରେ ଦେଖିବାକୁ ମିଳେ, ବ୍ରାହ୍ମଣର ଓ ପୁରୋହିତ ପ୍ରତିପତ୍ତି । ସେମାନଙ୍କର ବ୍ୟକ୍ତିଗତ ଚରିତ୍ର ଯାହା ଥାଉ, ସେମାନେ ଏହିସବୁ ସାମାଜିକ କାର୍ଯ୍ୟର କର୍ତ୍ତା କହିଲେ ଚଳେ । ଶୈଶବରୁ ଯାହା ବଡ଼ ବା ମହତ୍‌ବୋଲି ଧାରଣା ହୁଏ, ଶିଶୁଚିତ୍ତ ସହଜେ ସେ ଆଡ଼କୁ ପ୍ରଧାବିତ ହୁଏ । ପୁରୋହିତର ପ୍ରତିପତ୍ତି ସନ୍ଦର୍ଶନରେ ଶିଶୁ ମନେକରେ, ସେହିହିଁ ସମାଜର ହର୍ତ୍ତାକର୍ତ୍ତା । ଚଉଷଠି ବର୍ଣ୍ଣର ରାଜା ବ୍ରାହ୍ମଣ ଅବିଦ୍ୟ ହେଉ ବା ସବିଦ୍ୟ ହେଉ, ସମସ୍ତଙ୍କର ନମସ୍ୟ, ଏହା କୁଳବୃଦ୍ଧମାନଙ୍କଠାରୁ ତଥା ପିତାମାତାଙ୍କଠାରୁ ବାରମ୍ବାର ଶୁଣିବାକୁ ମିଳେ । ବ୍ରାହ୍ମଣମାନେ ଯେ ସମାଜ-ବୃକ୍ଷର ବର୍ତ୍ତମାନର ନଷ୍ଟକାରୀ କୀଟ ଏହା ଅନୁଭବ କରିବାକୁ ଶିକ୍ଷା, ସମୟ ଏବଂ ଅଭିଜ୍ଞତାର ଆବଶ୍ୟକ । ଏହାଦ୍ୱାରା ବ୍ରାହ୍ମଣ ଜାତି ବା ବ୍ରହ୍ମଣ ଧର୍ମର ନିନ୍ଦା କରାଯାଉ ନାହିଁ । କାରଣ ଜାତି ବା ଧର୍ମ ସେଥିପାଇଁ ଦାୟୀ ନୁହନ୍ତି । ବର୍ତ୍ତମାନର ଭେଖଧାରୀ ତଥା କଥିତ ବ୍ରାହ୍ମଣ ବିଶେଷକୁ ଏହା କୁହାଯାଉଛି । ଯେଉଁମାନେ ଏ ଜୀବ-ଲୋକରେ ଏହି ନାମଧାରଣ କରି ପଇତା ବଳରେ ଅତି ନିଷ୍କ୍ରିୟ, କଦାଚାରୀ ଏବଂ ପରାଙ୍ଗ-ପୁଷ୍ଟ ସେହି ବ୍ରାହ୍ମଣମାନେ ସମାଜର ବଦାନ୍ୟତା ଲାଭ କରିବା ପାଇଁ ଆଦୌ ଯୋଗ୍ୟ ନୁହନ୍ତି । ଅବଶ୍ୟ ଆଜିକାଲି ସ୍ୱାବଲମ୍ବୀ ହେବାପାଇଁ କେହି କେହି ଚେଷ୍ଟା କରୁଅଛନ୍ତି । କିନ୍ତୁ ଅନେକ ଯୋଗ୍ୟ ନ ଥାଇ ମଧ୍ୟ ଅନ୍ୟର ବଦାନ୍ୟତା ଉପରେ ନିର୍ଭର କରୁଅଛନ୍ତି । ‘‘ମହାଜନୋ ଯେନ ଗତଃ ସ ପନ୍ଥା’’–ଶୈଶବରେ ଏମାନଙ୍କୁ ମହାଜନ ମନେକରି ଏମାନଙ୍କ ପ୍ରଦର୍ଶିତ ପଥରେ ଚଳିବାକୁ ହୁଏ । ସମାଜର ଆଳସ୍ୟ ପରାୟଣତା ଓ କର୍ମବିମୁଖତା ପାଇଁ ଏମାନେହିଁ ଅନେକାଂଶରେ ଦାୟୀ ଅଟନ୍ତି ଓ ଏମାନଙ୍କୁ ଯୂଥଭଙ୍ଗ କରିବା ଆବଶ୍ୟକତା ଏଡ଼ାଇବାର ନୁହେଁ । ସାଧୁନାମଧାରୀ ଜଟା-ବିଭୂତି-ପରିଶୋଭିତ ବ୍ୟକ୍ତିମାନଙ୍କର ଆଗମନରେ ଲୋକସମାଜ ପୁଲକିତ ହୁଅନ୍ତି । ସେମାନଙ୍କର ସମ୍ବର୍ଦ୍ଧନାରେ ବହୁସାରଯୁକ୍ତ ପୃଷ୍ଟିକର ଖାଦ୍ୟପାନର ବ୍ୟବସ୍ଥା ସର୍ବତ୍ର ଦେଖିବାକୁ ମିଳେ । ସେମାନଙ୍କର ‘‘ନିଶା’’ (ମାଦକଦ୍ରବ୍ୟ) ସେବନରେ ଲୋକସାଧାରଣର କଷ୍ଟଲବ୍‌ଧ ଧନ ବହୁପରିମାଣରେ ଅପବ୍ୟୟ କରାଯାଏ । ଶିଶୁର ମନରେ ସ୍ୱଭାବତଃ ଏ ଭାବ ଜନ୍ମାଇ ଦିଆଯାଏ, ‘‘ଏ ଜଣେ ମହାପୁରୁଷ ।’’ ଅନ୍ତତଃ ତାର ମନରେ ଏ ଆକାଙ୍‌କ୍ଷା ହୁଏ ଯେ, ସେ ଯେବେ ଏପରି ବଡ଼ଲୋକ ହୁଅନ୍ତା ତେବେ ଲୋକସାଧାରଣଙ୍କ ଠାରୁ ଭୟ ଓ ଭକ୍ତି ଆଦାୟ କରନ୍ତା । ଗଞ୍ଜାଇ ଧୂଆଁର ଆକର୍ଷଣରେ ଅନୁକରଣପଟୁ ଶିଶୁ ବିଡ଼ି ପିଇବା ଆରମ୍ଭ କରିଦିଏ । ଦ୍ୱାଦଶ-ବର୍ଷ–ବୟସ୍କ ବାଳକ ମଧ୍ୟ ବିଡ଼ି ଧରି କଳଙ୍କିତ ଓଷ୍ଠ-ତାଳୁ ଦେଇ ଅତି ଦୁର୍ଗନ୍ଧ ପ୍ରଶ୍ୱାସ ପ୍ରଚାର କରିବାର ଦୃଷ୍ଟାନ୍ତ ଆଜିକାଲି ବିରଳ ନୁହେଁ-

 

ପୁଣି ମଧ୍ୟେ ମଧ୍ୟେ ମହାଯଜ୍ଞମାନଙ୍କର ଅନୁଷ୍ଠାନ ଦେଖାଯାଏ । ଏ ଯଜ୍ଞମାନଙ୍କର ଯାବତୀୟ ଖର୍ଚ୍ଚ ସ୍ଥାନୀୟ ଲୋକମାନଙ୍କୁ ବହନ କରିବାକୁ ପଡ଼େ । ବହୁ ଅର୍ଥ ବ୍ୟୟକରି, ବହୁ ଖାଦ୍ୟ ସାମଗ୍ରୀମାନ ଏ ଜାଳେଣୀ କାଠର ଅନାଟନ ଯୁଗରେ ବହୁମୂଲ୍ୟ-ଶାଳକାଷ୍ଠ ହୋମକୁଣ୍ଡରେ ନିକ୍ଷେପ କରାଯାଏ । ଦୁଧ, ଘିଅ, ଆତପ ସରୁ ଚାଉଳ, ମହଣ ମହଣ ଅଗ୍ନିରେ ନିକ୍ଷେପ କରାଯାଏ-। ସାଧୁ ପଙ୍ଗତ ଏଥିର କର୍ତ୍ତା । ପଙ୍ଗତର ଗଞ୍ଜାଇ ଧୂମ ତଥା ସାଧୁସେବାର ‘‘ପ୍ରସାଦ’’ ସେବନର ଧୂମ, ହୋମମାନଙ୍କର ଧୂମ ସଙ୍ଗେ ମିଳି ପଙ୍ଗତର ବିଜୟବାର୍ତ୍ତା କ୍ରୋଶ କ୍ରୋଶାନ୍ତର ପ୍ରସାର କରେ-। ଏଥିର ଉପାଦେୟତା ସମ୍ବନ୍ଧେ ଆଜି ପର୍ଯ୍ୟନ୍ତ ଜନତା ଅଜ୍ଞ । ତଥାପି ଭକ୍ତିତଦ୍‌ଗତ, ଖ୍ୟାତି–ପ୍ରାୟାସୀ କେହି କେହି ସାଧୁ ବା ସାଧାରଣ ବ୍ୟକ୍ତିବିଶେଷ ହୋମକୁଣ୍ଡରେ ଆତ୍ମାହୁତି ଦେଇ ଆତ୍ମଘାତୀ ହୋଇଥାନ୍ତି । ମୁସଲମାନ, ଖ୍ରୀଷ୍ଟିୟାନ ଆଦି ସନାତନ-ଧର୍ମେତର-ସମାଜରେ ଏହା ନଥିବାରେ କୌଣସି ଅନିଷ୍ଟ ଘଟିବାର ସମ୍ବାଦ ମିଳିନାହିଁ । ଭାରତର ଅତି ବର୍ଷାର ସ୍ଥାନ ଆସାମର ପାହାଡ଼ିଆ ଅଞ୍ଚଳର ଲୋକେ ଯଜ୍ଞ ବିନା ଏତେ ବର୍ଷା ପାଆନ୍ତି କିପରି ? ସେ ଯାହାହେଉ ହରିହାଟ ନାମଧେୟ ଏହି ଯଜ୍ଞମାନଙ୍କରେ ଏତେ ଲୋକ ସମାଗମ ହୁଏ ଯେ, ସ୍ଥାନ ଖାଲି ମଳମୂତ୍ରରେ ପୁରିଯାଏ । ତଜ୍ଜନିତ ପୂତିଗନ୍ଧ ବ୍ୟାପାକ ଭାବେ କଲେରା ରୋଗ ସୃଷ୍ଟି କରି ବହୁଦିନ ପର୍ଯ୍ୟନ୍ତ ଧ୍ୱଂସର ତାଣ୍ଡବଲୀଳାରେ ଲୋକ ସମାଜକୁ ବ୍ୟତିବ୍ୟସ୍ତ କରେ । ଆହୁରି ଏକ ବିଷମ ବ୍ୟାଧି ଅଳ୍ପକାଳ ହେଲା ଦେଖାଯାଇଛି । ୨୫।୩୦ ବର୍ଷ ପୂର୍ବେ ଏହା ଏତେ ସଂକ୍ରମିତ ହୋଇ ନ ଥିଲା । ବର୍ତ୍ତମାନ ଗ୍ରାମେ ଗ୍ରାମେ ଏହାର ପ୍ରତିଯୋଗିତା ଚାଲିଛି । ‘ନାମଯଜ୍ଞ’ ଏହି ମହାବ୍ୟାଧିର ନାମ । କାହିଁ ଅଷ୍ଟ ପ୍ରହର ଯାଏଁ, କାହିଁ ତିନିଦିନ, କାହିଁ ସାତଦିନ କାହିଁବା ଏଗାର କିମ୍ବା ପନ୍ଦର ଦିନ ପର୍ଯ୍ୟନ୍ତ ଦିବାରାତ୍ର ଗୀତ, ଉଦ୍ଦଣ୍ଡ-ନାଟ୍ୟ ଏବଂ ବାଦ୍ୟଦ୍ୱାରା ଏହା ସଂସାଧିତ ହୁଏ । ଏହାକୁ ବ୍ୟାଧି ବୋଲିବାଦ୍ୱାରା ‘ନାମ’ର ମାହାତ୍ମ୍ୟ ଖଣ୍ଡନ କରାଯାଇନାହିଁ । ମାତ୍ର ଯୌବନାରମ୍ଭରେ ବନିତା-ବିଳାସର ସ୍ପୃହା ହୃଦୟରେ ଦୁର୍ଦ୍ଦଣ୍ଡ ପ୍ରତାପ ବିସ୍ତାର କରୁଥିବା ବେଳେ ଭଗବତ୍‌ ଭକ୍ତିର ମୂଳ ଏକାଗ୍ରତାକୁ, ଗୀତ ବାଦ୍ୟ ଓ ନାଟ୍ୟ ମଧ୍ୟରେ ଖୋଜିବା ବିଡ଼ମ୍ବନା ବ୍ୟତୀତ ଆଉ କଅଣ ହୋଇପାରେ ? ଏହାଦ୍ୱାରା ବିବାହିତ ଜୀବନର ପବିତ୍ରତାକୁ ଦେଶରୁ ଅନ୍ତର କରି ଦେଶରେ ବ୍ୟଭିଚାର ସଂଖ୍ୟା ପ୍ରବଳ ଗତିରେ ବଢ଼ାଇ ଦିଆଯାଉଛି ଏବଂ ଅଯଥା କିଶୋର ମନକୁ ଅକାଳରେ ଆଦିରସା ସ୍ୱାଦନ ଦିଗକୁ ଆକର୍ଷଣ କରାଯାଉଛି ।

 

ମଧ୍ୟେ ମଧ୍ୟେ ପଦବୀଧାରୀ ଉଚ୍ଚକର୍ମଚାରୀମାନେ ଜନପଦମାନଙ୍କରେ ଗସ୍ତ କଲାବେଳେ ଯେଉଁ ଆଡ଼ମ୍ବର ଏବଂ ଆସ୍ଫାଳନ କରନ୍ତି, ସେଗୁଡ଼ିକ ଦିନୁଦିନ କମି ଯାଉଥିଲେହେଁ ସମ୍ପୂର୍ଣ୍ଣ ବିଲୟ ଭଜି ନାହାନ୍ତି । ଉକ୍ତ କର୍ମଚାରୀମାନେ ଜନସେବୀବୋଲି ଦେଖାଇ ହୋଇ ଲୋକଙ୍କଠାରୁ ‘ଜନସେବା’ ଯେ ଭାବେ ଆଦାୟ କରନ୍ତି ଏବଂ ସେମାନଙ୍କ ପାଇଁ ଖାଦ୍ୟ ପାନୀୟର ଯେ ବ୍ୟବସ୍ଥା ହୁଏ ତାହା ଦେଖି ଶିଶୁର ମନ ସ୍ୱଭାବତଃ ସେ ଆଡ଼କୁ ପ୍ରାଧାବିତ ହୁଏ । ଆଉ କର୍ମଚାରୀ ‘ବାବୁ’ ଯଦି ଲାଞ୍ଚ ମିଛର ପ୍ରଶ୍ରୟ ନିଅନ୍ତି, ତାହା ହେଲେ ଶିଶୁର ମନ କ୍ଷମତା ଦିଗକୁ ଆକର୍ଷିତ ହୁଏ । ତାହାର ପ୍ରତିକ୍ରିୟା ଅନେକ ସମୟରେ ମହାଅନିଷ୍ଟ ସାଧନ କରେ । ଯୋଗ୍ୟତା ଅର୍ଜନ ନ କରି ମଧ୍ୟ ମନୁଷ୍ୟ ମନ କ୍ଷମତା ହାସଲ କରିବା ଦିଗରେ ତତ୍‌ପର ହୁଏ ।

 

ବର୍ଣ୍ଣଜ୍ଞାନ ସଙ୍ଗେ ସଙ୍ଗେ ରାଧାକୃଷ୍ଣ ପ୍ରେମଲୀଳାର ବିକୃତ ବର୍ଣ୍ଣନା ସବୁ ଯଥା:–ରାସକ୍ରୀଡ଼ା, ନଟୁଚୋରୀ, ନାବକେଳି ଆଦି ଶିଶୁର ହାତରେ ଯାଉଥିବାରୁ ଶିଶୁର ମନ ଅକାଳରେ ଆଦିରସାସ୍ୱାଦନ ନିମନ୍ତେ ଆଗ୍ରହାନ୍ୱିତ ହୋଇପଡ଼େ । ସରଳମତି ବାଳକ ବାଳିକାମାନଙ୍କ ହୃଦୟ ସେ ଦିଗରେ ପ୍ରଧାବିତ ହେବାଦ୍ୱାରା ସମାଜର ଯେ କି ଅନିଷ୍ଟ ସାଧିତ ହେଉଛି, ତାହା ସମସ୍ତେ ଦେଖି ମଧ୍ୟ ଦେଖୁନାହାନ୍ତି ।

 

ମନୁଷ୍ୟ ଜୀବନର ବିକାଶ ପ୍ରକୃତ ମନୁଷତ୍ୱ ବା ମାନବିକତାରେ । ଏହି ମାନବିକତା କଅଣ ତାହା ବିଶ୍ଳେଷଣ କରିବାକୁ ଯତ୍ନକରୁଁ ।

Image

 

ଦ୍ୱିତୀୟ ପରିଚ୍ଛେଦ

ତ୍ରିଗୁଣର ସାମଞ୍ଜସ୍ୟ

 

ଶ୍ରୀମଦ୍ଭଗବତ୍-ଗୀତାରେ କର୍ମଜ୍ଞାନ ଓ ଭକ୍ତିଯୋଗରେ ବିଶ୍ଳେଷଣ ଓ ଆଲୋଚନା କରାଯାଇଅଛି । ଲୋକ ଜୀବନରେ ‘ଗୀତା’ର ପ୍ରତିକ୍ରିୟା ବର୍ଣ୍ଣନା କରିବା ଏଠାରେ ସମ୍ଭବପର ନୁହେଁ । ଦେଶହିତୈଷୀମାନେ ଯେ ଭାବେ ତାର ଆଲୋଚନା କରି ଯାଇଛନ୍ତି ତାର ପୁନରାଲୋଚନାର ଉଦ୍ୟମ ଆସ୍ପର୍ଦ୍ଧା ହେବ ସିନା । ଯାହାହେଉ ମନୁଷ୍ୟ ଜୀବନରେ ଏହି ଯୋଗମାନଙ୍କ ସାମଞ୍ଜସ୍ୟ ହିଁ ଆଦର୍ଶ ଅଟେ । କୌଣସି ଏକ ଯୋଗର ଅଧିକାରୀ ସମାଜର ଆଦର୍ଶ ଅଟେ । କୌଣସି ଏକ ଯୋଗର ଅଧିକାରୀ ସମାଜର ଆଦର୍ଶ ହୋଇ ନ ପାରନ୍ତି । ଜ୍ଞାନଯୋଗୀ ଶଙ୍କରାଚାର୍ଯ୍ୟ, କର୍ମଯୋଗୀ ରାମଚନ୍ଦ୍ର, ଭକ୍ତିଯୋଗୀ ଶ୍ରୀଚୈତନ୍ୟ ଏମାନେ ପ୍ରତ୍ୟେକେ ଏକାଧାରରେ ଲୋକସମାଜର ଆଦର୍ଶ ନୁହନ୍ତି । ଏମାନଙ୍କର ସମଷ୍ଟି ଆଦର୍ଶ ହେଲେ ହୋଇପାରେ-। କିନ୍ତୁ ଜନକ କର୍ମଯୋଗରେ ରାମଚନ୍ଦ୍ରଙ୍କଠାରୁ, ଜ୍ଞାନଯୋଗରେ ଶଙ୍କରାଚାର୍ଯ୍ୟଙ୍କଠାରୁ ଓ ଭକ୍ତିଯୋଗରେ ଶ୍ରୀଚୈତନ୍ୟଙ୍କଠାରୁ ନ୍ୟୂନ ଥିଲେହେଁ ତିନି ଯୋଗ ଏକାଧାରରେ ତାଙ୍କଠାରେ ସମାବେଶ ହୋଇ ଥିବାରୁ ସେ ବରଂ ଲୋକ ସମାଜର ଆଦର୍ଶ ଅଟନ୍ତି-। ହିନ୍ଦୁର ସର୍ବଶ୍ରେଷ୍ଠ ଆଦର୍ଶ ଶ୍ରୀକୃଷ୍ଣ । ଶ୍ରୀକୃଷ୍ଣଙ୍କର ମନୁଷ୍ୟ ଚରିତ୍ର । ତାଙ୍କର ଦେବ ଚରିତ୍ରର ଚିତ୍ରଣରେ ପୁରାଣ ଲେଖକଗଣ ତାଙ୍କର ଯେଉଁ ଅତିମାନୁଷୀ କାର୍ଯ୍ୟାବଳୀର ବିଚିତ୍ର ବର୍ଣ୍ଣନା କରିଗଲେ, ସେ ସବୁର ଅନୁକରଣ ମନୁଷ୍ୟ ପକ୍ଷେ ଅସମ୍ଭବ ଓ ସେ ସବୁ ଲୋକ ସମାଜର ଆଦର୍ଶ ନୁହେଁ । କାରଣ ଏ ଯୁଗରେ ଅତିମାନୁଷୀ କଳ୍ପନାକୁ (Freak of nature) ପ୍ରକୃତିର ନିପାତନ ସିଦ୍ଧ ବୋଲି ଧରି ନିଆଯାଏ ଓ ତାକୁ ହସି ଉଡ଼ାଇ ଦିଆଯାଏ । ଅଥଚ ଏହି ଅତିମାନୁଷୀ କାର୍ଯ୍ୟକ୍ରମର ଗୂଢ଼ାର୍ଥ ଧରି ନ ପାରି ଶ୍ରୀକୃଷ୍ଣଙ୍କୁ କୁଟିଳ ଓ କାମୁକ ପ୍ରକୃତିର ବୋଲି ଧରି ନେଇ ଆଜି ହିନ୍ଦୁ ସମାଜ ରସାତଳଗମନୋନ୍ମୁଖୀ । ଶ୍ରୀକୃଷ୍ଣ ଆଦର୍ଶ ଗୃହୀ, ଶ୍ରେଷ୍ଠ କର୍ମଜ୍ଞାନୀ ଓ ଭକ୍ତିଯୋଗୀ । ତାଙ୍କର ଜୀବନ ଯେପରି କର୍ମମୟ, ସେହିପରି ଜ୍ଞାନମୟ ଓ ତତୋଧିକ ଭକ୍ତିମୟ । ତିନି ଯୋଗର ଏକାଧାରରେ ସମାବେଶ ନ ହେଲେ ଏକ ଯୋଗର ଆଧିକ୍ୟ ଅନ୍ୟ ଯୋଗମାନଙ୍କୁ ନିକୃଷ୍ଟ କରି ଦେଖାଏ । ଶଙ୍କରାଚାର୍ଯ୍ୟ ତେଣୁ କଠୋର ଧର୍ମବେତ୍ତା, ଚୈତନ୍ୟ ଅତି ଅନାସକ୍ତ ଭକ୍ତିବେତ୍ତା । କିନ୍ତୁ ଏମାନେ ମନୁଷ୍ୟର ଆଦର୍ଶ ନୁହନ୍ତି । ଏମାନେ ଓ ସେମାନଙ୍କ ଭଳି ଆଉ ଅନେକେ ଏକ ଏକ ଯୋଗରେ ଅଧିକାରୀ ହୋଇ ସେହି ଏକ ଏକ ଯୋଗର ଶେଷ ସୀମାରେ ଉପନୀତ ହୋଇ ଏକଦେଶଦର୍ଶୀ ଭାବେ ଯେ ଧର୍ମ ପ୍ରଚାର କରିଗଲେ, ତଦ୍ଦ୍ୱାରା ଅସଂଖ୍ୟ ବାଦର ସୃଷ୍ଟି ହେଲା ଓ ବିଭିନ୍ନ ବାଦବାଦୀମାନେ ପରସ୍ପରକୁ ଘୃଣା କରି ଶିଖିଲେ । ସେମାନଙ୍କର ଧର୍ମପ୍ରଚାର ଦ୍ୱାରା ଭାରତ ତାହାର ମହାଲକ୍ଷ୍ମୀ ହରାଇ ଭାରତବାସୀଙ୍କୁ କର୍ମବିମୁଖ କରି ଭାରତକୁ ବ୍ରାହ୍ମଣର ଦୁର୍ଦ୍ଦଣ୍ଡ ଶାସନାଧୀନ କଲା ଏବଂ ପରେ ଭାରତ ଅକର୍ମୀ ଭକ୍ତିଯୋଗୀରେ ପୂର୍ଣ୍ଣ ହେଲା । ସ୍ଥୂଳତଃ ଭାରତୀୟମାନେ ସମ୍ପୂର୍ଣ୍ଣ କ୍ଳୀବ ହୋଇ ହଜାର ହଜାର ବର୍ଷଧରି ପରାଧୀନତା-ପଙ୍କରେ ନିମଗ୍ନ ହେଲେ । ଏହି ସ୍ପଷ୍ଟ କଥା ପାଇଁ ପାଠକ ଯଦି ମନେ କରନ୍ତି ଯେ, ଏହି ମହାପୁରୁଷମାନଙ୍କର ନିନ୍ଦା ରଟନା ପାଇଁ ଲେଖକ ନିରୟଗାମୀ ହେବା ଉଚିତ, ତେବେ ଲେଖକ ସଗର୍ବେ ଅମ୍ଳାନ ବଦନରେ କହିବ ‘‘ସେହି ନିରୟ ଗମନ’’ ପରାଧୀନତା ଅପେକ୍ଷା ସ୍ପୃହଣୀୟ ଅଟେ । ଧର୍ମତତ୍ତ୍ୱ ଅନୁଧାବନ କଲେ ବୁଝାଯିବ ଯେ, ସତ୍ତ୍ୱ, ରଜ ଓ ତମ ତ୍ରିଗୁଣର ସାମଞ୍ଜସ୍ୟ ମନୁଷତ୍ୱ ବିକାଶର ମୂଳ ଉପାଦାନ-। କୌଣସି ଏକ ଗୁଣର ଅଭାବ ଜୀବନ-ବିକାଶର ଉପଯୋଗୀ ନୁହେଁ । ସାମଞ୍ଜସ୍ୟ କହିଲେ ପ୍ରତ୍ୟେକରୁ ପାଞ୍ଚଅଣା ଚାରିପାହି ନେଇ ସାମଞ୍ଜସ୍ୟ ଆଣି ଏକ ଟଙ୍କା କରିବାକୁ ହେବ ତାହା ନୁହେଁ-। ତମକୁ ଦୋଷ ନ କହି ଗୁଣ ବୋଲି କହିବାରେ ବହୁତ ଯାଥାର୍ଥ୍ୟ ରହିଛି । କିନ୍ତୁ ଲୋକ-ଜୀବନରେ ‘ତମ’ର ଆବଶ୍ୟକତା ଯେତିକି ‘ରଜ’ର ଆବଶ୍ୟକତା ତାଠାରୁ ବେଶୀ ଓ ସତ୍ୱର ଆବଶ୍ୟକତା ମଧ୍ୟ ତାଠାରୁ ବେଶୀ । ‘ତମ’ରୁ ଦୁଇଅଣା ରଜରୁ ଚାରିଅଣା ଓ ସତ୍ୱରୁ ଦଶଅଣା ନେଇ ମନୁଷ୍ୟ ଜୀବନର ଷୋଳଅଣା ବିକାଶ କରାଯାଇ ପାରେ ବା କରାଯିବା ଉଚିତ । ଭଗବାନ ଯାହା ଯାହା ସୃଷ୍ଟି କରିଅଛନ୍ତି ସେ ସମସ୍ତଙ୍କର ଆବଶ୍ୟକତା ରହିଛି । ତେବେ କାହାର ଆବଶ୍ୟକତା ବେଶୀ କାହାର କମ୍ । କାମ, କ୍ରୋଧ, ଲୋଭ, ମୋହାଦର ଲୋକଜୀବନରେ ଆବଶ୍ୟକତା ଯେ ରହିଛି ଏହା ସର୍ବବାଦୀସମ୍ମତ । ନାଗସାପର ଗରଳ ସଦୈବ ଜୀବନ-ନାଶକର-। କିନ୍ତୁ କ୍ଷେତ୍ରାନ୍ତରେ ଜୀବନର ରକ୍ଷା ସକାଶେ ତାହାର କାଳୋପଯୋଗୀ ପ୍ରୟୋଗ ରହିଛି । ଦର୍ଶକର ଦୃଷ୍ଟିଶକ୍ତି ଅଭାବରେ ଏକଯୋଗର ଆଧିକ୍ୟ ଅନ୍ୟ ଯୋଗକୁ ନିକୃଷ୍ଟ କରି ଦେଖାଏ ଏବଂ ଫଳତଃ ଘୃଣାର ସୃଷ୍ଟି କରେ । ତେଣୁ ହିନ୍ଦୁର ବସୁଧୈବ କୁଟୁମ୍ବକଂ ଭାବ ଅନ୍ୟତ୍ର କାହିଁକି ଭାରତରୁ ବିଦାୟ ନେଇଛି-। ସୁତରାଂ ଆଜି ହିନ୍ଦୁକୁ ମୁସଲମାନ ଓ ଖ୍ରୀଷ୍ଟିଆନ୍ ଘୃଣା ଚକ୍ଷୁରେ ଦେଖୁଛନ୍ତି ଓ ହିନ୍ଦୁ ମଧ୍ୟ ଅନ୍ୟମାନଙ୍କୁ ସେପରି ଦେଖୁଛି । ଏଥିର ଜ୍ୱଳନ୍ତ ଦୃଷ୍ଟାନ୍ତର ଅଭାବ ନାହିଁ । (ଭାରତୀୟ ହିନ୍ଦୁ ମହାସଭା ଏହି ଭାବର ଏକ ପରିଣତି ମାତ୍ର ।)

 

ଯୀଶୁଖ୍ରୀଷ୍ଟ ଖ୍ରୀଷ୍ଟଧର୍ମ, ମହମ୍ମଦ ଇସଲାମ ଧର୍ମ, ବୁଦ୍ଧ ବୌଦ୍ଧଧର୍ମ ଶଙ୍କରାଚାର୍ଯ୍ୟ ବ୍ରାହ୍ମଣ୍ୟ ଧର୍ମ, ଶ୍ରୀଚୈତନ୍ୟ, ରାମାନନ୍ଦ ଓ ରାମାନୁଜ ଆଦି ବୈଷ୍ଣବ ଧର୍ମ, ନାନକ ଶିଖଧର୍ମ, ମହାବୀର ଜୀନ ଜୈନଧର୍ମ ପ୍ରଚାର କରି ଦେଶକୁ ନିଜ ନିଜ ଭାବାପନ୍ନ କରିଯାଇ ଅଛନ୍ତି । କିନ୍ତୁ ଏ ସନାତନ-ହିନ୍ଦୁଧର୍ମ-ପ୍ରଚାରକ କିଏ ତାହାର ଇତିହାସ ନାହିଁ । କେବଳ ଗୀତାରେ ଦେଖିବାକୁ ପାଉଁ ‘‘ଯଦା ଯଦାହି ଧର୍ମସ୍ୟ’’ ଇତ୍ୟାଦି । ତେବେ ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, ଏ ଧର୍ମ କେହି ପ୍ରଚାର କରି ନାହାନ୍ତି । ଏହା ‘ସାୟଂଭୂବ’ । ମାନବ ପ୍ରକୃତିର ‘‘ସଦ୍‌ବୃତ୍ତ’’ ଚୟର ଅନୁଶୀଳନରୁ ଏ ଧର୍ମର ଉଦ୍‌ଭବ ଓ ଭଗବାନ ଶ୍ରୀକୃଷ୍ଣଙ୍କର ଅନୁମୋଦନରେ ଏହା ମନୁଷ୍ୟର ରକ୍ତେ ରକ୍ତେ, ହାଡ଼େ ହାଡ଼େ ଶିରାରେ ବିଜଡ଼ିତ । ଏହି ଧର୍ମ ଯେତେବେଳେ ମ୍ଳାନ ଅବସ୍ଥାରେ ସେତେବେଳେ ‘ଯଦା ଯଦାହି’ ବାକ୍ୟାନୁସାରେ ଉପରୋକ୍ତ ଯୀଶୁଖ୍ରୀଷ୍ଟ, ମହମ୍ମଦ, ବୁଦ୍ଧ, ଶଙ୍କର ଚୈତନ୍ୟ ଓ ନାନକାଦି ମହାପୁରୁଷମାନେ ଆବିର୍ଭୂତ ହୋଇ ସ୍ୱସ୍ୱ ଧର୍ମ ପ୍ରଚାର ଏବଂ ଧର୍ମର ଅଙ୍ଗହାନୀର ପରିପୂରଣ କରି ଅଛନ୍ତି । ଏହାଛଡ଼ା ଅନ୍ୟ ସିଦ୍ଧାନ୍ତ ଧାର୍ମିକ ପକ୍ଷେ ଅସମ୍ଭବ ବୋଲି ମନେ ହୁଏ । ତେଣୁ ଏ ଧର୍ମ କଦର୍ଥନର ଶେଷ ସୀମାରେ ଉପନୀତ ହେଲେହେଁ ମରି ମଧ୍ୟ ମରି ନାହିଁ ଓ ଚିରଦିନ ମରିବ ନାହିଁ ମଧ୍ୟ । ଅନ୍ୟ ସବୁ ଧର୍ମରେ ଏକଦେଶଦର୍ଶିତା ଦୋଷ ପରିନିହିତ । ଏ ଧର୍ମ କେବଳ ଦୋଷଶୂନ୍ୟ । ତାହା ଯଦି ହୁଏ ଏ ଧର୍ମ ଯେ ପୃଥିବୀର ଏକମାତ୍ର ଧର୍ମ ନାମବାଚ୍ୟ ଧର୍ମ, ଏଥିରେ ମତଦ୍ୱୈଧର ସମ୍ଭାବନା ନାହିଁ । କାରଣ ସବୁ ଧର୍ମ ଏକ । କେବଳ ନାମରେ ପାର୍ଥକ୍ୟ ଲକ୍ଷିତ ହୁଏ । ମାତ୍ର ବେଳୁଁବେଳ ଏହି ମହାଭାବ ପରିସ୍ଫୁଟ କରି ମାନବିକତାର ବିକାଶ ପାଇଁ ପ୍ରଚେଷ୍ଟା ସର୍ବତ୍ର ସର୍ବଦା ବାଞ୍ଛନୀୟ । ପୃଥିବୀ ବିଜ୍ଞାନାଲୋକରେ ଆଲୋକିତ ଓ ସଭ୍ୟତାର ପରିସୀମାରେ ଉପନୀତ । କେତେ ଦେଶ ସଂପଦରେ କେତେ ଦେଶ କ୍ଷମତାରେ ମଦମତ୍ତ କିନ୍ତୁ ଏ ସବୁ ସତ୍ୱେ ଆଜି ଜଗତବାସୀ ବୋବାଳି ଛାଡ଼ିଛନ୍ତି ‘‘ଶାନ୍ତି କାହିଁ ? ସୁଖ କାହିଁ ? ମୃତ୍ୟୁ-ପାପ ଦୁଃଖ ଯେ ପୃଥିବୀକୁ ଖାଇଯାଉଛି ।’’ ଆଜି ପୃଥିବୀର ସମସ୍ତ ଦେଶ ଓ ଜାତି ଅନ୍ୟାନ୍ୟ ଦେଶ ଓ ଜାତିର ବିନାଶ ନିମିତ୍ତ ଗୋଟିଏ ଗୋଟିଏ ଯୁଦ୍ଧ ଶିବିର ମାତ୍ର । ଭାରତ ମଧ୍ୟ ସେଥିରୁ ଭିନ୍ନ ନୁହେଁ । କେବଳ ଆତ୍ମରକ୍ଷା ନିମନ୍ତେ ସମସ୍ତେ ଛକ ଖୋଜି ଚାହିଛନ୍ତି, କେତେବେଳେ ନିଆଁ ଜାଳି ଅନ୍ୟକୁ ଦଗ୍‍ଧ କରିବେ । ଏମାନଙ୍କୁ ଦୁଇ ଶ୍ରେଣୀରେ ନିଆ ଯାଇପାରେ । ଏକଶ୍ରେଣୀ ପ୍ରାଚ୍ୟ ଓ ଅନ୍ୟ ଶ୍ରେଣୀ ପାଶ୍ଚାତ୍ୟ । ପାଶ୍ଚାତ୍ୟର ଅକ୍ରୋଶରୁ ଆତ୍ମରକ୍ଷା କରିବାକୁ ପ୍ରାଚ୍ୟର ଏ ପ୍ରସ୍ତୁତି । ପ୍ରାଚ୍ୟ ଉପରେ ଚିର ପ୍ରାଧାନ୍ୟ ପାଇଁ ପାଶ୍ଚାତ୍ୟର ଏ ଦୁରଭିସନ୍ଧି ଓ କରାମତି । ଆଉ ଭାରତ ଆଜି ସ୍ୱାଧୀନତା ପାଇ ମଧ୍ୟ ନିରାପଦ ନୁହେଁ । ତେବେ ଏହା ସ୍ଥିର ଯେ, ଧନ, କ୍ଷମତା, ସଭ୍ୟତା ଓ ସ୍ୱାଧୀନତା ମଧ୍ୟ ସମାଜର ସୁଖ ପାଇଁ ନୁହନ୍ତି । ଅବଶ୍ୟ ସେମାନଙ୍କର ପ୍ରୟୋଜନୀୟତା ଯେ ଅତ୍ୟଧିକ, ଏହା ଅସ୍ୱୀକାର କରିବାର ଉପାୟ ନାହିଁ । ଏ ସବୁ ସତ୍ତ୍ୱେ ଆଜି ଭାରତ ହା ଅନ୍ନ, ହା ବସ୍ତ୍ର, ହା ଶିକ୍ଷା, ହା ସୁଯୋଗ କରି ବୁଲୁଛି । ସମାଜରେ ସମସ୍ତେ ଏହି ମହାଜୀବନ-ସଂଗ୍ରାମରେ ବ୍ୟତିବ୍ୟସ୍ତ । ତେବେ ଜୀବନର ଉଦ୍ଦେଶ୍ୟ କଅଣ ଏହି ଜୀବନ ସଂଗ୍ରାମ ଓ ଦୁଃଖହିଁ ମନୁଷ୍ୟ ଜୀବନର ପ୍ରାପ୍ୟ ଏବଂ ଏହା କଅଣ ଭଗବତ୍‍ ନିର୍ଦ୍ଦେଶ ? କଦାପି ତାହା ନୁହେଁ । ଭଗବାନ ଯେ ଦୟାମୟ । ଶୈଶବରେ ବିଦ୍ୟାଲାଭ, ବ୍ରହ୍ମଚର୍ଯ୍ୟ, ମହାଦୁଃଖପୂର୍ଣ୍ଣ । ଯୌବନରେ ଧନ, ଜନ, ଯଶପାଇଁ ଏପରି ଆୟାସ ନାହିଁ ଯାହା ସ୍ୱୀକାର୍ଯ୍ୟ ନୁହେଁ, ଏପରି ପାପ ନାହିଁ, ଯାହା ମୁଣ୍ଡାଇବାକୁ ମନ ଭୀତ ହୁଏ । ଶୈଶବ ଓ ଯୌବନରେ ଏତେ କରି ବାର୍ଦ୍ଧକ୍ୟରେ ଶାରୀରିକ ଶକ୍ତିହୀନତା, ରୋଗଚୟର ପ୍ରାବଲ୍ୟ, ଲୋକ ସମାଜର ଧିକ୍‌କାର ମାତ୍ର ସାର ହୁଏ । ବାଲ୍ୟ, ଯୌବନ ଓ ବାର୍ଦ୍ଧକ୍ୟର ଯଦି ଏ ପରିଣାମ, ତେବେ ପ୍ରମାଣିତ ହେଉଛି ଜୀବନର ଉଦ୍ଦେଶ୍ୟ ଧନ, ଜନ, ଯଶ, ସଭ୍ୟତା, କ୍ଷମତା ଓ ରାଜନୈତିକ ସ୍ୱାଧୀନତା ପ୍ରାପ୍ତି ମଧ୍ୟ ନୁହେଁ । ଉଦ୍ଦେଶ୍ୟ ଅନ୍ୟତ୍ର ଖୋଜିବାକୁ ହେବ ।

Image

 

ତୃତୀୟ ପରିଚ୍ଛେଦ

ତ୍ରି ତତ୍ତ୍ୱ

 

ପୂର୍ବେ କୁହାଯାଇଅଛି ଯେ ବାଲ୍ୟ ଜୀବନରେ ଯଦି ଶିକ୍ଷା ଲାଭର ସୁବିଧା ମିଳେ, ତେବେ ଜୀବନର ଉଦ୍ଦେଶ୍ୟ କଣ ଚିନ୍ତା କରିବାକୁ ପଡ଼େ । ଭାଷାଜ୍ଞାନ ସଙ୍ଗେ ସଙ୍ଗେ ନାନା ସୁଗ୍ରନ୍ଥ ଓ କୁଗ୍ରନ୍ଥ ହାତରେ ପଡ଼େ । କୁଗ୍ରନ୍ଥ ମନକୁ ଅଧୋଗତି ଆଡ଼କୁ ଓ ସୁଗ୍ରନ୍ଥ ଊର୍ଦ୍ଧ୍ୱକୁ ଟାଣେ ଓ କ୍ରମେ କ୍ରମେ ମନ୍ଦ ଓ ଭଲ ଅଭ୍ୟାସରେ ଅଭ୍ୟସ୍ତ ହେବାକୁ ପଡ଼େ । ତେବେ ସତ୍ୟ, ଦାନ, ତ୍ୟାଗ, ପ୍ରେମ ଓ କ୍ଷମା ଆଦି ସଦ୍‌ଗୁଣଚୟର ମନ୍ଦ ଦିଗରେ ପରିବର୍ତ୍ତନ ନାହିଁ । ସଦ୍‌ଗ୍ରନ୍ଥ ସବୁରେ ମନୁଷ୍ୟ ଜୀବନରେ ଏହି ଗୁଣଚୟର ବିକାଶ ସମୟେ ସମୟେ ମନକୁ ଏପରି ମୁଗ୍‌ଧ କରେ ଯେ, ମନେହୁଏ ଜୀବନର ଉଦ୍ଦେଶ୍ୟ ତାହାହିଁ ଅଟେ। ବାସ୍ତବିକ୍ ବାଲ୍ମୀକିଙ୍କର ରାମାୟଣ, ବ୍ୟାସଦେବଙ୍କ ମହାଭାରତ ଓ ଗୀତା, ବେଦ ବେଦାଙ୍ଗ ଉପନିଷଦରେ ଯେଉଁ ମହାରତ୍ନଚୟ ରହିଛି, ତାହା ଚିହ୍ନ ପାରିଲେ କେଉଁ ମନୁଷ୍ୟ ତାହା ଆହରଣ କରିବାକୁ ପ୍ରଲୁବ୍‌ଧ ନ ହେବ ଓ ସଙ୍ଗେ ସଙ୍ଗେ ଗ୍ରନ୍ଥକର୍ତ୍ତାଙ୍କଠାରେ ସହୃଦୟ କୃତଜ୍ଞତା ଜ୍ଞାପନ ନ କରିବ ? ଯେଉଁ ମନୋଭାବରୁ ଓ ଯେଉଁ ସ୍ୱର୍ଗୀୟ ପ୍ରବୃତ୍ତିର ପ୍ରରୋଚନାରେ ଏହି ଗ୍ରନ୍ଥସବୁର ସୃଷ୍ଟି, ସେହି ମନୋଭାବ ଓ ପ୍ରବୃତ୍ତିର ବିକାଶ ଦିଗରେ ଯତ୍‌ପରୋନାସ୍ତି ପ୍ରଚେଷ୍ଟା ମନୁଷ୍ୟ ମାତ୍ରରହିଁ ପ୍ରଧାନ କର୍ତ୍ତବ୍ୟ । ବାଲ୍ୟ କାଳରେ ପ୍ରକୃତ ସାଧୁମାନଙ୍କର ତ୍ୟାଗ, ଦଧିଚୀଙ୍କର ଅସ୍ଥି ପ୍ରଦାନ, ଚୈତନ୍ୟାଦି ମହାପୁରୁଷମାନଙ୍କର ପ୍ରେମ ଓ ଭକ୍ତିଗାଥା, ବଶିଷ୍ଟ, ବିଶ୍ୱାମିତ୍ର ଆଦି ଋଷିମାନଙ୍କର ତପସ୍ୟା ଓ ଆତ୍ମସୁଖ ତ୍ୟାଗ, ଆସନ, ପ୍ରାଣାୟାମ ଆଦିଦ୍ୱାରା ଭୂତ ଓ ଇନ୍ଦ୍ରିୟାଦିଙ୍କ ଉପରେ ପ୍ରଭୃତ୍ୱ ସ୍ଥାପନ ତଥା ଐଶ୍ୱରିକ ଉପାଦାନ ସବୁ ଉପରେ ଅଧିକାର ସ୍ଥାପନର ପ୍ରଚେଷ୍ଟା ମନକୁ ଚକିତ ଓ ପୁଲକିତ କରେ । ଯେତେବେଳେ ମନୁଷ୍ୟ ବୁଝେ ଯେ, ଏ ଘୋର ଆୟାସ ସବୁ କେବଳ ନିର୍ବାଣ ପାଇଁ, ସେତେବେଳେ ଜୀବନର ଉଦ୍ଦେଶ୍ୟ ଯେ ନିର୍ବାଣ ବା ଈଶ୍ୱରପ୍ରାପ୍ତି ଏହି ଧାରଣା ତାର ହୃଦୟରେ ଦୃଢ଼ୀଭୂତ ହୁଏ । ବସ୍ତୁତଃ ତାହାହିଁ ସତ୍ୟ ଅଟେ । ନ ହେଲେ ଯେଉଁ ଜୀବିକାଠାରୁ ହୀନ ଓ ଦୁଃଖର ଜୀବିକା ଆଉ ନାହିଁ ସେହି ଭିକ୍ଷୋପଜୀବୀ, ସର୍ବତ୍ୟାଗୀ ପୂର୍ବତନ ବ୍ରାହ୍ମଣ ସକାଳୁ ଉଠି ନିଜ ଉନ୍ନତି ବା ମୁକ୍ତି ପ୍ରାର୍ଥନା ଛାଡ଼ି ଭଗବାନଙ୍କୁ ପ୍ରାର୍ଥନା କରେ, ‘‘ସ୍ୱସ୍ତି ପ୍ରଜାଭ୍ୟଃ ପରିପାଳାୟନ୍ତାଂନ୍ୟାୟେନ ମାର୍ଗେଣମହୀଂ ମହୀଶାଃ, ଗୋ ବ୍ରାହ୍ମଣେଭ୍ୟଃ ଶୁଭମସ୍ତୁ ନିତ୍ୟଂ ଲୋକାଃ ସମସ୍ତାଃ ସୁଖିନୋଭବନ୍ତୁ । କାଳେ ବର୍ଷତୁ ପର୍ଜନ୍ୟଃ ପୃଥିବୀ ଶସ୍ୟ ଶାଳନୀ । ଦେଶୋୟଂ କ୍ଷୋଭରହିତୋ ବ୍ରାହ୍ମଣାଃ ସନ୍ତୁନିର୍ଭୟାଃ’’–ବ୍ରହ୍ମମ୍ ଜାନାତୀତି ବ୍ରାହ୍ମଣଃ ଅର୍ଥରେ ବୁଝିବାକୁ ହେବ । ଏହି ମହା ପ୍ରାର୍ଥନା ବାକ୍ୟର ଉଦ୍ଦିଷ୍ଟ ବିଷୟବସ୍ତୁ ଯେ ଜୀବନର ଉଦ୍ଦେଶ୍ୟ, ବହୁ ଅଭିଜ୍ଞତା ପରେ ମଧ୍ୟ ତାହା ଭ୍ରାନ୍ତ ମନ ଗ୍ରହଣ କରି କରେନାହିଁ ଏହାହିଁ ବିଚିତ୍ର । ତା’ପରେ ଦେଶ ହିତୈଷଣାର କଥା ବିବେଚନା କରାଯାଉ । ଦେଶ ପାଇଁ ଗତ ୩୦।୪୦ ବର୍ଷ ମଧ୍ୟରେ ଯେ କେତେ ଲୋକ ଘୃଣ୍ୟ ନରହତ୍ୟା ରୂପ ମହାପାତକ ମୁଣ୍ଡାଇ ଫାସି କାଠରେ ପ୍ରାଣ ଦେଇଗଲେ ବା ଦେଶଦ୍ରୋହୀ ଅଭିଯୋଗରେ ସାରା ଜୀବନ କଳାପାଣିରେ ବା ବର୍ଷ ବର୍ଷ ଧରି ନରକର ରୂପାନ୍ତର ତମୋମୟ ବନ୍ଦୀଶାଳର ଶ୍ୱାସରୋଧକାରୀ ପ୍ରକୋଷ୍ଠରେ ଆବଦ୍ଧ ହୋଇ ରହିଲେ, କେତେବେଳେ ବା ଦେହଫଟା ଓ ହାଡ଼ଭଙ୍ଗା ପରିଶ୍ରମ କରି ଜୀବନ କଟାଇ ମଧ୍ୟ ଅନୁତପ୍ତ ହୋଇ ନାହାନ୍ତି । ଏ ସବୁ ଦେଖିଲେ ବା ଅନୁଧ୍ୟାନ କଲେ ମନେହୁଏ ‘‘ଦେଶଟା କଅଣ ?’’ କି ଲାଭ ଆଶାରେ ଲୋକ ଏ ଦୁର୍ଦ୍ଦଶା ବରଣ କରେ ଓ ଦୁର୍ଦ୍ଦଶାଗ୍ରସ୍ତ ହୋଇ ମଧ୍ୟ ସହାସ୍ୟ ବଦନରେ ଜୀବନ ଦାନ କରେ ? ତାହା ଅତି ଆଶ୍ଚର୍ଯ୍ୟ ଜନକ । ବସ୍ତୁତଃ ଦେଖାଯାଏ ଯେ ଦେଶର ସକାଶେ ଯେଉଁ ଦୁର୍ଦ୍ଧର୍ଷ କର୍ତ୍ତବ୍ୟନିଷ୍ଠ ନିଷ୍ଠୁର ଶାସକର ବିରୋଧାଚରଣ କରି ଅବୈଧ କାର୍ଯ୍ୟ କରିବାକୁ ପଡ଼େ ଓ ଆବଶ୍ୟକ ହେଲେ ସେହି ଶାସକକୁ ହତ୍ୟା କରିବାକୁ ପଡ଼େ ଓ ଫଳତଃ ମୃତ୍ୟୁଦଣ୍ଡ ଲଭିବାକୁ ହୁଏ, ସେହି ଶାସକ ପ୍ରତି ବା ତାର କାର୍ଯ୍ୟ ପ୍ରତି ବ୍ୟକ୍ତିଗତ ଭାବେ ଦଣ୍ଡିତର କୌଣସି ଆକ୍ରୋଶ ନ ଥାଏ । ମହାତ୍ମାଗାନ୍ଧୀ ତାଙ୍କର ଆହମଦାବାଦ ବିଚାର ବେଳେ କହିଥିଲେ ‘‘ବ୍ରିଟିଶ ଜାତି ମୋର ଅନ୍ତରଙ୍ଗ ବନ୍ଧୁ ।’’ ଗାନ୍ଧିଜୀଙ୍କର ଏ ଆନ୍ତରିକତାରେ ବ୍ରିଟିଶ ଜାତି ମଧ୍ୟ ସନ୍ଦିହାନ ହୋଇ ନ ଥିଲେ । କେବଳ କର୍ତ୍ତବ୍ୟ ଅନୁରୋଧରେ ସ୍ୱକର୍ତ୍ତବ୍ୟ କରୁଁ କରୁଁ ଯାହା କରି ଯାଇଥାଏ, ଦଣ୍ଡିତର ଦେଶ ପକ୍ଷେ ତାହା କ୍ଷତିକାରକ ବୋଲି ଦଣ୍ଡିତ ବିଶ୍ୱାସ କରିଥାଏ ଏବଂ ସେଥି ସକାଶେ ହତବ୍ୟକ୍ତି ଦଣ୍ଡିତର ବିରାଗଭାଜନ ହୋଇଥାଏ ମାତ୍ର ।

 

ଦେଶବତ୍ସଳତା ଦିଗରେ ବାଳଗଙ୍ଗାଧର ତିଳକ ମହାତ୍ମାଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଯତୀନ୍ଦ୍ର ମୋହନ ସେନଗୁପ୍ତ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହରୁ, ଗୋପବନ୍ଧୁ ଦାସ, ଆଦିଙ୍କର କାର୍ଯ୍ୟକଳାପ ଆଲୋଚନା କଲେ ସ୍ତମ୍ଭୀଭୂତ ହୋଇ ଭାବିବାକୁ ପଡ଼େ, କି ଉଦ୍ଦେଶ୍ୟରେ ଏମାନେ ଏପରି ନରକର ଆମନ୍ତ୍ରଣ କରିଥିଲେ ଏବଂ ସେପରି ନରକର ଆମନ୍ତ୍ରଣ କରି ମଧ୍ୟ ସେଥିପାଇଁ କେବେ ଅନୁତପ୍ତ ନୁହନ୍ତି ଓ ହୋଇ ନାହାନ୍ତି ? କାହା ଜିଭରେ ହାଡ଼ଅଛି ଯେ କହିବ ଏଭଳି ଉଚ୍ଚଶିକ୍ଷିତ ଜ୍ଞାନୀ ପରାର୍ଥପର ଓ ସର୍ବତ୍ୟାଗୀମାନେ ଧର୍ମର ଅନୁରୋଧ ବିନା ଏ ସବୁ କାର୍ଯ୍ୟ କରିଥିଲେ ।

 

ପୂର୍ବ ପରିଚ୍ଛେଦରେ ସ୍ୱାଧୀନତାକୁ ମଧ୍ୟ ଧନ, ମାନ, ଯଶ ଓ ସଭ୍ୟତା ପରି ଶାନ୍ତି ସୁଖର ଆଧାର ନୁହେଁ ବୋଲି କୁହାଯାଇଛି । ସ୍ୱାଧୀନତାକୁ ବର୍ତ୍ତମାନ ଲୋକେ ଯେଉଁ ଅର୍ଥରେ ନିଅନ୍ତି ସେହି ଅର୍ଥରେ ଏଠାରେ ମଧ୍ୟ ବୁଝିବାକୁ ହେବ । ଅର୍ଥାତ୍‌ ଏହା ବିଦେଶୀ ଶାସନ କଳରୁ ମୁକ୍ତି ମାତ୍ର-। ଏହା ଅତି ତୁଚ୍ଛ ଅଟେ । ତାହା କେବଳ ସୁଖ ଶାନ୍ତିର ବିଧାୟକ ନୁହେଁ ବା ହୋଇ ନ ପାରେ-। ବହୁ ଆୟାସ ପରେ ଭାରତୀୟ ଆଜି ଏ ଅଭିଜ୍ଞତା ଲାଭ କରିଛି । ଖାଲି ଏ ସ୍ୱାଧୀନତା ଉପରୋକ୍ତ ନେତାମାନଙ୍କର ଉଦ୍ଦିଷ୍ଟ ନୁହେଁ । ମହାତ୍ମାଗାନ୍ଧିଜୀଙ୍କର ଜୀବନ ଦାନ ଏଥିର ଜ୍ୱଳନ୍ତ ପ୍ରମାଣ-

 

ଠିକ୍‌ ମୃତ୍ୟୁ ପୂର୍ବେ ଗାନ୍ଧିଜୀ, ସର୍ଦ୍ଦାର ପଟେଲଙ୍କୁ କହିଥିଲେ ‘‘କଣ ଏହି ଅନ୍ଧାରରେ ମୋତେ ବୁଡ଼ାଇବାକୁ ମୋର ପ୍ରିୟୋପବେଶନରୁ ମୋତେ ନବର୍ତ୍ତାଥିଲ ?’’ ଏ ସ୍ୱାଧୀନତା ସ୍ୱାଧୀନତାର ଅ ଆ ହେଲେ ମଧ୍ୟ ଏହା ସ୍ୱାଧୀନତାର ବିକାର ମାତ୍ର, ତଥା ସ୍ୱେଚ୍ଛାଚାର ଦିଗରେ ଦେଶୀ ଶାସକର ସ୍ୱାଧୀନତା ମାତ୍ର । ଏ ଅନ୍ଧାର ଭାରତୀୟର ଭୂୟୋଦର୍ଶନର ପ୍ରତିକୂଳ ଓ ତେଣୁ ଆଜି ଭାରତରେ ଦୁଃଖ ଦୁର୍ଦ୍ଦଶା ଓ ଅଶାନ୍ତି ବଢ଼ିଛି । ଏହା ଅସ୍ୱୀକାର କରିବାର ଉପାୟ ନାହିଁ । ତହିଁର କାରଣ ସବୁ ଖୋଜି ବାହାର କରି ସେ ସବୁର ନିରାକରଣ କରିବାକୁ ହେବ । ଏ ଅବସ୍ଥାରେ ଏହା ଭାରତୀୟମାନଙ୍କ ପକ୍ଷେ ଜୀବନ ମରଣର ସମସ୍ୟା ହୋଇ ପଡ଼ିଲାଣି ।

 

ଭାରତୀୟ ଦୁଃଖ ଦୁର୍ଦ୍ଦଶା ବର୍ତ୍ତମାନ ଜାଗତିକ ଦୁଃଖ ଦୁର୍ଦ୍ଦଶା ଓ ଅଶାନ୍ତିର ବହୁ ଅଂଶରେ ପ୍ରତିକ୍ରିୟା ଏହା ସ୍ୱୀକାର କରିବାକୁ ହେବ । ତେବେ ସେହି ଅତିମାନବ ନେହେରୁଙ୍କ ଯୋଗେ କେତେକ ପରିମାଣରେ ଏହି ସବୁର କିଞ୍ଚିତ ଗତିରୁଦ୍ଧ ହୋଇଛି ମାତ୍ର । ଏଥିପାଇଁ ସେ ଜାତିର ଧନ୍ୟବାଦାର୍ହ । ତାହା ଛଡ଼ା ବହୁ ଅସ୍ୱାଭାବିକ ଘଟଣା ନିଚୟ ଏ ସବୁର ମୂଳରେ ରହିଛନ୍ତି । ଦେଶ ବିଭାଗ ପରେ ଅନୈତିହାସିକ ସଂଖ୍ୟାରେ ବାସ୍ତୁହରା, ପାପ ଦେହରେ ଛେରାରୋଗପରି ଭାରତୀୟକୁ କଣ୍ଠାଗ୍ରତପ୍ରାଣ କରିଛି । ତଦୁପରି ଅତିବୃଷ୍ଟି, ଅନାବୃଷ୍ଟି, ଅସାମ ଭୂମିକମ୍ପ, ଭାରତ କାହିଁକି ସାରା-ପୃଥିବୀରେ ଖାଦ୍ୟାଭାବ ଓ ସଙ୍ଗେ ସଙ୍ଗେ ଲୋକ ସଂଖ୍ୟାବୃଦ୍ଧି, ଆକ୍ରମଣକାରୀର କାଶ୍ମୀର ଅଭିଯାନ ଅଭିଯାନ ପାଇଁ ଭାରତର ବିଚାର ପ୍ରାର୍ଥନା, ବିଚାରକର ସ୍ୱଦେଶ ପକ୍ଷପାତିତା ଓ ଅଦୂରଦର୍ଶିତା, ଆତ୍ମପରାୟଣତା ଯୋଗୁଁ ନ୍ୟାୟନିଷ୍ଠତା ପରିତ୍ୟାଗ ଇତ୍ୟାଦି ଏ ଦୁଃଖ ଦୁର୍ଦ୍ଦଶା ଓ ଅଶାନ୍ତିର ମାତ୍ରା ବୃଦ୍ଧି କରି ଅଛନ୍ତି । ଏ ଜୁଆରରେ ବ୍ୟକ୍ତିଗତ ନିପୁଣତା ସାମାନ୍ୟ କାର୍ଯ୍ୟକାରୀ ହେଲେହେଁ ଏ ଜୁଆରର ନିୟାମକ ହୋଇ ନ ପାରେ । ଲୋଡ଼ା ସହିତ ଓ ସଂଗଠନ, ଯେଉଁ ସଂହିତ ଓ ସଂଗଠନ ଗାନ୍ଧିଜୀ ପୃଥିବୀର ଇତିହାସରେ, କେବଳ ପୃଥିବୀ ଆଗରେ ଦେଖାଇ ପାରିଛନ୍ତି । ଏହି ସଂହତି ଓ ସଂଗଠନ ପାଇଁ ଭାରତରେ କଂଗ୍ରେସ ଛଡ଼ା ଆଉ ଅନୁଷ୍ଠାନ ନାହିଁ । କିନ୍ତୁ ସେହି କଂଗ୍ରେସ ଆଜି ସୁବିଧାବାଦୀର ତାଣ୍ଡବଲୀଳାର ପୀଠସ୍ଥଳୀ । ଆଜି କଂଗ୍ରେସ ଯେ ପରିମାଣରେ ସ୍ୱେଚ୍ଛାଚାର, ସ୍ୱୈରାଚାର ଓ କ୍ଷମତାନ୍ଧ ହୋଇ ପଡ଼ିଛି, ତହିଁର ଅନ୍ୟ ଦୃଷ୍ଟାନ୍ତ ପୃଥିବୀ ଇତିହାସରେ ଅନ୍ୟତ୍ର ଖୋଜିଲେ ମିଳୁ ନାହିଁ । ବାପୁଜୀଙ୍କ ନାମରେ ବାପୁଜୀଙ୍କର ଆଶୀର୍ବାଦ ପ୍ରାପ୍ତ କଂଗ୍ରେସ ପ୍ରୀୟାପ୍ରୀତି ତୋଷଣାଦି ନାନା କୁକ୍ରିୟା କରି କୋଟି କୋଟି ଟଙ୍କା ପାଣିରେ ପକାଇ ତାଳୁରୁ ତଳିପାଯାଏ ଯେ ଦୁର୍ନୀତିପରାୟଣ ହୋଇଅଛନ୍ତି ତଦ୍ଦ୍ୱାରା ଦେଶର ଦୁଃଖ ଦୁର୍ଦ୍ଦଶା ଓ ଅଶାନ୍ତି ନିରୁଦ୍ଧ ହେବାର ନୁହେଁ । ହଁ ଅନ୍ୟାନ୍ୟ ଅନୁଷ୍ଠାନ ସଙ୍ଘବଦ୍ଧ ବା ପ୍ରତିଷ୍ଠାନର ଅଭାବରୁ ନେହେରୁଜୀ କଂଗ୍ରେସକୁ ଜାବୁଡ଼ି ଧରିଛନ୍ତି । କାରଣ ବର୍ତ୍ତମାନ ପାଇଁ ତାଙ୍କର ଅନ୍ୟଗତି ନାହିଁ । କିନ୍ତୁ କଂଗ୍ରେସର ସଂଶୋଧନ ଦିଗରେ ତାଙ୍କର ଅନୁଚରଣହିଁ ତାଙ୍କର ପ୍ରତିକୂଳତା କରୁଛନ୍ତି । ଏପରି ଅବସ୍ଥାରେ ସେ ଯଦି ଅତିମାନବ ଅଟନ୍ତି ତେବେ ବା ଏଥିରେ କୃତକାର୍ଯ୍ୟ ହୋଇ ପାରିବେ କିନ୍ତୁ ତାହା ବିଶ୍ୱାସ କରି ହେଉ ନାହିଁ । ଭଗବାନ ଶ୍ରୀକୃଷ୍ଣ ସ୍ୱେଚ୍ଛାଚାରୀ ଯାଦବକୁଳ ଧ୍ୱଂସକରି (ତାଙ୍କ ନିଜସୃଷ୍ଟ) ପୃଥିବୀରେ ଶାନ୍ତି ସ୍ଥାପନ କରିଥିଲା ପରି ଏହି ଦୁର୍ନୀତିଗ୍ରସ୍ତ କଂଗ୍ରେସକୁ ସର୍ବୋଦୟରେ ଲୋପ କରିବାକୁ ଗାନ୍ଧିଜୀ ସୂଚନା ଦେଇଥିଲେ । ନେହେରୁଜୀ ଏ ସୂଚନାର ବିରୁଦ୍ଧରେ କଂଗ୍ରେସର ପୁନର୍ଗଠନର ଯେ ପ୍ରଚେଷ୍ଟା ଚଳାଇଛନ୍ତି, ସେ ଦିଗରେ କେତେଦୂର କଅଣ ହେବ ତାହା ଦେଖିବାକୁ ଜାତି ଉଦ୍‌ଗ୍ରୀବ ରହିଛି । କିନ୍ତୁ ସଂହାର ନୀତି ବିନା ସୃଷ୍ଟି ସ୍ଥିତି ଅସମ୍ଭବ ଏହା ମଧ୍ୟ ପାଶୋରିବାର ନୁହେଁ । ଆସ ଆମେ କ୍ଷୁଦ୍ରଜୀବଗଣ ଦେଶରତ୍ନଙ୍କର କାର୍ଯ୍ୟରେ ସହାୟ ହେଉଁ । ସେ ସଂଗଠନ ଦିଗରେ ଚାଲନ୍ତୁ ବା ସଂହାର ଦିଗରେ ଚାଲନ୍ତୁ ତାଙ୍କର ଅନୁଗାମୀ ହେଉଁ; ନ ହେଲେ ଏହି ସୁଯୋଗ ହରାଇ ଆମର ମନୁଷ୍ୟପଣିଆ ହରାଇବା ସିନା ।

Image

 

ଚତୁର୍ଥ ପରିଚ୍ଛେଦ

ପରୋପକାର

 

ପୂର୍ବ ପରିଚ୍ଛେଦରେ ତିନୋଟି ଜୀବନର ଉତ୍କର୍ଷତା ସମ୍ବନ୍ଧେ କିଞ୍ଚିତ୍ ଆଲୋଚନା କରାଯାଇଛି । ୧–କବିତ୍ୱ ଓ ପାଣ୍ଡିତ୍ୱର ବିକାଶ ପାଇଁ ସଦ୍‌ଗ୍ରନ୍ଥ, ୨–ଯୋଗୀ ଓ ମୁନିବୃତ୍ତି, ୩–ଦେଶ ହିତୈଷଣା । ଏ ତିନି ମଧ୍ୟରେ ଉତ୍କର୍ଷତା କେଉଁଥିରେ ତାହା ନିରୂପଣ କରିବାକୁ ଆଦିକାଳରୁ ପ୍ରୟାସ ଚାଲିଛି ଓ ତାହା ମଧ୍ୟ ସେତେ ସହଜ ନୁହେଁ । ମନୁଷ୍ୟର ସ୍ୱଭାବ ଅନୁରୂପେ ଏକ ଅନ୍ୟାପେକ୍ଷା ନିକୃଷ୍ଟ ଥିବାର ଅନୁମିତ ହୁଏ । କବିତା-ଗ୍ରନ୍ଥାକାର ଲୋକ-ଚରିତ୍ର ବିଶ୍ଳେଷଣର ଶେଷ ସୀମାରେ ପହଞ୍ଚି ଲୋକର ଉନ୍ନତି କେଉଁ ଦିଗରେ ବୁଝି ଗ୍ରନ୍ଥ ସବୁକୁ ଦିଗ୍‌ନିରୂପଣ ଯନ୍ତ୍ରକରି ଲୋକ ସମ୍ବନ୍ଧରେ ଧରିଛନ୍ତି । ଆମେ କୁପାତ୍ର ଅପାତ୍ରଗଣ ତାହାର କଦର୍ଥନ ବିପରୀତାର୍ଥନ କରି ନିଜର ଅଧୋଗତି ଘଟାଉଛୁ । ଆଜି ଯଦି କେହି କହିବ ଶ୍ରୀକୃଷ୍ଣଙ୍କର ରାସକ୍ରୀଡ଼ା, କାମକ୍ରୀଡ଼ା ନୁହେଁ, ଶ୍ରୀକୃଷ୍ଣଙ୍କର ବହୁ ଭାର୍ଯ୍ୟା ନ ଥିଲେ ଓ ସେ ପରଦାର-ନିରତ ନୁହନ୍ତି, ପୌରାଣିକର ବର୍ଣ୍ଣନାସବୁ ଇତିହାସମୂଳକ ନୁହେଁ, ବେଦ ବେଦାଙ୍ଗ ଆଦିର ନିଗୂଢ଼ ତତ୍ତ୍ୱ ଆମେ ବୁଝିବାକୁ ଅକ୍ଷମ, ତେବେ ଲୋକସାଧାରଣ କହିବେ ଆମେ ହିନ୍ଦୁଦ୍ୱେଷୀ ଯବନ । ଇଂରାଜୀ ପଢ଼ି ଆମ୍ଭର ମୁଣ୍ଡ ଖରାପ ହେଲାଣି । ଆମର ମୁହଁ ଦେଖିବାର ନୁହେଁ, ଆମେ କୁଳକଳଙ୍କା ପୁଣି ବାପୁଜୀ ଯେ ଅସ୍ପୃଶ୍ୟତା ନିବାରଣ ପାଇଁ ସାରା ଜୀବନ କଠୋର ତପଶ୍ଚରଣ କଲେ କେତେ ଲୋକ ତାକୁ ଶାସ୍ତ୍ରବିରୁଦ୍ଧ ବୋଲି ବହୁତ ବହୁତ ଶ୍ଳୋକ ଦେଖାଇ ଶାସ୍ତ୍ରୀୟ ପ୍ରମାଣ ଦେବେ। କିନ୍ତୁ ଚଣ୍ଡାଳ କନ୍ୟା ଅରୁନ୍ଧତୀ ହିନ୍ଦୁଶ୍ରେଷ୍ଠ ବଶିଷ୍ଠଙ୍କର ସହଧର୍ମିଣୀ ଏହା ବିଶ୍ୱାସ କରିବେ ନାହିଁ । ଏକ କଥାରେ କହିଲେ କୁହାଯିବ ଯାହା ଆମ୍ଭର ଅଭ୍ୟାସ ଓ ରୁଚି ଅନୁରୂପୀ, ପୁରାଣଶାସ୍ତ୍ରର ସେତିକି ସତ୍ୟ ଓ ତେଣୁ ଗ୍ରହଣୀୟ; ବାକୀ ସବୁ ଅଳୀକ, ବର୍ଜନୀୟ ! ଏହି କଳୁଷିତ ମନୋଭାବ ଯେ ପର୍ଯ୍ୟନ୍ତ ଆମ ଭିତରେ ରହିଛି ସେ ପର୍ଯ୍ୟନ୍ତ ଆମର ଅଧୋଗତି ଚାଲିଥିବ । କାରଣ ତା ଛଡ଼ା ଅନ୍ୟ ଗତି ଏ ବ୍ୟବସ୍ଥାରେ ଅସମ୍ଭବ-। ‘‘ବସୁଧୈବ କୁଟୁମ୍ୱକଂ’’ ହିନ୍ଦୁ ପୁରାଣ ଶାସ୍ତ୍ରର ଏ ମହାଭାବ ସର୍ବତ୍ର ଦେଦୀପ୍ୟମାନ । ମଧ୍ୟରେ ଭିନ୍ନ ଭିନ୍ନ ଜାତି ଓ ଘୃଣାଭାବର ଅବସ୍ଥାନ ଅସମ୍ଭବ । ଏହା ବିଶ୍ୱାସ କରିବାକୁ ଆଉ କେତେ ସମୟ ଲାଗିବ ସେହି ବିଶ୍ୱନିୟନ୍ତାହିଁ ଜାଣିବେ । ଏକ ଦେଶ ଏକ ଜାତି ପାଇଁ ବାପୁଜୀଙ୍କ ପଞ୍ଚଜନ୍ୟ ଶଙ୍ଖର ମହା ନିନାଦରେ ଯେଉଁ ଜାତିର କାନ ତାତି ନାହିଁ, ସେ ଜାତିର ଭାଗ୍ୟରେ ଯେ କଅଣ ଅଛି ସେହି ବିଶ୍ୱନିୟନ୍ତାହିଁ କେବଳ ଜାଣନ୍ତି । ତାପରେ ଯୋଗୀ ବା ମୁନିବୃତ୍ତିର କିୟତ୍‌ ଆଲୋଚନା କରାଯାଉ-। ସଂଯମ ଏ ବୃତ୍ତର ମୂଳମନ୍ତ୍ର । ସଂଯମକୁ ଲୋକେ ଇନ୍ଦ୍ରିୟନିଗ୍ରହ ବୋଲି ବୁଝନ୍ତି । ନାଗା ସନ୍ୟାସୀମାନେ ଜନନେନ୍ଦ୍ରିୟକୁ ସଚରାର ଅକର୍ମା କରିଥିବାର ଦେଖାଯାଏ । ବୈଷ୍ଣବ ସନ୍ନ୍ୟାସୀମାନେ ପକ୍ଷାନ୍ତରେ ଏହି ଇନ୍ଦ୍ରିୟର ଯଦୃଚ୍ଛା ପରିଚାଳନ କରି ସମୟେ ସମୟେ ବ୍ୟଭିଚାରକୁ ଏପରି ପ୍ରଶ୍ରୟ ଦିଅନ୍ତି ଯାହା ସୁଚରିତ୍ର ପକ୍ଷରେ ଏକାନ୍ତ ଘୃଣ୍ୟ । ରାଧାକୃଷ୍ଣ ପ୍ରେମଲୀଳାକୁ ବିକୃତ କାମଲୀଳା ଭାବେ ଗ୍ରହଣ କରି ଏମାନଙ୍କର ଏ ଅଧୋଗତି । ଆଜିକାଲିର ଯୋଗୀ ଋଷିଗଣ ଅଧିକାଂଶ ସଂସାରତ୍ୟାଗୀ ହଠଯୋଗୀ । ସଂସାର-ବାସନା ଭୁଲିବାକୁ ଅଧିକାଂଶ ନିଶାର ଆଶ୍ରୟ ନେଇ ଅନେକ ସମୟ ଆତ୍ମବିସ୍ମୃତି ହୋଇ ରହନ୍ତି । ଏହି ଆତ୍ମବିସ୍ମୃତି ବେଳେ ସେମାନେ ଭଗବାନଙ୍କଠାରେ ଲୟ ରଖିବାର ଛଳନା କରନ୍ତି । ନିଶାଜନିତ ଆତ୍ମବିସ୍ମୃତି ସମୟେ ଯଦି ବିଭୁ-ଲୟ ସମ୍ଭବ, ତେବେ ଭଗବାନଙ୍କୁ ଅନାୟାସଲବ୍‌ଧ ବୋଲି ବୋଲିବାକୁ ହେବ । ମାତ୍ର ତାହା ଅତି ଅସମ୍ଭବ । ‘‘ପତ୍ନୀ ନିବେଶି ପୁତ୍ରପାଶେ ଅଥବା ଚଳିବ ସନ୍ନ୍ୟାସେ’’; ‘‘ବାର୍ଦ୍ଧେକ୍ୟ ମୁନିବୃତ୍ତଶ୍ଚ’ ଗୃହସ୍ଥା ଶ୍ରମ ପରେ ବନପ୍ରସ୍ଥ ବ୍ୟବସ୍ଥା ରହିଛି । ଏ ବ୍ୟବସ୍ଥାର ବ୍ୟତିକ୍ରମ କରି ଇନ୍ଦ୍ରିୟ ସବୁକୁ ନିଗ୍ରହ କରି ବା ମାରି ସଂସାର ତ୍ୟାଗ କେତେଦୂର ସଙ୍ଗତ ଗୃହୀ ଲେଖକ ପକ୍ଷେ ତାହା ଅନୁଭବନୀୟ । କର୍ମ ପରେ ଜ୍ଞାନ ଓ ଶେଷରେ ଭକ୍ତି ବୋଲି ବିଜ୍ଞମାନେ କହନ୍ତି । ମାତ୍ର ତିନି ଯୋଗର ସମସାମୟିକ ଗବେଷଣା ମନୁଷ୍ୟ ଜୀବନର ଲକ୍ଷ୍ୟ ହେବା ବିଧେୟ ବୋଲି ବିଶ୍ୱାସ ହୁଏ-। ସେ ଯାହାହେଉ ନିର୍ବାଣ ପ୍ରାପ୍ତ ଏ ବୃତ୍ତିର ଲକ୍ଷ୍ୟ ଏହା ସର୍ବବାଦୀସମ୍ମତ । ଜନ୍ମ ମୃତ୍ୟୁ ଏଡ଼ାଇବାକୁ ନିର୍ବାଣ ଏକା ସମର୍ଥ । ନିର୍ବାଣ ଅର୍ଥ ଭଗବାନଙ୍କ ଦେହରେ ଲୀନ ହେବା ।

 

ପୁଣି ଦେଶହିତୈଷୀ ଦେଶର ଧୂଳିକଣା ମାତ୍ର, ଦେହକୁ ଦେଶାର୍ଥେ ନିୟୋଗ କରି ଦେଶର ମାଟିରେ ମିଶାଇବାକୁ ଦେଶାତ୍ମବୋଧର ପରିତୃପ୍ତ । ଦେଶ ହିତ ପାଇଁ ଏପରି ଦୁଃଖ ନାହିଁ, ଯାହା ମୁଣ୍ଡାଇବାକୁ ସେ ଭୀତ ହେବ ।

 

ଏହି ତିନି ଜୀବନରର ଲକ୍ଷ୍ୟ କଅଣ ଦେଖାଯାଉ । ଏହା ବୁଝିବାକୁ ପରିବାର ମଧ୍ୟରେ ପିତାର କାର୍ଯ୍ୟ କିଛି ଚର୍ଚ୍ଚା କରୁଁ । ପୁତ୍ରକନ୍ୟାଙ୍କ ପ୍ରତି ପିତାର ଯେ ଆକର୍ଷଣ ତାହା ଦେଖି ଆବାକ୍‌ ହେବାକୁ ପଡ଼େ । ବସ୍ତୁତଃ ସାରାଜୀବନ ପୁତ୍ର କନ୍ୟାଙ୍କର ଲାଭ ଓ ମଙ୍ଗଳ ସକାଶେ ପିତାର ବହ୍ୱାରମ୍ଭ ବହୁ ଅୟାସ ଓ ଆସ୍ପର୍ଦ୍ଧା । ବାର୍ଦ୍ଧକ୍ୟରେ ସେମାନଙ୍କ ସକାଶେ କିଛି ସଂଚୟ କରିଯିବା ପାଇଁ କ୍ଷୀଣ ଦେହ ଓ ପ୍ରାଣ ମଧ୍ୟରେ ପ୍ରବଳ ଓ ଅଦମ୍ୟ ଚେଷ୍ଟା । ପୁତ୍ର କନ୍ୟାର ଉନ୍ନତି ପାଇଁ ଅନ୍ୟ ଲୋକ ଯଦି କିଛି କରେ ତେବେ ପିତା ନିଜର କେହି କିଛି ଉନ୍ନତି କରିଥିଲେ ତାହା ଉପରେ ଯେତେ ସନ୍ତୁଷ୍ଟ ହୋଇଥାନ୍ତା ତଦକ୍ଷେପା ଅନେକ ଗୁଣରେ ଅଧିକ ପରିତୃପ୍ତି ଲାଭ କରେ । ଏହି ମାପକାଠିରେ ପରମପିତାଙ୍କର କାର୍ଯକଳାପ ପରିମାପ କଲେ ଦେଖାଯିବ ଭଗବାନ ଯଦି ମନୁଷ୍ୟଜାତିର ପିତା ଯାହା ସର୍ବବାଦୀ ଓ ସର୍ବଧର୍ମସମତ ତେବେ ମାନବ ଜାତିର ଉନ୍ନତି ଦିଗରେ ଯେଉଁ ମାନବ ଯେତେ ତତ୍ପର ସେହି ମାନବ ପରମପିତାଙ୍କର ତେତେ ସନ୍ତୋଷ ଓ ଆଶୀର୍ବାଦଭାଜନ । ଗ୍ରନ୍ଥକାର ଉତ୍ତର ପୁରୁଷଙ୍କ ଉନ୍ନତି ନିମନ୍ତେ ଗ୍ରନ୍ଥ ଲେଖି ଯାଆନ୍ତି । ଯୋଗୀଋଷି ଜନତା ଜନାର୍ଦ୍ଦନ ଦେହରେ ଲୀନହୋଇ ନିର୍ବାଣ ପ୍ରାପ୍ତ ହୁଅନ୍ତି । ଆଉ ଦେଶବତ୍ସଳ ଦେଶହିତୈଷୀ ଜଗତର ମହାନିଜତ୍ୱରେ ନିଜର କ୍ଷୁଦ୍ର ନିଜତ୍ୱ ମାଟିର ଧୂଳିକଣା ଏ ଦେହକୁ ଜନତା ଦେହରେ ଅର୍ଥାତ୍‌ ଦେଶରେ ମିଶାଇ ଦିଅନ୍ତି । ଏ ଦେହ ଦେଶ ଛଡ଼ା ଆଉ କିଛି ନୁହେଁ । ସାମାନ୍ୟ ଉଚ୍ଚାରଣ ଭେଦମାତ୍ର । ଏହି ଉତ୍ତର-ପୁରୁଷ , ଜନତା ଜନାର୍ଦ୍ଦନ ଓ ଦେଶ ଏକ ଓ ଅଦ୍ୱୈତ, ଅଜର , ସତ୍ୟ, ଶିବ, ସୁନ୍ଦର; ସେହି ଭଗବାନଙ୍କର ନାମାନ୍ତର ମାତ୍ର । ‘ବସୁଧୈବ କୁଟୁମ୍ୱକଂ’ ଏହି ପୃଥିବୀ, ଜଗତ, ସଂସାର ଯାହା କହ ସେହି ଜନାର୍ଦ୍ଦନଙ୍କର ଏକ କୁଟୁମ୍ୱ, ଏକ ପରିବାର । ଏହି ପରିବାରର କର୍ତ୍ତା ଜନାର୍ଦ୍ଦନ । ଉତ୍ତର ପୁରୁଷ, ଦେଶ ବା ଦଶ ବା ଜନତା ସ୍ୱୟଂ ଜନାର୍ଦ୍ଦନ ଅଟନ୍ତି । ଦେଶ ପାଇଁ ପ୍ରାଣପାତ କରିବାର ଧର୍ମହିଁ କବିତ୍ୱ, ଯୋଗ ଓ ଦେଶହିତୈଷଣା ଏ ସବୁ ଏକ, ପ୍ରଭେଦ ନାହିଁ ଉତ୍କର୍ଷ ବା ଅପକର୍ଷ ବିଚାର ଆସି ନ ପାରେ । କବିର କବିତ୍ୱ, ଯୋଗୀର ଯୋଗ ଓ ଦେଶହିତୈଷୀର ଦେଶାତ୍ମବୋଧ ଭଗବଦୁପାସନାର ନାମାନ୍ତର ମାତ୍ର । ଏହି ଉପସନା ସର୍ବ ଧର୍ମର ‘‘ମୂଳବୀଜ ।’’ ଏହା ପୁଣି ମନୁଷ୍ୟ ଜୀବନବ୍ୟାପୀ ଅଟେ । ସ୍ଥାନ, କାଳ ଓ ପାତ୍ର ଭେଦରେ ଏହି ଉନାସନାର ପ୍ରକାର ଭେଦ ରହିଛି । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ୍‌, ବୌଦ୍ଧ ଓ ଜୈନ ଆଦି ଭିନ୍ନ ଭିନ୍ନ ନାମ ଥିଲେ ହେଁ ନାମଭେଦରୁ ଉପାସନାର ନାନାପ୍ରକାର ଭେଦ ରହିଥିଲେ ହେଁ, ଉପାସନା ସବୁ ଧର୍ମର ମୂଳମନ୍ତ୍ର । ମସ୍ତିଷ୍କରେ ବିକାର ନଥିଲେ ଏହା ସ୍ୱୀକାର କରିବାକୁ ପଡ଼ିବ । ଉପାସନାରେ ମନୁଷ୍ୟର ପରିଣତ । ଉପାସନା ମନୁଷ୍ୟ ଜୀବନର ଉଦ୍ଦେଶ୍ୟ । ଉପାସନାହିଁ ମାନବିକତା, ଉପାସନାହିଁ କର୍ତ୍ତବ୍ୟ ବା ଧର୍ମ । ତେବେ ସର୍ବଧର୍ମ ଏକ । ନାମରେ କିଛି ଯାଏ ଆସେ ନାହିଁ । ତେବେ ଭାରତ କାହିଁକି ସାରା ପୃଥିବୀର ଏକ ଧର୍ମ । ମୋର ଏ ମାଟି ଯାର ନାମ ‘ଭାରତ’, ଭାଃ+ରତ, କିରଣପ୍ରଦାନ + ନିରତ ଅର୍ଥାତ୍‌ ପୃଥିବୀର ଅଜ୍ଞାନଲୋକ ଦୂର କରିବାରେ ବ୍ୟସ୍ତ । ସେ ଏକ ଧର୍ମର ଗୌଣ ଅଂଶ ମାତ୍ର । ଏ ଉପାସନା ଧର୍ମରେ ଗୌଣ ଅଂଶମାନଙ୍କ ମଧ୍ୟରେ ବିବାଦ ହାସ୍ୟାସ୍ପଦ । କାରଣ ମୋର ଏ ମାଟି ଚିରକାଳ ଉପାସନାର ଆଦିସ୍ଥଳୀ ଏବଂ ଏବେ ମଧ୍ୟ ପୀଠସ୍ଥଳୀ ରହିଛି । (Work is worship) କର୍ତ୍ତବ୍ୟହିଁ ଉପାସନା ଓ କର୍ତ୍ତବ୍ୟହିଁ ଧର୍ମ ଓ ଧର୍ମ୍ୟ-। ବହୁକାଳ ପୂର୍ବେ ଭାରତୀୟ ଭଗବତ୍‌ ଗୀତା ଆକାରରେ ଏ ଉପାସନା ମନ୍ତ୍ର ପ୍ରଚାର କରିଅଛନ୍ତି । ପୁଣି ‘ଯଦା ଯଦାହି’ ବ୍ୟାକାନୁସାରେ ଗାନ୍ଧିଜୀ ଏ ମହାମନ୍ତ୍ର ଜାତିର କାନରେ ଫୁଙ୍କି ଦେଇ ଯାଇଛନ୍ତି-। ଗୀତା ଓ ଗାନ୍ଧିଜୀଙ୍କର ଏ ମନ୍ତ୍ରର ଅନ୍ୟ ନାମ ‘‘ପରୋପକାର ।’’

Image

 

ପଞ୍ଚମ ପରିଚ୍ଛେଦ

ସତ୍ୟ ଓ ଅହିଂସା

 

ଉପାସନା ଧର୍ମରେ ପରୋପକାରକୁ ଶ୍ରେଷ୍ଠ ଆସନ ଦିଆଗଲା ବୋଲି କେହି କେହି ମନ କ୍ଷୁଣ୍ଣ କରି ପାରନ୍ତି । ଭାରତୀୟ ପକ୍ଷେ ଏହା ନୂତନ ନୁହେଁ । କାରଣ ‘‘ଯଦା ଯଦାହି’’ ବାକ୍ୟ ପରମ୍ପରା ଶିକ୍ଷିତ ଭାରତୀୟ ଶିକ୍ଷିତ ମାତ୍ରେ ଅବଗତ ଓ ଶିକ୍ଷିତ ମାତ୍ରେ ତାହା ଗ୍ରହଣ କରନ୍ତି । ଭଗବାନ ଯଦି ନିର୍ବିକାର ତେବେ ଧର୍ମ ସଂସ୍ଥାପନ ପାଇଁ ତାଙ୍କର ଅବତାରଣାର ଆବାଶ୍ୟକତା କଅଣ ? ଇଚ୍ଛାମୟ ଇଚ୍ଛା କଲା ମାତ୍ରେ ଧର୍ମ ସ୍ଥାପିତ ହୁଅନ୍ତା । ଯଦି ସେଥିପାଇଁ ମନୁଷ୍ୟ ରୂପେ ଅବତାର ହେବାକୁ ପଡ଼ିଲା ତେବେ ଅବତାର ଦେହରେ ଅତିମାନୁଷୀ କର୍ମ ପରମ୍ପରାର ଆବଶ୍ୟକତା କଅଣ ? ଇତିହାସ ପୃଷ୍ଠା ଉଦ୍‌ଘାଟନ କଲେ ଦେଖାଯିବ ଯେ ଯୀଶୁ, ମହମ୍ମଦ, ବୁଦ୍ଧ, ଶ୍ରୀକୃଷ୍ଣ, ରାମଚନ୍ଦ୍ର ଓ ଗାନ୍ଧିଜୀ ସମସ୍ତେ ଆମପରି ମନୁଷ୍ୟ । ଆମପରି ମନୁଷ୍ୟ ଥାଇ ମାନବିକତାର ଶ୍ରେଷ୍ଠ ବିକାଶନ ସେମାନଙ୍କର ଜୀବନ ମଧ୍ୟରେ ଘଟିଥିଲା । ସେମାନେ ତେଣୁ କାଳୋପଯୋଗୀ ଯୁଗଧର୍ମ ସ୍ଥାପନ କରି ଯାଇଛନ୍ତି । ସେମାନଙ୍କର ଗୁଣ-ମୁଗ୍‌ଧ ସମାଜ ସେମାନଙ୍କର ପବିତ୍ର ଚିତ୍ରଣ କରୁଁ କରୁଁ କାଳକ୍ରମେ ଲୋକ ମନୋରଞ୍ଜନ ଓ ଲୋକ ମନ-ଆକର୍ଷଣ କରିବାକୁ ବିଚିତ୍ର କଳ୍ପନା ଅଭିଭୂତ ହୋଇ ସେମାନଙ୍କୁ ଅତି ମନୁଷ୍ୟ କରିଛନ୍ତି । ଏ ଦିଗରେ ମଧ୍ୟାତ୍ମବାଦୀ ଭାରତ ଏତେ ଦୂର ଅଗ୍ରସର ଯେ ଆଜି ଭାରତୀୟ ଅବତାରମାନଙ୍କର ମନୁଷ୍ୟ କର୍ମ ଓ ଅତିମାନୁଷୀ କର୍ମର ପାର୍ଥକ୍ୟ କରିପାରିବା ଭାରତୀୟର ସାଧାରଣ ଶକ୍ତିସାମର୍ଥ୍ୟ ବାହାରେ । ଭାରତୀୟ ସେଥିରୁ ଅତିମାନୁଷୀ ଚରିତ୍ରର ସାରମର୍ମ ନ ବୁଝି ଆଦର୍ଶକୁ କଳଙ୍କିତ କରି ଜଗତର ଚକ୍ଷୁରେ ଏକାନ୍ତ ହୀନ ହୋଇ ପଡ଼ିବାରୁ ଓ ଫଳତଃ ଆଧ୍ୟାତ୍ମିକ ଭାବରେ ନିମଗ୍ନ ରହି ଐହିକ ଅସୁବିଧା ଓ ଅନାଟନର ଶେଷ ସୀମାରେ ପହଞ୍ଚିବାରୁ ତାର ଆଖି ଓ ମନ ଫେରାଇବାକୁ ପୁଣି ‘ଯଦା ଯଦାହି’ ର ଆବଶ୍ୟକତା ଓ ଗାନ୍ଧିଜୀଙ୍କର ଆବିର୍ଭାବ ଓ ବୈଷୟିକ ଦିଗରେ ଲୋକ ମନ ଆକର୍ଷଣ, ଦୃଢ଼ ସ୍ୱାଧୀନତାର ପୁନଃ ପ୍ରତିଷ୍ଠା । ସ୍ୱାଧୀନତା ପ୍ରତିଷ୍ଠା ପରେ ବସୁଧୈବ କୁଟୁମ୍ୱକଂ ମହାମଭାବର ପୁନଃ ପ୍ରତିଷ୍ଠା ପାଇଁ ଏକଜାତି ଏକ ଧର୍ମ ଏକ ପରିବାରର ପୁନର୍ଗଠନ କରୁଁ କରୁଁ କ୍ଷୁଦ୍ରଚେତା ଆତତାୟୀ ଭାଇର ଗୁଳିରେ ପ୍ରାଣଦାନ । ଗାନ୍ଧିଜୀଙ୍କୁ ତାଙ୍କ ସମ୍ୱାଦ ପଚାରିବାରେ ଗାନ୍ଧିଜୀ କହିଗଲେ ‘‘ମୋର ଜୀବନହିଁ ମୋର ସମ୍ୱାଦ’ । ତାଙ୍କର ଜୀବନରେ ତାଙ୍କର ପ୍ରାର୍ଥନା-ମଞ୍ଚରେ ଗୀତା, କୋରାନ ଓ ବାଇବେଲ ସମସ୍ଥାନ ଅଧିକାର କରିଥିଲା । ଅହିଂସା ଓ ସତ୍ୟ ଚିରକାଳ ଭାରତୀୟ ହୃଦୟରେ ଦେଦୀପ୍ୟମାନ ଥିଲେହେଁ ହୃଦୟର କେଉଁ ଏକ ନିଭୃତି କୋଣରେ ଲୁକ୍‌କାୟିତ ହୋଇ ରହିଥିବାରେ ଗାନ୍ଧିଜୀ ତାର ପୁନଃପ୍ରତିଷ୍ଠା କରିଥିଲେ । ଏହି ଅହିଂସା ଓ ସତ୍ୟର ଅନ୍ୟ ନାମ ‘‘ପରୋପକାର’’ । ଅହିଂସା ଓ ସତ୍ୟ କାହା ପାଇଁ ? ପରପାଇଁ ? ପରକିଏ ? ଜନତା । ନିଜେ ତହିଁର ଏକ ସାମାନ୍ୟ ଅଂଶ ମାତ୍ର । ଜଗତର ମହାନିଜତ୍ୱରେ ବ୍ୟକ୍ତିଗତ କ୍ଷୁଦ୍ର ନିଜତ୍ୱ ବିଲୀନ ହେବାର ନାମ ପରୋପକାର । ପରୋପକାର ଦ୍ୱାରା କେବଳ ମନୁଷ୍ୟ ସତ୍ୟ ଓ ଅହିଂସାର ପ୍ରତିଷ୍ଠା କରି ପାରିବ ।

 

ଏହି ପରୋପକାର ଧର୍ମ ବୁଝିବାକୁ ହେଲେ ପ୍ରଥମେ ଦୁଃଖ କଅଣ ବୁଝିବାକୁ ପଡ଼ିବ । ଦୁଃଖର ଅସ୍ତିତ୍ୱ ମାନସିକ ବିକାରରେ । ତାହାର ସ୍ୱତନ୍ତ୍ର ଅସ୍ତିତ୍ୱ ନାହିଁ । କାରଣ ଯାହା ଏକ ପକ୍ଷରେ ଦୁଃଖ ଅନ୍ୟ ପକ୍ଷରେ ତାହା ସୁଖ ନ ହେଲେ ହେଁ ଦୁଃଖ ନୁହେଁ କାହିଁକି ? ଆଉ ଦୁନିଆରେ ଦୁଃଖର ମାତ୍ରା ଏତେ ଅଧିକ ଯେ, ସାଧାରଣ ମନୁଷ୍ୟ ପକ୍ଷେ ଦୁଃଖର ଅସ୍ତିତ୍ୱ ସ୍ୱୀକାର ଅନିବାର୍ଯ୍ୟ । ଅସ୍ତିତ୍ୱ କାହିଁକି ମାନବ ସମାଜ ଏହାର ଦୁର୍ଦ୍ଦଣ୍ଡ ପ୍ରତାପରେ ସଦୈବ ଅସ୍ଥିର । ଆଉ ‘‘ଦୟା’’ ନାମକ ହୃଦୟର ଶ୍ରେଷ୍ଠ ବୃତ୍ତ ଯେ ଦୁଃଖ ନିବାରଣର ପ୍ରତିକ୍ରିୟା ଏହା ଚିରନ୍ତର ସତ୍ୟ । ତେଣୁ ଭଗବାନ ଦୟାମୟ । ଦୟାମୟ ସବୁବେଳେ ଜୀବଦୁଃଖ ଅପନୋଦନ-ପରାୟଣ । କାରଣ ତାଙ୍କ ହୃଦୟ ଦୁଃଖ–ଅନୁଭୂତିରେ ଜର୍ଜର; ତେଣୁ ସେ ଦୁଃଖ ନିବାରଣ–ତତ୍ପର । ସୂର୍ଯ୍ୟ ରୂପେ ଚିରଦୁଃଖ ହୃଦୟରେ ଧାରଣ କରି ଚିରକାଳ ରାତିଦିନ ଉଦିତ ଓ ଅସ୍ତ, ଚିରକାଳ ତାଙ୍କର ଜଳକେଳି ଯଥା ସମୟରେ ଜଳଗ୍ରହଣ କରି ଯଥା ସମୟରେ ଇନ୍ଦ୍ରଧର୍ମ ସାଧନ; ବାୟୁରୂପରେ ଦୁଃଖ ଦୁର୍ଦ୍ଦଶା ଦୁର୍ଗନ୍ଧ ଉଡ଼ାଇ ସୁଖଦୁଦଶା ପରାୟଣ ହେବା, ସୁଗନ୍ଧ ବିତରଣରେ ସର୍ବତ୍ରଗ, ଅନିଦ୍ର, ଉଦ୍‌ବେଳ, ବ୍ୟସ୍ତ ଓ ଚିରଦୁଃଖୀ । ଅଗ୍ନିରୂପେ ସର୍ବହର, ସର୍ବଭକ୍ଷ୍ୟ ଓ ଚିରଦୁଃଖୀ । ସର୍ବ ପ୍ରକୃତିରୂପେ ସୃଷ୍ଟିର ଆବିଳତା ଦୁଃଖରେ ଦୁଃଖୀ ହୋଇ ଚିରନୂତନ, ଚିରସ୍ନିଗ୍‌ଧ, ଚିରପବିତ୍ରତା ଆନୟନ ଆୟାସ-ତତ୍‌ପର ଓ ଚିରଦୁଃଖୀ । ଖ୍ରୀଷ୍ଟରୂପେ ଦୋଷୀର ଦୋଷପାଇଁ କ୍ଷମା ପାଚ୍ୟ ଓ ଲୋକ ଦୁଃଖ ନିବାରଣପାଇଁ ଆତ୍ମତ୍ୟାଗୀ, କୃଶବିଦ୍ଧ । ମହମ୍ମଦ ରୂପେ ଲୋକଙ୍କ ମନରୁ ପାପତାପ ଓ ଭ୍ରାନ୍ତି ନିବାରଣ ପାଇଁ ଯୋଦ୍ଧୃବେଶ ଧାରଣ ଓ ବଳାତ୍କାର ସେମାନଙ୍କୁ ସନ୍ମାର୍ଗଗାମୀ କରିବାକୁ ଦୁଃଖ-ଦୁର୍ଦ୍ଦଶା-ପୂର୍ଣ୍ଣ-ଯୁଦ୍ଧ ବରଣ । ବୁଦ୍ଧରୂପରେ ଜନ୍ମ, ଜରା, ମୃତ୍ୟୁ, ଦୁଃଖ ଏଡ଼ାଇବାକୁ କଠୋର ଇନ୍ଦ୍ରିୟ ନିଗ୍ରହ ଓ କଠୋର ତପସ୍ୟା ପୂର୍ବକ ଜ୍ଞାନ ଓ ନିର୍ବାଣ ଲାଭ । ଗାନ୍ଧୀ ରୂପରେ ସତ୍ୟ ଅହିଂସା ଧର୍ମ ସଂସ୍ଥାପନ ପାଇଁ ଆଜୀବନ ଦୁଃଖ ବରଣ ଓ ଶେଷରେ ଆତତାୟୀର ହାତରେ ପ୍ରାଣାର୍ପଣ । ଆଉ ଅନନ୍ତ ଅପରିଜ୍ଞାତ ବିଧାତୃ ହୃଦୟ ମଧ୍ୟେ ଏ ଦୁଃଖ ଧାରଣ କରି ଅହରହ ସୃଷ୍ଟିର ଦୁଃଖ ନିବାରଣେ ବ୍ୟତିବ୍ୟସ୍ତ । ଏହି ଦୁଃଖ ନିବାରଣର ଏକମାତ୍ର ଉପାୟ ସମସ୍ତେ ଯଦି ସମସ୍ତଙ୍କର ଦୁଃଖ ନିବାରଣ ତତ୍ପର ହୁଅନ୍ତି । ଏହି ଅନ୍ୟର ଦୁଃଖ ନିବାରଣ ତତ୍ପରତାହିଁ ‘‘ପର ଉପକାର’’ ଏହାଛଡ଼ା ଧର୍ମନାହିଁ । ପରୋପକାର ସର୍ବଧର୍ମ ସାର। ପରୋପକାର ସୃଷ୍ଟି, ସ୍ଥିତି, ଲୟର ସାର । ପରୋପକାର ପାଇଁ ଏ ଜୀବନ । ଜୀବନର ଅନ୍ୟ ଉଦ୍ଦେଶ୍ୟ ନାହିଁ । ଏହାହିଁ ମାନିବକତା । ଏହି ମାନବିକତା, କି ପ୍ରକାରେ ସମସ୍ତଙ୍କଠାରେ ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ ବିକଶିତ, ତାହା ହୃଦୟଙ୍ଗମ କରି ନପାରି ମନୁଷ୍ୟର ଦୁଃଖରେ ଅଭିଭୂତ ହୁଏ । ସମାଜରେ ଦେଖିବେ ତିନିଶ୍ରେଣୀର ମନୁଷ୍ୟ ଅଛନ୍ତି–ନିମ୍ନ, ମଧ୍ୟ ଓ ଉଚ୍ଚ । ନିମ୍ନସ୍ତରର ଲୋକଙ୍କୁ ଆମେ ସଚରାଚର ସର୍ବହରା ଶ୍ରେଣୀରେ ଗଣ୍ୟ କରୁଁ । କାରଣ ସେମାନେ ଖଟି ଖାଆନ୍ତି । କିନ୍ତୁ ଖଟି ଖାଇବା ମନୁଷ୍ୟର ଧର୍ମ । ନ ଖଟି ଖାଇବା ପାପ ଓ ଦୁଃଖର ଆଧାର । ତେବେ ଖଟି ଖଆନ୍ତି ବୋଲି ଖଟି ନ ପାରିଲେ ଭୋକ ଓ ରୋଗରେ ମରନ୍ତି । ଏମାନଙ୍କର ଶିକ୍ଷା ଦୀକ୍ଷା ନାହିଁ । ସଚରାଚର ଖାଇବାକୁ ବଞ୍ଚନ୍ତି ବୋଲି ଏମାନଙ୍କୁ ନିମ୍ନଶ୍ରେଣୀଭୁକ୍ତ କରାଯାଏ । ଏମାନଙ୍କର ସଂଖ୍ୟା ପୃଥିବୀରେ ବହୁତ ବେଶୀ । ଏମାନଙ୍କ ଯୋଗୁଁ ପୃଥିବୀରେ ଭୟାବହ ବିପ୍ଳବ ବାରମ୍ୱାର ସଂଘଟିତ ହୁଏ ଓ ଯେଉଁ ଲୋମହର୍ଷଣକାରୀ ଘଟଣାନିଚୟ ଘଟେ ତାହା ବର୍ଣ୍ଣନା କରି ହେବ ନାହିଁ । କିନ୍ତୁ ଏମାନେହିଁ ସମାଜର ମେରୁଦଣ୍ଡ । ଏମାନଙ୍କର ପରିଶ୍ରମରେ ସମାଜ ରକ୍ଷିତ । ଏହି ଯେ ଦୁନିଆରେ ଦେଉଳ, ମହଲ, ବିଚିତ୍ର ନଗର ଓ ବିଚିତ୍ର କାରୁକାର୍ଯ୍ୟ ମନୁଷ୍ୟର ଯାବତୀୟ ସୁଖ ଶାନ୍ତିର ଯୋଗାଡ଼–ଏମାନଙ୍କର ପରିଶ୍ରମର ଫଳ । ଏହି ଯେ ଧରଣୀ, ଭରଣୀ, ମାତା, ଶସ୍ୟଶ୍ୟାମଳା, ଫଳ-ପୁଷ୍ପ-ପତ୍ର–ସମ୍ଭାରା-ବନତା ସମାଜର ଦୁଃଖ ନିବାରଣ କଳ୍ପେ–ଏମାନଙ୍କ ପରିଶ୍ରମ ଯୋଗୁଁ । ଏହି ଯେ ହିନ୍ଦୁର ଦେବଗଣ ଅଗ୍ନି, ବାୟୁ, ବିଦ୍ୟୁତ୍ ମନୁଷ୍ୟର ଆଜ୍ଞାବହ ମାତ୍ର ଓ ଆଜ୍ଞାବାହ ହୋଇ ମାନବିକ ଦୁଃଖ-ଦୁର୍ଦ୍ଦଶା–ନିବାରଣ-ତତ୍‌ପର ହୋଇ ବିଚିତ୍ର ସାଧନ ନିରତ; ତାହା ଏମାନଙ୍କ ପରିଶ୍ରମରେ । ଏହି ଯେ ଦେଶ ସୁଶୃଙ୍ଖଳ, ରାଜଭକ୍ତ, ବ୍ୟବସ୍ଥାବାଧ୍ୟ ଏମାନଙ୍କ ପାଇଁ । ଆଉ ଏହି ଯେ ବନ୍ଦୀଶାଳ, ଲୌହର ଶାଙ୍କୁଳୀ ମଧ୍ୟ ଏମାନଙ୍କ ପାଇଁ ।

 

କୃଶବିଦ୍ଧ କରିବାକୁ ଫାସିକାଠ ବା ମାରିବାକୁ ନାନା ମାରଣାସ୍ତ୍ର, ବନ୍ଧୁକ, ଗୋଳା, ବାରୁଦ, ଏମାନଙ୍କର ପରିଶ୍ରମ ଫଳ । ତାହାହେଲେ କିଏ କହିବ ଏମାନଙ୍କ ସଦୃଶ ପରୋପକାରୀ ଅନ୍ୟ ଅଛନ୍ତି ? ଏମାନେ ନ ଜାଣନ୍ତୁ ପଛକେ ଏମାନେହିଁ ଦେଶ ଓ ଜାତିର ମେରୁଦଣ୍ଡ । ସର୍ବଶ୍ରେଷ୍ଠ ପରୋପକାରୀ (Work is Worship) କର୍ମହିଁ ଉପାସନା । ଏମାନଙ୍କର ଜୀବନ ତହିଁର ମୂକସାକ୍ଷୀ । ପ୍ରକୃତ ଭଗବାନଙ୍କ କଳା ଏମାନଙ୍କଠାରେ ବିଦ୍ୟମାନ । ଏ କିନ୍ତୁ ଭଗବାନଙ୍କର ଛୋଟା ପୁଅ । ଛୋଟାପୁଅ ବୋଲି ବାପର ଅତିପ୍ରିୟ । ଯଦି ପରମପିତାଙ୍କର ପ୍ରୀତିଭାଜନ ହେବାକୁ ଇଚ୍ଛା, ତେବେ ଏଛୋଟା ପୁଅର ସେବା ପ୍ରଥମ କର୍ତ୍ତବ୍ୟ ।

 

ତାପରେ ମଧ୍ୟଶ୍ରେଣୀୟ ଲୋକ । ଲକ୍ଷ୍ୟ ପୋଷା-ଚଷା, ବଣିକ ଓ ଶିଳ୍ପୀ, ଶ୍ରେଣୀଭୁକ୍ତ । ମନୁଷ୍ୟର ଯାବତୀୟ ଅଭାବ ଓ ଦୁଃଖ ଦୂର କରିବାକୁ ମଧ୍ୟବିତ୍ତର ଉତ୍ପତ୍ତି । ମଧ୍ୟ ବିତ୍ତ ଉପରେ ଦେଶର ଅନ୍ନବସ୍ତ୍ର ସଂସ୍ଥାନର ଭାର । ପୁଣି ଦେଶର ଉନ୍ନତି ଓ ଅବନିତି ଏମାନଙ୍କ ହାତରେ । ‘‘ସ୍ୱାର୍ଥପର’’ ଦୋଷ-ଦୁଷ୍ଟ ନ ହେଲେ ଏ ଶ୍ରେଣୀ ମଧ୍ୟ ପରୋପକାର ଧର୍ମ୍ମାବଲମ୍ୱୀ । ତଥାପି ଉପରୁ ଓ ତଳୁ ଏହା ଉପରେ ଚିରକାଳ ଅଭିଯାନ । ଶେଷରେ ଉଚ୍ଚଶ୍ରେଣୀ ହାତରେ ପୃଥିବୀର ସବୁ ଧନ ସମ୍ପତ୍ତି ଓ କ୍ଷମତା ଅଜାଡ଼ି ହୋଇଥିବାର ସର୍ବତ୍ର ଦେଖିବାକୁ ମିଳେ ଓ ଏମାନଙ୍କ ଉପରେ ଦେଶର ଦୁଃଖ ଦୁର୍ଦ୍ଦଶା ଦୂରକରି ଦେଶରେ ସୁଖ ଶାନ୍ତି ପ୍ରଚାର , ଅର୍ଥାତ୍ ପରୋପକାର ଧର୍ମ ନିର୍ଭର କରେ ।

 

ଭଗବାନଙ୍କ ସୃଷ୍ଟିରେ ଏହି ନିମ୍ନ, ମଧ୍ୟ ଓ ଉଚ୍ଚସ୍ତରର ସୃଷ୍ଟି ବଡ଼ ବିଚିତ୍ର । ତାହା କୃତ୍ରିମ ନା ଐଶ୍ୱରୀକ ? ଏ ମୀମାଂସା ବଡ଼ କଠିନ । ଏକ ମା ପେଟରୁ ଦୁଇପୁତ୍ର ଜାତ ହୋଇ ଜଣେ କାହିଁକି ଶ୍ରେଷ୍ଠ ଓ ଅନ୍ୟଜଣେ ସେପରି ନୁହେଁ ? ବୋଧହୁଏ ପିତାମାତାଙ୍କର ପକ୍ଷପାତିତା ତାର କାରଣ ନୁହେଁ । ଏହା ଐଶ୍ୱରିକ, ବିଚିତ୍ର କାରସାଦି । କୃତ୍ରିମ ହେଉ ବା ଐଶ୍ୱରିକ ହେଉ ଏହି ପାର୍ଥକ୍ୟ ଦୂରକରି ପୃଥିବୀରେ ଧନ ସମ୍ପତ୍ତି ଓ କ୍ଷମତା ସମସ୍ତଙ୍କ ମଧ୍ୟରେ ବାଣ୍ଟିବାକୁ ଓ ପୃଥିବୀର ସୁଖ ସ୍ୱାଚ୍ଛନ୍ଦ୍ୟ ଓ କ୍ଷମତାରେ ସମସ୍ତେ ଅଶୀଂଦାର ହେବାକୁ ଓ ଲୋକ ଲୋକ ମଧ୍ୟରେ ସାମଞ୍ଜସ୍ୟ ଆଣିବାକୁ ପୃଥିବୀବାସୀ ମନୁଷ୍ୟ ଅନନ୍ତକାଳରୁ ଏ ଜୀବନ ସଂଗ୍ରାମଲିପ୍ତ ଓ ଅନନ୍ତକାଳ ସଂଗ୍ରାମଲିପ୍ତ ରହିବବୋଲି ଅନୁମାନ । ନା’ ବୋଧହୁଏ ଏହା ସ୍ୱତଃସିଦ୍ଧ । ତହିଁର ପ୍ରମାଣ ସିଦ୍ଧିଲାଭର ପାଖାପାଖି ବେଳେ ଘାତକ ହସ୍ତରେ ଗାନ୍ଧିଜୀଙ୍କର ଅବସାନ, ବୋଧହୁଏ ଭଗବତ ନିର୍ଦ୍ଦିଷ୍ଟ । ହାୟ ! ବିଧାତାଙ୍କ ବିଧାନ କି ବିଚିତ୍ର ! ହିନ୍ଦୁ ମୁସଲମାନ ମଧ୍ୟରେ ଐହିକ ସୁଖ-ସ୍ୱାଚ୍ଛନ୍ଦ୍ୟ ଓ କ୍ଷମତା ନିରପେକ୍ଷ ଭାବେ ବଣ୍ଟନ କରିବାକୁ ଯାଇ ଗାନ୍ଧିଜୀ ଆତତାୟୀ ହାତରେ ପ୍ରାଣ ଦେଇଛନ୍ତି । ତାହାହିଁ ଗାନ୍ଧିଜୀଙ୍କର ସମ୍ୱାଦ । ଏକ ଦେଶ ଅନ୍ୟ ଦେଶ ଉପରେ ଚିର ପ୍ରଭୁତ୍ୱ କରି ନପାରେ; ତେଣୁ ଭାରତ ଛାଡ଼ (Quit India) ତାଙ୍କର ସମ୍ୱାଦ । ପଶୁବଳ କାର୍ଯ୍ୟକାରୀ ନୁହେ । ପଶୁବଳ ନିବାରଣ ପାଇଁ ପଶୁବଳର ଆବଶ୍ୟକତା ନାହିଁ । ଆବଶ୍ୟକ ସତ୍ୟ ଓ ଅହିଂସା ଆବଶ୍ୟକ ନିର୍ଭୀକତା; ଅହିଂସା ଓ ସତ୍ୟ ଉପରେ ଆସ୍ଥା; ଆବଶ୍ୟକ ପରୋପକାର ଇଚ୍ଛା । ତେଣୁ ମେଘମନ୍ଦନିନାଦରେ ପଶୁବଳ ଦୂର କରିବାକୁ ଗାନ୍ଧିଜୀ ଡାକରା ଦେଲେ Quit India, ଭାରତ ଛାଡ଼ । ଭାରତ ଛାଡ଼ ଅର୍ଥାତ୍‌ ବ୍ରିଟିଶ ଭାରତ–ଛାଡ଼ ନୁହେଁ । ବ୍ରିଟିଶ ଭାରତର ପରମବନ୍ଧୁ ବୋଲି ବାପୁଜୀ ବାରମ୍ୱାର କହି ଯାଇଛନ୍ତି ।

 

ଭାରତ ଛାଡ଼ିବାକୁ ଡାକ ଦେଲେ–ପରୋପକାର, ଧର୍ମସ୍ଥାପନ କରିବାକୁ । ଏହାହିଁ ଗାନ୍ଧିଜୀଙ୍କର ସମ୍ୱାଦ । ଭାରତ ଏ ସମ୍ୱାଦ ଗ୍ରହଣ କରିପାରିଛି କି ? ଭାରତରୁ ସ୍ୱୈରାଚାର, ନୀଚ ସ୍ୱାର୍ଥ ଓ ଆତ୍ମମ୍ଭରିତା ଯାଇଛି କି ?

Image

 

ଷଷ୍ଠ ପରିଚ୍ଛେଦ

ଅବସାଦ

 

ସ୍ୱାଧୀନତା-ସଂଗ୍ରାମ ବେଳେ ସାଧାରଣ ଲୋକର ମନୋଭାବ ଥିଲା ସ୍ୱାଧୀନତା ଲାଭପରେ ଆମର ଦୁଃଖ ଦୁର୍ଦ୍ଦଶା ରହିବ ନାହିଁ । ସ୍ୱାଧୀନତାର ପ୍ରକୃତ ସ୍ୱରୂପ ରାମରାଜ୍ୟର ଲୋଭନୀୟ ଚିତ୍ର ଆମ ଆଖି ଆଗରେ ନାଚୁଥିଲା । ଜାତିପିତାଙ୍କର କଳ୍ପିତ ରାମରାଜ୍ୟ ସତ୍ୟ ଓ ଅହିଂସା ଉପରେ ପ୍ରତିଷ୍ଠିତ ହେବ ଏବଂ ସମସ୍ତେ ସମସ୍ତଙ୍କର ଦୁଃଖୋପନୋଦନ–ତତ୍ପର ହେବେ ବୋଲି ଆମର ନେତୃବୃନ୍ଦ ସ୍ଥିରବାକ୍ୟ ଦେଇଥିଲେ । କିନ୍ତୁ ସ୍ୱାଧୀନତା ଲାଭ ପରେ ଆମେ ଦେଖୁଛୁଁ ଏହା ସ୍ୱାଧିନତା ନାମବାଚ୍ୟ ନୁହେଁ । ଏ ମହାର୍ହ-ଦର୍ଶନ ନିମନ୍ତେ ଜାତିପିତା ପ୍ରାଣ ଦେଇନଥିଲେ । ଏ ସୁନା ନୁହେଁ ପିତଳ ମଧ୍ୟ ନୁହେଁ; ଉପରେ ସ୍ୱର୍ଣ୍ଣଭାସ–ଭାସ୍ୱରଯୁକ୍ତ କଞ୍ଚାପିତଳ, ତାହା କୌଣସି କାମରେ ଲାଗିବ ନାହିଁ ! ଲୋକଭୁଲାଣିଆ ଦୀପ୍ତିରେ ଲୋକଙ୍କ ଠକା ଯାଇଛି ମାତ୍ର । ପ୍ରକୃତ ଅବସ୍ଥା ଅନୁଧାବନ କଲେ ଆମେ ଦେଖିବା, ଆମର ୧୨ ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଯାଇଛି । ଶୁଖୁଆ ମଧ୍ୟ କଂଗ୍ରେସିଆ ଭୁଆ ବିରାଡ଼ି ଖାଇଛି । ଏପରି କାହିଁକି ହେଲା ? ବାଘ ମନୁଷ୍ୟକୁ ଭୟ କରେ । କିନ୍ତୁ ଦୈବକ୍ରମେ ହଠାତ୍‌ ଯଦି ମନୁଷ୍ୟ ସଙ୍ଗେ ଭେଟ ହୋଇ ମନୁଷ୍ୟକୁ ପରାସ୍ତ କରି ତାର ବଳ କଳିନିଏ ଏବଂ ମନୁଷ୍ୟ ରକ୍ତର ସ୍ୱାଦ ପାଏ ତେବେ ମନୁଷ୍ୟଛଡ଼ା ଅନ୍ୟରକ୍ତ ତାକୁ ବିସ୍ୱାଦ ଲାଗେ । ବ୍ରାହ୍ମଣ୍ୟଯୁଗରେ ବ୍ରାହ୍ମଣର ତ୍ୟାଗ ପରି କଂଗ୍ରେସର ତ୍ୟାଗ ଇତିହାସ ବିରଳ । ଗାନ୍ଧିଜୀଙ୍କ ନେତୃତ୍ୱ ଓ ପ୍ରେରଣାରେ କଂଗ୍ରେସ ଦେଶର ସ୍ୱାଧୀନତା ଆଣିଛି–ଏହା ସ୍ୱୀକାର୍ଯ୍ୟ । କିନ୍ତୁ ସଙ୍ଗେ ସଙ୍ଗେ ବାପୁଜୀଙ୍କର ତିରୋଧାନ ଯୋଗୁଁ ହେଉ ବା ବାପୁଜୀଙ୍କର ମହାପ୍ରୟାଣ ପରେ ତଦୀୟ କେତେକ ସହକର୍ମୀ ଓ ଅନୁକର୍ମୀଙ୍କର ଆତ୍ମମ୍ଭରିତା ଯୋଗୁଁ ହେଉ, ଏ ସ୍ୱାଧୀନତା ଯଥେଚ୍ଛାଚାରିତାରେ ପରିଣତ ହୋଇଅଛି । ବାପୁଜୀଙ୍କର ସୁଯୋଗ୍ୟ ଦାୟାଦ ଏ ଯଥେଚ୍ଛାଚାରିତା ନିବାରଣ କଳ୍ପେ ଅତିମାନୁଷୀ ପରିଶ୍ରମ କରି ସୁଦ୍ଧା ଦେଶରେ ଖାଦ୍ୟାଭାବ, ବାସ୍ତୁହରା ସୃଷ୍ଟି ଓ କାଶ୍ମୀର ଅଭିଯାନ ପ୍ରଭୃତି ଦୈବଦୁର୍ଘଟନାନିଚୟ ଦ୍ୱାରା ତାଙ୍କର ଏ ଶୁଭ ପ୍ରଚେଷ୍ଟାର ବ୍ୟତିକ୍ରମ ଘଟୁଥିବାବେଳେ ହଠାତ୍‌ ଲୌହମାନବ ସର୍ଦ୍ଦାର ପଟେଲଙ୍କ ତିରୋଧାନ । ତେଣୁ ନେହେରୁଜୀ ବାଧ୍ୟ ହୋଈ ବିଶ୍ୱାସର ଅଯୋଗ୍ୟ କତିପୟ ସୁବିଧାବାଦୀ ଆତ୍ମଚାରୀଙ୍କ ଉପରେ ନିର୍ଭର କଲେ । ଏମାନେହିଁ ନେହେରୁଜୀଙ୍କୁ ତାଙ୍କର ବହୁ ଆୟାସଲବ୍‌ଧ ଉପଯୁକ୍ତ ପ୍ରତିଷ୍ଠା ଚ୍ୟୁତ କରିବାରେ ନିରତିଶୟ କୃତକାର୍ଯ୍ୟ ହେଲେହେଁ ନେହେରୁଜୀ କ୍ଷିପ୍ତ ସିଂହ ବିକ୍ରମରେ ଏମାନଙ୍କୁ ଦୂର କରୁଛନ୍ତି । କିନ୍ତୁ ଏମାନେ କ୍ଷମାର ଅଯୋଗ୍ୟ ଜାଣି ମଧ୍ୟ ଏମାନଙ୍କୁ ନିର୍ମୂଳ ନକରି ଛାଡ଼ିଦେବା ହେତୁ ଏମାନେ ପୁନଃ-ପ୍ରତିଷ୍ଠା-ତତ୍‌ପର ହୋଇ ଦେଶର ସର୍ବନାଶ କରୁଛନ୍ତି । ‘‘କ୍ଷମା ଶତ୍ରୌଚ ମିତ୍ରେଚ ଯତିନା ମେବ ଭୂଷଣମ୍‌ ।’’ ଅପରାଧୀଷୁ ସତ୍ୱେଷୁ ନୃପାଣାଂ ସୈବ ଦୂଷଣମ୍‍ ।’’ ନେହେରୁଜୀଙ୍କ ମନେ ରଖିବାକୁ ହେବ, ଏମାନେ ନରଖାଦକ ବ୍ୟାଘ୍ର; ଘାସ ଖାଇବେ ନାହିଁ । ଆଉ ଆମେ ସର୍ବସାଧାରଣ ଯଦି ନେହେରୁଜୀଙ୍କ ଏ ସଦୁଦ୍ଦ୍ୟମ ସହାୟ ହୋଇଥାନ୍ତୁ, ତାହାହେଲେ ଆମର ଏ ଦୁରବସ୍ଥା ଆସି ନଥାନ୍ତା । ଯେଉଁ ତ୍ୟାଗ ମନୋଭାବ ବାପୁଜୀ ଆମଠାରେ ସୃଷ୍ଟି କରିଥିଲେ, ସ୍ୱାଧୀନତା ଲାଭ ସଙ୍ଗେ ସଙ୍ଗେ ସେହି ମନୋଭାବ ଆମେ ରଖି ପାରିଲୁ ନାହିଁ । ତାହାର କାରଣ ଶତ ଶତ ବର୍ଷ-ବ୍ୟାପୀ ଆମର ଦାସ ମନୋଭାବ ଆମର ଏପରି ଅସ୍ଥିମଜ୍ଜାଗତ ହୋଇ ପଡ଼ିଛି ଯେ ଦୀର୍ଘକାଳ ପିଞ୍ଜରନିବଦ୍ଧ ପକ୍ଷୀ ହଠାତ୍‌ପିଞ୍ଜର ମୁକ୍ତ ହେଲେ ତନାବନା ଓ କିଂକର୍ତ୍ତବ୍ୟବିମୂଢ଼ ହୋଇ ଯେପରି ପିଞ୍ଜର ବାହାରର ମୁକ୍ତ ବାୟୁ ଓ ମୁକ୍ତ ଆଲୋକ ତା ପକ୍ଷରେ ଅସହ୍ୟ ହୁଏ ଓ କର୍ତ୍ତବ୍ୟ–ରାହା ଦେଖି ନପାରି ଓ କେତେବେଳେ ଦେଖି ମଧ୍ୟ କର୍ତ୍ତବ୍ୟ ପଥର ପଥିକ ନହୋଇ ପିଞ୍ଜର ମଧ୍ୟସ୍ଥ ଦୂଷିତ ବାୟୁ ଓ ଆଲୋକ ପୁନର୍ବରଣ କରେ, ସେହିପରି ପୁନଃ ପରାଧୀନତା–ପଙ୍କ ନିମଗ୍ନ ହେବାକୁ ଆମେ ଧାବମାନ ହେଲୁଁ ଓ ଫଳରେ ପରାଧୀନ ଥିବାବେଳେ ମଧ୍ୟ ଆମର ଯେ କିଛି ସୁବିଧା ସୁଯୋଗ ଥିଲା ତାହା ହରାଇ ଆଜି ନିଃସ୍ୱ ଓ ଦୁର୍ଦ୍ଦଶାଗ୍ରସ୍ତ ହେଲୁଁ । ଏଥିପାଇଁ ଦୋଷୀ ଆମେ ଓ ଆମର ଆତ୍ମମ୍ଭରୀ ଧନ-କ୍ଷମତା-ନିଶା-ଗ୍ରସ୍ତ କତିମୟ ଅଯୋଗ୍ୟ ବ୍ୟକ୍ତି ଓ ତଥାକଥିତ ନେତୃବୃନ୍ଦ । ଏ ସବୁର ମୂଳରେ ରହିଛି ‘ଅବସାଦ’ । ଏହି ଅବସାଦ ଦେଶକୁ ଖାଇ ଯାଉଛି । ଆମ୍ଭର ମାନବିକତା, ପରିଷ୍ଫୁଟ ନ ହେବାର କାରଣ ଏହି ଅବସାଦ । ବର୍ତ୍ତମାନ ସମସ୍ତଙ୍କ ମୁହଁରେ ଏକ କଥା । ସମସ୍ତେ ଆକ୍ଷେପ କରି କହୁଛନ୍ତି ‘‘ସମସ୍ତ ତ ଏପରି ଦୁର୍ନୀତି-ପରାୟଣ ମୁଁ ଏକାକୀ କଅଣ କରିବି ? ମୋ ଦ୍ୱାରା କଅଣ ହେବ ? ଲକ୍ଷ ନଙ୍ଗଳା ମଧ୍ୟରେ ଜଣେ କପଡ଼ା ପିନ୍ଧିଲେ କପଡ଼ା ପିନ୍ଧାରେ ସେ ସମସ୍ତଙ୍କ ଚକ୍ଷୁଶୂଳ ହୁଏ ସିନା । ଏପରି ଅବସ୍ଥାରେ ମୁଁ ଯଦି କପଡ଼ା ପିଙ୍ଗି ନ ଦେବି ମୋର ରକ୍ଷା ନାହିଁ’’ ଇତ୍ୟାଦି । ଏ ଅବସାଦ ଆମକୁ କ୍ଷୀଣପ୍ରାଣ କରୁଛି । ସମସ୍ତେ ଯଦି ଠିକ ବିପରୀତ କହନ୍ତେ–‘‘ସମସ୍ତେ ଯେପରି କରନ୍ତୁ, ମୁଁ ମୋ କାମ କରିଯିବି, ମୁଁ ମନୁଷ୍ୟ, ମୋ ଦ୍ୱାରା କଅଣ ସାଧିତ ହୋଇନପାରେ, ମୋତେ ଭଗବାନ ସହାୟ ହୁଅନ୍ତୁ’’–ତେବେ ଆମର ଭାଗ୍ୟ ସଙ୍ଗେ ସଙ୍ଗେ ଫେରନ୍ତା । ଗାନ୍ଧିଜୀଙ୍କର ରାମରାଜ୍ୟର ମୂଳସୁତ୍ର ଓ ମୂଳମନ୍ତ୍ର ଏହିଠାରେ । ଗାନ୍ଧିଜୀଙ୍କର କଳ୍ପିତ ଭାରତରେ ପ୍ରତ୍ୟେକକୁ ଏ ମୂଳମନ୍ତ୍ର ଜପିବାକୁ ହେବ । ମାତୃଭୂମି ବୋଲି ଭାରତକୁ ଭାରତୀୟ ମାତ୍ରେ ଦାବୀକରି ପାରିବେ ଓ ଦାବୀକରି ସିଂହ ବିକ୍ରମରେ ନିଜ ବିଶ୍ୱାସ ଅନୁରୂପେ ଦେଶ ଓ ଦେଶର କଲ୍ୟାଣ କରିଯିବେ । ଆଜି ଅବସାଦ ଯୋଗୁଁ ଆମର ପ୍ରତି ପଦରେ ଭୁଲ୍‍ କରିବାର ଆଶଙ୍କା ହେଉଛି । ଦୁନିଆଁ ରେ ନିର୍ଭୁଲ କେହି ନାହାନ୍ତି । ସମସ୍ତେ ଯଦି ଭୁଲ୍‍ କରୁଛନ୍ତି ତେବେ ଭୁଲ୍‍ ମନୁଷ୍ୟ ପକ୍ଷେ ସ୍ୱାଭାବିକ । ଭୁଲ୍‍ କରିବାର ସମସ୍ତଙ୍କର ଅଧିକାର ଅଛି । କିନ୍ତୁ ଭୁଲ୍‍ କରିଥିବା ହୃଦୟଙ୍ଗମ ହେବା ମାତ୍ରେ ମୁକ୍ତ କଣ୍ଠରେ ଭୁଲ୍‍ ସ୍ୱୀକାର କରିବା ମନୁଷ୍ୟର ଶ୍ରେଷ୍ଠଗୁଣ ଓ ପରୋପକାର ଧର୍ମ୍ମ-ସମ୍ମତ ଗୁଣ । ତଦ୍‌ବିପରୀତ ମନୁଷ୍ୟପଣିଆଁ ନୁହେଁ । ଏ ଦିଗରେ ହଠକାରୀତା ସମାନ ଦୁନିଆଁରେ ଅନ୍ୟ ଖରାପ କିଛି ନାହିଁ । ତାହା ଗାନ୍ଧିଜୀଙ୍କର ସତ୍ୟ ଓ ଅହିଂସା ବିରୋଧୀ । ତେବେ ଏ ଭୁଲ୍‍ ଭୟରେ ମୁଁ ଅନାବନା ହେବି ନାହିଁ । ସରଳ ହୃଦୟରେ କର୍ତ୍ତବ୍ୟ ଜ୍ଞାନରେ କର୍ମ କରିଯିବ । ଭଗବାନ ମୋତେ ସହାୟ ହେବେ, ମୋର ଭୁଲ୍‍ ହେବ ନାହିଁ–ଏହି ବିଷମ ପ୍ରତିଜ୍ଞାରେ ଆବଦ୍ଧ ହେବାକୁ ପଡ଼ିବ । ଏହାର ଅନ୍ୟଥା ଯୋଗୁଁ ଆଜି କଳାବଜାର ଦେଶକୁ କଳା ବା ଅନ୍ଧକାର କଲାଣି, ଲାଞ୍ଚ ମିଛ ଦେଶର ରକ୍ତ ଶୋଷଣ କରୁଛି, ଦୁର୍ନୀତି ମନୁଷ୍ୟ ହୃଦୟରୁ ମାନବିକତାକୁ ସଂପୂର୍ଣ୍ଣ ଭାବେ ତଡ଼ି ଦେଲାଣି । କୌଣସି ସତ୍କାର୍ଯ୍ୟ କରିବାକୁ ସତ୍‌ସାହାସ କୁଳାଉ ନାହିଁ । ଦୁର୍ନୀତି ସବୁ ବିଭାଗକୁ ଏପରି ଛାଇ ଗଲାଣି ଯେ, ସେଦିନ ଦେଶରତ୍ନ ନେହେରୁ ନୈରାଶ୍ୟାଭିଭୂତ ହୋଇ ଅବସରପ୍ରୟାସୀ ହୋଇ ପଡ଼ିଲେ । ବିଦେଶୀ ଶାସନର ପୋଲିସ ରାଜତ୍ୱ ଷୋଳପଣ ବିଦ୍ୟମାନ । ପୋଲିସ କର୍ମଚାରୀ ଏବେ ବି ଭାବୁଛି ସେ ସାଧାରଣର ଚାକର ନୁହେଁ, ସାଧାରଣର ମାଲିକ । ଆଜି ମଧ୍ୟ ଗୁପ୍ତ ପୋଲିସ ଦେଶହିତୈଷୀ ପଛରେ । ଅବକାରୀ କର୍ମଚାରୀ ଜିଲ୍ଲାଧୀଶର ମନୋଭାବ ଦ୍ୱାରା ପରିଚାଳିତ ହୋଇ ନିଶାକୁ ଚାଲୁ ରଖିବାକୁ ସେ ଦୁର୍ନୀତିର ପ୍ରଶ୍ରୟ ଦେଉଛି । ତାହା ସମସ୍ତେ ଦେଖି ଦେଖୁ ନାହାନ୍ତି । ମାଙ୍କଡ଼କୁ ମନୁଷ୍ୟ ତିଆରି କରୁଥିବା ପବିତ୍ର ଶିକ୍ଷା ବିଭାଗରେ ମଧ୍ୟ ପିଲାଙ୍କ ଦରମା ବଢ଼ାଇ ଶିକ୍ଷକ ତାହା ଉଦରସାତ୍‌ କରିବାକୁ ପଶ୍ଚାତ୍‌ପଦ ନୁହେଁ । ଆଜିର ସ୍କୁଲ କଲେଜମାନ ଶିକ୍ଷା ବିକ୍ରୟର ବଜାର ମାତ୍ର । ଅଧିକ କଅଣ କହିବା ଜଙ୍ଗଲ, ପୂର୍ତ୍ତ ଓ ରେଭିନ୍ୟୁ ବିଭାଗର କର୍ମଚାରୀମାନଙ୍କର ଦରମା ସେମାନଙ୍କର ସଞ୍ଚୟ ବୋଲି ପରିଗଣିତ ହେଉଥିବାର ଦୃଶ୍ୟ ବିରଳ ନୁହେଁ । ବିଚାରାଳୟରେ ବିଚାର ନିଲାମ ଦୈନନ୍ଦିନ ଘଟଣା ଓ ବିଚାରାଳୟ ଅର୍ଥୀ ପ୍ରତ୍ୟର୍ଥୀର କଂସାଇଖାନା ମାତ୍ର ।

 

ଅମୁକେଇ ଜିନିଷ ନ ହେଲେ ମୁଁ ଚଳିବି କିପରି ? ଚଢ଼ାଦାମ ଦେଇ କଳାବଜାରରୁ ତାହା ସଂଗ୍ରହ କରି ମୁଁ ବାହାରେ କହିବି କଳାବଜାରର ପ୍ରଶ୍ରୟ ନିଅନାହିଁ । ଶତ୍ରୁକୁ ବିପଦରେ ପକାଇବାକୁ ନିଜେ ଲାଞ୍ଚ ମିଛର ସୃଷ୍ଟିକରି ଅନ୍ୟକୁ କହିବି ‘‘ଲାଞ୍ଚ ଦିଅନାହିଁ । ସ୍ୱାଧୀନତାର ଯୁଗ ଆସିଗଲା ।’’ ଅପ୍ରିୟ ସତ୍ୟ କହିବାକୁ ଶାସ୍ତ୍ରରେ ମଧ୍ୟ ମନା । ଏହି କାରଣରୁ ଆଜି ଆମର ଏ ଅଧୋଗତି ।

 

ବର୍ତ୍ତମାନ କ୍ଷେତ୍ରରେ ଓ ସମୟରେ ସମାଜରେ ଏଥିଯୋଗୁଁ ସଂଖ୍ୟାଧିକ କା’ପୁରୁଷର ସୃଷ୍ଟି । ଏଥିଯୋଗୁଁ ଆମେ ନିଜର କାନକୁ ନିଜର ଆଖିକୁ ଠକି ତୁନି ରହିଛୁଁ । ‘‘ମାବୃୟାତ୍‌ ସତ୍ୟମପ୍ରିୟମ୍‌’’ ଏହାକୁ ସେହି ମାନବିକତା କଷଟିରେ ପରଖିବାକୁ ହେବ । ମନେକରନ୍ତୁ ଜଣେ ଉଚ୍ଚ କର୍ମଚାରୀ ଲାଞ୍ଚ ନେଲେ ଓ କିଛି କୁକର୍ମ କଲେ । ଲକ୍ଷ ଲୋକଙ୍କର ଭାର ତାଙ୍କ ଉପରେ । ତାଙ୍କର ଏ କୁକର୍ମ ଲୋକଙ୍କୁ ଲକ୍ଷଭ୍ରଷ୍ଟ କଲା । ମୁଁ ଯଦି ଏ ଦୁଷ୍‌କର୍ମ ଦେଖିଛି, ଜାଣିଛି, ତଥାପି ଉପରୋକ୍ତ ଋଷିବାକ୍ୟ ପାଇଁ ମୁଁ ତାହା ଦାଣ୍ଡରେ ପକାଇଲି ନାହିଁ ତେବେ ମୁଁ ଖାଲି ମୋତେଇ ଦେଖିଲି ଓ ଦେଖିଲି ସେହି କର୍ମଚାରୀଙ୍କୁ ଓ ଦେଖିଲି ତାଙ୍କ ସଙ୍ଗେ ମୋର ବନ୍ଧୁତାକୁ । ତଦ୍ଦ୍ୱାରା ମୁଁ ଆତ୍ମଚାରୀ ହୋଇ ସର୍ବନାଶ କଲି ଲକ୍ଷ ଲୋକଙ୍କର । ତାହା କରିବାର ମୋର କି ଅଧିକାର ଅଛି ? ତାହାକି ମୋର ମନୁଷ୍ୟପଣିଆଁ ବା ମାନବିକତା ? ହଁ ଏହା ହୋଇପାରେ—ଏ କଥା ଯଦି ମୁଁ କହିବି ତେବେ ପ୍ରମାଣ କରିପାରିବି ନାହିଁ । କାହିଁକି ନା ସମସ୍ତେ ଉଚ୍ଚକର୍ମଚାରୀଙ୍କର ପକ୍ଷ ନେବେ । ଫଳରେ ଅଯଥା ଶକ୍ତି ଦଣ୍ଡରେ ଦଣ୍ଡିତ ହେବି । କିନ୍ତୁ ଏହିଠାରେ ହିଁ ମୋର ମାନବିକତା, ଏହାହିଁ ମୋର ସ୍ୱାଧୀନତା । ଏହାର ବିପରୀତ କରିବା ଅପେକ୍ଷା ନିରୟଗମନ ଶ୍ରେୟସ୍କର । ପୂର୍ବେ ରାଜା ଜରାସନ୍ଧ ମହାଦେବଙ୍କଠାରେ ବଳିଦେବାକୁ ଏକଲକ୍ଷ ରାଜା ବନ୍ଦୀ କରିଥିଲେ । ଶ୍ରୀକୃଷ୍ଣ, ଭୀମ , ଅର୍ଜ୍ଜୁନ ତାଙ୍କୁ ମାରିବାକୁ ଯାଆନ୍ତେ ଜରାସନ୍ଧ ପ୍ରଶ୍ନକଲେ, ‘‘ମୁଁ ତୁମ୍ଭର କିଛି ଅନିଷ୍ଟ କରିନାହିଁ । ମୁଁ ଲକ୍ଷରାଜାଙ୍କୁ ବନ୍ଦି କରିବାରେ ତୁମ୍ଭର କି ଅଛି ଯେ ମୋତେ ଯୁଦ୍ଧ ମାଗୁଛ ?’’ ଏହାର ଉତ୍ତରରେ ଶ୍ରୀକୃଷ୍ଣ ଯାହା କହିଥିଲେ ତାହା ଆଜି ପ୍ରତ୍ୟେକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ମନେ ରଖିବାକୁ ହେବ । ସେ କହିଲେ ‘‘ଶକ୍ତି ଥାଇ ପାପୀର ପାପୋଦ୍ୟମ ଦୂର ନ କଲେ ପାପଭୋଗୀ ହେବାକୁ ହୁଏ ।’’ ଏହାର ଏ ଅର୍ଥ ହେ ଜରାସନ୍ଧ ! ତୁମେ ପଶୁ ବଳରେ ବଳୀୟାନ ହୋଇ ଲକ୍ଷ ରାଜାଙ୍କୁ ଜୟକରି ଅଜସ୍ର ମନୁଷ୍ୟରକ୍ତ ସ୍ରୋତ ବୁହାଇଛ । ତଦୁପରି ସେମାନଙ୍କୁ ବନ୍ଦୀ କରି ଅଜସ୍ର କଷ୍ଟ ଦେଉଚ ଏବଂ ଶେଷରେ ସେମାନଙ୍କ ବଳି ଦେବାର ଉଦ୍ୟମରେ ଅଜସ୍ର ପାପ ମୁଣ୍ଡାଉଛ । ସେଥିରୁ ବିରତ ହେବାକୁ ତୁମକୁ କହିଲେ ମଧ୍ୟ ତୁମେ ମାନିବ ନାହିଁ ବରଂ ମରିବ । ତୁମକୁ ସେଥିରୁ ବିରତ ନ କଲେ ସେ ପାପ ଆମ ମୁଣ୍ଡରେ ପଡ଼ିବ । ଯେହେତୁ ତୁମକୁ ସେଥିରୁ ବିରତ କରବାକୁ ବା ତୁମକୁ ମାରିବାକୁ ଆମର ଶକ୍ତି ରହିଛି । ଯଦି ବା ସେ ଶକ୍ତି ନଥାଏ ଓ ତୁମେ ଆମକୁ ମଧ୍ୟ ଜିଣି ହତ୍ୟାକର, ସେହି ଆତ୍ମତ୍ୟାଗରେ ଆମ୍ଭର ମଧ୍ୟ ମହାପୁଣ୍ୟ ଅଛି । ସୁତରାଂ ଏ ଭଳି ମହାପୁଣ୍ୟ ସଂଚୟରୁ ଆମେ କିପରି ବିରତ ହୋଇ ପାରିବୁଁ ?’’ ଏହି ‘‘ଶକ୍ତି ରହିଛି’’ ବାକ୍ୟକୁ ରକ୍ତରେ ଲେଖି ସମସ୍ତଙ୍କ ଛାତିରେ ଝୁଲାଇ ଦିଆଯାଆନ୍ତା କି ? ‘‘ଶକ୍ତି ରହିଛି ’’ ଏହି କଥାରେ ଯୋର ଦେବାକୁ ହେବ । ଯେ ପର୍ଯ୍ୟନ୍ତ ପ୍ରାଣ ରହିଛି ସେ ଯର୍ଯ୍ୟନ୍ତ ଶକ୍ତି ରହିଛି । ଗୃହସ୍ଥ ଘରେ, ବ୍ୟବସାୟୀ ବ୍ୟବସାୟରେ, ରାଜନୀତିଜ୍ଞ ରାଜନୀତିରେ, ଶିକ୍ଷକ ଶିକ୍ଷାଳୟରେ, ଛାତ୍ର ଛତ୍ରତଳେ ଯେ ଯହିଁ ରହିଛନ୍ତି, ସେ ସେଠାରେ ହିଁ ଏ ନୀତି ପ୍ରୟୋଗ କଲେ ସେହିକ୍ଷଣି ରାଜରାଜ୍ୟ ସ୍ଥାପିତ ହେବ ଓ ଦେଶରେ ଶାନ୍ତି ଶୃଙ୍ଖଳା ବିରାଜିତ ହୋଇ ଦେଶ ଓ ଜାତି ସମୃଦ୍ଧିମନ୍ତ ହେବ । ଭଗବାନ କରନ୍ତୁ ‘‘ଦେଶୋୟଂ କ୍ଷୋଭ ରହିତୋ’’ ହେଉ ।

Image

 

ସପ୍ତମ ପରିଚ୍ଛେଦ

ଆଡ଼ମ୍ୱର

 

ଆମର ପୁରାଣରେ ଅଛି ଶ୍ରୀକୃଷ୍ଣ ଯେତେବଳେ ଅଷ୍ଟମ ବର୍ଷୀୟ ବାଳକ, ସେତେବେଳେ ନନ୍ଦରାଜ ଇନ୍ଦ୍ରଯଜ୍ଞ ପାଇଁ ସାଟୋପ ଆୟୋଜନ କଲେ । କେତେ ସୁଖାଦ୍ୟର ଆୟୋଜନ ହେଲା ତାହା କହି ହେବ ନାହିଁ । ଶ୍ରୀକୃଷ୍ଣ ପଚାରିଲେ ‘‘ଏତେଗୁଡ଼ାଏ ଜିନିଷ କଅଣ ହେବ ?’’ ବାପା କହିଲେ ‘‘ବାବୁ, ଏ ସବୁ ଇନ୍ଦ୍ରଙ୍କ ପାଇବା ସକାଶେ ଅଗ୍ନିରେ ହୋମ ହେବ ଅର୍ଥାତ୍‌ ପୋଡ଼ାଇ ଦିଆଯିବ ।’’ ଶ୍ରୀକୃଷ୍ଣ କହିଲେ ‘‘ନା ଏ ସବୁ ଦରିଦ୍ରଙ୍କୁ ଦେଉଁ, ଆଉ ଗୋରୁ ଆମର ଅନ୍ନବିଧାତ୍ରୀ ସୁତରାଂ ଆଡ଼ ବେଶୀ ଗୋରୁ-ଖାଦ୍ୟ ସଂଗ୍ରହ କରି ଗୋସେବା ପରାୟଣ ହେଉ ।’’ ପୁତ୍ରଗତପ୍ରାଣ ନନ୍ଦ ସେଥିରେ ସମ୍ମତ ହୋଇ ସେହିପରି କଲେ । ଆମର ହିନ୍ଦୁ ଦେବତାମାନେ ବଡ଼ ବଦ୍‌ରାଗୀ । ଇନ୍ଦ୍ର ଯଜ୍ଞ-ଭଙ୍ଗରେ ଇନ୍ଦ୍ରଦେବତା ରାଗି ଗଲେ ଓ ଆସ୍ପର୍ଦ୍ଧା କରି କହିଲେ ‘‘ଗୋପପୁର ଭସାଇ ଦେବି, ଦେଖିବି କିପରି ଗଉଡ଼ ଟୋକା ରକ୍ଷାକରିବ ।’’ ସତକୁସତ ମୂଷଳ ଧାରାରେ ଅବିରାମ ବୃଷ୍ଟି ହେଲା । ଇନ୍ଦ୍ରଦେବ ବଜ୍ର, ଘଡ଼ଘଡ଼ିରେ ମୂଷଳଧାରା ସଙ୍ଗେ ବାରମ୍ୱାର ବଜ୍ର ପ୍ରହାର କରି ଗୋପପୁର ଅସ୍ଥିର କଲେ । ସମସ୍ତେ କହିଲେ ‘‘ଏ ଗଉଡ଼ ଟୋକା କଥାରେ ପଡ଼ି ସର୍ବନାଶ ହେଲା-।’’ ଗଉଡ଼ ଟୋକା କହିଲେ ‘‘ପରବାଏ ନାହିଁ । ଏହାର ଉପାୟ କରୁଛି ।’’ ସେଠୁଁ ଯାଇ ଗୋବର୍ଦ୍ଧନ ଗିରି ଉପାଡ଼ି ଆଣି ଛତାପରି ତାକୁ ଧଇଲେ ଓ ସମସ୍ତଙ୍କୁ ଡାକିଲେ ଆସ ଏ ଛତା ତଳକୁ । ସମସ୍ତେ ଗିରି ତଳେ ଆଶ୍ରୟ ନେଲେ; ଦେଖିଲେ ବାଳକ ହାତରେ ମହାଗିରି ରହିଛି । ପଡ଼ିଗଲେ ଏହା ସଙ୍ଗେ ସମାଧି । ତେଣୁ ସମସ୍ତେ (ଗଉଡ଼ହାତରେ ଆଉ କଅଣ ଥିବ) ବାଡ଼ିଟାମାନ ଧରି ତା ଦ୍ୱାରା ଗିରିକୁ ଟେକି ଧରିଲେ । ଇନ୍ଦ୍ରଦେବ ସାତଦିନ ପର୍ଯ୍ୟନ୍ତ ବର୍ଷା ବଜ୍ର କଚାଡ଼ିଲେ । ଆଉ ତାହା ଚଳାଇବାକୁ ତାଙ୍କ ଦେହ ଅବଶ ହେଲା । ଶେଷରେ ହାଲ, ଛାଡ଼ିଦେଇ ସନ୍ଧିକଲେ । ଶ୍ରୀକୃଷ୍ଣଙ୍କର ନାମ ହେଲା ଗିରିଧାରୀ । ଆମର ଏ କଳିଯୁଗର ଗିରିଧାରୀ, ମହାତ୍ମାଗାନ୍ଧୀ, ଜବାହର, ବଲ୍ଲଭଭାଇ, ରାଜଗୋପାଳ, ଆବୁଲ କାଲାମ ଆଦି ସହକର୍ମୀମାନଙ୍କ ସହଯୋଗେ ସ୍ୱାଧୀନତା-ଗିରି ଧାରଣ କରି ଆମକୁ ସ୍ୱାଧୀନତା ସଂଗ୍ରାମରେ ଜୟଯୁକ୍ତ କଲେ । * ଜୟଯୁକ୍ତ କରି ଆମର ଶାନ୍ତି ସମୃଦ୍ଧି ପାଇଁ ପ୍ରାଣ ଦେଇଗଲେ । ନେପୋଲିୟନ, ଆଲେକ୍‌ଜାଣ୍ଡର ଓ ଭୀମ ସମକକ୍ଷ ବୀର ବଲ୍ଲଭଭାଇଙ୍କର ପୌଣ୍ଡ୍ର ଜିଣା ମହାଶଙ୍ଖ ନିନାଦିରେ ଭାରତ ରାଜକୁଳ ମହାନୀରବତା ଭଜିଲେ । ଜାତି ଏକ ମହ ସ୍ନେହବନ୍ଧନରେ ବାନ୍ଧିହୋଇ ଏକତା ଲାଭ ନ କରୁଣୁ ହାୟ ! ତାଙ୍କର ତିରୋଧାନ ହେଲା ।

 

* ହୃଷିକେଶଙ୍କର ପାଞ୍ଚଜନ୍ୟ ଶଙ୍ଖର ନିନାଦରେ ପାଣ୍ଡବ ଯେପରି ମହାଭାରତ ରଣୋତ୍ତୀର୍ଣ୍ଣ ହେଲେ ଗାନ୍ଧୀଜିଙ୍କର ସତ୍ୟ ଓ ଅହିଂସା ଶଙ୍ଖର ନିନାଦରେ ଭାରତ ବିଜୟ ଲାଭକଲା-

 

ଚାଣକ୍ୟ ସମକକ୍ଷ ରାଜନୀତିଜ୍ଞ ରାଜଗୋପାଳ ରାଜନୀତି ଓ ଧର୍ମନୀତି ଏକ ବୋଲି ପ୍ରମାଣ କରିବାକୁ ଆଜ ମଧ୍ୟ ଅଶୀତି ବର୍ଷ ବୟଃକ୍ରମକାଳରେ ଅମିତ ତେଜରେ ତେଜୀୟାନ । ସର୍ବୋପରି ଭାରତରତ୍ନ ଜବାହର ଦେବକଳାସମ୍ପନ୍ନ ଦେବସମ୍ଭବ ଓ ଦୈବାଧିକ ଧୈର୍ଯ୍ୟରେ ବାପୁଜୀ ଓ ସର୍ଦ୍ଦାରଜୀଙ୍କ ଅପୂର୍ଣ୍ଣ ନିୟତି ସମ୍ପୂର୍ଣ୍ଣ କରିବାକୁ ତିଳ ତିଳ କରି ଆମପାଇଁ ପ୍ରାଣାର୍ପଣ କରୁଛନ୍ତି । ଗୋବର୍ଦ୍ଧନଗିରି ଧାରଣରେ ଗଉଡ଼ ଟୋକାମାନେ ଯେ ସରଳ ବିଶ୍ୱାସରେ ଲଗୁଡ଼ମାନ ଟେକି ଦେଇଥିଲେ ଆଜି ସେହି ଋଜୁ ଭାବାପନ୍ନ ହୋଇ ଆମେ ଯଦି ଆମ୍ଭର କ୍ଷୁଦ୍ର କିନ୍ତୁ ହାର୍ଦ୍ଦିକ ସହଯୋଗିତା ଦେଇ ପାରିଥାନ୍ତୁ, ତେବେ ବାପୁଜୀଙ୍କର ଓ ସର୍ଦ୍ଦାରଜୀଙ୍କର ତିରୋଧାନ ପରେ ମଧ୍ୟ ନେହେରୁଜୀ ଦେଶକୁ ଶାନ୍ତ ସମୃଦ୍ଧ କରିଥାନ୍ତେ । କିନ୍ତୁ ହାୟ; ଅଦୂରଦର୍ଶିତା ଓ ଆତ୍ମମ୍ଭରିତା ଯୋଗୁଁ ଆମେ ସୁଦର୍ଶନ-ଚକ୍ର-ହସ୍ତ ହୋଇ ଲଗୁଡ଼ ଫିଙ୍ଗିଦେଇ ଗିରିତଳେ ଥାଇ ମଧ୍ୟ ନେହେରୁଜୀଙ୍କ ହସ୍ତରେ ଗିରି ଛାଡ଼ିଦେଇ ସହଯୋଗୀ ସହଚର ତଥା ସାଧାରଣଙ୍କ ପକେଟରୁ କାଢ଼ି ଦୁଇ ହାତରେ ଖାଇ ବସିଲୁଁ । ଗିରିଧାରୀ ଯେତେ ହାଁ ହାଁ କଲେ ଶୁଣୁନାହୁଁ । ଆମେ ଅନ୍ଧ, ଦେଖି ପାରୁନାହୁଁ । ଗିରିଧାରୀ ଗିରିଧାରଣ କରିବେ ନା ଗିରିତଳୁ ଆମ୍ଭମାନଙ୍କୁ ଅପସାରଣ କରିବେ । ସେ ଆଡ଼େ ପୁଣି, ଇନ୍ଦ୍ର ଅପସରି ଗଲେ ମଧ୍ୟ ଇନ୍ଦ୍ରାନୁଚର ଓ ସଖା ସହଚର ତଥା ଇନ୍ଦ୍ର ପ୍ରତିଯୋଗୀଗଣଙ୍କର ବ୍ରଜପ୍ରହାର ଚାଲିଛି । ପଡ଼ୋଶୀ ଭାଇ କୁ-କ୍ଷଣରେ ଏ ଇନ୍ଦ୍ର ଅନୁଚର-ସହଚରେ ସହଯୋଗେ ଇନ୍ଦ୍ରଙ୍କର ପୁନରାବର୍ତ୍ତନ ପାଇଁ ନ ହେଲେ ଅନ୍ତତଃ ଗିରିଚୂର୍ଣ୍ଣ ପାଇଁ ‘ଜେହାଦ୍‌’ ପରାୟଣ ହୋଇଛି । ଏହି ଗଣ୍ଡଗୋଳ ମଧ୍ୟରେ ଆମେ ସାଧାରଣ ଭାରତୀୟ, ସ୍ୱାଧୀନ ଓ ପରାଧୀନ ଭାରତରେ ପାର୍ଥକ୍ୟ ଲକ୍ଷ୍ୟ ନ କରି ଲକ୍ଷ୍ୟଭ୍ରଷ୍ଟ ହେଉଛୁଁ । ସମସ୍ତେ କହୁଛୁଁ ଏତେ ଦିନପରେ ମଧ୍ୟ ସାଧାରଣର ଉପକାର ହେବାଭଳି କୌଣସି ସୂଚନା ନିଳୁନାହିଁ । ଯେଉଁଆଡ଼େ ଆଖି ପଡ଼ୁଛି ଆବର୍ଜନା, ଅତ୍ୟାଚାର, ଅଭାବ, ଅଶାନ୍ତି, ଅସୁଖ । ସୁବିଧାବାଦୀର ବିକଟ ଓ କୌଶଳମୟ ମର୍ଦ୍ଦନ ଓ ଧର୍ଷଣ । ଏ ସବୁ ସ୍ୱାଧୀନତାର ପରିସୂଚକ ନା ତଥାକଥିତ ସ୍ୱାଧୀନ ଭାରତ ପାଇଁ ନରକର ଦ୍ୱାରେଦ୍‌ଘାଟନ-? ଏ ସବୁକୁ ଆଳସ୍ୟ ପରାୟଣର କର୍ମଫଳ ବୋଲି ଧରିନେଲେ ଚଳିବ ନାହିଁ; ବରଂ ଏ ସବୁ ଆମର କୃତକର୍ମର ଫଳ ଓ ଏହା ଆମର ପରୀକ୍ଷା ବୋଲି ଧରିନେଇ ଏ ସବୁର ସମ୍ମୁଖୀନ ନ ହେବା ପର୍ଯ୍ୟନ୍ତ ଆମର ସ୍ୱାଧୀନତା ଆସିନାହିଁ ବୋଲି ଧରି ନେବାକୁ ହେବ । ଏବେ ମଧ୍ୟ ସମୟ ଅଛି, ଚେତି ଚାହିଁବାକୁ ହେବ । ବାପୁଜୀଙ୍କର ଅମର ବାକ୍ୟରେ ଏ ମୋର ମାତୃଭୂମି ବୋଲି ଦାବୀକରି ମୋର ମାଟିରେ ଦୁର୍ନୀତିର ଚେର ଲଗାଇ ଦେବିନାହିଁ, ତାକୁ ନିର୍ମୂଳ କରିବି, ମୁଁ ନିଜ ଗୋଡ଼ରେ ଠିଆ ହେବି, ଦେଶୀ କ୍ଷମତାଶାଳୀ ସୁବିଧାବାଦୀର ଅତ୍ୟାଚାର ଚୂର୍ଣ୍ଣ କରିବି, ବିଦେଶୀ କ୍ଷମତାଶାଳୀ ସୁବିଧାବାଦୀକୁ ମଧ୍ୟ ଏ ମାଟିରେ ଗଜାଇ ଦେବି ନାହିଁ, ଏଥିପାଇଁ ଗାନ୍ଧିଜୀ ମୋ ହାତରେ ସତ୍ୟ ଓ ଅହୀଂସା ରୂପ ଅମୋଘ ଦୈବାସ୍ତ୍ର ଆଣବିକ ବୋମା ଦେଇଛନ୍ତି । ନ ପାରିଲେ ତନ୍ନିମିତ୍ତ ଅତନ୍ତଃ ମୋ ଦେଶ ମାଟିରେ ଏ ଦେହଲୀନ କରିବି ବୋଲି ମାତୃ ନାମରେ ପ୍ରତିଜ୍ଞା ଦେବାକୁ ପଡ଼ିବ । ଖାଲି ପ୍ରତିଜ୍ଞା ନୁହେଁ, ପ୍ରତିଜ୍ଞା ପାଳନରେ ଭାଇକୁ ମଧ୍ୟ, ଏ ମୋର ମାତୃଭୂମି ବୋଲି ଦାବୀ କରିବାକୁ ଶିଖାଇ ସତ୍ୟ ଓ ଅହିଂସା ବ୍ରତରେ ବ୍ରତୀକରି ତିରିଶ କୋଟି ଭାଇଙ୍କର ଷାଠିଏ କୋଟି ହାତରେ ଏ ଅମୋଘ ଅସ୍ତ୍ର ଦେଇ ଦେଖିବାକୁ ହେବ; କିଏ ଜନନୀ ଜନ୍ମଭୂମିର ଧର୍ଷଣ କରିବ । ଆମକୁ ସଦାବେଳେ ମନେ ରଖିବାକୁ ହେବ, ଆମଭଳି କେତେ ମଲେଣି ମରୁଛନ୍ତି, ମରିବେ । ଯୁଗାଳଙ୍କାର ସ୍ୱରୂପ ବହୁ ଲୋକ କ୍ଷମତା ଓ ଧନର ଶେଷ ସୀମାରେ ପହଞ୍ଚି ମଧ୍ୟ ଗଲାବଳକୁ କେହି ଧନ ଓ କ୍ଷମତା ମୁଣ୍ଡାଇ ନେଇ ନାହାନ୍ତି । ମହାବୀର ଆଲେକ୍‍ଜାଣ୍ଡର ମଲାବେଳକୁ କହିଗଲେ, ମୁଁ ମଲାବେଳେ ମୋର ହାତକୁ ଝୁଲାଇଦେଇ ଦେଖାଇ ଦେବ ମୁଁ ଏକାକୀ ଆସି ଏକାକୀ ଖାଲି ହାତରେ ଯାଇଛି ।’’ ଧନ ଓ କ୍ଷମତାର ଆବଶ୍ୟକତା ଅଛି କିନ୍ତୁ ଧନ ବା କ୍ଷମତା ମାଗିବାର ଜିନିଷ ନୁହେଁ । ମାଗିଲେ ଲୋକେ ପାଗଳ କହିବେ । ସ୍ୱଚ୍ଛନ୍ଦ ବନ ଜାତେନ ଶାକେନାପି ପ୍ରାପୁଜ୍ୟତେ । ଅସ୍ୟଦ୍‌ଗ୍ନୋଦର ସ୍ୟାର୍ଥଂ କଃ କୁର୍ଯ୍ୟାତ୍ ପାତକଂ ମହତ୍ । ମଲାବେଳେ ଓ ତତ୍‌ପୂର୍ବେ ମଧ୍ୟ କୃତକର୍ମର ଫଳ ଭୋଗିବାକୁ ହେବ । ଭଗବାନ ଯାହା ସୃଷ୍ଟି କରିଛନ୍ତି ତାହା ପ୍ରାଣୀର ମଙ୍ଗଳ ନିମିତ୍ତ । ବଞ୍ଚିବାକୁ ଖାଇବା ଦରକାର । କିନ୍ତୁ ଖାଇବାକୁ ବଞ୍ଚିବାର ନୁହେଁ । ସୃଷ୍ଟି କଲାବେଳେ ଭଗବାନ ଅତି ପବିତ୍ର ଓ ନିରାଡ଼ମ୍ୱର କରି ପଠାଇଛନ୍ତି । ଏହି ପବିତ୍ରତା ଓ ନିରାଡ଼ମ୍ୱରତା ଛାଡ଼ି ମନୁଷ୍ୟ ସବୁବେଳେ ତଦ୍‌ବିପରୀତରେ ମାତି ଯାବତ୍‌ ଅଭାବ ଓ ଅନାଟନ ସୃଷ୍ଟିକରେ । ଏହି ଅଭାବ ଅନାଟନ ଦୂର କରିବାକୁ ଲଘୁଚେତା ଓ ଅଶିକ୍ଷିତ ଚୋରୀ ଡକାଇତ କରେ ଓ ତଥାକଥିତ ଶିକ୍ଷିତ ଓ ରାଜନୀତିଜ୍ଞ ଯାବତୀୟ ଦୁର୍ନୀତି ଓ ନଷ୍ଟକାଣ୍ଡ ଘଟାଏ । ଆମର ଏହି କୁକାର୍ଯ୍ୟର ଫଳ ସ୍ୱରୂପ ଆଜି ସ୍ୱଧୀନତା ଲାଭକରି ମଧ୍ୟ ସ୍ୱାଧୀନତାର ମହତ୍ୱ ବୁଝାପଡ଼ୁନାହିଁ । ଏହାକୁ ସ୍ପଷ୍ଟ କରୁଁ । କାଠ ପାନିଆଁ ସ୍ଥାନୀୟ ବଢ଼େଇ ପ୍ରସ୍ତୁତ କରି ବିକେ ପଇସାକୁ ଗୋଟାଏ । ସଦ୍‌ବ୍ୟବହାର କଲେ ଏକ ବର୍ଷ କାମଦିଏ । କିନ୍ତୁ ତାହା ଆଖିକୁ ରୁଚେ ନାହିଁ । ତା ବଦଳରେ ଆମେ ବ୍ୟବହାର କଲୁଁ ଶିଙ୍ଗ ବା ଲାଖ ପାନିଆଁ ଗୋଟିକୁ ଚାରିଅଣା ଦେଇ ବର୍ଷକୁ ଚାରିଟା । ପାନିଆଁ ବାବତ୍ ଆମର ବର୍ଷକୁ ଖର୍ଚ୍ଚ ପଡ଼ିଲା ଏକଟଙ୍କା । ଏହା ଆଡ଼ମ୍ୱର— ଏକ ପଇସା ସ୍ଥାନରେ ଏକଟଙ୍କା ଖର୍ଚ୍ଚହେଲା । ଅର୍ଥାତ୍‌ ଆମର ଅଭାବ ପଡ଼ିଲା ପନ୍ଦର ଅଣା ତିନି ପଇସା । ଏହା ପୁଣି ଯୋଗାଡ଼ କରିବାକୁ ପଡ଼ିବତ ? ଦୈନନ୍ଦିନ ପ୍ରତ୍ୟେକ କାର୍ଯ୍ୟ ଆମର ଆଡ଼ମ୍ୱରପୂର୍ଣ୍ଣ । ସେହି ଆଡ଼ମ୍ୱରର ଯୋଗାଡ଼ କରିବାକୁ ଆମର ଯାବତୀୟ ଆୟାସ ଓ ପ୍ରୟାସ । ଏଥିରେ ଆମେ ଏତେ ଅଭ୍ୟସ୍ତ ଯେ ତାହା କ୍ରମେ ଅଭ୍ୟାସରେ ପରିଣତ ହେଲେ ଆଉ ତାକୁ ଆଡ଼ମ୍ୱର କରି ଦେଖି ପାରୁନାହୁଁ । ଆଡ଼ମ୍ୱର ଉପଯୋଗୀ ଯଦି ଆୟ ନାହିଁ ତେବେ ଜାଲ ବିନଦ୍ଧ ରୋହିତ ଯାଏ କୋଆଡ଼େ ? ଦୁର୍ନୀତିର ପ୍ରଶ୍ରୟ ନେବାକୁ ପଡ଼େ । ଥରେ ଦୁଇଥର ବିବେକ ତାଡ଼ନା ଦେଲେ ତା ଯଦି ଶୁଣା ନଗଲା ତେବେ ବିବେକ ତୁନି ହୁଅନ୍ତି । ଦୁର୍ନୀତି ଅଭ୍ୟାସଗତ ହୁଏ । ସେତେବେଳକୁ ନରକର ପଥ ପରିଷ୍କାର । ଟିକିଏ ତଳେଇ ଦେଖିଲେ ଦେଖିବେ ଆଡ଼ମ୍ୱରର ପରିଣାମ ଦୁର୍ନୀତି । ଦୁର୍ନୀତିପରାୟଣ ବ୍ୟକ୍ତି ଦୟାର ପାତ୍ର । ଏ କଥାର କଥା ନୁହେଁ ଏ ବାସ୍ତବ, ବାସ୍ତବ ନ କରିବା ପର୍ଯ୍ୟନ୍ତ ଆମେ ମାନବକତାର ଅତି ଦୂରରେ । ଆଉ ଗୋଟିଏ କଥା; ଗୋ’ଦୁଗ୍‌ଧରେ ମନୁଷ୍ୟର ଖାଦ୍ୟର ସବୁ ଉପାଦନ ରହିଛି । ମଦ୍ୟ ମନୁଷ୍ୟତ୍ୱ ବିନାଶକାରୀ । ଦୁଧଠାରୁ ମଦ୍ୟର ମୂଲ୍ୟ ବହୁତ ବେଶୀ । ଦୈନିକ ଖାଦ୍ୟରେ ଦୁଧର ହାର ବଢ଼ାଇ ପାରିଲେ ଆମେ ଦୀର୍ଘାୟୁ ହେଉଁ । ଆଜି ଖାଦ୍ୟାଭାବ ଦେଶକୁ କାହିଁକି ପୃଥିବୀକୁ ଉଚ୍ଛନ୍ନ କଲାଣି ଦେଖଛୁଁ । ଅଥଚ ଆମର ଚେତା ଆସୁ ନାହିଁ-। ଗୋରସ ସଂଗ୍ରହରେ ଆମର ଚେଷ୍ଟା ନାହିଁ ଅଥଚ ମଦ୍ୟ ଗଳିରେ ବିକ୍ରୀ ହେଉଚି । ଆଜି ମଦ୍ୟର ଚାଲୁ ଏତେ ବେଶୀ ଯେ ତାହା ନୀଚ ଲୋକଙ୍କ ଦ୍ୱାରା ଆଦର ପାଉଛି ତାହା ନୁହେଁ, ତଥାକଥିତ ଉଚ୍ଚଶ୍ରେଣୀର ଲୋକେ ମଧ୍ୟ ତାକୁ ଆଦର କଲେଣି ଅଥଚ ତାହା କେଉଁ ଏକ କୋଣରେ ବିକ୍ରୀହୁଏ ମାତ୍ର । ମନୁଷ୍ୟ ବଞ୍ଚିବା ପକ୍ଷରେ ତାର ପ୍ରୟୋଜନୀୟତା ମାତ୍ର ନାହିଁ । ତାହା ଅତି ନିକୃଷ୍ଟ ଆଡ଼ମ୍ୱର ମାତ୍ର । ଖାଲି ଆଡ଼ମ୍ୱର ନୁହେଁ ବିଭୁଦତ୍ତ ଅତି ପବିତ୍ର ମନ ଓ ଦେହ ଉପରେ ଅତ୍ୟାଚାର ମାତ୍ର । ସେହିପରି ସିଗାରେଟ ମନୁଷ୍ୟ ଜୀବନ ରକ୍ଷାପାଇଁ ନୁହେଁ ଅଥଚ ଶିକ୍ଷିତ ସଂପ୍ରଦାୟ ଯେ ଭାବେ ଏହାର ପ୍ରବଳ ପ୍ରଚଳନ କରୁଛନ୍ତି ତାହା ଦେଖିଲେ ଅବାକ୍‌ ହେବାକୁ ପଡ଼େ-। ଭାରତ ଆଜି ଅନ୍ନାଭାବେ ଅସ୍ଥିର ଅଥଚ କୋଟିଏ ଟଙ୍କା ବର୍ଷକୁ ଏ ଦିଗରେ ପାଣିରେ ଫିଙ୍ଗି ଦେଉଛୁ । ଏ ଦୁଃସମୟରେ ଆମେ ଯଦି ଏ ଆଡ଼ମ୍ୱର ବା ଅତ୍ୟାଚାର ନରାୟଣ ହେଉଁ ତେବେ ଆମକୁ ଦୁର୍ଦ୍ଦଶା ନ ପଡ଼ିବତ ପଡ଼ିବ କାହାକୁ ? ଥରେ ମନକୁ ଫେରାଇ ଦେଖୁଁ ଏଥିପାଇଁ ଅନ୍ୟକୁ ଦୋଷିବାର ନୁହେଁ, ଦୋଷୀ ଆମ୍ଭେମାନେ । ତେବେ ନିରାଡ଼ମ୍ୱର ସରଳ ଜୀବନହିଁ ମାନବିକତା ବିକାଶର ପ୍ରକୃଷ୍ଟ ଉପାୟ । ଭଗବାନ କରନ୍ତୁ, ଆମେ ଅନାବଶ୍ୟକ ଜିନିଷର ଆବଶ୍ୟକତା ବଢ଼ାଇ ଆମର ସର୍ବନାଶ ନ କରୁଁ ।

Image

 

ଅଷ୍ଟମ ପରିଚ୍ଛେଦ

ଅଶିକ୍ଷା ଓ କୁଶିକ୍ଷା

 

ଆତତାୟୀର ଆଘାତରେ ମହାତ୍ମାଜୀଙ୍କର ମହାପ୍ରୟାଣରେ ଦେଶ ଯେତେବେଳେ ଉଦ୍‌ବେଳିତ, ସ୍ତମ୍ଭୀତ, ଭୀତ ଓ ଶୋକ ବିହ୍ୱଳ ସେତେବେଳେ ଜଣେ ଭଦ୍ର କିନ୍ତୁ ନିରୀହ ମହିଳା କହି ପକାଇଲେ ‘‘ଭଲ ହେଲା । ଏତେ ରଜାଙ୍କୁ ମାରିବାରୁ ନିଃଶ୍ୱାସ ପଡ଼ିଲା, ତେଣୁ ଗାନ୍ଧିରଜା ବେଶୀଦିନ ଭୋଗ କରି ପାରିଲା ନାହିଁ ।’’ ଶୁଣି ହାଡ଼ ଜଳିଗଲା, ମନେହେଲା–‘ନଥୁରାମଗଡ଼ସେ’ର ରୂପାନ୍ତର ଏ । ଏହି ମନୋଭାବରେ ଗାନ୍ଧିଜୀଙ୍କର ହତ୍ୟା । ଇଚ୍ଛାହେଲା ଦାନ୍ତ ଭାଙ୍ଗି ସିଧା ଗାନ୍ଧିମାର୍ଗରେ ତାକୁ ପଠାଇବାକୁ । ପରକ୍ଷଣରେ ଏ ନିରୀହତା ଓ ଅଶିକ୍ଷା ପାଇଁ ଦାୟୀ ଅନ୍ୟ କେହି ନୁହନ୍ତି ଆମେ ସିନା ବୋଲି ମନେ ହେଲା । ଭଦ୍ରମହିଳାଟି ପୂର୍ବତନ ଫ୍ୟୁଡ଼େଟରୀ ଷ୍ଟେଟରୁ ଜମିଦାରୀ ଅଞ୍ଚଳକୁ ଆସିଛନ୍ତି । ତାଙ୍କର ସ୍ୱାମୀ ଜମିଦାର–ନିର୍ଭରଶୀଳ । ପୁଣି ଜମିଦାରୀ ଉଠାଇବାର ଗାନ୍ଧିଜୀଙ୍କର ନୀତି । ତେଣୁ ସେ ଅନ୍ନଦାତାର ମଙ୍ଗଳ କାମନା କରୁଁ କରୁଁ ଏପରି କହି ପକାଇଲେ । ଯେତେ ଅପ୍ରିୟ ହେଉ ପଛକେ ତାଙ୍କର ଏ ଉକ୍ତିର ଏକପ୍ରକାର ଯଥାର୍ଥ୍ୟ ଅଛି । ସ୍ଥାନ ବିଶେଷରେ ଉପକାରୀ ପ୍ରତି ସଦିଚ୍ଛା ଦୋଷ ନ ହୋଇ ଗୁଣରେ ଗଣ୍ୟ ହୋଇଥାଏ । କିନ୍ତୁ ଶିକ୍ଷା ଅଭାବରେ ମହିଳା ଗାନ୍ଧିଜୀଙ୍କୁ ରାଜା ବୋଲି କହିଲେ । ରାଜାମାନଙ୍କୁ ଗାନ୍ଧିଜୀ ଗାଦିଚ୍ୟୁତ କରି ନାହାନ୍ତି । ପ୍ରଜାତନ୍ତ୍ର ସେମାନଙ୍କୁ ଗାଦିଚ୍ୟୁତ କରିଛି । ଗାଦିଚ୍ୟୁତ ପ୍ରକୃତରେ ସେମାନେ ହୋଇ ନାହାନ୍ତି ବରଂ ଗାଦି–ନଶୀନ ହୋଇଛନ୍ତି ପ୍ରଜାତନ୍ତ୍ରରରେ । ଦେଶ ହିତୈଷଣାର ମହାପ୍ରେରଣାରେ ସେମାନେ ପ୍ରଜାତନ୍ତ୍ର ବରଣ କରି ପ୍ରଜାର ହୃଦ ସିଂହାସନ ଅଧିକାର କରିଛନ୍ତି । ତେଣୁ ସେମାନଙ୍କର ମହାତ୍ୟାଗ ସକାଶେ ସେମାନେ ଦେଶ ଓ ଜାତିର ଧନ୍ୟବାଦାର୍ହ ଓ କୃତଜ୍ଞତା–ଭାଜନ-। ମହିଳା ତାଙ୍କର କଥାଟି ସେ ଯେଉଁ ଅର୍ଥରେ କହିଲେ ତାର ଠିକ୍‌ ବିପରୀତାର୍ଥକ ।

 

ସେ ଦିନ ଗାଉଁଲୀର ନେତା, ଜଣେ ବନ୍ଧୁ ସାହସର ସହିତ କହିଲେ କଅଣ ବାବୁ, ଏତେ ଗାନ୍ଧି, କଂଗ୍ରେସ ଓ ସ୍ୱାଧୀନତାର କଥା ବାଢ଼ୁଛ । ଆମ୍ଭଙ୍କୁ ଭୁଲାଇ ସାହେବମାନଙ୍କୁ ଆମ ଦେଶରୁ ତଡ଼ିଲ, ଯଦି କଂଗ୍ରେସ ରଜା ଅମଳରେ ଆମକୁ ଖଣ୍ଡିଏ ଧୋତି ପାଇଁ ଦଶଟଙ୍କା ଦେବାକୁ ପଡ଼ିଲା, କିରୋସିନ୍‌ ଅଭାବରେ ମୋ ଘରେ ଦୀପ ଜଳିଲା ନାହିଁ, ଯଦି ଔଷଧ କରିବାକୁ ମଧ୍ୟ ଦୁଇଅଣାର ଚିନି ପାଇଲି ନାହିଁ, ଆଉ ଗୁଡ଼ରେ ଯଦି ଚା ଖାଇବାକୁ ହେଲା–ତମର କଂଗ୍ରେସ ସରକାର ଭାସିଯାଉ ତମେ ଭାରତ ଛାଡ଼, ସାହେବମାନଙ୍କୁ ଗାଦି ଛାଡ଼ିଦିଅ । ଏକଥାକୁ କି ଜବାବ୍ ଛି ? ତଥାପି ମସ୍ତକ କଣ୍ଡୁୟନ କରି କରି ତାଙ୍କୁ କୁହାଗଲା ବାବୁହେ ତମେ ତ ଗାନ୍ଧିଜୀଙ୍କର କଥା ରଖିଲ ନାହିଁ । ତାଙ୍କ କଥା ରଖି ଯଦି ଘରେ ଘରେ କପା ଲଗାଇ ଚରଖାରେ ସୁତାକାଟି ଗଣ୍ଡା ବା ଭୁଲିଆ ଦ୍ୱାରା ବୁଣାଇ ଲୁଗା ପିନ୍ଧିଥାନ୍ତ ତେବେ ତମକୁ ଟ୧୦୧ ଖଣ୍ଡି, ଧୋତି ପାଇଁ ଦେବାକୁ ପଡ଼ୁ ନଥାନ୍ତା-। ତମେ ବସ୍ତ୍ର ବିଷୟରେ ନିଜ ଗୋଡ଼ରେ ଠିଆ ହୋଇ ପାରିଥାନ୍ତ । ଲୋକଟା ରାଗରେ ଲାଲ ହୋଇ କହିଲେ ହିଁ ସ୍ୱାଧୀନ ହେବାର ଅର୍ଥ ଯଦି ମୋଟା କପଡ଼ା ପିନ୍ଧି ଦେହରୁ ଛାଲ କାଟିବା ତେବେ ସ୍ୱାଧିନ ହେବାର ଆମର ଦରକାର ନାହିଁ । କୁଲିହାମାର୍କା ଧୋତି ଯଦି ଆମକୁ ଏକ ଟଙ୍କାକୁ ନମିଳିଲା ଓ ଖଦଡ଼ରେ ଯଦି ଅଣ୍ଟାର ଛାଲ କାଟିବାକୁ ପଡ଼ିଲା ଆଉ ବାପ ଅଜା ଦିନୁ ପିନ୍ଧି ଆସୁଥିବା ସରୁ ଧୋତି ଖଣ୍ଡକ ପାଇଁ ଦଶବାର ଟଙ୍କା ଦେବାକୁ ପଡ଼ିଲା ତେବେ ଆମ ଗାଆଁକୁ ଆଉ କଂଗ୍ରେସବାଲା କେହି ଆସିବ ନାହିଁ । ଏତକ କହି ଗାଁ ଲୋକଙ୍କୁ କହିଲେ ଏମାନେ କଂଗ୍ରେସ ବାଲେ ବିରାଡ଼ି–ବୈଷ୍ଣବ ମୋଟା ପିନ୍ଧି ଗାନ୍ଧି ଟୋପି ପୂର୍ଣ୍ଣକରି ହଜାର ହଜାର ଟଙ୍କା ଲାଞ୍ଚ ନେଉଛନ୍ତି, ଏମାନଙ୍କ ସଙ୍ଗେ ଆମର କି ସଂପର୍କ ? ଏତକ କହି ସବୁ ଲୋକଙ୍କୁ ନେଇ ସେଠାରୁ ବାହାରି ଗଲେ । ଏ ଲୋକଙ୍କର ନିରୀହତାର କୌଣସି ସନ୍ଦେହ ନାହିଁ । ଏ ଲୋକେ ଚିରକାଳ ଅଶିକ୍ଷିତ, ସରଳ, ଆଶୁତୁଷ୍ଟ ଓ ଦେଶର ମେରୁଦଣ୍ଡ ହେଲେ ମଧ୍ୟ ଚିର ଅତ୍ୟାଚାର-ଗ୍ରସ୍ତ । ସ୍ୱାଧୀନତା ପାଇଁ ଏମାନଙ୍କୁ ଆମେ ପ୍ରସ୍ତୁତ କରିପାରି ନାହୁଁ, କିନ୍ତୁ ଏମାନଙ୍କ ନାମରେ ସ୍ୱାଧୀନତା ହାସଲ କରିଛୁଁ । ହାସଲ କରି ନିର୍ବାଚନ ଆଦି ଦ୍ୱାରା ଦେଖାଉଛୁଁ, ଏମାନେ ଆମ ପଛରେ । ବସ୍ତୁତଃ ତାହା ନୁହେଁ । ଏମାନେ ଆଶୁତୁଷ୍ଟ ଥିବାରୁ ଅଳ୍ପକେ ଆମେ ଏମାନଙ୍କୁ ହାତ କରି ପାରିଛୁଁ । ଗତ ନିର୍ବାଚନ ବେଳେ ପଇସା ଦେଇ ଏମାନଙ୍କର ଭୋଟ କିଣି ଆଜି ପୁଣି କ୍ଷମତା ହାସଲ କରିଛୁଁ । ଶତକଡ଼ା ପ୍ରାୟ ୬୦ ଜଣ ସମ୍ପୂର୍ଣ୍ଣ ଭାବେ ଉଦାସୀନ । ବାକୀ ୪୦ ଜଣ ମଧ୍ୟରୁ ୨୫ ଜଣର ଭୋଟ କିଣିବା କଂଗ୍ରେସ ପରି ସର୍ବଶକ୍ତିମାନ ଅନୁଷ୍ଠାନ ପକ୍ଷରେ ଆୟାସର କାର୍ଯ୍ୟ ନୁହେଁ । ଅନ୍ୟ ରାଜ୍ୟମାନଙ୍କର କଥା ଜାଣି ନାହୁଁ କିନ୍ତୁ ଯାହା ଆଖିରେ ଦେଖା ଯାଇଛି କାନରେ ଶୁଣା ଯାଇଛି ତାକୁ ଅବିଶ୍ୱାସ କରି ପାରୁ ନାହୁଁ । ଆଜି ମଧ୍ୟ କଂଗ୍ରେସ ମେମ୍ୱର ସଂଗ୍ରହ କରାଯାଉଛି, ଆଉ କୁହା ଯାଉଛି ଯେ ଯଦି କଂଗ୍ରେସ ରଜାକୁ ନମାନ ଚାରିଅଣା ଦେଇ କଂଗ୍ରେସ ମେମ୍ୱର ନ ହୁଅ ତେବେ ତମର ଭାରି ଅସୁବିଧା ହେବ । ବାପୁଡ଼ା କହୁଛି ବାବା ଯେ ରାଜା ଆମେ ତାର ପରଜା ନିଅ ଚାରିଅଣା ଆମକୁ ମେମ୍ୱର କର କିନ୍ତୁ ଆମର ଟିକିଏ ହେଲେ ସୁବିଧା କରିଦିଅ କିପରି ଖାଇବୁଁ ଓ ପିନ୍ଧିବୁ । ଏହି କି ଆମର ରାଜ ତନ୍ତ୍ରଲୋପ ? ଏହିକି ଆମର ପ୍ରଜାତନ୍ତ୍ର ଗଣତନ୍ତ୍ର ? ଏବେ ମଧ୍ୟ ସାଧାରଣ ଲୋକଙ୍କର ଧାରଣା କଂଗ୍ରେସ ଆମର ରଜା । ଗାନ୍ଧି ରଜାଙ୍କ ପରେ ଦେଶକୁ ଶାସନ କରୁଚି । ‘‘ଦିଲ୍ଲୀଶ୍ୱରେ ବା ଜଗଦୀଶ୍ୱରେ ବା’’ ସାଧାରଣ ଭାରତୀୟ ଏବେ ମଧ୍ୟ ଋଷି ବାକ୍ୟ ବୋଲି ମନେ କରେ । ଏହା ତାହାର ଅସ୍ଥି ମଜ୍ଜାଗତ । ପୁରାଣ ଇତିହାସ ଯେ ଭାବେ ଲେଖା ହୋଇଛି ରାଜତନ୍ତ୍ର ଛଡ଼ା ଅନ୍ୟ କୌଣସି ତନ୍ତ୍ର ଭାରତରେ ଏପର୍ଯ୍ୟନ୍ତ ପ୍ରଚଳିତ ବା ପ୍ରଚାରିତ ହୋଇ ନାହିଁ । ଭାରତକୁ ପୁରାଣକର୍ତ୍ତା ସଂସାରବୋଲି ମନେ କରୁଥିଲେ । ଭାରତ ବାହାରେ ଆଉ ଦେଶ ବା ଲୋକଥିବାର ପୁରାଣ ଇତିହାସରେ ସୂଚନା ମିଳେ ନାହିଁ । ତହିଁର ପ୍ରଥମ କାରଣ ଭାରତ ଚତୁର୍ଦ୍ଦିଗରେ ପ୍ରାକୃତିକ ପରିଖା ଦ୍ୱାରା ସୁରକ୍ଷିତ । ଏପରି କି ଖାଇବାର ଗିରିଶଙ୍କଟ ଛଡ଼ା ଅନ୍ୟ କୌଣସି ଭୂମାର୍ଗ ଆଲେକଜାଣ୍ଡରଙ୍କ ସମୟ ପର୍ଯ୍ୟନ୍ତ ବୋଧହୁଏ ଉଦ୍‌ଭାବିତ ହୋଇ ନଥିଲା ଏବଂ ଜଳପଥରେ ଭାରତ ଆବିଷ୍କୃତ ଏହି ପଞ୍ଚଦଶ ଶତାବ୍ଦୀରେ ମାତ୍ର । ଯାହାହେଉ ‘ରାଜତନ୍ତ୍ର’ ଯେ ଭାରତରେ ବିଫଳ ହୋଇଛି ତାହା ନୁହେଁ ତେବେ ଆଜିପର୍ଯ୍ୟନ୍ତ ଯେ ରାଜତନ୍ତ୍ର ଏତେ ଦୀର୍ଘକାଳ ଚଳି ଆସିଥିଲା ଏହା ତାହାର ସଫଳତାର ପରିଚାୟକ । ସେ ଯାହାହେଉ ଆଜିର ପୃଥିବୀ ରାଜତନ୍ତ୍ର ଚାହେଁନାହିଁ । ଆଜିର ଲୋକର ଯେ ମନାଭାବ ରାଜତନ୍ତ୍ର ତହିଁର ଫଳଦାୟକ ହୋଇନପାରେ । ଆଜି ପ୍ରଜାତନ୍ତ୍ର ଗଣତନ୍ତ୍ର ଲୋକମନ ଆକର୍ଷଣ କରିଛି ଓ ତାହା ମଧ୍ୟ ଉଚିତ ହୋଇଛି । ଏପରି ଅବସ୍ଥାରେ ‘ଗାନ୍ଧିରଜା’ ‘କଂଗ୍ରେସ ରଜା’ ବୋଲି ଉଚ୍ଚାରଣ କରିବାହିଁ ଲୋକଙ୍କର ମୁର୍ଖତାର ସୁବିଧାନେବା ମାତ୍ର ଓ ମହାପାପ ଅଟେ । ଗାନ୍ଧିଜୀ କେବେ ରଜା ହୋଇ ନଥିଲେ । ସର୍ବତ୍ର ଗୋଟିଏ ଚିତ୍ର ଦେଖିବାକୁ ମିଳେ ଭାରତ ଜନନୀ ନେହେରୁଙ୍କ ମୁଣ୍ଡରେ ରାଜମୁକୁଟ ପିନ୍ଧାଉଛନ୍ତି । ଦେଖିଲେ ହସ ମାଡ଼େ । ଗଣତନ୍ତ୍ରୀ ଶ୍ରେଷ୍ଠ ନେହେରୁଜୀ ଏଥିର ପକ୍ଷପାତୀ ନୁହନ୍ତି, ଏହା ତାଙ୍କର ଶତ୍ରୁ ମଧ୍ୟ ସ୍ୱୀକାର କରିବ ।କଂଗ୍ରେସରଜା ଦେଶଶାସନ କରୁଛି ଏଥିରେ ଲବ ସନ୍ଦେହ ନାହିଁ । କାରଣ କଂଗ୍ରେସିଆ ଯାହା ଚାହୁଛି (brute majority) ମତାଧିକ୍ୟ ବଳରେ ତାହାକରି ପାରୁଛି ଏହା ଅସ୍ୱୀକାର କରିବାର ଉପାୟ ନାହିଁ । ଏହା କଂଗ୍ରେସର ରାଜପଣ, ପ୍ରଜାତନ୍ତ୍ର ବା ସ୍ୱାଧାନତା ନୁହେଁ । ଏ ରାଜପଣ ସକାଶେ ଲୋକଙ୍କୁ ଯେ ଭାବେ ପ୍ରଲୁବ୍‌ଧ ଓ ଭୀତକରା ଯାଉଛି ତହିଁର ଅନ୍ୟଚିତ୍ର ଭାରତରେ କାହିଁକି ପୃଥିବୀରେ ନାହିଁ ଆଉ ଭାରତଛଡ଼ା ଅନ୍ୟତ୍ର ତାହା ସମ୍ଭବ ନୁହେଁ । ଏଥିର କାରଣ କଂଗ୍ରେସ ସଙ୍ଗବଦ୍ଧ କ୍ଷମତାଶାଳୀ ଓ ଧନୀ । ଦେଶରେ କଂଗ୍ରେସ ଛଡ଼ା ଅନ୍ୟ କୌଣସି ସଙ୍ଗବଦ୍ଧ ଅନୁଷ୍ଠାନ ନାହିଁ । ଆଉ ଦେଶ ଅଶିକ୍ଷିତ ହେଉ ପଛକେ ସ୍ୱାଧୀନତା ସକାଶେ ପ୍ରାଣାର୍ପଣ କରିବା ତାପକ୍ଷରେ ସ୍ୱାଭାବିକ ଥିଲା । କୀଟପତଙ୍ଗ ପଶୁପକ୍ଷୀ କିଏ ସ୍ୱାଧୀନ ହେବାକୁ ନ ଚାହେଁ ? ଆମର ଆଜିର ସ୍ୱାଧୀନତା ପଶୁର ସ୍ୱାଧୀନତା ମାତ୍ର-। ସ୍ୱାଧୀନତା ସଂଗ୍ରାମ ପାଇଁ ଦେଶ ଶିକ୍ଷିତ ହୋଇ ନଥିଲା ତଥୀପି ସ୍ୱାଧୀନତା ପାଇଁ ଗାନ୍ଧିଜୀଙ୍କ ନେତୃତ୍ୱରେ ଦେଶ କଂଗ୍ରେସ ଅନୁଷ୍ଠାନକୁ ଏପରି ସଙ୍ଗବଦ୍ଧ, ସୁପ୍ରତିଷ୍ଠିତ ଓ ଶକ୍ତିଶାଳୀ କରିଥିଲା-। କିନ୍ତୁ ସ୍ୱାଧୀନତା ଲାଭପରେ ଯଦି କଂଗ୍ରେସ ଲୋକଙ୍କର ‘ଅଶିକ୍ଷାର’ ସୁବିଧା ନେଇ କଂଗ୍ରେସ ରଜାର ପ୍ରଜା ହେବାକୁ ମୁର୍ଖକୁ ପ୍ରଲୁବ୍‌ଧ ବା ଭୟଭୀତ କରି ମେମ୍ୱର ସଂଖ୍ୟା ବଢ଼ାନ୍ତି କେତେଦିନ ଏ ରାଜତ୍ୱ କରିବେ ?

 

ମନେ ରଖିବାକୁ ହେବ ମନ୍ଦର ପରିଣତି ଭଲ ନୁହେଁ ଓ ହେବ ନାହିଁ । ଦେଶକୁ ଥରେ ଦୁଇଥର ଠକାଯାଇ ପାରିବ କିନ୍ତୁ ତୃତୀୟ ଥରକୁ ଲୋକେ ନିଜର ଭୁଲ୍‌ ବୁଝିବେ, ସେତେବେଳକୁ ଭାରତରେ ଫରାସି ବିପ୍ଳବ । ଭଗବାନ କରନ୍ତୁ ଭାରତକୁ ସେ ବିପଦ ନ ପଡ଼ୁ ଓ ଯଦି ପଡ଼େ ସେ ବିକଟ ଦୃଶ୍ୟ ଦେଖିବାକୁ ଆମେ ଜଗତରେ ନ ଥାଉଁ । ‘ଶିକ୍ଷା’ କହିଲେ ଆମର କଂଗ୍ରେସ ରଜା ଓ ସର୍ବସାଧାରଣ ସ୍କୁଲ କଲେଜ ସଂଖ୍ୟା ଓ ଛାତ୍ର ସଂଖ୍ୟା ବର୍ଦ୍ଧନ ବୁଝନ୍ତି । ବର୍ଣ୍ଣଜ୍ଞାନବିହୀନଠାରେ ସମୟେ ସମୟେ ଯେ ଅଲୌକିକ ଶିକ୍ଷାର ପରିଚୟ ମିଳେ, ଅନେକ ଉଚ୍ଚ ଶିକ୍ଷିତଙ୍କ ଠାରେ ତାହା ମିଳେ ନାହିଁ । ଆଜି କାଲି ସ୍କୁଲ କଲେଜ, ଛାତ୍ର, ଅଭିଭାବକମାନଙ୍କର କଂସାଇଖାନା ମାତ୍ର । ଶିକ୍ଷା ନୀତିକୁ ଗରିବ ଭାରତୀୟର ଖର୍ଚ୍ଚ-ସହ କରି ନିରାଡ଼ମ୍ବର ନ କରିବା ପର୍ଯ୍ୟନ୍ତ ଏ ଶିକ୍ଷାରେ ଲାଭ ନାହିଁ । ବ୍ରିଟିଶ ଅମଳ ଜାରୀରେ ଶିକ୍ଷା ଦାସ ମନୋଭାବ ପ୍ରଚାରକ ଥାଇ କିରାଣି ସୃଷ୍ଟି କରୁଥିଲା । ସ୍ୱାଧୀନତା ପରେ ସେହି ଦାସ ମନୋଭାବ ରହିଛି । ଶିକ୍ଷକ, ଅଧ୍ୟାପକ ବା ପ୍ରଫେସର ହୋଇ ମଧ୍ୟ ଜାତୀୟ ସାହିତ୍ୟକୁ କଳଙ୍କିତ କରିବା ସେମାନଙ୍କର ଅଭ୍ୟାସଗତ ହୋଇ ପଡ଼ିଛି । ମୁଁ ଯାହା କହେଁ ବା ଲେଖେଁ ତାହାହିଁ ଭାଷା, କେବଳ ତହିଁର ପ୍ରଚଳନର ପ୍ରଚେଷ୍ଟା ଚଳାଇବି ଏହି ମନୋଭାବ ଷୋଳପଣ ବିଦ୍ୟମାନ । ଯାହା ସରଳ ସୁଖପାଠ୍ୟ, ଭାବୋଦ୍ଦୀପକ, ଉନ୍ନତିଦାୟକ, ମନର ଉତ୍କର୍ଷ ସାଧକ, ବାଳକର କୋମଳ ମସ୍ତିସ୍କର ପରିପୂରକ, ତାହା ଫିଙ୍ଗି ଦେଇ ସେଥିରେ ଦାସ ମନୋଭାବ ପୂରାଇବାର ବଦଭ୍ୟାସହିଁ କେବଳ ଏ କୁଶିକ୍ଷାର କୁଫଳ । ଇଂରେଜ ଅମଳରେ ଅତ୍ୟାଚାରୀର ଅତ୍ୟାଚାରକୁ ଭିନ୍ନ ରଙ୍ଗରେ ଚିତ୍ରଣ କରି ତାହା ଦେଶ ହିତୈଷଣା ବୋଲି ଦେଖାଇ ଦିଆ ହେଉଥିଲା । ଆଜି ତଦ୍‌ସ୍ଥାନରେ ଦେଶୀ ଶାସକର ଗୁଣଗାନ କରାଯାଉ ଅଛି । ଶିକ୍ଷାର ପ୍ରଚଳନ ସମ୍ବନ୍ଧେ ଶିକ୍ଷକ ପ୍ରତି ଶିକ୍ଷିତର ଭକ୍ତିନାହିଁ । ଶିକ୍ଷାଳୟ ଦୁର୍ନୀତିରେ ପୂର୍ଣ୍ଣ, ଶିକ୍ଷକ ପେଟ ପାଟଣା ପାଇଁ ବ୍ୟସ୍ତ, ଶିକ୍ଷା କାର୍ଯ୍ୟ ତା ପକ୍ଷରେ ବ୍ୟବସାୟ ମାତ୍ର । ଖାଲି ସେତିକି ନୁହେଁ, ଶିକ୍ଷକ ଓ ଛାତ୍ର ସ୍ୱମତ ଭଲ ହେଉ ମନ୍ଦ ହେଉ ତାହା ଛାଡ଼ି ଅନ୍ୟମତ ପ୍ରଚାର କରନ୍ତି । ଏଥିର ପ୍ରମାଣ ଗତ ନିର୍ବାଚନ ବେଳେ ଭୁରୀ ଭୁରୀ ମିଳିଛି ।

 

ଏ ସବୁର ମୂଳ କାରଣ ଦେଶରୁ ସାହିତ୍ୟ ଗଲାଣି । ଇଂରାଜୀ ସାହିତ୍ୟ ଯିବା ଉପରେ । ସାହିତ୍ୟର ଅନ୍ୟ ଆକ୍ଷରିକ ଅର୍ଥ ଦେଶ ହିତୈଷଣା । ସାହିତ୍ୟ ବର୍ତ୍ତମାନ କଳଙ୍କିତ । ଏହି ଆମ୍ଭତ୍ମମ୍ଭରୀ ସଂକୁଳ ଉତ୍କଳ ବିଶ୍ୱବିଦ୍ୟାଳୟ ଯାହା ଦେଶର ମଙ୍ଗଳୋପଧାୟକ ତାହାହିଁ ସାହିତ୍ୟ ବୋଲି ବୁଝୁ ନାହାନ୍ତି । ଛିଙ୍କିବା ପାଡ଼ିବାକୁ ବିକୃତ ଭାଷାରେ ଅଳଂକୃତ କରି ଲୋକ ସମାଜରେ ଏମାନେ ଠିଆ କରୁଛନ୍ତି । ସାହିତ୍ୟ ବର୍ତ୍ତମାନ ସଂକୀର୍ଣ୍ଣ ପରିସର ମଧ୍ୟରେ, ମଧୁସୂଦନ ସାହିତ୍ୟ ସାଂସ୍କୃତିକ ସାହିତ୍ୟ ବୋଲି ଓଡ଼ିଶାରୁ ଲୋପ କରିଛନ୍ତି । ଆଜି ଓଡ଼ିଶାର ମଧୁସୂଦନ ସାହିତ୍ୟ, ଗଙ୍ଗାଧର, ରାଧାନାଥ ବା ଗୌରୀଶଙ୍କର ସାହିତ୍ୟର ସ୍ଥାନ ନାହିଁ । ଆଜି ଜହ୍ନିଫୁଲ ଠୋ ଠା, ଚୁଟିଆ ମୂଷା କହି ଯାଇଛି ଚାଉଳ ମୁଠାଏ ଥୋଇଥା । ପିଲାଙ୍କୁ ଶିକ୍ଷା ଦିଆଯାଉଛି । ‘‘ଏହି ମହାକାଶେ ଏ ମୋର ଆତ୍ମାରେ ବିରାଜିତ ମହେଶ୍ୱର’’ ମଧୁସୁଦନଙ୍କର ଏ ଅମର କବିତାର ସ୍ଥାନ ଓଡ଼ିଆ ସାହିତ୍ୟରେ ଆଉ ନାହିଁ । ଅଥଚ ମଧୁସୂଦନ ବର୍ଣ୍ଣବୋଧ ପରି ଦ୍ୱିତୀୟ ଏପର୍ଯ୍ୟନ୍ତ ଉଦ୍ଭାବିତ ହୋଇନାହିଁ । ରାଷ୍ଟ୍ରଭାଷା ହିନ୍ଦୀ ଲୋକ ମନ ଆକର୍ଷଣ କରି ପାରୁ ନାହିଁ । ଓଡ଼ିଆ ସାହିତ୍ୟର ଦୁର୍ଗତି ବର୍ଣ୍ଣନାତୀତ ହୋଇଛି, ଆଜି ଯଦି ଅନ୍ୟଭାଷାଭାଷୀ ପଚାରନ୍ତି, ତମର ଓଡ଼ିଶାର ବର୍ତ୍ତମାନର କବି ବା ସାହିତ୍ୟିକ କିଏ ? ତେବେ ଢୋକଗିଳି ସ୍ୱୀକାର କରିବାକୁ ପଡ଼ୁଛି, ସେପରି କେହି ନାହାନ୍ତି ବା ମୁଁ ଜାଣେ ନାହିଁ ।

Image

 

ନବମ ପରିଚ୍ଛେଦ

ଅଯୋଗ୍ୟତା

 

ଦୁନିଆରେ କେହି ନିଜକୁ ଅଯୋଗ୍ୟ ମନେକରେ ନାହିଁ । ପାଗଳ ମଧ୍ୟ ବୁଦ୍ଧର ଅଭାବ ବୋଧକରେ ନାହିଁ । ତିନିବର୍ଷର ବାଳକ ଖଣ୍ଡିଏ ବହି ନେଇ ପାଠ କରିବା ବା କଲମ ନେଇ ଗାର କାଟିବା ବେଳେ ବୋଧହୁଏ ମନେ କରେ ତାହା କରିବାକୁ ତାର ଯଥେଷ୍ଟ ଯୋଗ୍ୟତା ଅଛି । ସେଦିନ ଗାନ୍ଧିଜୀଙ୍କର ଜନ୍ମଦିବସ ପାଳନ ସଭାରେ କୁହାଗଲା ଏ ସ୍ୱାଧୀନ ଯୁଗରେ ଜଣେ ପୋଲିସ କର୍ମଚାରୀ ଓ ଜଣେ କଂଗ୍ରେସ କର୍ମୀ ମଧ୍ୟରେ କୌଣସି ପ୍ରାର୍ଥକ୍ୟ ନାହିଁ । କଂଗ୍ରେସ ସ୍ୱାଧୀନତା—ସଂଗ୍ରାମରେ ସରକାର ସଙ୍ଗେ ଲଢ଼ିଛନ୍ତି ଓ ପୋଲିସ ସରକାର ପକ୍ଷରେ କଂଗ୍ରେସ ବିରୁଦ୍ଧରେ ଲଢ଼ିଛନ୍ତି ସତ; ତା ବୋଲି କଂଗ୍ରେସ କର୍ମୀଙ୍କୁ ସେଥିର ପୁରସ୍କାର ବା ପୋଲିସ କର୍ମଚାରୀଙ୍କୁ ଦଣ୍ଡ ଦିଆଯାଇ ନ ପାରେ, କଂଗ୍ରେସ କର୍ମୀ ସେଥିପାଇଁ କୌଣସି ସୁବିଧା ଉଠାଇବା ଉଚିତ୍‌ ନୁହେଁ । ଶ୍ରବଣ ମାତ୍ରେ କଂଗ୍ରେସିଆ ଭାଇମାନେ ସମସ୍ତେ ରାଗରେ ଜଳିଗଲେ । ଅନେକେ କହି ପକେଇଲେ ମଧ୍ୟ କଅଣ ଏଥିପାଇଁ ଆମେ ଜେଲ୍‌ ଭୋଗିଲୁ ? ଆଉ ଯେଉଁ ପୋଲିସ ଆମ ପିଠିରେ ପ୍ରହାର କରିଥିଲା ସେହି ପୋଲିସ ଦଣ୍ଡ ପାଇବ ନାହିଁ । ଅପ୍ରିୟ ସତ୍ୟ ହେଲେ ମଧ୍ୟ କହିବାକୁ ହେଲା ‘‘ହଁ ଭାଇ ତାହାହିଁ ଦରକାର’’ । କାରଣ ପୋଲିସ, ସରକାରୀ କର୍ମଚାରୀ ମାତ୍ର । ସାଧ୍ୟ ମତେ ସରକାରଙ୍କର ଆଦେଶ ପାଳନ କରେ । ବ୍ରିଟିଶ ସରକାର ତଳେ ଥିବାବେଳେ ଆମ ପିଠିରେ ପ୍ରହାର କରିଥିଲା, ଶାନ୍ତି ଶୃଙ୍ଖଳା ପାଇଁ, ଆଉ ଆଜି ଦରକାର ପଡ଼ିଲେ ସ୍ୱାଧୀନ ସରକାର ପକ୍ଷରୁ ପାହାର ପକେଇବ ସାହେବଙ୍କ ପିଠିରେ ଓ ତମ ପିଠିରେ । ଆଉ ତମେ ଯେ ଜେଲ ଭୋଗିଲ ସ୍ୱାଧୀନତା ପାଇଁ ସିନା, ସେଥିପାଇଁ ବେଶୀ ଯୋଗ୍ୟତା ଅର୍ଜ୍ଜନର ଆବଶ୍ୟକତା ନଥିଲା ବୋଲି ସହଜେ ତାହା କରି ପାରିଲି । କିନ୍ତୁ ପୋଲିସ କର୍ମଚାରୀ ଟ୍ରେନିଂ ପାଇଛି, ତା ଉପରେ ଏ ଦିଗରେ ତାର ଅଭିଜ୍ଞତା ଅଛି । ତମେ କହିଲ ତମେ ବର୍ତ୍ତମାନ କି କାମ କରିପାରିବ ? ଖାଲି ଜେଲ ଭୋଗିଲ ବୋଲି ଯଦି ଯୋଗ୍ୟତା ନ ଥାଇ ସରକାରରୁ ଶହ ଶହ ଟଙ୍କା ଦରମା ନେବ ତେବେ ଟଙ୍କା ଆସିବ କେଉଁଠାରୁ ? ତମର ମନେ ରଖିବା ଉଚିତ ‘‘ସରକାରର ଟଙ୍କା ଯେ, ପ୍ରଜାର ରକ୍ତ ସେ’’ । ଆମର ଖ୍ୟାତନାମା ନେତା ଆବୁଲ କାଲାମ ଆଜାଦ ସ୍ୱାଧୀନତା ଯୁଦ୍ଧର ମହାସଂକଟମୟ ପରିସ୍ଥିତିରେ ଦୀର୍ଘ ସାତବର୍ଷ କଂଗ୍ରେସର ସଭାପତିତ୍ୱ କରିଥିଲେ । ସେ ଦିନ ସେ ପ୍ରକାଶ୍ୟ ଭାବେ କହି ପକାଇଲେ ସ୍ୱାଧୀନତା-ସଂଗ୍ରାମ ବେଳେ ଆମେ ଯେ ତ୍ୟାଗ ସ୍ୱୀକାର କରିଛୁଁ ତାହା ମାନବିକ କର୍ତ୍ତବ୍ୟର ଅନୁରୋଧରେ ମାତ୍ର, ସେଥିପାଇଁ ପୁରସ୍କାର ଦାବୀ କରିବା ମାନେ ଆମେ ନିଷ୍କାମ ଭାବେ ସ୍ୱାଧୀନତା ପାଇଁ ଦୁଃଖ ବରଣ କରିନାହୁଁ, କରିଛୁ ସ୍ୱାର୍ଥସିଦ୍ଧି ପାଇଁ, କ୍ଷମତା ପାଇଁ, ଧନ ପାଇଁ-। ଏଥିରୁ ବଳି ଘୃଣାର କଥା ଆଉ କଅଣ ହୋଇ ପାରେ ? ପଣ୍ଡିତ ମୋତିଲାଲ ନେହରୁ, ଦେଶବନ୍ଧୁ ଚିତ୍ତରଞ୍ଜନ, ନେତାଜୀ ସୁଭାଷ, ସର୍ଦ୍ଦାର ପଟେଲ, ଦେଶରତ୍ନ ନେହେରୁ, ସର୍ବୋପରି ଜାତିର ପିତା ଗାନ୍ଧିଜୀ କି ସ୍ୱାର୍ଥ ସକାଶେ ସଂଗ୍ରାମରେ ଯୋଗ ଦେଇ ବ୍ରିଟିସ୍‌ ବନ୍ଦୀଶାଳକୁ ଆଲୋକିତ କରିଥିଲେ-? ମନ୍ତ୍ରୀତ୍ୱ କରିବା ଅନ୍ୟ ସେପରି ଉଚ୍ଚ ପାହ୍ୟାରେ ରହି ପ୍ରଜାର ଶୋଷଣ କରିବାକୁ ? ତାଙ୍କର ଏ କର୍ମର ପୁରଷ୍କାର ଦେବାକୁ ହୃଦୟର ଶ୍ରଦ୍ଧା ଭକ୍ତି ଛଡ଼ା ଦେଶରେ ଆଉ କୌଣସି ସେପରି ମୂଲ୍ୟବାନ ବସ୍ତୁ ଅଛିକି ? ସେମାନେ କୌଣସି ଉଦ୍ଦେଶ୍ୟ ରଖି ଏପରି ତ୍ୟାଗ ସ୍ୱୀକାର କରିଥିଲେ ବୋଲି ଯେ କହିବ ସେ ମନୁଷ୍ୟ ନୁହେଁ ରାକ୍ଷସ । ଆଜି ଦେଶର ସରକାରର ଶୀର୍ଷ ସ୍ଥାନରେ ଥିବା ବ୍ୟକ୍ତିମାନେ ଯଦିଟିକିଏ ପଛକୁ ଚାହିଁ ଦେଖନ୍ତେ ଯେ ତାଙ୍କର ସେ କାର୍ଯ୍ୟ ପାଇଁ ଯୋଗ୍ୟତା ଯେତେ ସେତିକି କ୍ଷମତା ସେ ନେଇଛନ୍ତି ବା ସେତିକି ପାରିଶ୍ରମିକ ନେଉଛନ୍ତି ତେବେ ଦେଶର ଅନାଟନ ସ୍ୱଚ୍ଛଳତାରେ ପରିଣତ ହୁଅନ୍ତା, କୌଣସି ନେତା ବା ଉଚ୍ଚପଦସ୍ଥ କର୍ମଚାରୀର ଅସମ୍ମାନ ସକାଶେ ଏହା କୁହାଯାଉ ନାହିଁ । କିନ୍ତୁ ନିଜେ ନିଜର ଯୋଗ୍ୟତା ପରିମାପ ନ କରି ବହୁମନ୍ୟ ନ ହୋଇ ଯଦି ନମ୍ରତା ସ୍ୱୀକାର କରନ୍ତେ ଓ ପ୍ରଥମେ ଯୋଗ୍ୟତା ଅର୍ଜ୍ଜନ କରି ଅର୍ଜିତ ଯୋଗ୍ୟତା ଅନୁଯାୟୀ କ୍ଷମତା ଓ ଧନ ଆହରଣ କରନ୍ତେ ତେବେ ଦେଶରେ ଏତେ ଦୁଃଖ ଦୁର୍ଦ୍ଦଶା ପଡ଼ନ୍ତା ନାହିଁ । ନିପାତନସିଦ୍ଧ ପରି କତିପୟ ସାଧୁ, ସ୍ୱାର୍ଥ-ତ୍ୟାଗୀ ଓ ଦେଶ ହିତୈଷୀ ନେତାଙ୍କୁ ବାଦ୍‌ ଦେଲେ ବାକି ଯେଉଁମାନେ କ୍ଷମତା ପାଇଲେ ଦେଶ ଶାସନରେ ସେମାନଙ୍କର ଅଭିଜ୍ଞତା ସ୍ଥାନରେ ଅଛି ଶୂନ୍ୟ, ‘ଠ’ ମାତ୍ର । ହରତାଳ, ସ୍ଳୋଗାନ, ଶୋଭାଯାତ୍ରା, ପୋଲିସ ଲାଠି ବରଣ, ଶେଷରେ ଜେଲ ଗମନ ଛଡ଼ା ସେମାନଙ୍କର ଆଉ କି ଯୋଗ୍ୟତା ଅଛି ? ଆଉ ମନେ ରଖିବାକୁ ହେବ, ଦେଶ ଶାସନରେ ଏହି ହରତାଳ, ଶ୍ଳୋଗାନ ଆଦିର ଆବଶ୍ୟକତା ନାହିଁ, ଆବଶ୍ୟକତା ଏ ସବୁର ବିପରୀତ ନୀରବ କର୍ମ । ତେବେ ଏହି ଦୋଷ ବା ଗୁଣ ଚୟକୁ ପୁଞ୍ଜିକାରୀ କ୍ଷମତାର ଶୀର୍ଷରେ ଉଠିଲେ ଯା ହେବାର କଥା ଦେଶରେ ବର୍ତ୍ତମାନ ତାହା ହୋଇଛି । ଅଭିଜ୍ଞତାବିହୀନ କଂଗ୍ରେସ ସରକାର ନେହୁରୁଙ୍କର ବୈଦେଶିକ ନୀତି ଛଡ଼ା ଅନ୍ୟତ୍ର ନିଷ୍ଫଳ ହୋଇଛନ୍ତି । ନ ହେଲେ ଦେଶ ଭିତରେ ଆଜି ଶତକଡ଼ା ପ୍ରାୟ ୯ଜଣ କଂଗ୍ରେସ ବିରୋଧରେ କାହିଁକି ? ନ୍ୟାୟରେ ହେଉ ବା ଅନ୍ୟାୟରେ ହେଉ, ଦେଶର ବର୍ତ୍ତମାନ ଦୁର୍ଦ୍ଦଶା ପାଇଁ ସମସ୍ତେ କଂଗ୍ରେସ ସରକାରଙ୍କୁ ଦୋଷୁଛନ୍ତି । କଂଗ୍ରେସୀ ମାତ୍ରେ ଦେଖନ୍ତୁ ସେମାନେ ତହିଁର ଯୋଗ୍ୟ କି ନା, ଯାହାର ଚାଲରେ ଖଡ଼ ନ ଥିଲା, ତାର ଆଜି ଦୋତାଲା, ସାମାନ୍ୟ ଖାଦ୍ୟାର୍ଜ୍ଜନ ପାଇଁ ଯାର ଯୋଗ୍ୟତା ନାହିଁ , ତା ଘରେ ମୋଟରକାର । ଏପରି କି ଯେ ଦରମା ବୋଲି ଦେଖାଇ କିଛି ନେଇ ନାହାନ୍ତି କଂଗ୍ରେସ ନାମରେ ଲକ୍ଷ ଟଙ୍କା ଆହରଣ କରିଛନ୍ତି, ଏହା ସର୍ବତ୍ର ଦେଖିବାକୁ ମିଳୁଛି; ଅଳମତି ବିସ୍ତରେଣ । ସାଧାରଣ ଲୋକେ ଦେଖୁଛନ୍ତି ହରତାଳ, ସ୍ଳୋଗାନ, ଶୋଭାଯାତ୍ରାର ମୂଲ୍ୟ ବହୁତ ଅଛି । ନେତା ହୋଇ ଟିକିଏ ଉପରକୁ ଉଠିଲେ ଭାଇ, ବନ୍ଧୁ, ଶଳା ଏପରିକି ଡାକ ଶଳାର ଘର ମଧ୍ୟ ଧନ ଧାନ୍ୟରେ ପୁରି ଉଠେ । ତେବେ ସ୍ୱାଧୀନତା ସଂଗ୍ରାମରେ ଆମେ ଯାହା ସବୁ ପ୍ରଚାର କରିଛୁଁ ଆଜି ଆମର ସରକାର ବିରୁଦ୍ଧରେ ସେ ସବୁ ଯଦି ପ୍ରୟୋଗ କରାଯାଏ ତେବେ ଆମରି ଲବ୍‌ଧ ସ୍ୱାଧୀନତାର ଅବସ୍ଥା କଅଣ ହେବ ?

 

ଅତି ଦୁଃଖର ବିଷୟ, ଧନ ଓ କ୍ଷମତା ନିଶାରେ ଆତ୍ମହରା ହୋଇ ଆମର ନେତୃବୃନ୍ଦହିଁ ଆମର ସ୍ୱାଧୀନତାକୁ ବିପନ୍ନ କରି ଦେଶକୁ ହାହାକାରପୂର୍ଣ୍ଣ କରୁଛନ୍ତି । ତଥା ଦେଶକୁ ସ୍ୱାଧୀନତା ଦିଗକୁ ଅଗ୍ରସର ନ କରି ବିପ୍ଳବ ଓ ଆନ୍ଦୋଳନ ଆଡ଼କୁ ଟାଣୁଛନ୍ତି । ଭଗବାନ ଆମକୁ ରକ୍ଷା କରନ୍ତୁ-। ଏଥିର ପ୍ରଧାନ କାରଣ ଯୋଗ୍ୟତା ନଥାଇ ଧନ ଓ କ୍ଷମତା ହାସଲ କରିବା । ବିପ୍ଳବ ଓ ଆନ୍ଦୋଳନ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଅତି ଉଚ୍ଚତର । କିନ୍ତୁ ରାଜ୍ୟ ଶାସନ ପାଇଁ ଯୋଗ୍ୟତା କେତେ ତହିଁର ବିଚାର ନ କରି କଂଗ୍ରେସ ସରକାର କାମ ଆରମ୍ଭ କରିଦେଲେ । ‘‘ଅଧୋଧଃ ପଶ୍ୟତଃ କସ୍ୟ ମହିମା ନୋ ପଶୟତେ’’ । ଏହି ମହାଭାବର ଅନୁଧ୍ୟାନ କରି ଯଦି ଧୀରେ ଧୀରେ କର୍ମାରମ୍ଭ କରିଥାନ୍ତେ ତେବେ ଦେଶ ପକ୍ଷରେ ତାହା ମଙ୍ଗଳକର ହୋଇଥାନ୍ତା । କୁକ୍ଷଣରେ କଂଗ୍ରେସ ସରକାର ‘ସହସା’ ବିଦଧୀତ ନକ୍ରିୟାଂ’ ଭୁଲିଲେ । ହେଲା ଅସଂଖ୍ୟ ପଦ ସୃଷ୍ଟି ଓ ପଦାନୁଯାୟୀ ଉଚ୍ଚ ଦରମା ଗସ୍ତ ଖର୍ଚ୍ଚ ସୃଷ୍ଟି । ବ୍ରିଟିଶ ଅମଳରେ ଜଣେ ‘ଗଭର୍ଣ୍ଣର’ ଓ ସାମାନ୍ୟ କେତେ ଜଣ Executive councillors ଯାହା କରୁଥିଲେ ଓ ପରେ ୩ ଜଣ ମନ୍ତ୍ରୀ ଦ୍ୱାରା ଯେଉଁ କାର୍ଯ୍ୟ ଆରମ୍ଭ କରା ଯାଇ ଥିଲା, ସେଥିପାଇଁ ସୃଷ୍ଟି କରାଗଲା, ୭ ଜଣ ମନ୍ତ୍ରୀ, ଅସଂଖ୍ୟ ସେକ୍ରେଟେରୀ, ସହକାରୀ, ଅନୁକାରୀ ଆଉ ନାମ ମନେ ହେଉ ନାହିଁ । ଏପରି କେତେ ସେକ୍ରେଟେରୀ ଜଣକୁ ପୁଣି ଜଣେ ଜଣେ ଅଧସ୍ତନ (ଷ୍ଟେନୋ) ଆଉ ନିମ୍ନସ୍ତନ ତନ୍ନମ୍ନସ୍ତନ ସନାତନ ଗତିରେ ଚାଲିଲେ । ଯେତେ ଟିକସ ବସିଲା ଏମାନଙ୍କ ଦରମା ଗସ୍ତଖର୍ଚ୍ଚକୁ ନଅଣ୍ଟ । ଛୋଟା, କେମ୍ପା, କଣା, କୁଜା ସୁନ୍ଦର ଜାୟା, ଦୁହିତା, ଭଗିନୀ ଏମାନଙ୍କ ସଂପର୍କୀୟ ହେବା ମାତ୍ରେ ଯୋଗ୍ୟତା ଥାଉ ନ ଥାଉ ଉଠିଲେ ଉପରକୁ । ପ୍ରଜା ମଙ୍ଗଳ ଉଦ୍ଦେଶ୍ୟ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଶହ ଶହ କାରଖାନା ଜାରି କରି ପ୍ରିୟା ପ୍ରୀତି ତୋଷଣ ଚାଲିଲା । ଏମାନଙ୍କର (Exploitation) ଅଭିଯାନରୁ ଦେଶକୁ ରକ୍ଷା କରିବାର ମୁସ୍କିଲ ହେଲା ମଧ୍ୟ । ଶେଷକୁ କେତେ କାରଖାନା ହୋଇ କେତେ କାରଖାନା ଉଠିଯାଉଛି । ବର୍ତ୍ତମାନ ୧୩ ଜଣ ମନ୍ତ୍ରୀ ଉପମନ୍ତ୍ରୀ ଭାଗ୍ୟକୁ ନବ ନିର୍ବାଚନରେ କଂଗ୍ରେସ ଉତ୍ତୀର୍ଣ୍ଣ ହୋଇ ଯଥେଷ୍ଟ ସଂଖ୍ୟାରେ ନବ ମେମ୍ବର ପାଇ ନବୋତ୍ସାହରେ ୧୩ ଜଣ ମନ୍ତ୍ରୀ ଓ ଉପମନ୍ତ୍ରୀ ସହଯୋଗରେ କାମ ଆରମ୍ଭ କରିଛନ୍ତି । ଆଶା କରୁଁ ଏ କାମରେ ମନ୍ତ୍ରୀମାନଙ୍କର ଯଥେଷ୍ଟ ଯୋଗ୍ୟତା ଓ ଅଭିଜ୍ଞତା ଅଛି । କିନ୍ତୁ ଏହି ଅଳ୍ପକାଳ ମଧ୍ୟରେ ହିଁ ଶୁଣା ଯାଉଛି ହୀରାକୁଦ ବନ୍ଧରେ କୋଟିଏ ପର୍ଯ୍ୟନ୍ତ ଟଙ୍କା ବରବାଦ୍‌ ହୋଇଯାଇଛି । ଯୋଗ୍ୟତା ଅର୍ଜ୍ଜନ ନ କରି କ୍ଷମତା ଓ ଧନ ହାସଲ କଲେ କଲେ କଅଣ ହୁଏ ତାହା କହୁଁ କହୁଁ ଅନେକ ଅପ୍ରାସଙ୍ଗିକ ନହେଲେ ମଧ୍ୟ ଅପ୍ରିୟ ସତ୍ୟ କଥା କହିବାକୁ ହେଲା । ଯେଉଁ କଂଗ୍ରେସ ହାତରେ ବର୍ତ୍ତମାନ ଶାସନ ଭାର ରହିଛି ଓ କଂଗ୍ରେସ ଦଳର ଲୋକେ ଯାହା ହାତରେ ଏ କ୍ଷମତା ଅର୍ପଣ କରି ବଡ଼ ବଡ଼ ଦରମା ଦିଆଯାଉଛି ସେମାନଙ୍କର ଯୋଗ୍ୟତା କେତେ ତାହା ମାଫି ଯୋଖି କରା ଯାଉଛି ତ ? ସଂଖ୍ୟାଧିକ ବଳରେ ରାମା ଶାମାଙ୍କୁ ବରଣ କରାଯାଇ ନାହିଁତ, ତା ଯଦି ହୋଇନାହିଁ ତେବେ ଦେଶ ତଦ୍ଦ୍ୱାରା ଉପକୃତ ହେବ କି ନା ଦେଖିବାର ବିଷୟ । ମନେ ରଖିବାକୁ ହେବ ଯୋଗ୍ୟ ପାଇଁ କାମ ଆବଶ୍ୟକ, ଅଯୋଗ୍ୟ ପାଇଁ ନୁହେଁ । ଅଯୋଗ୍ୟର ପଦ ଲାଳସା ସମାନ ଦୁନିଆଁରେ ଅନ୍ୟଗୁରୁ ଦୋଷ ନାହିଁ । ଯୋଗ୍ୟର ପଦ ଲାଳସା ନାହିଁ । ପଦ ସ୍ୱତଃ ଯୋଗ୍ୟକୁ ବରଣମାଳା ଦିଏ-। କିନ୍ତୁ କଂଗ୍ରେସ ମେମ୍ବରଙ୍କର ସଂଖ୍ୟାଧିକ୍ୟତା (brute majority)ରେ ବୋଧହୁଏ ଏହା ବିଚାର କରିବାର ଚେଷ୍ଟା ହୋଇ ନାହିଁ । ଏଥିପାଇଁ ଗାନ୍ଧିଜୀ ଜୀବିତ ଥିବାବେଳେ, ଯେତେବେଳେ କେନ୍ଦ୍ରରେ ଭାବ, ଚେଟୀ ଆଦିଙ୍କୁ ମନ୍ତ୍ରୀଭାବେ ନିଆଗଲା ସେମାନେ କଂଗ୍ରେସୀ ନଥିଲେ ମଧ୍ୟ ଗାନ୍ଧିଜୀ ସେମାନଙ୍କ ମନ୍ତ୍ରୀ ମଣ୍ଡଳକୁ ପ୍ରଶଂସା ଓ ଆଶୀର୍ବାଣୀ ଶୁଣାଉଥିଲେ । ପାକିସ୍ଥାନରେ ମୁସଲମାନ ଛଡ଼ା ଅନ୍ୟ ଧର୍ମ୍ମାବଲମ୍ବୀ କ୍ୱଚିତ ମନ୍ତ୍ରୀ ହୁଅନ୍ତି । ଆମ ଓଡ଼ିଶାରେ ଠିକ୍‍ ସେହି ନୀତି କଂଗ୍ରେସ ସରକାର ଅବଲମ୍ବନ କରିଛନ୍ତି । ଏ ଅନୁସୃତ ନୀତି ଭ୍ରାନ୍ତ ଥିବାର ଅନୁମାନ କରାଯାଏ କାରଣ ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସା ନୀତି ସଙ୍ଗେ ଏହା ଖାପ ଖାଉନାହିଁ । ଯୋଗ୍ୟର ଅନାଦର ଓ ଅଯୋଗ୍ୟର ଆଦର ଉଭୟତ୍ର ହିଂସାର ଉପାଦାନ ରହିଛି । ହେଉ ଫଳେନ ପରିଚୀୟତେ । ବଙ୍ଗାଳିମାନେ କହନ୍ତି ‘‘ବଡ଼ହବିତ ଛୋଟ ହ’’ । ଯୋଗ୍ୟତା ଆକାଙ୍‌କ୍ଷାର ଜନନୀ ହେବା ଉଚିତ, ଏହାର ବିପରୀତହିଁ ଦେଶର ସର୍ବନାଶ କରୁଛି । କଂଗ୍ରେସିଆ ଭାଇମାନଙ୍କୁ କହୁଁ ଭାଇମାନେ ତମର ତ୍ୟାଗ ପ୍ରଶଂସନୀୟ । ଦେଶର ସ୍ୱାଧୀନତା ପାଇଁ ତମେ ଦେଶର କୃତଜ୍ଞତାଭାଜନ କିନ୍ତୁ ତାହା କରିପାରିଛ ବୋଲି ଯୋଗ୍ୟତା ଅର୍ଜ୍ଜନ ନକରି ମଧ୍ୟ ଆଜି ଯାହା ଦାବୀ କରୁଛ ତାହା ଦେଇ ପାରିବୁ ନାହିଁ । କାରଣ ତମର ସଂଖ୍ୟା ସ୍ୱାଧୀନତା ପରେ ଏତେ ବଢ଼ି ଯାଇଛି ଯେ ଆଜି ଆମେ କିଏ ସତ କଂଗ୍ରେସୀ ଓ କିଏ କେବଳ ଖଦଡ଼ିଆ କଂଗ୍ରେସୀ ତାହା ବାରି ପାରୁ ନାହୁଁ ।

Image

 

ଦଶମ ପରିଚ୍ଛେଦ

ସର୍ବସାଧାରଣଙ୍କ ସେବକ

 

ସରକାରୀ କର୍ମଚାରୀ (Puplic Servant) ବର୍ତ୍ତମାନର ସରକାରୀ କର୍ମଚାରୀମାନଙ୍କର ଲୋକ ସମାଜ ସଙ୍ଗେ ଯେ ସମ୍ପର୍କ ଓ କାର୍ଯ୍ୟ ତାହା ଦେଖିଲେ ସ୍ତମ୍ଭୀଭୂତ ହେବାକୁ ପଡ଼େ ଓ ଦେଶର ଭବିଷ୍ୟତ ଚିନ୍ତାକରି ମନ ନୈରାଶ୍ୟ ସାଗରରେ ବୁଡ଼େ । ଆଗେ ଏହା ଆଇନ ବ୍ୟବସାୟୀର ପ୍ରକାଶ୍ୟ କାମ ଥିଲା, ଏବେ ତାହା ଯାଇ କର୍ମଚାରୀ ଠାରେ ଅପ୍ରକାଶ୍ୟ ଭାବରେ ରହିଛି । ଆଗେ ‘ଟଙ୍କାଟି ଥୋ, କଥାଟି କହ’ ବୋଲି ଆଇନ ବ୍ୟବସାୟୀ (ନିଜେ) କହୁଥିଲା ଏବେ କର୍ମଚାରୀ ଟେବୁଲ ତଳେ ହାତ ରଖି କିଛି ନ ପଡ଼ିବା ପର୍ଯ୍ୟନ୍ତ ସେ ଦିଗକୁ ଅନାଉ ନାହିଁ । ସବୁ ବିଭାଗରେ ଏହା କମ୍‌ ବେଶୀ ଦେଖିବାକୁ ମିଳେ । ସ୍ୱାଧୀନତା ଲାଭ କଅଣ ଏହାର କାରଣ ? ବୋଧହୁଏ ତାହା ନୁହେଁ । କର୍ମଚାରୀ ସ୍ୱାଧୀନତାର କଦର୍ଥ ନକରି ସେପରି କରିବାକୁ ସ୍ୱାଧୀନତା ପାଇଛି ବୋଲି ମନେକରି ନିଏ ଆଉ ସେ ଚତୁର୍ଦ୍ଦିଗରେ ଦେଖେ ସମସ୍ତେ ସେପରି କରୁଛନ୍ତି । କତିପୟ ବିଚାରକ ଅର୍ଥୀ ପ୍ରତ୍ୟର୍ଥୀ ସମକକ୍ଷରେ ନ୍ୟାୟ ବିଚାର ନିଲାମ କରୁଥିବାର ଦୃଶ୍ୟ ବିରଳ ନୁହେଁ । କଲମ ଧରିବା ପୂର୍ବେ ସୁଦର୍ଶନ ଚକ୍ର ପୋଲିସ ଅଫିସରଙ୍କ ଟେବୁଲରେ ରଖାଯାଏ । ଗରିବ ଯଦି ତାହା ଦେଇ ନ ପାରେ ଯମଦୂତ ପରି ସିପାହିର (Constable) ହାତରେ ତାର ଅର୍ଦ୍ଧଚନ୍ଦ୍ରର ବ୍ୟବସ୍ଥା । ମୁଦାଲା ଗିରଫ କରାଗଲେ ଜାମିନ ନେବାର ବ୍ୟବସ୍ଥା ଥିଲେ ମଧ୍ୟ ସୁଦର୍ଶନ ଚକ୍ରର ଦର୍ଶନ ନ ମିଳିଲେ ବ୍ୟବସ୍ଥା ବିରୋଧ ଘଟେ । ଜମିଜମା ବିଭାଗରେ ଜମି ହସ୍ତାନ୍ତର ପ୍ରମାଣିତ ହେଲେ ମଧ୍ୟ ସୁଦର୍ଶନ ଚକ୍ର ନ ହେଲେ ଖରିଦଦାର ନାମରେ ଲେଖା ହୁଏ ନାହିଁ-। ତଦୁପରି ସରକାରଙ୍କର ଦାଖଲ ଖାର୍ଜ ଫି ରହିଛି । ଅଥଚ ଏ କାମ ପାଇଁ କର୍ମଚାରୀର ସୃଷ୍ଟି ଓ ଦରମା ଯେତେ ଉପଯୁକ୍ତ ହେଉ ପଛକେ ଯୋଗାଣ ବିଭାଗରେ ବହୁତ କିଛି ଆଜ୍ଞା ଅବଧାନ ତଥା ‘‘ବେଶୀ ପରିଣାମ’’ ରେ ଏ ସୁଚକ୍ରର ଚାକଚକ୍ୟ ପ୍ରକଟିତ ନ ହେଲେ କାରବାରୀ କାରବାରର ସୁବିଧା ପାଏ ନାହିଁ । ପାଇବା ପରେ ବାଧ୍ୟ ହୋଇ ଏ ବେଶି ପରିମାଣକୁ ମୂର୍ଖ ସର୍ବସାଧାରଣ ଠାରୁ କଳା ବଜାରରେ ଅସୁଲ କିରିନିଏ । ସବୁ ଲେଖିଲେ ଅଯଥା ଗ୍ରନ୍ଥର କଳେବର ବୃଦ୍ଧି ହେବ ସିନା, ଆଉ ଯାହା ସର୍ବତ୍ର ଏତେ ବହୁଳ ଭାବେ ଦୀପ୍ତିମନ୍ତ, ତା ବ ଲେଖିବାକୁ ହେବ କାହିଁକି ? ଏହା ସତ ଯେ ବର୍ତ୍ତମାନ ଆମର ରାଜା କେହି ନାହାନ୍ତି । ପ୍ରଜାତନ୍ତ୍ର ବା ଗଣତନ୍ତ୍ର ଶାସନ ନାମକୁ ଚାଲିଛି । ନାମକୁ ବର୍ତ୍ତମାନ ପ୍ରଜା ଦେଶର ରାଜା ଓ କର୍ମଚାରୀ ଗଣ ପ୍ରଜାର ଚାକର । ପ୍ରଜା କର୍ମଚାରୀମାନଙ୍କର ବେତନ ଦେଉଛି ମାତ୍ର କର୍ମଚାରୀ ସାଧରଣର ଚାକର ବୋଲି ନିଜକୁ ମନେ କରୁନାହିଁ, ମନେ କରୁଛି ତାର ଦରମା ଅଳ୍ପ ତେଣୁ ସାଧାରଣଙ୍କଠାରୁ ଅବୈଧ ଆଦାୟ ନକଲେ ସେ ଚଳି ପାରିବ ନାହିଁ । ବର୍ତ୍ତମାନ ପିଅନଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ସାଧାରଣର କର୍ମଚାରୀ ହେଲେହେଁ କେହି ନିଜକୁ ସେପରି ମନେ କରୁନାହିଁ । ଆଗେ ରାଜାମାନେ ରାଜତ୍ୱ କରୁଥିବା ବେଳେ ସେମାନଙ୍କର ରାଜଗୁଣ କିଛି ହେଲେ ଥିଲା । ଅନ୍ତତଃ ସେମାନେ ଧନ ସମ୍ପତ୍ତି ମଧ୍ୟରେ ବଢ଼ିଥିବାରୁ ଧନ ମୋହ ସେମାନଙ୍କର ମନକୁ ସେତେ ଉଚ୍ଚାଟନ କରୁନଥିଲା । ସେହି ରାଜତ୍ୱ ଏବେ ମନ୍ତ୍ରୀମାନଙ୍କ ଉପରେ ପଡ଼ିଛି । ରାଜାମାନଙ୍କର କିଛି ହେଲେ ଚକ୍ଷୁ ଳଜ୍ଜା ଥିଲା, କିନ୍ତୁ ଏବେ ସଂଖ୍ୟାଧିକ ବଳରେ ମନ୍ତ୍ରୀମାନେ ଯାହା ତାହା କରି ପାରୁଛନ୍ତି ଓ ଯାହା ଖରାପ କରୁଛନ୍ତି ତାହା ଲୁଚାଇ ମଧ୍ୟ ପାରୁଛନ୍ତି । ଆଉ ସମସ୍ତେ ‘ତୁ ତ ମୁତୁରୀ’ ମୁଁ ତ ମୁତୁରୀ’ ହିସାବେ ଏହାର ପ୍ରତିରୋଧ କରିବା ଦୂରେ ଥାଉ ପ୍ରଶ୍ରୟ ଦେଉଛନ୍ତି । ନୈତିକ ସାହସକୁ କାହାରି ବଳ ନାହିଁ । ଇଂରାଜୀ ଅମଳର ନୌକର ସାହୀ ଦେଶକୁ ଷୋହଳ ପଣ ରାଜପଣ କରୁଛନ୍ତି । ଇଂରାଜୀ ଅମଳରେ ଇଂରେଜମାନଙ୍କର ଶାସନ ଅଭିଜ୍ଞତା ଯୋଗୁଁ ତତ୍‌କାଳୀନ ନୌକର ସାହୀ ଆଜି ପରି ଶଙ୍କାଶୂନ୍ୟ ସଙ୍କୋଚହୀନ ଓ ଲଜ୍ଜାଶୂନ୍ୟ ନଥିଲେ । ସୂର୍ଯ୍ୟ କିରଣ କିଛି ହେଲେ ସହି ହୁଏ କିନ୍ତୁ ତପ୍ତ ବୋଲି ସମ୍ଭାଳେ କିଏ ? ଆଜିର ନୌକର-ସାହୀ ଆମରି ନାମରେ ଆମରି ଖାଇ ଆମର ଉପରେ ସେ ପ୍ରଭୁତ୍ୱ କରୁଛନ୍ତି ତାହା ଅନ୍ୟଠାରେ କେବେ ଘଟିଥିଲା କି ନାହିଁ, ଇତିହାସରେ ମିଳୁନାହିଁ ।

 

ମହାତ୍ମାଜୀ କହିଥିଲେ ଓ କଂଗ୍ରେସ ମଧ୍ୟ ନିର୍ଦ୍ଧାରଣ କରିଥିଲେ–ସ୍ୱାଧୀନ ଭାରତର ଉଚ୍ଚତମ ଦରମା ଟ୫୦୦ ହେବ । ଇତି ପୂର୍ବେ ଖବରକାଗଜରେ ଦେଖିବାକୁ ମିଳିଥିଲା । କାଶ୍ମୀରର ଶେଖ୍ ଅବଦୁଲ୍ଲା ସରକାର ସ୍ଥିର କରିଛନ୍ତି ସରକାରର କୌଣସି ଚାକର ଟ୧୦୦ରୁ କମ୍ ଦରମା ପାଇବେ ନାହିଁ ଓ ସବୁଠାରୁ ଯେ ବେଶି ପାଇବ ସେ ୫୦୦କି, ଏକ ହଜାର ପାଇବ । ବର୍ତ୍ତମାନ ଦେଶରେ ଆବଶ୍ୟକୀୟ ଜିନିଷର ସେ ଦରଦାମ ବଢ଼ିଛି ସେଥିରେ ଅନ୍ତତଃ ମାସକୁ ଏକଶହ ଟଙ୍କା ନପାଇଲେ ବୋଧହୁଏ କର୍ମଚାରୀ ବଞ୍ଚିବାକୁ ଖାଇାକୁ ମିଳିବ ନାହିଁ । ଏପରି ଅବସ୍ଥାରେ ଅନ୍ତତଃ ବଞ୍ଚିରହିବାକୁ ଏହି ପରିମାଣରେ ଦରମା ମିଳୁ ନଥିବାରୁ ନିମ୍ନ କର୍ମଚାରୀ ବଞ୍ଚିବାକୁ ଖାଇବା ପାଇଁ ଅବୈଧ ଉପାୟରେ ସର୍ବ ସାଧାରଣ ଠାରୁ ତାହା ଅସୁଲ କରୁଛି । ଆଉ ଯେତେବେଳେ ତାର ବହୁ ଗୁଣ ଦରମା ପାଇବା ଉଚ୍ଚ କର୍ମଚାରୀ ମଧ୍ୟ ଅବୈଧ ଉପାୟରେ ସାଧାରଣ ଉପରେ ଲୁଟ ଚଳାଇଛି, ସେତେବେଳେ ବାପୁଡ଼ାକୁ ଦୋଷିବା ଠିକ୍ ହେବ ନାହିଁ ।

 

ଶୁଣିଥିଲୁ ସେକ୍ରେଟାରୀଏଟ୍‌ରେ ସରକାରୀ କାମ ଘଣ୍ଟା କଣ୍ଟା ପରି ନିର୍ଦ୍ଦିଷ୍ଟ ଭାବେ ଓ ବିଜୁଳୀ ପରି କ୍ଷିପ୍ର ଗତିରେ ଚାଲେ । ଦୈବକ୍ରମେ କଟକ ଯିବାରୁ କୌତୁହଳ ନିବାରଣ ସକାଶେ ସେକ୍ରେଟାରୀଏଟ୍‌ରେ ଯାଇ ଦେଖିଲୁ । ଦେଖିଲୁ ବିଭାଗମାନ ଅଲଗା ଅଲଗା ଅଛି । ପ୍ରତ୍ୟେକ ବିଭାଗରେ ଅସଂଖ୍ୟ କିରାନି କାମ ଛାଡ଼ି ସ୍ଥାନେ ୨ ରୁଣ୍ଡ ହୋଇ ହସ କୌତୁକ ଚଳାଇଛନ୍ତି । କେହି ଯେ କାମ କରୁନଥିଲେ ତାହା ନୁହେ, ପକ୍ଷାନ୍ତରେ କେତେଜଣ କାର୍ଯ୍ୟ ବହୁଳତାରେ ବିବ୍ରତ ହେଉଥିଲେ ମାତ୍ର ସେମାନଙ୍କ ସଂଖ୍ୟା କମ୍ ଖେଳ କଉତୁକନିରତ ମଧ୍ୟରୁ ପୂର୍ବପରିଚିତ ଜଣକୁ ପଚାରିଲୁ ଭାଇ ତମମାନଙ୍କୁତ ବେଶୀ ଖଟିବାକୁ ପଡ଼ୁନାହିଁ । ବନ୍ଧୁ କହିଲେ ତା ସତ । ସପ୍ତାହରେ ଦିନେ ୨ ଦିନ କାମ ଥାଏ । ସେ ପୁଣି ଦିନକୁ ୨/୩ଘଣ୍ଟା ପାଇଁ, ବାକୀଦିନ ୧୦ଟାରେ ଆସି ହାଜିରା ପକାଇ ଉପସ୍ଥାନ-ରେଜିଷ୍ଟରରେ ୪ଟା ଲେଖିପାରିଲେ ହେଲା । ତତ୍‌ପୂର୍ବେ ମାତ୍ର ଘଣ୍ଟାଏ କାମ କଲେ କାମ ସରିଯାଏ । ସେଠାରୁ ଉଚ୍ଚ କର୍ମଚାରୀମାନଙ୍କର ବିଭାଗକୁ ଯାଇ ଦେଖୁ ଅସଂଖ୍ୟ ସେକ୍ରେଟାରୀ ଉପରେ ସେକ୍ରେଟାରୀ, ଆସିଷ୍ଟାଣ୍ଟ ସେକ୍ରେଟେରୀ ।

 

କାହା କମରା ଖାଲି ଅଛି, ଆଉ କେଉଁ କେଉଁ କମରାରେ ଦୁଇ ତିନି ଜଣ ବସି ବିଶ୍ରବ୍‌ଧାଳାପ କରୁଛନ୍ତି । ଯାଉଁ ଯାଉଁ ବାଟରେ ଜଣେ ସେକ୍ରେଟେରୀ ଯେ କି ପୂର୍ବେ ସ:ଡ଼ି:ମା ଓ ଡି:ମା: ଥିଲେ ସେ ଭଦ୍ରତା ଖାତିରିରେ ଭଲ ଅଛନ୍ତି ତ ବୋଲି ପଚାରିଲେ ।

 

ଏହି କର୍ମଚାରୀମାନଙ୍କର ନାମ ଧାମ ତାଙ୍କ କାମରା ସାମନାରେ ଲେଖା ଥାଏ । ଦୈବତ୍ ପୂର୍ବ ପରିଚିତ ଜଣେ ଏ.ଡ଼ି.ଏମ୍‍ଙ୍କର ନାମ ଦେଖି ସାକ୍ଷାତ୍ କରିବା ଇଚ୍ଛା ହେବାରୁ ଦେଖା ପାଇଁ ସାକ୍ଷାତ୍ କାର୍ଡ଼ ପଠାଇଲୁଁ, ତତ୍‍କ୍ଷଣା୍‍ ଡାକରା ଆସିଲା । ଯାଇ ଦେଖିଲୁଁ ଦିନ ଦୁଇଟାରେ ମଧ୍ୟ ଘରେ ବିଜୁଳି ଆଲୁଅ । ଆଦର କରି ବନ୍ଧୁ ବସାଇଲେ । କୁଶଳ ସମ୍ଭାଷଣ ପରେ ନିମ୍ନ କଥାବାର୍ତ୍ତା ଚାଲିଲା ।

 

ଆମେ–ଜଣେ ଜିଲ୍ଲା ସାହେବଙ୍କୁ ସରକାର ଏପରି କିରାଣୀ କଲେ କେଉଁ ଦୋଷରୁ ?

 

ସେ–ନାଁ ଭାଇ, ଏ କିରାଣୀ କାମ ନୁହେଁ । ଭାଇ ବେଶ୍ ସୁବିଧାରେ ଅଛି । ଦୁଇଗୁଣ ଦରମା ପାଉଛି । କାମ ଖାତାରେ ‘ଶୂନ’ ମୁଁ ଆସିଛି ଓ କାମ କରୁଛି ବୋଲି ଦେଖାଇବାକୁ ଦରକାର ନଥିଲେ ମଧ୍ୟ କୌଣସି ମତେ ଫୋନରେ ୨/୪ଟା କଥା ପଚାରି ନେଲେ ସମସ୍ତେ ଧରି ନେଉଛନ୍ତି ମୁଁ ଜଣେ ଧୁରନ୍ଧର ଆସିଷ୍ଟାଣ୍ଟ ।

 

ଆମେ–ଏପରି କଅଣ ମୋଟେ କିଛି କାମ ନାହିଁ ?

 

ସେ–ଏପରି ନୁହେଁ ଯେ ଯେଉଁ ଲୋକ ଏ.ଡ଼ି.ଏମ୍ ଥିବାବେଳେ ତାକୁ କାମ ଅଣ୍ଟୁ ନଥିଲା ତା ପାଇଁ ଏ କାର୍ଯ୍ୟ କିଛି ଆୟାସସାଧ୍ୟ ନୁହେଁ ।

 

ଦେଢ଼ଘଣ୍ଟା କଥାବାର୍ତ୍ତା ପରେ ଚାଲି ଆସିଲୁଁ । ତେବେ ସେକ୍ରେଟେରୀଏଟ୍‌ଟା କଅଣ ଅକର୍ମରେ ପୂର୍ଣ୍ଣ ? କି ଉଦ୍ଦେଶ୍ୟରେ ଏଠାରେ ଏତେ ଅର୍ଥ ଶ୍ରାଦ୍ଧ ହେଉଛି ।

 

କଟକରେ ଜଣେ ନିକଟ ସଂପର୍କୀୟ ସ:ଇ: ପୋଲିସଙ୍କ ବସାରେ ଥିଲୁଁ । ତାଙ୍କ ବସା ନିକଟରେ ଅନେକ ଜଣ ସ:ଇ: ବା ସେହି ବିଭାଗୀୟ ଅନ୍ୟ କର୍ମଚାରୀଙ୍କ ବସା । ଦେଖିଲୁଁ ସେଠାରେ ଦିନ ରାତି ‘ତାସ୍’ ଖେଳ ଲାଗିଥାଏ, ଘଣ୍ଟେ ଦୁଇଘଣ୍ଟା ଆମେ ମଧ୍ୟ ସେଥିରେ ଯୋଗ ଦେଲୁ । ଜଣଙ୍କୁ ପଚାରିଲୁ ତୁମ୍ଭମାନଙ୍କର କଅଣ କିଛି କାମ ନଥାଏ । ସେ କହିଲେ କାମତ ଥାଏ କିନ୍ତୁ ତା କରିବାକୁ ଅତି ଅଳ୍ପ ସମୟ ଲାଗେ, ବାକି ସମୟ ଆଉ କଅଣ କରାଯିବ ! କାମ ନଥିବାରୁ ଏମାନେ ଏପରି କରୁଥିଲେ ବା କାମ ଥାଇ ମଧ୍ୟ କାମରେ ଅବହେଳା କରି ସେପରି କରୁଥିଲେ କହି ହେବ ନାହିଁ । ତେବେ ଅତି ଅଳ୍ପ କାମ ଏ ଅଡ଼ାର କାରଣ, ଏହା ନିଶ୍ଚୟ । ଯାହା ହେଉ ସରକାରୀ କର୍ମଚାରୀଙ୍କ ସଂଖ୍ୟା ଯେ ବହୁ ପରିମାଣରେ ବଢ଼ିଛି ସେଥିରେ ସନ୍ଦେହ ନାହିଁ । କିନ୍ତୁ ତଦନୁପାତରେ କାର୍ଯ୍ୟ ମଧ୍ୟ ବଢ଼ିବାର ଥିଲା । ନାନା ଯୋଜନାମାନ ସୃଷ୍ଟି କରା ଯାଇଛି କିନ୍ତୁ କୌଣସି ଏକ ଯୋଜନା ମଧ୍ୟ ସେପରି କୃତକାର୍ଯ୍ୟ ହୋଇଛି ତାହା ନୁହେଁ । ଅବଶ୍ୟ କ୍ଷୁଦ୍ର ଜଳ ସେଚନ ଯୋଜନା ସମ୍ବନ୍ଧେ ଏ ମନ୍ତବ୍ୟ ସେପରି ପ୍ରଯୁଜ୍ୟ ନୁହେଁ ମାତ୍ର କ୍ଷୁଦ୍ର ଜଳ ଯୋଜନା ଦିଗରେ କିଛି ଯଦି କାର୍ଯ୍ୟ ହୋଇଛି ତେବେ ପ୍ରଜା ଓ ସ୍ଥାନୀୟ ଲୋକଙ୍କ ସହଯୋଗିତାରେ । ଆଉ ସେଥିପାଇଁ କର୍ମଚାରୀ ସଂଖ୍ୟା ବଢ଼ି ନାହିଁ । ପୂର୍ବତନ ରେଭିନ୍ୟୁ କର୍ମଚାରୀମାନଙ୍କ ଉପରେ କାର୍ଯ୍ୟର ଚାପ କିଛି ପଡ଼ିଛି । ଏହାକୁ ଚାପ ବୋଲି ମଧ୍ୟ କହିହେବ ନାହିଁ । ରେଭିନ୍ୟୁ କର୍ମଚାରୀମାନେ ତାଙ୍କର ନିତ୍ୟ ନୈମିତ୍ତିକ କାର୍ଯ୍ୟ କରି ଏହା ତୁଲାଇ ପାରିଛନ୍ତି । ସେଥିରୁ ସେମାନଙ୍କ କାର୍ଯ୍ୟ ବଢ଼ିଛି କହିଲେ ଠିକ୍ ହେବ ନାହିଁ । ଏହି ଗୋଟିଏ କଥାରୁ ସ୍ପଷ୍ଟ ପ୍ରମାଣିତ ହେଉଛି, କର୍ମଚାରୀ ସଂଖ୍ୟା ନବଢ଼ାଇ ମଧ୍ୟ କାର୍ଯ୍ୟର ମାତ୍ରା ବଢ଼ାଇବାର ଯଥେଷ୍ଟ ଅବକାଶ ଓ ସୁବିଧା ରହିଛି । କେବଳ ଦେଶସେବା ମନୋଭାବ ଦରକାର । ଆଜି ଓଡ଼ିଶାରେ ୧୩ଜଣ ମନ୍ତ୍ରୀଙ୍କର କାମ ଅଛି ବୋଲି ବୋଧହୁଏ କେହି ବିଶ୍ୱାସ କରୁ ନାହାନ୍ତି । ତହିଁର କାରଣ ରାଜଧାନୀରେ ତ ସେମାନେ ଖଟୁନାହାନ୍ତି ପକ୍ଷାନ୍ତରେ କାମ ନଥିବାରୁ ଯଦୃଚ୍ଛା ଗସ୍ତ କରି ଗସ୍ତ ଖର୍ଚ୍ଚ ନେଇ ପ୍ରଜାର କରପୀଡ଼ା ବଢ଼ାଉଛନ୍ତି ମାତ୍ର । ଯଦି ଏତେ ମନ୍ତ୍ରୀଙ୍କର ଆବଶ୍ୟକତା ନାହିଁ, ଏତେ ସେକ୍ରେଟେରୀ ଅଣ୍ଡର ସେକ୍ରେଟେରୀ, ଆସିଷ୍ଟାଣ୍ଟ ସେକ୍ରେଟେରୀ ଓ ଡ଼େପୁଟୀ ସେକ୍ରେଟେରୀ ଗରିବ ଓଡ଼ିଶାର ‘ପାପ ଦେହରେ ଛେରା ରୋଗ’ ମାତ୍ର । କାର୍ଯ୍ୟର ମାତ୍ରା ବଢ଼ାଇଲେ ମଧ୍ୟ ତଳଆଡ଼ୁ କର୍ମଚାରୀ ସଂଖ୍ୟା ବଢ଼ାଇବାକୁ ହେବ । ଯଦି ଜଣେ ଉଚ୍ଚ କର୍ମଚାରୀ ଟ୫୦୦ ଦରମା ନିଅନ୍ତି ତେବେ ତିନିଜଣ କର୍ମଚାରୀ ପ୍ରତ୍ୟେକକୁ ଟ ୨୦୦ ଲେଖାରେ ମୋଟରେ ଟ ୬୦୦ ଦେଇ ବାକୀ ନଅଶହ ଟଙ୍କା ବଞ୍ଚାଇବାକୁ ପଡ଼ିବ । ଆଉ ଦେଶ ସେବା ମନୋଭାବ ସମ୍ପନ୍ନ ଉପଯୁକ୍ତ ଲୋକ ଟ ୨୦୦ରେ ଯଥେଷ୍ଟ ମିଳିବ । ଯଦି ସେ ମନୋଭାବ ନାହିଁ, ତେବେ ଟ ୧୫୦୦ ବେତନ ଦେଲେ ମଧ୍ୟ ସେ ନିଯୁକ୍ତି ଫଳୋପଧାୟକ ହେବ ନାହିଁ । କର୍ମଚାରୀ ମଧ୍ୟରେ ବାଳୁଙ୍ଗା ସଂଖ୍ୟା ଯେପରି ବଢ଼ିଛନ୍ତି ଅନ୍ୟତ୍ର ତାହା ବିରଳ । ପ୍ରିୟା ପ୍ରୀତି ତୋଷଣ ସକାଶେ ଆଜି କର୍ମ ଓ କର୍ମଚାରୀ ସୃଷ୍ଟି, ତାହା ଅସ୍ୱୀକାର କରିବାର ନୁହେ । ଶେଷରେ ଏତିକି କହିଲେ ଯଥେଷ୍ଟ ହେବ ଯେ, ଯେପର୍ଯ୍ୟନ୍ତ କର୍ମଚାରୀ ଭାବେ ବେତନ ପାଇ ସେ କାମ କରୁଛି ସେପର୍ଯ୍ୟନ୍ତ ଦେଶ ଉଠିବ ନାହିଁ । କର୍ମଚାରୀକୁ ଧରିନେବାକୁ ହେବ ଯେ ସେ ସର୍ବସାଧାରଣର ଚାକର । ସର୍ବସାଧାରଣ ତାକୁ ଦରମା ଦେଇ ପୋଷୁଛନ୍ତି । ପିଅନ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ପ୍ରଜାର ଚାକର । ପ୍ରଜାଠାରୁ ପାରିଶ୍ରମିକ ପାଉଛନ୍ତି । ପରିଶ୍ରମ ନ କରି ପାରି ଶ୍ରମିକ ନେଲେ ତାହା ତାଙ୍କ ଉପରେ ଋଣ ହେବ । ଆଉ ସେ ଦରମା ପାଇଁ କାମ କରୁ ନାହାନ୍ତି କରୁଛନ୍ତି ଦେଶ ଓ ଦେଶର ସେବା ପାଇଁ ।

Image

 

ଏକାଦଶ ପରିଚ୍ଛେଦ

Unknown

ଅସ୍ପୃଶ୍ୟତା ଓ ଜାତିଭେଦ

 

ଇଂରାଜ ଓ ମୁସଲମାନଙ୍କ ପରି ଆର୍ଯ୍ୟ-ଜାତି ଭାରତର ଆଦିମ ନିବାସୀ ନୁହନ୍ତି । ଏମାନେ ଅନ୍ୟଠାରୁ ଭାରତକୁ ଆସି ଭାରତ ଶାସନ କରୁଥିଲେ । ଆର୍ଯ୍ୟମାନେ ମଧ୍ୟ ଏସିଆରୁ ବୋଧହୁଏ ଆସି ଥିଲେ, ଏହା ଐତିହାସିକ ଘଟଣା । ଭାରତର ଯେଉଁ ଅଂଶ, ଏମାନେ ପ୍ରଥମେ ଅଧିକାର କରି ବସତି ସ୍ଥାପନ କଲେ ତାହାର ନାମ ହେଲା ‘‘ଆର୍ଯ୍ୟାବର୍ତ୍ତ’, ଦକ୍ଷିଣ ଅଂଶର ନାମ ହେଲା ‘‘ଦାକ୍ଷିଣାତ୍ୟ’’ । ଆର୍ଯ୍ୟାବର୍ତ୍ତନିବାସ କାଳରେ ସେମାନଙ୍କୁ ପେଟଚିନ୍ତା କରିବାକୁ ପଡ଼ି ନଥିଲା-। ଖାଇବାର ବ୍ୟବସ୍ଥା ଆର୍ଯ୍ୟାବର୍ତ୍ତରେ ସହଜସାଧ୍ୟ ଥିବାରୁ ଓ ସେଦିଗରେ କୌଣସି ଆୟାସ କରିବାକୁ ନ ପଡ଼ିବାରୁ ସେମାନେ ଆଧିଭୌତିକ, ଆଧ୍ୟାତ୍ମିକ ଓ ପାରମାର୍ଥିକ ଚିନ୍ତାନିରତ ହେଲେ ଓ ତଦ୍ୱାରା ମାନସିକ ଚରମୋତ୍‍କର୍ଷ ଲାଭ କରି ବେଦ ବେଦାଙ୍ଗ ଉପନିଷଦ ଆଦି ଯାହା ସବୁ ପ୍ରଣୟନ କଲେ ତାହା ଆଜି ମଧ୍ୟ ପୃଥିବୀର ଉନ୍ନତତମ ଦେଶ ଓ ଜାତିମାନେ ଦେଖି ଭରତ ସେତେବେଳେ ମାନସିକତାରେ ଉତ୍କର୍ଷ ଲାଭ କରିଥିଲା ବୋଲି ସ୍ୱୀକାର କରନ୍ତି । କ୍ରମେ ସେମାନଙ୍କର ସଂଖ୍ୟା ବୃଦ୍ଧି ହେଲା । କୁଟୁମ୍ବ ପ୍ରତିପୋଷଣ କଷ୍ଟକର ନ ହେଲେହେଁ ସେଥିପାଇଁ ଖଟିବାକୁ ହେଲା । ଏପରି ଅବସ୍ଥାରେ ଅନ୍ୟକୁ ଖଟାଇବା ଇଚ୍ଛା ମନୁଷ୍ୟର ସ୍ୱଭାବସିଦ୍ଧ । ତେଣୁ କ୍ଷମତାଲାଭ ଆବଶ୍ୟକ ହୋଇ ପଡ଼ିଲା । ସଙ୍ଗେ ସଙ୍ଗେ ସ୍ଥାନର ପରିସର ବଢ଼ାଇବା ଅପରିହାର୍ଯ୍ୟ ହୋଇ ପଡ଼ିଲା । ଏ ଦିଗରେ ସେତେବେଳେ ଆର୍ଯ୍ୟ ଜାତି ଯଥେଷ୍ଟ ଯୋଗ୍ୟତା ଅର୍ଜ୍ଜନ କରିଥିଲା, ତହିଁର ଭୁରି ଭୁରି ପ୍ରମାଣ ରହିଛି । ସେତେବେଳକୁ ଜାତି ସଂଘବଦ୍ଧ, ସମାଜତତ୍ତ୍ୱରେ ପାରଦର୍ଶୀ ଥିଲା । ଆର୍ଯ୍ୟର ପ୍ରଧାନ ଶାଖା ‘ବ୍ରାହ୍ମଣ’ ବ୍ରହ୍ମତେଜରେ ତେଜୀୟାନ୍ ନିଃସ୍ୱାର୍ଥପର, ସର୍ବତ୍ୟାଗୀ ଓ ତେଣୁ ଭିକ୍ଷାଶୀ । ତା’ର ତର୍ଜନୀ ହେଳନରେ ରାଜ୍ୟ ପରିଚାଳିତ । ଦ୍ୱିତୀୟ ଶାଖା କ୍ଷତ୍ରିୟ କ୍ଷାତ୍ର ତେଜରେ ତେଜସ୍ୱୀ, ରାଜ୍ୟ ଶାସନ ଅଭିଜ୍ଞ ଓ ବଳବୀର୍ଯ୍ୟଦୃପ୍ତ କିନ୍ତୁ ପ୍ରଜାରଞ୍ଜନାର୍ଥେ ପ୍ରେୟସୀ ଭାର୍ଯ୍ୟାକୁ ଛାଡ଼ି ନିର୍ବାସନପରାୟଣ ହେଉଥିଲା । ରାଜ୍ୟ ଲୋଭ ଓ ରାଜ୍ୟ ଲାଭ ଅକ୍ଳେଶରେ ତ୍ୟାଗ କରି ରାଜାର ନିର୍ବାସନରେ ରାଜାର ପାଦୁକା ସିଂହାସନୋପରି ରଖି ରାଜ୍ୟ ଶାସନ କରି ନ୍ୟାୟ ନିଷ୍ଠୁର ଶେଷ ସୀମା ଦେଖାଇ ପାରୁଥିଲା । ତୃତୀୟ ଶାଖା ‘‘ବୈଶ୍ୟ’’ ଦେଶକୁ କୃଷି ଶିଳ୍ପ ବାଣିଜ୍ୟ ଦ୍ୱାରା ଧନ ଧାନ୍ୟରେ ପୂର୍ଣ୍ଣ କରି ସମୁଦାୟ ଜାତିର ଗ୍ରାସାଚ୍ଛାଦନ କରୁଥିଲା । ୪ର୍ଥ ଶାଖା ‘‘ଶୂଦ୍ର’’ ଗୋପାଳନପରାୟଣ ହୋଇ ଦେଶକୁ ଘିଅ ଗୋରସରେ ସୁସ୍ଥ ସବଳ ଓ କର୍ମଠ କରି ରଖିଥିଲା, (ଗଉଡ଼ ଶୂଦ୍ରଶ୍ରେଶୀର ଅନ୍ତର୍ଭୁକ୍ତ) ଏହା ପୁରାଣ ପ୍ରସିଦ୍ଧ। ବୋଧହୁଏ ଗଉଡ଼ ଛଡ଼ା ନାଉରୀ (କେଉଟ) ମଧ୍ୟ ସେତେବେଳେ ଶୂଦ୍ର ବୋଲାଉଥିଲା । ଅସ୍ପୃଶ୍ୟତାର ନାମ ଗନ୍ଧ ସେତେବେଳେ ନଥିଲା । ଆର୍ଯ୍ୟ ଜାତିର ଦାକ୍ଷିଣାତ୍ୟ ଆଗମନ ‘ଦିଗ୍‌ବିଜୟ’ ନାମରେ ନାମିତ ହୋଇଛି । ଏହି ସଂଘବଦ୍ଧ ମହାତେଜସ୍ୱୀ ଆର୍ଯ୍ୟର ଦାକ୍ଷିଣାତ୍ୟ ଅଭିଯାନ ରୁଦ୍ଧ କରିବା ଶକ୍ତି ଦାକ୍ଷିଣାତ୍ୟର ଦ୍ରାବିଡ଼ାଦି ଆଦିମ ନିର୍ବାସ ପକ୍ଷେ କାହିଁକି, ପୃଥିବୀର ତତ୍‌କାଳୀନ କୌଣସି ଜାତି ପକ୍ଷେ ସମ୍ଭବପର ନଥିଲା । ସେତେବେଳେ ପୃଥିବୀର ଅନ୍ୟାନ୍ୟ ଅଞ୍ଚଳ ଶିକ୍ଷା ଓ ସଭ୍ୟତାହୀନ ଲୋକଙ୍କ ବାସଭୂମି ଥିଲା ବୋଲି କହିଲେ ଆସ୍ପର୍ଦ୍ଧାର ବିଷୟ ବା ଅତ୍ୟୁକ୍ତି ହେବ ନାହିଁ । ସେତେବେଳେ ଜନ୍ମରେ ଜାତି ନ ଥାଇ କର୍ମ ଓ ଯୋଗ୍ୟତାରେ ଜାତିର ନିର୍ଦ୍ଧାରଣ କରା ଯାଇଥିବାରୁ ବ୍ୟକ୍ତିଗତ ଯୋଗ୍ୟତା ଯଥେଷ୍ଟ ଥିଲା । କ୍ଷତ୍ରିୟ ବିଶ୍ୱାମିତ୍ର ଋଷିଶ୍ରେଷ୍ଠ ଓ ବ୍ରାହ୍ମଣ ପର୍ଶୁରାମ ବୀରଶ୍ରେଷ୍ଠ ହୋଇ ପାରୁଥିଲେ । କଥିତ ଅଛି—ବ୍ରାହ୍ମଣ ପର୍ଶୁରାମ ପ୍ରଥମେ ଦାକ୍ଷିଣାତ୍ୟ ଅଭିଯାନ କରିଥିଲେ । ଯାହାହେଉ, ଆର୍ଯ୍ୟର ଦାକ୍ଷିଣାତ୍ୟ ଅଭିଯାନ ପ୍ରତିରୋଧ କରିବାକୁ ଦାକ୍ଷିଣାତ୍ୟବାସୀଙ୍କ ଶକ୍ତି ନଥିବାରୁ ସାମାନ୍ୟ ପ୍ରତିରୋଧ କରି ସେମାନେ ପଛକୁ ହଟିଲେ । ହଟି ହଟି ପୂର୍ବଘାଟ, ପଶ୍ଚିମଘାଟ ଓ ସମୁଦ୍ର ପର୍ଯ୍ୟନ୍ତ ଗଲାରୁ ଆଉ ହଟିବାର ଜାଗା ନ ଦେଖି ସାହସ ବାନ୍ଧି ସେମାନେ ପ୍ରତିରୋଧ ଚେଷ୍ଟା କଲେ ମାତ୍ର ତାଙ୍କୁ ପରାସ୍ତ କରିବା ଆର୍ଯ୍ୟର ସହଜସାଧ୍ୟ ଥିଲା, ତେଣୁ ଅନାର୍ଯ୍ୟମାନେ ସ୍ୱାଧୀନତା ହରାଇଲେ, ହରାଇ ମଧ୍ୟ ବହୁକାଳ ପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମ ଚଳାଇଲେ । ‘ଅସ୍ମୃଶ୍ୟତ’ ସେମାନଙ୍କର ଦେଶହିତୈଷଣାର ଦଣ୍ଡ । ବିଜେତା ଆର୍ଯ୍ୟ ସେମାନଙ୍କୁ ଶାସ୍ତ୍ର ପଠନ, ଶସ୍ତ୍ର ଚାଳନ ଓ ଭଗବଦୁପାସନାରୁ ବଞ୍ଚିତ କରି ସେମାନଙ୍କୁ ଯାବତୀୟ ନୀଚ କର୍ମରେ ନିଯୁକ୍ତ କଲେ । ସେତେବେଳେ ମଧ୍ୟ ଅସ୍ପୃଶ୍ୟତାର ମାତ୍ରା ପୂର୍ଣ୍ଣ ନଥିଲା । ଆଦିମ ନିବାସୀ ଅଧିକାଂଶ ସନାତନ ଧର୍ମ ଗ୍ରହଣ କଲେ ଓ ଆର୍ଯ୍ୟ ଅନାର୍ଯ୍ୟର ରକ୍ତର ସମ୍ମିଶ୍ରଣ ହେବାର ସମ୍ଭାବନା ଦେଖାଗଲା । କିନ୍ତୁ ଆର୍ଯ୍ୟମାନଙ୍କର ସ୍ୱାର୍ଥପରତା ହେତୁ ତାହା ହୋଇ ପାରିଲା ନାହିଁ । ସେମାନେ ଶାସ୍ତ୍ର ପଠନ ଆଦି ବାସନ୍ଦକୁ ଚିରସ୍ଥାୟୀ କରିବାରୁ ଅନାର୍ଯ୍ୟମାନଙ୍କର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଲା ।

 

ସେମାନେ କାୟକ୍ଳେଶନିରତ ରହି ମଧ୍ୟ ଯଥେଷ୍ଟ ଖାଇବାକୁ ପାଇଲେ ନାହିଁ, ପଢ଼ିବାକୁ ପାଇଲେ ନାହିଁ । ତେଣୁ ଅଶିକ୍ଷିତ ହୋଇ ରହିଲେ । ଏପରି ଅବସ୍ଥାରେ ଯାହା ହେବାର ତାହା ହେଲା । ଅନାର୍ଯ୍ୟଗଣ ଦୁର୍ନୀତିପରାୟଣ ହେଲେ, ଖାଇବାକୁ ନପାଇ ଗୋମାଂସ ଖାଇଲେ, ଦୁଃଖ ଭୁଲିବାକୁ ଯାଇ ମଦ୍ୟ ପାନ କଲେ । ଚୋରି ଡକାୟିତି କଲେ, ତହିଁର ଦଣ୍ଡ ସ୍ୱରୂପ ସେମାନଙ୍କର ମନ୍ଦିର ପ୍ରବେଶ ନିଷିଦ୍ଧ ହେଲା । ତା ଫଳରେ ସେମାନେ ଆର୍ଯ୍ୟର ଯେ ଧର୍ମ ଗ୍ରହଣ କରିଥିଲେ ସେ ଧର୍ମଭାବ ଗଲା । ସେମାନେ ଛୁଇଁବାର ମଧ୍ୟ ଅଯୋଗ୍ୟ ହେଲେ । କ୍ରମେ ସେମାନଙ୍କର ଛାଇ ମଧ୍ୟ ମଡ଼ାଗଲା ନାହିଁ । ଅସ୍ପୃଶ୍ୟତାର ସୃଷ୍ଟି ଅତି ଆଧୁନିକ, ବୋଧହୁଏ ଷଷ୍ଠ ବା ସପ୍ତମ ଶତାବ୍ଦୀ ହେବ । ଭଗବାନଙ୍କର ନ୍ୟାୟ ବିଚାରରେ ଅନାର୍ଯ୍ୟର ଉପରେ ଏ ଯେ ଅତ୍ୟାଚାରର ଦଣ୍ଡର ବ୍ୟବସ୍ଥା, ତାର ଦଣ୍ଡ ନ ହୋଇ ଯାଏ କୋଆଡ଼ୁ ? ଅସ୍ପୃଶ୍ୟତା ଘୃଣାରୁ ଜାତ, ଘୃଣାଭାବ ଆର୍ଯ୍ୟ ଜାତିକୁ ଏପରି ଆୟତ୍ତ କଲା ଯେ ସେମାନେ ତାଙ୍କର ମୁଣ୍ଡ ହରାଇଲେ । ନିଜ ନିଜ ମଧ୍ୟରେ ଭେଦଭାବ ସୃଷ୍ଟି ହେଲା । ସେମାନଙ୍କର ମତାନୈକ୍ୟ ଘଟିଲା । ସେମାନେ ବିଭିନ୍ନ ମତାବଲମ୍ବୀ ହୋଇପଡ଼ିବାରୁ ନାନା ଦଳର ସୃଷ୍ଟି ହେଲା । ଶୃଙ୍ଖଳା ଭାଙ୍ଗିଲା, ଆର୍ଯ୍ୟ ଜାତୀୟତା ବୁଡ଼ିଲା । ତା’ର ପରେ ପରେ ଦେଶ ମୁସଲମାନ ହାତରେ ସହଜେ ପଡ଼ିଲା । ତଥାପି ଏକ ପିଞ୍ଜରନିବଦ୍ଧ ସମଦଶାପନ୍ନ ଦୁଇ ପକ୍ଷୀ ନିଜ ନିଜ ମଧ୍ୟରେ ଲଢ଼ି ଦୁର୍ବଳ ହେବା ପରି ଆର୍ଯ୍ୟ ଅନାର୍ଯ୍ୟ ମଧ୍ୟରେ ‘ଅସ୍ପୃଶ୍ୟତା’ ଯୁଦ୍ଧ ଏ ପର୍ଯ୍ୟନ୍ତ ଚାଲିଛି । ଭାରତ ବିଭାଗ ପୂର୍ବେ ୧୯୩୧ ଖ୍ରୀଷ୍ଟାବ୍ଦର ଜନଗଣନାରେ ଭାରତର ଅସ୍ପୃଶ୍ୟ ସଂଖ୍ୟା ୧୦ କୋଟି ମୁସଲମାନ୍ ସଂଖ୍ୟାରୁ ମଧ୍ୟ କିଛି ବେଶି । ସେତେବେଳକୁ ହିନ୍ଦୁର ସଂଖ୍ୟା କୋ୨୦ଟି । ହିନ୍ଦୁ ସମାଜର ମଧ୍ୟରେ ଶିଖ, ଜୈନ ଆଦି ନାନା ଶାଖା ବ୍ରାହ୍ମଣ, କରଣ ଆଦି ଉପଶାଖା ଏପର୍ଯ୍ୟନ୍ତ ରହିଛି । ତେବେ ହିନ୍ଦୁର ପ୍ରତ୍ୟେକ ଶାଖା ଉପଶାଖାର ଲୋକସଂଖ୍ୟା ଅପେକ୍ଷା ‘ଅସ୍ପୃଶ୍ୟ’ ସଂଖ୍ୟା ଅତି ବେଶି ।

 

ଲକ୍ଷ ଲକ୍ଷ ଅସ୍ପୃଶ୍ୟ ଧର୍ମ୍ମାନ୍ତର ଗ୍ରହଣ କରି ଆମ ସଙ୍ଗେ ମିଶି ପାରିଲେ, ଯେପରି ପାଞ୍ଚ ସାତ ବର୍ଷ ପୂର୍ବେ ଆମେ ମଧ୍ୟ ‘‘ଦାସ ଜାତି’’ ଓ ଖ୍ରୀଷ୍ଟିଆନ ଆମର ଶାସକ ଥିଲେ । ଆମର ଶାସକ ତଳେ ଭାରତୀୟ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ଦେଖିଲେ ଏବେ ମଧ୍ୟ ଲଜ୍ଜାରେ ଆମକୁ ମୁହଁ ଲୁଚାଇବାକୁ ପଡ଼ିବ । ବିଜେତା ମୁସଲମାନ ଓ ଖ୍ରୀଷ୍ଟିଆନ୍ ଏତେ ଦୀର୍ଘକାଳ ଭାରତକୁ ଶାସନ କରି ପାରିଲେ । ଭାରତରେ ‘ଅସ୍ପୃଶ୍ୟତା’ ଦୋଷ ଥିବାରୁ ଆଉ ଯେପର୍ଯ୍ୟନ୍ତ ଆମ ମଧ୍ୟରେ ଏ ଘୃଣାଭାବ ରହିଛି, ଶତ ଚେଷ୍ଟାରେ ମଧ୍ୟ ଆମେ ସ୍ୱାଧୀନତାର ସୁଫଳ ପାଇ ପାରିବା ନାହିଁ । ଆଉ ଯଦି ଏ ଦୋଷ ସମାଜରୁ ନିର୍ମୂଳ ନ ହୁଏ ତେବେ ଲବ୍ଧ ସ୍ୱାଧୀନତା ଆମର ହାତ—ଛଡ଼ା ହେଲେ ମଧ୍ୟ ତାହା ଆଶ୍ଚର୍ଯ୍ୟର ବିଷୟ ହେବ ନାହିଁ ବା ସେଥିପାଇଁ ଆମେ ଅନ୍ୟକୁ ଦୋଷୀ କରି ପାରିବା ନାହିଁ । ଭଗବାନ କରନ୍ତୁ, ଆମେ ଦଶବର୍ଷ ପାଇଁ ଏ ବିଚାରକୁ ଯେଉଁ ଅଧିକାର ଦେଇଛୁଁ, ଏ ଦଶବର୍ଷ ମଧ୍ୟରେ ଏ ଦୋଷ ଦେଶରୁ ଲୋପ ହେଉ, ଅଛୁତ ଏ ମଧ୍ୟରେ ତାର ମାନବିକ ଦାବୀ ହାସଲ କରି ଶିକ୍ଷିତ ହେଉ । ଭଗବାନଙ୍କର ନ୍ୟାୟ ବିଚାରର ହିଁ ଜୟୀ ହେଉ । ଆଉ ଦଶ ବର୍ଷ ପରେ ଏଥିରେ ଆବଶ୍ୟକତା ନରହୁ । ଆଉ ଯେଉଁମାନେ ଏବେ ମଧ୍ୟ ଏହାର ପ୍ରତିରୋଧ କରୁଛନ୍ତି, ସେମାନଙ୍କର ସଦ୍‌ବୁଦ୍ଧି ଆସୁ-। ସେମାନଙ୍କର ମଧ୍ୟ ମାନବିକତାର ବିକାଶ ହେଉ, ନହେଲେ ଦଶବର୍ଷ ମଧ୍ୟରେ ସେମାନଙ୍କୁ ଯମ ଗ୍ରହଣ କରୁ । କାହିଁକି ସେମାନଙ୍କ ପାଇଁ ଭାରତରେ ଆଜି ଆଉ ସ୍ଥାନ ନାହିଁ ।

 

ପୂର୍ବେ କୁହାଯାଇଛି ଜନ୍ମଭେଦରେ ଜାତି ନ ହୋଇ କର୍ମପ୍ରତିଭା ଓ ରୁଚିଭେଦରେ ଜାତି ହେବା ଉଚିତ । ଯେତେଗୁଡ଼ିଏ କୁ-ପ୍ରଥା ପାଇଁ ହିନ୍ଦୁ-ସମାଜ ଧ୍ୱଂସାଭିମୁଖୀ, ଉପରୋକ୍ତ ଅସ୍ପୃଶ୍ୟତା ଓ ଜାତିଭେଦ ସେମାନଙ୍କ ମଧ୍ୟରେ ସର୍ବପ୍ରଧାନ ଅଟେ । ହିନ୍ଦୁ ସ୍ୱଭାବତଃ ସରଳ । ଖାଦ୍ୟ ପାନ ନିବାସ ସବୁ ବିଷୟରେ ଶୌଚ ହିନ୍ଦୁମାତ୍ରର ଅତି ଆଦରଣୀୟ ଗୁଣ । ହିନ୍ଦୁ ଯଦି ଅନ୍ୟ ସମାଜ ପ୍ରତି ଆକୃଷ୍ଟ ନୁହେଁ ଓ ଉଦାସୀନ, ସମାଜର ଶୌଚହୀନତା ତହିଁର ମୂଳରେ, ତେବେ ‘ବାର ଓଡ଼ିଆକୁ ଢେର ଚୁହ୍ଲା କାହିଁକି ?’ ଏହି ପ୍ରବାଦ ଦ୍ୱାରା ପ୍ରବାଦଶ୍ରଷ୍ଠା ହିନ୍ଦୁର ଜାତିଭେଦକୁ—ପ୍ରଥା ଉପରେ ଯେ ବଜ୍ରାଘାତ କରିଛନ୍ତି, ତଦ୍ଦ୍ୱାରା ମଧ୍ୟ ହିନ୍ଦୁର ଜ୍ଞାନୋଦୟ ହୋଇ ନାହିଁ, ଆଶ୍ଚର୍ଯ୍ୟର କଥା । ଆଉ ଆଶ୍ଚର୍ଯ୍ୟର କଥା-ଖାଦ୍ୟ ସମ୍ବନ୍ଧେ ଭଗବାନ ଶ୍ରୀକୃଷ୍ଣ ଗୀତାରେ ଯେ ନିୟମ କରିଛନ୍ତି, ସେ ନିୟମକୁ ହିନ୍ଦୁ ଅନାଦର କରି ଆଜିର ଅଧୋଗତି ପାଇଛି । ଶ୍ରୀକୃଷ୍ଣ ଗୀତାରେ ସତ୍ୱ, ରଜ, ତମ ତ୍ରିଗୁଣାତ୍ମକ ଖାଦ୍ୟସଂଜ୍ଞା ଦେବା ବେଳେ ଶୌଚକୁ ପ୍ରଥମ ସ୍ଥାନ ଦେଇଥିବାର ଦେଖୁଁ । କୁତ୍ରାପି ସେ ଏକ ଜାତିର ଅନ୍ନ ଅନ୍ୟ ଜାତିର ଭକ୍ଷଣରେ ନିଷେଧ କରି ନାହାନ୍ତି, ପକ୍ଷାନ୍ତରେ ‘ଦାନ’ ବୁଝାଇବା ବେଳେ ‘ଦେଶେକାଳେ ଚ ପାତ୍ରେ’ ବ୍ୟବସ୍ଥା ଦ୍ୱାରା ଜାତିଭେଦର ବିଚାର କରି ନାହନ୍ତି । ଏ ସମ୍ବନ୍ଧେ ଭାଷ୍ୟାକାର ଶ୍ରୀ ଶଙ୍କରାଚାର୍ଯ୍ୟ ଓ ଶ୍ରୀଧର ସ୍ୱାମୀ ତା’ର ଯେଉଁ ଭାଷ୍ୟ କରିଛନ୍ତି, ତାହା ସେମାନଙ୍କ ସମୟରେ ଉପଯୁକ୍ତ ହୋଇ ଥାଇ ପାରେ, ବର୍ତ୍ତମାନ ସେପରି ନୁହେଁ । ପକ୍ଷାନ୍ତରେ ତାହା ଦ୍ୱାରା ଉକ୍ତ ମହତ୍ ଓ ଉଦାର ବ୍ୟବସ୍ଥାର ସେମାନେ ସଂକୀର୍ଣ୍ଣତା ମାତ୍ର କରିଛନ୍ତି । ହିନ୍ଦୁର ‘ବସୁଧୈବ କୁଟୁମ୍ବକମ୍’ ମଧ୍ୟରେ ଅସ୍ପୃଶ୍ୟତା, ଜାତିଭେଦ ଓ ବର୍ଣ୍ଣଭେଦ ଅସମ୍ଭବ । ଜାତିଭେଦ, ଅସ୍ପୃଶ୍ୟତା ତ ଦୂରର କଥା । କୁଟୁମ୍ବ ମଧ୍ୟରେ ଯଦି କୌଣସି ସାମାନ୍ୟ ଭେଦଭାବ ବା ଘୃଣାଭାବ ରହିଲା ତେବେ କୁଟୁମ୍ବ ଭାବ ଆଉ ରହିବ ନାହିଁ । କୁଟୁମ୍ବ ମଧ୍ୟରେ ଭିନ୍ନ ପ୍ରତିଭା ରୁଚି ଓ ଯୋଗ୍ୟତାର ଯଥେଷ୍ଟ ସ୍ଥାନ ଅଛି । କିନ୍ତୁ ଭେଦଭାବର ସ୍ଥାନ ନାହିଁ, ଏ ସମସ୍ତ ହିନ୍ଦୁର କୁଟୁମ୍ବ ବା ସମାଜର ବଳର ପରିଚାଳକ ଥିଲା ।

 

ପୌରାଣିକ ଯୁଗରେ ବିଶିଷ୍ଟ ଚଣ୍ଡାଳ କନ୍ୟା ଅରୁନ୍ଧତୀର ପାଣିଗ୍ରହଣ କରୁଥିଲେ । ଭୀମସେନ ହିଡ଼ିମ୍ବା ରାକ୍ଷସୀକୁ ବିବାହ କରି ମହାବଳଶାଳୀ ଘଟୋତ୍କଚ ପରି ପୁତ୍ର ପାଇଥିଲେ । ଦେବଯାନୀ ଯଯାତିର ପତ୍ନୀ ଥିଲେ । ରାଜନୈତିକ ଯୁଗରେ ପ୍ରବଳ ପରାକ୍ରାନ୍ତ ସମ୍ରାଟ ଚନ୍ଦ୍ରଗୁପ୍ତ ଯବନ ସେଲିଭକସ୍‍ଙ୍କର କନ୍ୟାଙ୍କୁ ବିବାହ କରିବା ଦ୍ୱାରା ନିଜର ଜାତିନଷ୍ଟ କରି ନଥିଲେ । ଚନ୍ଦ୍ରଗୁପ୍ତ ନିଜେ ଦାସୀ-ପୁତ୍ର ଥାଇ ଏତେ ପ୍ରବଳ ପ୍ରତାପୀ ହୋଇ ପାରିଥିଲେ । ମହାଭାରତର କର୍ଣ୍ଣ, ଯୁଧିଷ୍ଠିର ଯଦି ଆଜି ଜନ୍ମିଥାନ୍ତେ ତେବେ ସେମାନେ ଅଂପାକ୍ତେୟ ହୋଇ ସମାଜ ବହିଷ୍କୃତ ହୋଇଥାନ୍ତେ । ଶାନ୍ତନୁ ଦାସ-କନ୍ୟା ସତ୍ୟବତୀଙ୍କୁ ବିବାହ କରିଥିଲେ । ସେତେବେଳେ ଯେ ସମାଜରେ ଅସବର୍ଣ୍ଣ ବିବାହ ପ୍ରଚଳିତ ଥିଲା, ଏହା ଅସ୍ୱୀକାର କରିବାର ନୁହେଁ । ଅସବର୍ଣ୍ଣ-ସଂମ୍ମିଶ୍ରଣରୁ ଜାତ ସନ୍ତାନ ପ୍ରତିଭା ଓ ପ୍ରଭାବଶାଳୀ ହୁଅନ୍ତି ବୋଲି ବହୁ ପୂର୍ବରୁ ହିନ୍ଦୁକୁ ଜଣାଥିଲା । ତେଣୁ ସପିଣ୍ଡ ଓ ସଗୋତ୍ରରେ ବିବାହ ମନା କରିବାକୁ ହିନ୍ଦୁର ବ୍ୟବସ୍ଥାରେ ଏ ପର୍ଯ୍ୟନ୍ତ ରହିଛି । ଆଉ ରକ୍ତ ସମ୍ପର୍କ ମଧ୍ୟରେ ବିବାହ ସମ୍ପର୍କ ଚଳାଇବା ହେତୁ କେତେ ଦମ୍ପତି ମୃତ, ପୁତ୍ର କନ୍ୟା କ୍ଷଣଜିବୀ ଓ ଉକ୍ତ ବିବାହ ନିଷ୍ଫଳ ହୋଇଛି, ଅଭିଜ୍ଞତାସଂପନ୍ନ ବ୍ୟକ୍ତି ମାତ୍ରେ ଦେଖୁଥିବେ । ସେ ଯାହା ହେଉ, ଅସ୍ପୃଶ୍ୟତା ଓ ଜାତିଭେଦ ମନୁଷ୍ୟସୃଷ୍ଟି ଓ କୃତ୍ରିମ, ଏଥିରେ ମତାନୈକ୍ୟ ନାହିଁ । ରୁଚି, ପ୍ରତିଭା ଓ ଯୋଗ୍ୟତା ନିମନ୍ତେ ପୂର୍ବେ ଏହାର ଆବଶ୍ୟକତା ଥିଲେ ଥାଇପାରେ କିନ୍ତୁ ଯେତେବେଳେ ଏଗୁଡ଼ିକ ମତଭେଦର କାରଣ ହେଲା ସେତେବେଳେ ଏହାକୁ ଲୋପ କରିବାର ଥିଲା । ଆଜି ପର୍ଯ୍ୟନ୍ତ ଏହାକୁ ପ୍ରଶୟ ଦେଇ ହିନ୍ଦୁ ଯେ ଭୁଲ୍‍ କରିଛି ସେପରି ମାରାତ୍ମକ ୨ୟ ଭୁଲ୍‍ ନ ଥିବ । ପାନହାର ବିହାରକୁ ଗୋଷ୍ଠୀବଦ୍ଧ କରିବା ଦ୍ୱାରା ହିନ୍ଦୁ ହୀନ-ବୀର୍ଯ୍ୟ ହୋଇଛି । ଉଦାହରଣ ସ୍ୱରୂପ କୁହାଯାଇପାରେ ଆଜି ବ୍ରାହ୍ମଣ କେତେ ଯେ ଉପଶାଖାରେ ବିଭକ୍ତ ହୋଇଛି ଶୁଣିଲେ ହସ ମାଡ଼େ । ପ୍ରତ୍ୟେକ ଉପଶାଖାର ଅନ୍ୟ ଉପଶାଖା ସହିତ ବିବାହ ସମୃଦ୍ଧ ନାହିଁ । ତେଣୁ ଦୁଇ ଚାରି ପରିବାର ମଧ୍ୟରେ ବିବାହ ସମ୍ବନ୍ଧକୁ ସୀମାବଦ୍ଧ କରିବା ଦ୍ୱାରା ମା, ଭଗିନୀ ବା ଦୁହିତାସ୍ଥାନୀୟା ସଙ୍ଗେ ବିବାହ ସମ୍ବନ୍ଧ କରାଯାଇ ଶାରୀରିକ ଓ ମାନସିକ ଯାହା କ୍ଷତି ହେଉଛି ଅଭିଜ୍ଞ ବ୍ୟକ୍ତିଙ୍କୁ ତାହା କହିବାକୁ ହେବ ନାହିଁ । ବୈଜ୍ଞାନିକମାନେ ସ୍ଥିର କରିଛନ୍ତି–ବିବାହ ସଂପୂର୍ଣ୍ଣ ଭିନ୍ନରକ୍ତ ସହିତ ନହେଲେ ଉପଯୁକ୍ତ ସନ୍ତାନ ଲାଭ କରା ଯାଇ ନ ପାରେ । ଏହା ବୋଧହୁଏ ସତ୍ୟ । ତେଣୁ ଆଜିର ହିନ୍ଦୁ ବାମନ ଓ ବିକଳାଙ୍ଗ, ଆଜି କଳିଷଠା ମଧ୍ୟ ନାହିଁ, ୪୦ ବର୍ଷରେ ହିନ୍ଦୁ ବୁଢ଼ା ।

 

‘‘ଭୁଂକ୍ତେ ଭୋଜୟତେ’’ ପ୍ରୀତିର ଲକ୍ଷଣ ଆଜି ଅସ୍ପୃଶ୍ୟତା ଓ ଜାତିଭେଦ ପାଇଁ ଏହି ପ୍ରୀତି ଲକ୍ଷଣରୁ ହିନ୍ଦୁ ବଞ୍ଚିତ । ଅସଲ କଥା ପାନାହାର ପାଇଁ ଶୌଚତାକୁ ଦେଖିବାକୁ ହେବ । ଶୁଚି, ପବିତ୍ର ଖାଦ୍ୟକୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଗ୍ରହଣ କରିବାକୁ ଓ ଆଉ ଯେ ଖାଦ୍ୟ ଅମେଧ୍ୟ, ଅଶୁଚି ଓ ଅପବିତ୍ର, ବ୍ରାହ୍ମଣ ହାତରୁ ମଧ୍ୟ ତାହା ପରିତ୍ୟାଗ କରିବାକୁ ହେବ । ଆଉ ହିନ୍ଦୁ ପବିତ୍ର ବିବାହ ପ୍ରଥାରୁ ‘ସବର୍ଣ୍ଣ’ ବିବାହକୁ ନିରୁତ୍ସାହିତ କରିବାକୁ ହେବ । ବିବାହ ପୁତ୍ର ପାଇଁ, ଅସବର୍ଣ୍ଣ ବିବାହ ଦ୍ୱାରା ତେଜସ୍ୱୀ ପୁତ୍ର ପ୍ରସବ ହେବା ବର୍ତ୍ତମାନ ଲୋଡ଼ା । ବହୁବିବାହ କାମ-ପ୍ରବୃତ୍ତିର ଚରିତାର୍ଥ ପାଇଁ, ପ୍ରେମ ପାଇଁ ନୁହେଁ । ପ୍ରେମ ବିବାହ (Love marriage) ସର୍ବଥା ବିଧେୟ । ବହୁବିବାହ ଯେପରି ମହାପାପ, ବିବାହ-ବିଚ୍ଛେଦ ସେହିପରି ଅସ୍ପୃହଣୀୟ । ପତି ପତ୍ନୀ ମଧ୍ୟରେ ସହଧର୍ମୀ ବା ସହଧର୍ମିଣୀ ସମ୍ବନ୍ଧ ଅତୁଟ ରଖିବାକୁ ହେବ । ବାଲ୍ୟ ଓ ବୃଦ୍ଧ ବିବାହ ନାନା ଭାବରେ ସମାଜର କ୍ଷତିକାରକ । ତାହାର ପ୍ରଚଳନ ବନ୍ଦ କରିବାକୁ ହେବ । ଶେଷରେ ଏତିକି କହିଲେ ଯଥେଷ୍ଟ ହେବ ଯେ ଅସ୍ପୃଶ୍ୟତା ଓ ବର୍ତ୍ତମାନର ଜାତିଭେଦ ଘୃଣାରୁ ଜାତ । ଯାହା ଖରାପ ଘୃଣା କରିବା ସିନା, ଯାହା ଭଲ ତାକୁ ଘୃଣା କରିବା ମନୁଷ୍ୟୋଚିତ ନୁହେଁ । ‘ବସୁଧୈବ କୁଟୁମ୍ବକଂ’ କାର୍ଯ୍ୟରେ ଦେଖାଇବା ହିଁ ପ୍ରକୃତ ମାନବିକତା ।

Image

 

ଦ୍ୱାଦଶ ପରିଚ୍ଛେଦ

ପୁରାତନ ଓ ନୂତନ

 

ପୁରାକାଳରେ ଥରେ ଜଣେ କର୍ମିଷ୍ଠ ବ୍ରାହ୍ମଣ ପ୍ରତିଦିନ ପୂଜା ତର୍ପଣ ସମାପନ ନ କରି ଜଳ-ଗ୍ରହଣ କରନ୍ତି ନାହିଁ । ସ୍ନାନାହ୍ନିକ ସାରି ଯାବତୀୟ ସୁଖ୍ୟାଦି ସଂଗ୍ରହ କରି ଦେବତାଙ୍କଠାରେ ଅର୍ପଣ କଲାବେଳେ ଆଖିବୁଜି ଧ୍ୟାନନିବିଷ୍ଟ ହେବା ମାତ୍ରେ ଗୋଟିଏ ଦୁଷ୍ଟ ବିରାଡ଼ି ସେଥିରୁ କିଛି ଖାଇ ବ୍ରାହ୍ମଣ ଆଖି ମେଲିବା ବେଳକୁ ପଳାଏ । ତେଣୁ ବିଚାରା ପୂଜା ପୂର୍ବେ ତାକୁ ଧରି ଆବଦ୍ଧ କଲା ପରେ ପୂଜାରମ୍ଭ କରନ୍ତି । ବ୍ରାହ୍ମଣଙ୍କର ମୃତ୍ୟୁ ପରେ ତଦୀୟ ପୁତ୍ର ସେହିପରି ପୂଜା ଆହ୍ନିକ ଯଥାବିଧି ସମ୍ପନ୍ନ କଲାବେଳେ ତଦୀୟ ବିଧବା ମାତା କହନ୍ତି, ‘‘ଆରେ ବାପା, ତୋ ବାପା ବିରାଡ଼ି ନ ଘୋଡ଼ାଇ କେବେ ପୂଜା କରନ୍ତି ନାହିଁ । ତୁ ତ ତାହା କରୁନାହୁଁ, ତୋ ହାତରେ ଦେବତା କିଛି ଗ୍ରହଣ କରିବେ ନାହିଁ ।’’ ବ୍ରାହ୍ମଣ ପୁତ୍ର ତେଣୁ ପୂଜା ପୂର୍ବେ ବିରାଡ଼ି ଢାଙ୍କିଲେ । ଆଜି ଆମେ ସେପରି ବିରାଡ଼ି ଢାଙ୍କୁଥାଇଁ, କାରଣ ଆମର ବାପ ଅଜା ତା କରୁଥିଲେ । କିନ୍ତୁ ଦିନେ ହେଲେ ଭାବୁ ନାହୁଁ ତ ବିରାଡ଼ି ଢାଙ୍କିବାର ଆବଶ୍ୟକତା କଅଣ ? ଖାଲି ସେତିକି ନୁହେଁ, ସେମାନେ ଯାହା ଭଲ କରୁଥିଲେ ଅର୍ଥାତ୍ ପୂଜା ଆହ୍ନିକ ଛାଡ଼ୁଛୁ । ପୂଜା ଆହ୍ନିକ ଛାୟାକୁ ରଖିଛୁଁ ମାତ୍ର, ଆଉ ବିରାଡ଼ି ଢାଙ୍କିବା ସହଜ ଓ ଆମୋଦଦାୟକ ଥିବାରୁ ପୂଜା ଅପେକ୍ଷା ତହିଁରେ ଆମର ବେଶି ସଉକି । ଯାହା ପୁରାତନ, ପୁରାତନ ବୋଲି ତାହା ଗ୍ରହଣୀୟ ବା ଉପେକ୍ଷଣୀୟ ନୁହେଁ । ପୁରାତନରେ ନୂତନ ଓ ନୂତନରେ ପୁରାତନ ପ୍ରତିଷ୍ଠା ବୁଦ୍ଧିମାନର କାର୍ଯ୍ୟ । କେତେ ଅଛନ୍ତି ଯେଉଁମାନେ ବିଶ୍ୱାସ କରନ୍ତି ଭାରତରେ ଯାହା ଅଛି ତାହା ସବୁ ଭଲ, ହିନ୍ଦୁର ସବୁ କଥା ପ୍ରଥା ଭଲ, ଅନ୍ୟତ୍ର ଓ ଅନ୍ୟ ଧର୍ମରେ ଯାହା ଅଛି ସେ ସବୁ ମନ୍ଦ ।

 

ତତ୍‌ପୂର୍ବେ ସେମାନଙ୍କର ଦେଖିବା ଓ ଜାଣିବା ଉଚିତ–ଅନ୍ୟତ୍ର ଓ ଅନ୍ୟ ଧର୍ମରେ କଅଣ ଅଛି । ସେମାନେ ତାହା ଦେଖିବା ଓ ଜାଣିବା ମଧ୍ୟ ଉଚିତ୍ ମନେ କରନ୍ତି ନାହିଁ । ଏମାନଙ୍କୁ ରକ୍ଷଣଶୀଳ ବୋଲି କୁହାଯାଏ କିନ୍ତୁ ଏମାନେ ତାହା ନୁହନ୍ତି, ବିଚାରବୁଦ୍ଧିହୀନ ଅଟନ୍ତି ଓ ତାହା ମାନବିକତା-ବିରୁଦ୍ଧ । ବେଦ ମୁନି ବା ମନୁଷ୍ୟ ମୁଖନିଃସୃତ କହିଲେ ଏମାନେ ଖଡ଼୍‌ଗହସ୍ତ ହୁଅନ୍ତି । ଏମାନେ, ବେଦ, ଈଶ୍ୱର ମୁଖନିଃସୃତ ବୋଲି ବିଶ୍ୱାସ କରନ୍ତି, ବେଦ’ର ଆକ୍ଷରୀକ ଅର୍ଥ ପର୍ଯ୍ୟନ୍ତ ଏମାନେ ଘୃଣା କରନ୍ତି । ପୁରାଣ, ଇତିହାସ ନୁହେଁ ବୋଲି କହିଲେ ଏମାନେ ମାନିବାକୁ ଉଦ୍ୟତ ହୁଅନ୍ତି । ଯଦି କହିବ ଇନ୍ଦ୍ର ସ୍ୱର୍ଗରେ ଥାଆନ୍ତି, ଅପ୍‍ସରା ନଚାନ୍ତି, ଅହଲ୍ୟା ହରଣରେ ସେ ସହସ୍ର-ଯୋନୀ ଦେବତାଙ୍କ ରାଜା, ବଜ୍ର ମାରନ୍ତି, ବର୍ଷା କରନ୍ତି, ପାରିଜାତକ ଫୁଲମାଳ ପିନ୍ଧନ୍ତି, ସେର ସେର କରି ଅମୃତ ଖାଆନ୍ତି । ଯଦି କହ-ଯମଦେବତା ଆମେ ପ୍ରତିମୁହୂର୍ତ୍ତରେ ଯାହା କରୁଛୁଁ ତାହା ଲେଖି ରଖୁଛନ୍ତି, ସେହି ଲେଖା ଚିତ୍ରଗୁପ୍ତ ପଞ୍ଜିକା ନାମରେ ଖ୍ୟାତ । ପୃଥିବୀର ୨୦୦ କୋଟିରୁ ଅଧିକ ଲୋକ ସକାଶେ ବର୍ତ୍ତମାନ ଚିତ୍ରଗୁପ୍ତ ହାତରେ ୨୦୦ କୋଟିରୁ ଅଧିକ ପଞ୍ଜିକା ଓ ତାଙ୍କ ମହାଫିସଖାନାରେ ସୃଷ୍ଟିର ଆବହମାନକାଳରୁ ସେପରି ଅସଂଖ୍ୟ ପଞ୍ଜିକା ରହିଛି, ତେବେ ତାକୁ ସେମାନେ ସହଜେ ବିଶ୍ୱାସ କରିନେବେ । ଯଦି କହ–ଏପରି ଅସମ୍ଭବସଂଖ୍ୟକ ପଞ୍ଜିକା ସକାଶେ ଯେତେ କାଗଜ ଓ କାଳୀ ଦରକାର ସେ ସବୁ ଆସିବ କେଉଁଠାରୁ ? ସେମାନେ ସଙ୍ଗେ ସଙ୍ଗେ କହିଦେବେ ଯମକୁ ତାହା ଅଲଭ୍ୟ ନୁହେଁ । ଏପରି ବିଶ୍ୱାସ କରିବା ଲୋକଙ୍କର ସଂଖ୍ୟା ଏବେ ମଧ୍ୟ କମ୍ ନୁହେଁ ।

 

ଆଉ ଏକ ପ୍ରକାର ଲୋକ ଅଛନ୍ତି ଯେଉଁମାନେ ହିନ୍ଦୁ ଥାଇ ହିନ୍ଦୁର ପ୍ରଥା ଓ କାର୍ଯ୍ୟକୁ ପସନ୍ଦ କରନ୍ତି ନାହିଁ । ସେମାନେ ଧରି ନିଅନ୍ତି ହିନ୍ଦୁ ଏକଦେଶଦର୍ଶୀ । ପ୍ରତ୍ୟେକ କଥା ଓ କାର୍ଯ୍ୟରେ ଅନ୍ଧାରପାଖ ଦେଖି ଅନ୍ୟ ଆଡ଼େ କଅଣ ଅଛି ଦେଖିବାକୁ ଚାହାନ୍ତି ନାହିଁ । ଯାହା ଦେଖନ୍ତି ତାହାର ଆମୂଳ-ପରିବର୍ତ୍ତନ ଚେଷ୍ଟା ଚଳାନ୍ତି । ଏମାନଙ୍କୁ ‘ବାବୁ’ ନାମ ଦିଖଯାଇପାରେ । ଏମାନେ ଅର୍ଦ୍ଧ ଶିଖିତ । ପାଶ୍ଚାତ୍ୟର ଚାଲି ଚଳନ ଏପରିକି ଦୁର୍ନୀତି ମଧ୍ୟ ଏମାନଙ୍କର ଲୋଭନୀୟ ବସ୍ତୁ । ଏମାନଙ୍କର ସଂଖ୍ୟା ମଧ୍ୟ କ୍ରମେ କମି ଯାଉଛି, ହେଲେହେଁ ଏବେ ମଧ୍ୟ ଏ ମନୋଭାବର ବିଲୟ ଘଟି ନାହିଁ । ତେବେ ଆଶା ଓ ଆଶ୍ୱାସନାର କଥା-ଭାରତର ପ୍ରାଚ୍ୟ ଓ ପାଶ୍ଚାତ୍ୟର ଅପୂର୍ବ ସମ୍ୱନୟ ଘଟିଛି । ଭାରତ ସଭ୍ୟତା ଏପରି ଏକ ଉଦାରଭାବାପନ୍ନ ଯେ ଏଠାକୁ ଯେ ଆସିଛି, ଆର୍ଯ୍ୟ ହେଉ, ଗ୍ରୀକ୍ ହେଉ, ମୁସଲମାନ ହେଉ, ବା ୟୁରୋପୀୟ ହେଉ ଆଦରରେ ଗୃହୀତ ହୋଇଛି, ଏ ସଭ୍ୟତା ଅନ୍ୟର ଉଦାର ଭାବକୁ ନିଜ ସଭ୍ୟତା ସହିତ ମିଳାଇ ପାରିଛି । ପୁରାତନରେ ନୂତନ ଓ ନୂତନରେ ପୁରାତନ ପ୍ରତିଷ୍ଠାରେହିଁ ଭାରତର ବୈଶିଷ୍ଟ୍ୟ ରହିଛି । ତାକୁ ବର୍ଦ୍ଧିଷ୍ଣୁ କରିବା ପ୍ରତ୍ୟେକ ଭାରତୀୟର କର୍ତ୍ତବ୍ୟ । ହିନ୍ଦୁର ପ୍ରତ୍ୟେକ କାର୍ଯ୍ୟର ଗୂଢ଼ାର୍ଥ ରହିଛି । ଦଶକର୍ମରେ ବ୍ରାହ୍ମଣର ବ୍ରତୋପନୟନର କଥା ଧରାଯାଉ । ଏଥିରେ ଅଛି ପୁଂସବନ, ଗର୍ଭାଧାନ, ଜନ୍ମକ୍ରିୟା, ନାମକରଣ, କର୍ଣ୍ଣବୋଧ, ଚୂଡ଼ାକରଣ, ବ୍ରହ୍ମଚର୍ଯ୍ୟ ଓ ଉପବୀତ ଗ୍ରହଣ । ସ୍ପଷ୍ଟ ଜଣାପଡ଼େ ଏସବୁ କାର୍ଯ୍ୟ ଉପଯୁକ୍ତ ଭିନ୍ନ ଭିନ୍ନ ସମୟରେ କରାଯାଉଥିଲା ଓ ତନ୍ନମିତ୍ତ ପୁରୋହିତ ଉପଯୁକ୍ତ ବାକ୍ୟୋଚ୍ଚାରଣ କରୁଥିଲେ । ଏବେ ମଧ୍ୟ ବିଷୟ କର୍ମଗ୍ରହଣ ମଧ୍ୟରେ ଯଥା କାଳରେ ଯଥାସାଧ୍ୟ କିଛି କିଛି କରାଯାଏ । କିନ୍ତୁ ପୁଅର ବ୍ରତ ପାଇଁ ବାପ ଏପରି ବିବ୍ରତ ଯେ ତାହା ବର୍ଣ୍ଣନା କରି ହେବ ନାହିଁ । ପ୍ରଥମେ ପୁରୋହିତ ବାପୁଡ଼ା ବର୍ଣ୍ଣଜ୍ଞାନ ସମ୍ବନିତ ହେଲେ ମଧ୍ୟ ସଂସ୍କୃତ ଭାଷାନଭିଜ୍ଞ, ଏପରିକି କୌଣସି ଏକ ମନ୍ତ୍ରର ‘ଅର୍ଥ’ ମଧ୍ୟ ଅନବଗତ । କିନ୍ତୁ ବର୍ଷ ବର୍ଷ ଧରି ପରିଶ୍ରମ କରି ଶ୍ଳୋକ ସବୁ ମୁଖସ୍ତ କରି ବ୍ରତବେଦିରେ ‘‘ଖରଃ ଯଥା ଚନ୍ଦନ ଭାରବାହୀ’’ ବୋଝ ନୁଆନ୍ତି କତିପୟ ମୁଦ୍ରା, ତଣ୍ଡୁଳ ଓ ଅନ୍ୟ ସାମଗ୍ରୀ ବିନିମୟରେ । ଏହାଙ୍କୁ ମନ୍ତ୍ରବିକ୍ରେତା କହିଲେ ଅତ୍ୟୁକ୍ତି ହେବ ନାହିଁ । ତା’ପରେ ବାପ କଥା ବିଚାର କରାଯାଉ । ବିଚାରା ସମାରୋହରେ ବ୍ରତ କରିବାକୁ ବର୍ଷ ବର୍ଷ ଧରି ଅୟାସ କରି କ୍ରୋଶ କ୍ରୋଶାନ୍ତରରୁ ଜ୍ଞାତ ବନ୍ଧୁ ସଂଗ୍ରହ କରନ୍ତି । ପୁଅର ମାମୁଁର ଅୟାସ ହେଲେ କମ୍ ? ଥାଳ ଧରିବେ । ଭିକ୍ଷାଣୀ ହେଉ ପଛକେ ଭାଗିନେୟର ବ୍ରତୋପନୟନ ପାଇଁ ଋଣଗ୍ରସ୍ତ ହୋଇ ମଧ୍ୟ ମାନ ସଂଭ୍ରମ ତାଙ୍କୁ ବଜାୟ ରଖିବାକୁ ହେବ । ତିନିଦିନ ମଧ୍ୟରେ ବିସ୍ତର ଅର୍ଥ ଶ୍ରାଦ୍ଧ କରି ଖାଦ୍ୟ, ପାନ, ପରିଧାନ, ବ୍ରାହ୍ମଣଭୋଜନ ଓ ସମ୍ଭବ ହେଲେ ନାଟ୍ୟ, ବାଦ୍ୟ ଓ ଗାନ ମଧ୍ୟରେ ଏହା ସମାରୋହରେ ସମ୍ପନ୍ନ କରିବାକୁ ହେବ । ବ୍ରତ ଶେଷ ବେଳକୁ ବିଚାରାର ଓଷ୍ଠଗତପ୍ରାଣ, ନିରକ୍ଷର ପୁରୋହିତ ଘର ପୂର୍ଣ୍ଣହେବ ଦ୍ରବ୍ୟ ଓ ସାମଗ୍ରୀରେ । ଏହି ପ୍ରକାରେ ବର୍ତ୍ତମାନ ବ୍ରାହ୍ମଣ ପୁତ୍ରର ବ୍ରତୋପନୟନରେ ବିଚାରା ବାଳକର ବ୍ରହ୍ମଚାର୍ଯ୍ୟ । ବ୍ରତର ଉଦ୍‌ଯାପନ କରାଯାଏ ଓ ରୋଷଣୀରୁ ବାଳକର ଗୃହ ପ୍ରତ୍ୟାବର୍ତ୍ତନ ପାଇଁ ବାଳକକୁ ମାମୁଁ କହନ୍ତି, ‘‘ତୋର ବାପ ତୋର ବିବାହ ନ କଲେ ତ ନାହିଁ, ମୁଁ ତୋର ବିବାହ କରିଦେବି । ତୁ ଯେତୋଟି କନ୍ୟା ଚାହିଁବୁ ତେତୋଟି କନ୍ୟା ସହିତ ।’’ ହାୟ । ଦ୍ୱାଦଶ ବର୍ଷରୁ କମ୍ ବାଳକ ଉପରେ ଏ କି ଅତ୍ୟାଚାର । ଅସମୟେ ଏ ବିବାହ ପ୍ରସଙ୍ଗରେ ପ୍ରତିକ୍ରିୟା ମହାଭୀଷଣ, ତା’ପରେ ଅନ୍ତ୍ୟେଷ୍ଟି କ୍ରିୟାର ଧରାଯାଉ । ଏ କାର୍ଯ୍ୟକୁ ବୋଝ ଉପରେ ନଳିତା ବିଡ଼ା ଛଡ଼ା ଆଉ କଣ କୁହାଯିବ ? ମୃତବ୍ୟକ୍ତି ଯଦି ପରିବାରର କର୍ତ୍ତାସ୍ଥାନୀୟ ତେବେ ତ ସର୍ବନାଶ । ଏକେ ତାଙ୍କର ଶୂନ୍ୟସ୍ଥାନ ଅପୂରଣୀୟ, ଆୟପନ୍ଥା ବନ୍ଦ, ତଦୂପରି ସେ ପରିବାର ପାଇଁ ଯାହା କିଛି କରିଯାଇଥିବ, ସେ ସବୁ ଉପରେ ପୁରୋହିତ ଓ ସମାଜର ଦାବୀ । ଅନ୍ତ୍ୟେଷ୍ଟିକ୍ରିୟାର କର୍ତ୍ତାଙ୍କୁ ୧୨ ଦିନ ପର୍ଯ୍ୟନ୍ତ ଯାହା ସବୁ କରିବାକୁ ପଡ଼େ, ସେ ସବୁ କରିବାର ଅର୍ଥ ଯଦି ତାକୁ ଜଣାଥାଆନ୍ତା, ତେବେ ଅନ୍ତତଃ ସେ ସବୁ ସହିବାକୁ ସମର୍ଥ ହୁଅନ୍ତା । ଏ ଦୀର୍ଘ କାଳ ସେହି ଅର୍ଥହୀନ ମନ୍ତ୍ରୋଚ୍ଚାରଣ ପୁରୋହିତ ଓ ଅନ୍ୟ ଲୋକଙ୍କ ମଧ୍ୟରେ ମୃତର ଅର୍ଥ ବଣ୍ଟନ । କାମ ଶେଷବେଳକୁ ଘର ଖାଲି ପଡ଼ିଥିବ । ପ୍ରାଣ ତ ଯାଇଥିଲା, ପରିବାର ଉତ୍ସନ୍ନ । ବିବାହ କାର୍ଯ୍ୟ ମଧ୍ୟ ଠିକ୍ ଏହିପରି । କ୍ଷଣିକ ଆମୋଦ ସକାଶେ ବର୍ଷ ବର୍ଷ ଧରି ଋଣଗ୍ରସ୍ତ ହୋଇ ରହିବାକୁ ପଡ଼େ । ଏ ତ ଗଲା ଏ ତ ପାଖର ଚିତ୍ର । ଅନ୍ୟ ଦିଗରେ ଦେଖିବେ ଏ ସବୁ କାର୍ଯ୍ୟର ଲକ୍ଷ୍ୟ ଅତି ମହତ, ଉଚ୍ଚାରିତ ମନ୍ତ୍ରର ଅର୍ଥ ମନୋମୁଗ୍ଧକର, ଅର୍ଥ ବୋଧଗମ୍ୟ ନ ହେଲେହେଁ ତହିଁର ଲୋଭ ଛାଡ଼ିବାର ନୁହେଁ । ଗଭୀର ଦୁଃଖର ବିଷୟ—ପ୍ରାକୃତିକ ଭାରତର ଅମୂଲ୍ୟ ସମ୍ପତ୍ତି ଭାରତୀୟ ସଂସ୍କୃତିର ମୂଳ ବୀଜ ସଂସ୍କୃତ ଭାଷା ଛାଡ଼ି ଆଜି ସ୍ୱାଧୀନ ଭାରତ ହିନ୍ଦିକୁ ରାଷ୍ଟ୍ରଭାଷା ରୂପେ ଗ୍ରହଣ କରୁଛି, ତେଣୁ ସଂସ୍କୃତ ଶିକ୍ଷା କରି ଉପରୋକ୍ତ ମନ୍ତ୍ରସବୁ ଗ୍ରହଣ କରିବାର ପଥରେ ପଥର ପଡ଼ିଛି । ତଥାପି ହତାଶ ହେବାର କାରଣ ନାହିଁ । ସଂସ୍କୃତ ଭାଷା ଏବେ ମଧ୍ୟ ବର୍ଣ୍ଣଜ୍ଞାନ ହେବାମାତ୍ରେ ସ୍ୱାଧୀନ ଭାରତୀୟର ଯେ ଭାବେ ମନ ଆକର୍ଷଣ କରି ପାରୁଛି ତାହା ଦିନେ ଯେ ରାଷ୍ଟ୍ରଭାଷା ହେବ, ସେ ବିଷୟରେ ସନ୍ଦେହ ନାହିଁ । ସଂସ୍କୃତରେ ଯେ ଅମୂଲ୍ୟ ରତ୍ନଚୟ ରହିଛି, ସେହି ଲୁପ୍ତ ରତ୍ନୋଦ୍ଧାର ଦେଶହିତୈଷୀ ପ୍ରତ୍ୟେକ ଭାରତୀୟର ପବିତ୍ର କର୍ତ୍ତବ୍ୟ । ବିବାହ, ବ୍ରତ, ଅନ୍ତ୍ୟେଷ୍ଟିକ୍ରିୟା ଛଡ଼ା ପର୍ବ ପର୍ବାଣୀ, ବ୍ରତ ଓଷା ଆଦି ଏତେ ଅନାବଶ୍ୟକ ଆଡ଼ମ୍ବର ସୃଷ୍ଟି ହୋଇଛି, ବର୍ଷର ୩୬୫ ଦିନରେ ଅନ୍ତତଃ ୩୦୦ ପର୍ବ ପର୍ବାଣୀ କରିବାକୁ ପଡ଼ୁଛି । ଏହି ପର୍ବ ପର୍ବାଣୀର ବହୁଳତା ଯୋଗୁଁ ସେ ସବୁରେ ବିଶ୍ୱାସହୀନତା, ଆସ୍ଥାଶୂନ୍ୟତା, ହୃଦୟହୀନତା ଏପରି ଛାଇଗଲାଣି ଯେ ପର୍ବ ପର୍ବାଣୀ ପାଳନର ଉଦ୍ଦେଶ୍ୟ ବ୍ୟର୍ଥ ହୋଇଛି, ରହିଛି କେବଳ ଶୁଷ୍କ କାଷ୍ଠ ପାଷାଣ ନାମ ମାତ୍ର । ଏହି ଶୁଷ୍କ କାର୍ଯ୍ୟ ସକାଶେ ହିନ୍ଦୁ ନା ବୈଷୟିକ ନା ଅଧ୍ୟାତ୍ମିକ ଭାବନିରତ ହୋଇ ପାରୁଛି । ଆଷାଢ଼ ମାସରେ ଗୁଣ୍ଡିଚା ବା ରଥଯାତ୍ରା କଥା ଧରାଯାଉ । ପୁରୀ ଜଗନ୍ନାଥ କ୍ଷେତ୍ର ଓ ମାହେଶୀ ଆଦି କେତେ ସ୍ଥାନ ଛାଡ଼ିଦେଲେ ଅନ୍ୟତ୍ର ଦେଖିବାକୁ ପାଉଁ, ଏ ବାଷ୍ପୀୟ ଓ ବୈଦ୍ୟୁତିକ ଜଳ ସ୍ଥଳ ଓ ଆକାଶଯାନ ଯୁଗରେ କାଷ୍ଠନିର୍ମିତ ବହୁ ଆୟାସଚଳିଷ୍ଣ ଏକ କିମ୍ଭୁତ କିମାକାର କାଷ୍ଠ ରଥର ନିର୍ମାଣ । କାଷ୍ଠନିର୍ମିତ ହାତ ଗୋଡ଼ ନଥିବା ଜଗନ୍ନାଥ ଆଦି ମୂର୍ତ୍ତି ତହିଁରେ ସ୍ଥାପନ ପୂର୍ବକ ତାହା ଟାଣିବାରେ ଅସଂଖ୍ୟ ଲୋକଙ୍କର ଅକଥନୀୟ ଆୟାସ । ଆଉ ଏହି ମହାର୍ହ ଦର୍ଶନ ସକାଶେ ଆବଶ୍ୟକତା ଥାଉ ନ ଥାଉ, ଅସଂଖ୍ୟ ନବ ବସ୍ତର ଅପଚୟ । ସର୍ବୋପରି ବର୍ଷକ ମଧ୍ୟରେ ଯେଉଁ ସବୁ ଜିନିଷ ବିକ୍ରି ନ ହୋଇ ପଡ଼ି ରହିଥିଲା, ଏପରି ଘିଅ, ତେଲ, ଗୁଡ଼, ପଚା ସଢ଼ା ପୋଖରା ଚାଉଳ, ଗହମ, ବିରି ମୁଗରେ ନାନା ଜିନିଷ ତୟାର କରି ଦେଶର ଆଶା ଭରସାର ସ୍ଥଳ ବାଳବାଳିକାଙ୍କ ସ୍ୱାସ୍ଥନାଶ-। ସଚରାଚର ଦେଖା ଯାଉଛି, ରଥଯାତ୍ରାଠାରୁ କଲେରାର ଆରମ୍ଭ ହୋଇ କେତେ ମହାପ୍ରାଣୀ ମରି, ପରିବାର ଓ ସମାଜ ଉତ୍ସନ୍ନ ହେଉଛନ୍ତି । ହୋଲି ବେଳେ ଅବିର ଓ ଅନ୍ୟ ସେପରି ରଙ୍ଗର ଅପବ୍ୟୟ କଥା ବି ଲେଖିଲେ ଚଳିବ । ଭାଗବତରେ ଭଗବାନ କହନ୍ତି–

 

ଶ୍ରଦ୍ଧା ନ ଥାଇ ଅନ୍ତର୍ଗତେ,

ମୁଁ ତାହା ଛୁଇଁବି କେମନ୍ତେ ।

 

ରାମନବମୀ ଓ କୃଷ୍ଣାଷ୍ଣମୀ ଆଦି କେତେକ ଶ୍ରାଦ୍ଧ ଦିବସ ଯଥାବିଧି ପାଳନରେ କାହାରି ହେଲେ ଆପତ୍ତି କରିବାର ନାହିଁ । ଏ ସବୁର ଉଦ୍ଦେଶ୍ୟ ସ୍ମୃତିପୂଜା । ଯେ ଦେଶ ସ୍ମୃତିପୂଜା ଶିଖି ନାହିଁ, ସେ ଦେଶର ଉନ୍ନତି ନାହିଁ । ଆଉ ଉପବାସ ତ ସବୁ ଧର୍ମରେ ରହିଛି । ଉପବାସ ଧର୍ମସମ୍ମତ ମାନସିକ ଏକତା, ମାନସିକ ଓ ଶରୀରିକ ବିଶ୍ରାମ ସକାଶେ । ଉପବାସ ସ୍ୱାସ୍ଥ୍ୟସମ୍ମତ । ‘ଶରୀର ମାଦ୍ୟଂ, ଖଳୁ ଧର୍ମ ସାଧନମ୍‌।’

 

ଶରୀର ଉପରେ ଆମେ ଯେ ଚିରନ୍ତନ ଅତ୍ୟାଚାର କରୁଥାଇଁ ଅର୍ଥାତ୍‌ ଅଖାଦ୍ୟଭୋଜନ ଅତିଭୋଜନ ଅନାବଶ୍ୟକ । ଭୋଜନରୁ ଦେହକୁ ରକ୍ଷା କରିବାକୁ ଓ ବିଶ୍ରାମ ଦେବାକୁ ଓ ପଥ୍ୟ ପରିବର୍ତ୍ତନ ପାଇଁ ଉପବାସ ନିତାନ୍ତ ଆବଶ୍ୟକ । ନିର୍ଜ୍ଜଳ ଉପବାସ କଷ୍ଟକର ହେଲେ ମଧ୍ୟ କର୍ତ୍ତବ୍ୟ । ଯଦି ତାହା ପାରିହେବ ନାହିଁ, ସାମାନ୍ୟ ପରିମାଣ ପଥ୍ୟ ଗ୍ରହଣ କରାଯାଇପାରେ । ସେ ଯାହା ହେଉ, ମାସକୁ ଥରେ ବା ଦୁଇଥର ବାହ୍ୟାଡ଼ମ୍ବରଶୂନ୍ୟ ହୋଇ ବ୍ରତ ଓ ନିୟମ ହୃଦୟ ସହିତ ପାଳନୀୟ । ବାହ୍ୟାଡ଼ମ୍ବରପୂର୍ଣ୍ଣ ତଦତିରିକ୍ତ ବ୍ରତ ନିୟମ ସମାଜର କ୍ଷତିକାରକ । ଖ୍ରୀଷ୍ଟିଆନ୍‌ ରବିବାର ଦିନ, ମୁସଲମାନ ଶୁକ୍ରବାର ଦିନ ଉପାସନା କରନ୍ତ । ହିନ୍ଦୁ ପାଇଁ ଉପାସନାର ନିର୍ଦ୍ଧିଷ୍ଟ ସମୟ ନାହିଁ କାରଣ ହିନ୍ଦୁର ଉପାସନା ପ୍ରତି କାର୍ଯ୍ୟରେ ପ୍ରତି ମୁହୂର୍ତ୍ତରେ । ହିନ୍ଦୁର ଉପାସନା ପ୍ରଣାଳୀ ପରି ସୁନ୍ଦର ଉଦ୍ଭାବନ ଆଉ ନାହିଁ । ହିନ୍ଦୁ ପ୍ରତି ମୁହୂର୍ତ୍ତରେ ପ୍ରତି କାର୍ଯ୍ୟରେ ଭଗବାନଙ୍କୁ ସମୀକ୍ଷଣ କରେ । ହିନ୍ଦୁର ପୂଜାବିଧି ମଧ୍ୟ ଅତି ସରଳ । ସୂର୍ଯ୍ୟାର୍ଘ୍ୟ ପ୍ରଦାନ କଥା ଧରି ନିଆଯାଉ । ସ୍ନାନ ଦ୍ୱାରା ପୂତ ଶାନ୍ତ ଶରୀରରେ ହିନ୍ଦୁ ସୂର୍ଯ୍ୟଙ୍କୁ ତିନି ଆଞ୍ଜୁଳି ଜଳ ପ୍ରଦାନ କରେ । ବାହାରୁ ଦେଖିବା ଲୋକ ମନେ କରେ, ମୂର୍ଖ ପାଣି ଖେଳୁଛି । ବସ୍ତୁତଃ ଯେ ହିନ୍ଦୁ ତାହାର ଅର୍ଥ ନ ବୁଝେ, ସେ ଖେଳୁଛି ବୋଲି ମନେକରି ତାହା କରେ । ତାହାର ଅର୍ଥ ଯେ ବୁଝିଛି ସେ କିନ୍ତୁ ଏହି ସାମାନ୍ୟ କାର୍ଯ୍ୟରେ ମଧ୍ୟ ବିମୁଗ୍‌ଧଭକ୍ତି ଓ କୃତଜ୍ଞତା ତଦ୍‌ଗତ ହୁଏ ।

 

ଅର୍ଥ ଏହି–‘‘ହେ ଭଗବାନ ସୂର୍ଯ୍ୟ, ତୁମର ଏକ ରୂପ । ସୂର୍ଯ୍ୟ ରୂପେ ତୁମେ ଜଳକ୍ରୀଡ଼ା କରି ଦୁନିଆଁ ବଞ୍ଚାଉଛ । ଜଳକୁ ଶୁଖାଇ କେତେବେଳେ ଆକାଶକୁ ନେଉଛ, ଯଥା ସମୟରେ ବର୍ଷା କରି ପୃଥିବୀକି ଶସ୍ୟଶ୍ୟାମଳା କରୁଛ । ତୁମରି ଅନୁଗ୍ରହରୁ ଆଜି ଏହି ସ୍ଥାନରେ ଏ ଜଳ ପାଇ ଏହି ଯେ ସ୍ନାନ କଲି ତାଦ୍ୱାରା ମୋର ଶରୀର ପବିତ୍ର, ମନ ଉଚ୍ଚାଟ ଓ ଶାନ୍ତ ହେଲା । ମୁଁ ଯେ ସ୍ନାନ ଦ୍ୱାରା ଏ ଆରାମ ପାଇଲି ତା ପାଇଁ କୃତଜ୍ଞତାରେ ମୋର ଛାତି ଫୁଲି ଉଠୁଛି । ମୁଁ ଅକିଞ୍ଚନ, ତହିଁର ପ୍ରତିଦାନ ମୋର ସାଧ୍ୟର ବାହାରେ । ଅତଏବ ତୋର ସୃଷ୍ଟି ଏ ଜଳରେ ମୋର କୃତଜ୍ଞତା ଜ୍ଞାପନ କରୁଛି । ଅକିଞ୍ଚନର ଏ ଜଳ ଗ୍ରହଣ କର ।’’ ସଂସ୍କୃତ ଶ୍ଳୋକ ଯାହା ଥାଉ, ଏହାହିଁ ସୂର୍ଯ୍ୟାର୍ଘ୍ୟ ପ୍ରଦାନର ଅର୍ଥ ଓ ଏହା ଅତି ମହତ୍‌ । ଖାଲି ଯେ ବ୍ରାହ୍ମଣ ଏହା କରିବ ତାହା ନୁହେଁ, ପ୍ରତ୍ୟେକ ହିନ୍ଦୁର ଏହି ଯେ ଉପାସନା ପ୍ରଣାଳୀ ତାହା ଅତି ମହତ୍‌, ଏହାର କ୍ରମବିକାଶ ବେଳକୁ ହିନ୍ଦୁ ଏହାର ମର୍ମ ଭୁଲିଲା । ମର୍ମ ଭୁଲିବା ସଙ୍ଗେ ସଙ୍ଗେ ବାହ୍ୟାଡ଼ମ୍ବର ଏଥିରେ ପ୍ରବେଶ କଲା । ପୁଣି ବାହ୍ୟାଡ଼ମ୍ବର ବିକାଶ ସଙ୍ଗେ ସଙ୍ଗେ ପର୍ବ ପର୍ବାଣୀର ସଂଖ୍ୟା ବଢ଼ିଲା । ସଂଖ୍ୟା ବଢ଼ିବାର ସଙ୍ଗେ ସଙ୍ଗେ ଉପାସନାର ଗୁରୁତ୍ୱ କମିଲା । ଶେଷରେ ପ୍ରତ୍ୟେକରେ ରହିଲା ହୃଦୟହୀନତା, ଶେଷରେ ଆସ୍ଥାଶୂନ୍ୟତା ଓ ଶ୍ରଦ୍ଧାବିହୀନତା ଆଜି ଉପାସନାର ସ୍ଥାନ ଗ୍ରହଣ କରିଛି । ଆଜି ହିନ୍ଦୁ କଳ ପୁତ୍ତଳିକା ପରି ଗତାନୁଗତକ ଭାବେ ବ୍ରତ ବିବାହ ଅନ୍ତ୍ୟେଷ୍ଟିକ୍ରିୟା କରୁଛି, ଲାଭ କଥା ଦୂରେ ଥାଉ ତଦ୍ଦ୍ୱାରା ଉତ୍ସନ୍ନ ହେଉଛି । ପରାଧୀନ ଥିବାବେଳେ ଅସହାୟ ହୋଇ ପଡ଼ିଥିଲା । ସ୍ୱାଧୀନତା ଲାଭ କରି ଆଜି ଏ ସବୁରେ ଯଦି ଯୁଗାନ୍ତର ନ ଆସେ ତେବେ ତାର ସ୍ୱାଧୀନତା ସଂଗ୍ରାମ ବିଫଳ ହୋଇଛି ବୋଲି ମନେ କରିବାକୁ ହେବ ।

 

ଯେଉଁ କାର୍ଯ୍ୟ ସବୁରେ ଭାରତୀୟର ଅସ୍ଥା ନାହିଁ ହୁଏ ତ ତାହା ଛାଡ଼ିବାକୁ ହେବ ନତୁବା ଆସ୍ଥା ସ୍ଥାପନ କରିବାକୁ ହେବ । ବ୍ରତୋପନୟନ କର୍ମସବୁ ବିନା ପୁରୋହିତରେ ଭିନ୍ନ ୨ ଓ ଉପଯୁକ୍ତ ସମୟରେ ବ୍ରାହ୍ମଣ କାହିଁକି ସମସ୍ତଙ୍କୁ କରିବାକୁ ହେବ । ବିବାହାଦିରେ ଖର୍ଚ୍ଚକୁ ‘ଶୂନ୍ୟ’ କରିବାକୁ ହେବ । ଅନ୍ତ୍ୟେଷ୍ଟିକ୍ରିୟାରେ ଶୁଦ୍ଧି ଓ ଶ୍ରଦ୍ଧା କାର୍ଯ୍ୟ ଛଡ଼ା ବାକୀ ସବୁ ବାହ୍ୟାଡ଼ମ୍ବର ଓ ଅନର୍ଥକ ଖର୍ଚ୍ଚ ଲୋକ କରିବାକୁ ହେବ । ସ୍ମୃତିପୂଜା ଓ ଭଗବଦ୍‌ଭକ୍ତି ସକାଶେ ଯେତିକି ଦରକାର ସେତିକି ପର୍ବ ପର୍ବାଣୀ ରଖି ବାକୀ ସବୁ ଲୋପ କରିବାକୁ ହେବ । ଧର୍ମସମ୍ମତ ଓ ସ୍ୱାସ୍ଥ୍ୟସମ୍ମତ ଉପବାସ ନିୟମିତ ପାଳନ କରିବାକୁ ହେବ । ଅସବର୍ଣ୍ଣ ତଥା ପ୍ରେମ ବିବାହ ଚଳାଇବାକୁ ହେବ । ବିବାହ ବଂଶରକ୍ଷା ସକାଶେ, ପ୍ରେମ ସ୍ୱର୍ଗୀୟ, କାମ ନାରକୀୟ, ଏ ମହାଭାବ ହୃଦୟରେ ନ ଆସିବା ପର୍ଯ୍ୟନ୍ତ ବିବାହ ନିଷେଧ କରାଯିବ । ବିବାହ ବିଚ୍ଛେଦ ମହାପାପକୁ ଦେଶରୁ ଦୂର କରିବାକୁ ହେବ । କଳୌ ପାରାଶରୀ-ନିଷ୍ଟେ ମୃତେ । ପ୍ରବର୍ଜିତେ କ୍ଳୀବେଚ ପତିତେ ପତୌ-କ୍ଷେତ୍ରରେ ପୁନର୍ବିବାହ ପ୍ରଚଳନ କରାଯିବ । କାମପରାୟଣକୁ କଠୋର ଦଣ୍ଡ ଦେବାକୁ ହେବ । ବାଲ୍ୟବିବାହ ବା ବୃଦ୍ଧ ବିବାହ ଆଇନରେ ବନ୍ଦ କରିବାକୁ ହେବ । ଶେଷରେ ଭାରତୀୟ ବିବାହ ପଦ୍ଧତି ଓ କଟକଣାକୁ ପୃଥିବୀ ବିଖ୍ୟାତ କରିବାକୁ ପଡ଼ିବ । ମାନବିକତା ଈଶ୍ୱର ସୃଷ୍ଟିର ସାର ଓ ଶ୍ରେଷ୍ଠ ଉଦ୍‌ଭାବନ, ସହଜସାଧ୍ୟ ବା ସହଜଲଭ୍ୟ ନୁହେଁ । ଅତି କଠିନ ପୁଣି ଅତି ଲୋଭନୀୟ । ତେଣୁ ଅତି ଲୋଭନୀୟ-। ତେଣୁ କବି ଗାଇଛନ୍ତି :–

 

‘‘ମାନବ ଜୀବନ ନୁହେଁ ନିଶାର ସ୍ୱପନ,

ସେ ତ ଏକ ଅତି ଦୀର୍ଘ କର୍ତ୍ତବ୍ୟ ପାଳନ ।’’

Image

 

 

 

 

 

 

 

 

 

 

 

 

ମାନବିକତା

(ଦ୍ୱିତୀୟ ଭାଗ)

 

ଦ୍ୱିତୀୟ ଭାଗ ପାଇଁ ପଦେ ଅଧେ

 

ସ୍ୱାଧୀନତା ଲାଭ ପରେ ଏ ଲେଖା ସ୍ୱାଧୀନ ମନୋଭାବର ପରିଷ୍ଫୁଟ ପାଇଁ । ପ୍ରଥମ ଭାଗର ଉପକ୍ରମ ଲେଖିବାବେଳେ, ତାର ସଂକଳନରେ ଏତେ ବାଧା ବିଘ୍ନ ପଡ଼ିବ ବୋଲି ଜାଣି ନଥିଲି ।

 

ମାତ୍ର ବିଳମ୍ବ ହେତୁ ଉପକୃତ ହୋଇଛି, କାହିଁକି, ଲେଖିବାର ମୋହରେ ଓ କର୍ତ୍ତବ୍ୟର ଅନୁରୋଧରେ, ପ୍ରକୃତ ତୃଟି ସକାଶେ ହେଉ ବା ମୋର ଭ୍ରମ ବିଶ୍ୱାସ ଯୋଗ ହେଉ, ସଂଶୋଧନ ଆଶାରେ ଓ ସରଳ ବିଶ୍ୱାସରେ କେତେକ ଅନୁଷ୍ଠାନ ଓ ବନ୍ଧୁଙ୍କ ବିରୁଦ୍ଧରେ ଉଭୟ ଭାଗରେ କେତେ କଥା, କେତେ ଅପ୍ରିୟ ସତ୍ୟ ଲେଖି ପକାଇଛି । ସେଥିପାଇଁ ଏ ସୁବିଧା ନେଇ ସେମାନଙ୍କ ଠାରୁ କ୍ଷମାଭିକ୍ଷା କରୁଛି । ଆଉ ଗୋଟିଏ ଆସ୍ପର୍ଦ୍ଧାର କାର୍ଯ୍ୟ କରିଛି–ଲେଖାର ଭାଷା ଓ ଭାବ ଠିକ୍‌ ଅଛି ନା ନାହିଁ, ସେ ବିଷୟରେ କାହାରି ମତର ଅପେକ୍ଷା କରିନାହିଁ । ତାହା ଠିକ୍‌ ହୋଇଛି ନା ଠିକ୍‌ ହୋଇନାହିଁ ମୁଁ ନିଜେ କହି ପାରୁନାହିଁ । ମାଦୃଶ ଅଳ୍ପଧୀଃ ପକ୍ଷେ ଏହା ନିଶ୍ଚୟ ଆସ୍ପର୍ଦ୍ଧାର ବିଷୟ, ସେଥିପାଇଁ ସମସ୍ତଙ୍କଠାରେ ନତି କରୁଛି ଏବଂ ଅନୁନୟ କରୁଛି, ଯେଉଁଠାରେ ପାଠକ ମୋ ସହିତ ଏକମତ ନୁହନ୍ତି, ସେଠାରେ ସେ ମୋର ମତ ଭୁଲ୍‍ ଥିବାର ଧରି ନେଇ, ଭଲ ହେଉ ବା ଭୁଲ୍‍ ହେଉ, ସେ ଭଲ ବା ଭୁଲ୍‍ କରିବାର ଅଧିକାର ମୋତେ ଦେବେ ।

 

ଶେଷରେ ଏ ଜିଲ୍ଲାର ଗୌରବ ମୋର ଜ୍ୟେଷ୍ଠ ଭାଇପ୍ରତିମ ଉତ୍କଳ ବିଶ୍ୱବିଦ୍ୟାଳୟର ବର୍ତ୍ତମାନ ଅଧିନାୟକ ଡା: ଶ୍ରୀ ପର୍ଶୁରାମ ମିଶ୍ରଙ୍କର ହାତରେ, ପୁତ୍ର କନ୍ୟା-ପ୍ରତିମ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏ ଅର୍ବାଚିନ ଲେଖା ସନ୍ତାନବତ୍ସଳତାର ଚିହ୍ନ ସଦୃଶ ଅର୍ପଣ କଲି । ଗ୍ରହଣ ବା ପ୍ରତ୍ୟାଖ୍ୟାନ ସେମାନଙ୍କର ମରଜି । ଲେଖିବା ପାଇଁ ନିନ୍ଦା ବା ସ୍ମୃତିର ଅପେକ୍ଷା ବା ଉପେକ୍ଷା ମୋ ନାହିଁ । ଇତି ।

 

ଗୋକୁଳାନନ୍ଦ ନାୟକ

Image

 

ପ୍ରଥମ ପରିଚ୍ଛେଦ

(Civic Right)

ମାନବିକ ଅଧିକାର ବା ନାଗରୀକତା

 

ମନୁଷ୍ୟ ସାମାଜିକ ଜୀବ । ଜୀବ କହିଲେ ଯାହାର ଜୀବନ ଅଛି ବୁଝୁଁ । ପଶୁ ପକ୍ଷୀ କୀଟ ପତଙ୍ଗାଦି, ଉଦ୍ଭିଦ ଏବଂ କେତେକଙ୍କ ମତରେ ପ୍ରସ୍ତରାଦି ଅନେକ ଜାଗତିକ ବସ୍ତୁର ଜୀବନ ଅଛି । ମାତ୍ର ଜୀବନ ଅଛି-ଏ ବୋଧ ସମସ୍ତଙ୍କର ନାହିଁ । ମନୁଷ୍ୟର ତାହା ଅଛି । ଅବସ୍ଥା ବିଶେଷରେ ମନୁଷ୍ୟର ମଧ୍ୟ ଏ ବୋଧ ନ ଥାଏ ଯେପରି ଜନ୍ମରୁ ସାଧାରଣତଃ ଏକ ଦୁଇ ବର୍ଷ ପର୍ଯ୍ୟନ୍ତ, ପାଗଳର, ଅତ୍ୟଧିକ ମାଦକସେବୀର, କ୍ରୋଧପରବଶର । ଚେତନା ବିଲୋପ ବେଳେ ରୁଗ୍‍ଣର, କାମୁକର, ନିଦ୍ରିତର, ଅତିମାନବ ଛଡ଼ା ମୃତ୍ୟୁବେଳେ ଅନ୍ୟର, ସେତେବେଳେ ମନୁଷ୍ୟ ମଧ୍ୟ କୀଟ ପତଙ୍ଗାଦି ସଙ୍ଗେ ସମାନ ହୁଏ । ଏ ବୋଧପାଇଁ ମନୁଷ୍ୟ ମନୁଷ୍ୟ । ତଥାପି ଏ ବୋଧକ୍ରମକୁ ନାଗରୀକତା ବୋଲି କହି ହେବ ନାହିଁ । ଏ ବୋଧର ଉତ୍କର୍ଷତା ନାଗରୀକ ଅଧିକାର ଅଟେ । ପାଣି, ପବନ, ଆଲୋକ, ଆକାଶ ଓ ମାଟି, ଜୀବଲୋକର ଅବସ୍ଥାନର ଆଧାର । ସୃଷ୍ଟିରକ୍ଷା ସକାଶେ, ବିଶ୍ୱ ବିଧାତାଙ୍କର ଏହା ଅପୂର୍ବ ଦାନ । ଏ ଦାନରେ ଜୀବ ମାତ୍ରର ଆଜନ୍ମ ଅଧିକାର ରହିଛି । ଏ ଅଧିକାର ପୁଣି ରବର ପରି, ସଂକୋଚନ ଓ ପ୍ରସାରଣପ୍ରବଣ, ଜୀବର ଅଧିକାର ଜ୍ଞାନ ଓ ତାହା ହାସଲ କରି ଜାଣିବା ଅନୁପାତରେ । ‘ରାଜତନ୍ତ୍ର’ରେ ଏହା ରାଜାଙ୍କଠାରେ କେନ୍ଦ୍ରୀଭୂତ, ପ୍ରଜାତନ୍ତ୍ର ବା ଗଣତନ୍ତ୍ରରେ ଏହାର ବିକେନ୍ଦ୍ରୀକରଣ । ରାଜତନ୍ତ୍ର ହେଉ ବା ଗଣତନ୍ତ୍ର ହେଉ, ଲୋକ ସମାଜର ମଙ୍ଗଳ ଉଭୟ ତନ୍ତ୍ରର ଉଦ୍ଦିଷ୍ଟ ବସ୍ତୁ ।

 

ରାଜତନ୍ତ୍ର ଶ୍ରେଷ୍ଠ ନା ଗଣତନ୍ତ୍ର ଶ୍ରେଷ୍ଠ ଏ ନିର୍ଦ୍ଧାରଣ, ନିର୍ଦ୍ଧାରକର ପକ୍ଷପାତିତାସାପେକ୍ଷ, ତାର ମନର ଗତି ଓ ଅବସ୍ଥା ଅନୁସାରେ । ଭାରତର ପୂର୍ବତନ ରାଜତନ୍ତ୍ରକୁ ଅନେକ ସ୍ଥୂଳରେ ନିନ୍ଦା କରିବାର ନୁହେଁ । ଆଜି ପାଟଣା ଜିଲ୍ଲାବାସୀଙ୍କ ଅଭିଜ୍ଞତା ଏହାର ଜ୍ୱଳନ୍ତ ନିଦର୍ଶନ । ନିକଟ ଭୂତକାଳରେ ଦେଖା ଯାଇଛି କେତେ ରାଜା ମହାରାଜାଙ୍କର ଶାସନ, ଅଦ୍ୱିତୀୟ କୂଟରାଜନୀତିଙ୍କ ବ୍ରିଟିସ୍‌ ଶାସନପେକ୍ଷା ଲୋକକଲ୍ୟାଣ ଦିଗରେ ଉତ୍କୃଷ୍ଟ ଥିଲା । ଏହାମଧ୍ୟ କୁହା ଯାଇପାରେ ଆଜିର ଭାରତର ପ୍ରାରମ୍ଭିକ ଗଣତନ୍ତ୍ର ଶାସନ ଯେ କୌଣସି ରାଜତନ୍ତ୍ର ଅପେକ୍ଷା ନିକୃଷ୍ଟ ଅଟେ, ଏହାର ମୂଳରେ ରହିଛି ଶାସକକର୍ତ୍ତୃକ ଶାସିତର ନାଗରୀକ ଅଧିକାର କ୍ଷୁଣ୍ଣକରଣର ପ୍ରଚେଷ୍ଟା ଓ ଆତ୍ମମ୍ଭରିତା ଏବଂ ତଦୁପରି ରହିଛି ‘ଭାରତୀୟ’ ଏବେ ମଧ୍ୟ ଉପଯୁକ୍ତ ନାଗରୀକ ହୋଇ ନାହିଁ । ନାଗରୀକ ଅଧିକାର ସଂକ୍ଷେପରେ ‘‘Fellow Feeling’’ ଭାତୃ ସୌହାର୍ଦ୍ଦ୍ୟ ଛଡ଼ା ଆଉ କିଛି ନୁହେଁ ଓ ‘ପରୋପକାର’ ତହିଁର ମୂଳ ଗାୟତ୍ରୀ । ଏକ ପରିବାରର ନିବାସକୁ ଘର କହୁ । କତିମୟ ପରିବାରର ନିବାସ ଗ୍ରାମ ଓ ତତ୍‌ବାହୁଲ୍ୟ ନଗର ଅଟେ । ଏ ମୂଳ ଗାୟତ୍ରୀ ବ୍ୟତିରେକେ ଗ୍ରାମ ବା ନଗରର ଅବସ୍ଥାନ ଅସମ୍ଭବ । ଇତିହାସ ତହିଁର ଚିର ସାକ୍ଷୀ । ତେବେ ଯଦ୍ୱାରା ଅନ୍ୟର ମନକଷ୍ଟ ହେବ ତହିଁର ଏକାନ୍ତ ପରିହାର ଏ ମୂଳ ଗାୟତ୍ରୀର ଉପଯୁକ୍ତି ‘ଜପ’ । ଆହୁରି ଟିକିଏ ତଳେଇ ଦେଖିଲେ ଦେଖିବା ଲୋକାଳୟ, ଗ୍ରାମ ବା ନଗର କାହିଁକି ? ପରସ୍ପର ସାହାଯ୍ୟକୃତ ସନ୍ଧି ଲୋକାଳୟର ଅଗ୍ରବର୍ତ୍ତୀ ଉହ୍ୟ ବନ୍ଧନ । ଅନ୍ୟର ମନଃକଷ୍ଟ ଏହାର ବିପରୀତ । ଏହାକୁ କିଞ୍ଚିତ୍ ସ୍ପଷ୍ଟ କରୁଁ । ୧୦।୧୫ ଜଣ କୌଣସି ଯାନରେ ବସି ଯାଉଥାଉଁ । ଜଣେ ବିଡ଼ି ଖାଇବାକୁ ଆରମ୍ଭ କଲେ-। ପନ୍ଦର ଜଣ ମଧ୍ୟରେ ଜଣେ ମଧ୍ୟ ଯଦି ବିଡ଼ି ନ ଖାଇବା ଲୋକ ଥାଆନ୍ତି, ଧୂଆଁ ପାଇଁ ହେଉ ବା ଦୁର୍ଗନ୍ଧ ଯୋଗୁ ହେଉ ତାଙ୍କର ମନଃକଷ୍ଟ ହେଲା । ଭଦ୍ରତା ଖାତରିରେ ସେ ତାହା ପ୍ରକାଶ ନ କଲେ ମଧ୍ୟ ତାଙ୍କର ନାଗରୀକ ଅଧିକାର କ୍ଷୁଣ୍ଣ ହେଲା । ସେ ଅଧିକାର ଅନ୍ୟର ନାହିଁ । ପକ୍ଷାନ୍ତରେ ବିଡ଼ି ଖାଇବା ଲୋକର ବିଡ଼ି ଖାଇବାର ଅଧିକାର ରହିଛି ଯାନରେ ବସିଥିବା ବେଳେ ମଧ୍ୟ । ସେ ଯଦି ଅଭ୍ୟାସର ଏକାନ୍ତ ବଶବର୍ତ୍ତୀ, (ତାହା ମନୁଷ୍ୟପଣିଆ ନୁହେଁ) ଅନ୍ୟର ନାଗରୀକ ଅଧିକାର କ୍ଷୁଣ୍ଣ କରିବାକୁ ସେ ଯାନରେ ବସିଥିବାତକ ଅନ୍ତତଃ ବିଡ଼ି ଖାଇବା ତାଙ୍କର ଉଚିତ୍ ନୁହେଁ-। ସେ ବିଡ଼ି ଖାଇବାର ସ୍ଥାନ ଓ ସମୟ ଅନ୍ୟତ୍ର ବାରି ନେବେ । ଏହାହିଁ ଷୋଳପଣ ନାଗରିକତା । ଆଉ ଥୁକିବା, ଖଙ୍କାରିବା, ପ୍ରସ୍ରାବ କରିବା ଓ ହଗିବା ଅନ୍ୟର ଦେଖିବା ସ୍ଥାନ ଓ ସମୟରେ କରାଗଲେ ମନୁଷ୍ୟ ମାତ୍ରର ବିରକ୍ତି ଉଦ୍ରେକ କରେ । ବିରକ୍ତି, କଷ୍ଟର ରୂପାନ୍ତର, ତଦୁପରି କ୍ରୋଧ ଏହାର ବିଶେଷତ୍ୱ । ସୁସ୍ଥ ଓ ନିରୋଗ ମନୁଷ୍ୟର ଥୁକ, ଖଙ୍କାର, ମଳ ଓ ମୂତ୍ର ଯଦି ଏତେ ବିରକ୍ତିକର, ରୁଗ୍‌ଣର ତାହା ଯେ ମାରାତ୍ମକ ତହିଁରେ ସନ୍ଦେହ ନାହିଁ । ଆଉ ଯକ୍ଷ୍ମା, ବିସୂଚିକା, କ୍ଷୟକାଶ, ବସନ୍ତ ଓ କୁଷ୍ଠ ଆଦି ରୋଗଚୟ ଆଜି ଯେ ଭାରତରେ ଘର କରି ରହିଲେଣି, ଆମେ ଭାରତୀୟଗଣ ଥୁକିବା, ଖଙ୍କାରିବା ଓ ମଳ ମୂତ୍ର ତ୍ୟାଗ କରିବା ଏ ପର୍ଯ୍ୟନ୍ତ ଶିଖିଲୁ ନାହିଁ ବୋଲି । ଆମ ଏଠାରେ ଲୋକେ ଜଳାଶୟରେ ବା ତନ୍ନିକଟରେ ମଳ ମୂତ୍ର ତ୍ୟାଗ କାହିଁକି ପାଣିରେ ଥୁକିବା, ଖଙ୍କାରିବା ଓ ଜିହ୍ୱା କ୍ଳେଦ ନିଷ୍କାସନ କରିବା ତଥା ଅନ୍ୟ ସ୍ତ୍ରୀ ବା ପୁରୁଷର ସ୍ନାନ ବେଳେ ପାଣିରେ ଶୌଚ କରିବାର ଦେଖିଲେ ମର୍ମାହତ ହେବାକୁ ହୁଏ ଓ ଦେଶର ଭବିଷ୍ୟତ ସମ୍ବନ୍ଧେ ସନ୍ଦିହାନ ହେବାକୁ ପଡ଼େ । ଏହା ମଧ୍ୟ ଦେଖିବାକୁ ମିଳେ ଆଠ ଦଶ ଜଣ ମହିଳା ମଇଲା ପରେ ଗାଧୋଇବା ସ୍ଥାନରେ ଅନ୍ୟର ଦୃଷ୍ଟିପଥ ୨/୩ ଜଣ ରୁଦ୍ଧ କରି ଛିଡ଼ା ହୋଇ ଯାଆନ୍ତି ଓ ବାକୀମାନେ ଶୌଚକାର୍ଯ୍ୟ କରି ନିଅନ୍ତି । ପାଳିକ୍ରମେ ସ୍ଥାନ ବିନିମୟ କରାଯାଏ, ପୁରୁଷମାନେ ତହୁଁ ଅଧିକ । ଲାଜ ସରମ ଚୁହ୍ଳାକୁ ଦେଇ ନିର୍ବିକାର ଭାବରେ ଏହା କରୁଥିବାର ଦୃଶ୍ୟ ସର୍ବତ୍ର ବହୁଳ । ବିରାଡ଼ି ଓ କୁକୁର ମଧ୍ୟ ଏ ଦିଗରେ ଏମାନଙ୍କଠାରୁ ଶ୍ରେଷ୍ଠ ଅଟନ୍ତି । ଏ ଜିଲ୍ଲାର ସ୍ତ୍ରୀମାନେ ସଚରାଚର ଶିକ୍ଷିତା ନ ହେଲେହେଁ ସେମାନେ ପରିଶ୍ରମୀ, ଘର କରଣାରେ ଧୁରନ୍ଧର, ରନ୍ଧନପ୍ରବୀଣା, ସଫା ସୁତୁରା ଓ ଓଜସ୍ୱିନୀ ଅଟନ୍ତି । ମାତ୍ର ଗୋଟିଏ ବିଷୟରେ ସେମାନେ ସଚରାଚର ଅନ୍ୟର ବିରକ୍ତିଭାଜନ ହୁଅନ୍ତି-। ବସ୍ତ୍ର, ଲଜ୍ଜା ନିବାରଣ ପାଇଁ ଲଜ୍ଜା ରମଣୀର ଭୂଷଣ । ସମ୍ବଲପୁରୀ ଶାଢ଼ି ଆଜି ଦେଶ ବିଦେଶରେ ଦୃଢ଼ । କିନ୍ତୁ ସେମାନଙ୍କର ପରିଧାନ ପ୍ରଣାଳୀ ଯାହା–ତାହା ଦେଖିଲେ ମନେ ହୁଏ ଏମାନେ ଲୁଗାପିନ୍ଧି ପ୍ରକାଶ୍ୟ ଅଙ୍ଗ ଗୋପନ କରି ଅପକାଶ୍ୟ ଅଙ୍ଗ ପ୍ରକାଶ କରନ୍ତି ମାତ୍ର । (ମାଫ୍‌ କରିବେ ଲେଖକ ପ୍ରାୟ ବୃଦ୍ଧ । ଊର୍ଦ୍ଧ୍ୱପଞ୍ଚାଶତ ବର୍ଷ ବୟଃକ୍ରମ–ଲେଖିବାକୁ ତାର ଲଜ୍ଜା ନାହିଁ) । ସେମାନେ ଏ ପରିଧାନ ପ୍ରଣାଳୀ ପରିବର୍ତ୍ତନ ନ କରିବାତକ ତାଙ୍କର ଉନ୍ନତି ନାହିଁ । ଅନ୍ୟ ଜିଲ୍ଲାର ସ୍ତ୍ରୀମାନେ ଏ ଜିଲ୍ଲାର ସ୍ତ୍ରୀମାନଙ୍କ ଅପେକ୍ଷା ବେଶୀ ପରଦାନଶିନ୍ । ଏ ଦିଗରେ ଆମ ସ୍ତ୍ରୀମାନଙ୍କର ଗୁଣ ଆଦରଣୀୟ ଓ ଅନୁକରଣୀୟ କିନ୍ତୁ ଶାଢ଼ିପିନ୍ଧା ପ୍ରଣାଳୀ ଯୋଗେ ଏମାନେ ଘୃଣାର ନିମନ୍ତ୍ରଣ କରନ୍ତି-। ପୂର୍ବେ କୁହା ଯାଇଛି ଯାହା ଅନ୍ୟର ବିରକ୍ତିସୂଚକ ତାହା ନାଗରୀକ ଗୁଣ ନୁହେଁ । ତେଣୁ ଏଠା ଶାଢ଼ି ପିନ୍ଧା ପ୍ରଣାଳୀର ପରିବର୍ତ୍ତନ ଆଶୁ କରଣୀୟ । ଅବଶ୍ୟ ଶିକ୍ଷିତ ମହଲରେ ଏହା ପ୍ରାୟ ଲୋପ କରଣୀୟ । ଅବଶ୍ୟ ଶିକ୍ଷିତ ମହଲରେ ଏହା ପ୍ରାୟ ଲୋପ ପାଇଛି କିନ୍ତୁ ତହିଁର ପରିମାଣ ଅତି ଅଳ୍ପ, ଶତକରା ପନ୍ଦର ହେଲେ ବେଶୀ ହେବ । ନାଗରୀକତାରୁ ଏକ ପ୍ରଧାନ ଓ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ବଡ଼କୁ ବଡ଼ର ସମ୍ମାନ ପ୍ରଦାନ । କିନ୍ତୁ ଆଜି ଦେଖିବା ଶିକ୍ଷିତମାନେ ମଧ୍ୟ ବଡ଼ଠାରେ ନିଜ ଯୋଗ୍ୟତାରୁ ଦମ୍ ଯୋଗ୍ୟତା ଥିବାର ଧରିନେଇ ବଡ଼କୁ ବଡ଼ର ସମ୍ମାନ ନ ଦେଇ ହତାଦର କରନ୍ତି-। ଉଚ୍ଚପଦସ୍ଥ ବ୍ୟକ୍ତି କେହି କେହି ଅଶିକ୍ଷିତ ପିତାଙ୍କୁ ପୂଜାରୀ ବୋଲି ପରିଚୟ ଦେବାର ଶୁଣାଯାଏ । ଏହା ନାଗରୀକତା ନୁହେଁ, ତଦ୍‌ବିପରୀତ । ଭାରତର ନ୍ୟାୟାଳୟରେ ଶପଥ ଗ୍ରହଣ ପରେ ଲୋକେ ଯେତେ ମିଛ ଅମ୍ଳାନ ବଦନରେ ବଖାଣ କରନ୍ତି, ଅନ୍ୟ ଦେଶମାନଙ୍କରେ ବୋଧହୁଏ ସେତେ ନଥିବ । ପଢ଼ିବାକୁ ମିଳେ, ଆମେରିକାରେ ଲୋକେ ଡାକରେ ପଠାଇବାକୁ ପାର୍ଶଲ ଓ ପଇସା ରଖି ଦେଇ ଚାଲି ଯାଆନ୍ତି । ତାହା ଯଥାସ୍ଥାନରେ ଓ ସମୟରେ ଉଦ୍‌ଦିଷ୍ଟ ବ୍ୟକ୍ତି ପାଇ ଯାଆନ୍ତି । କିନ୍ତୁ ପଇସା ତ ପଇସା, କୌଣସି ଜିନିସ ଯଦି ଏଠାରେ ମୁହୂର୍ତ୍ତକ ପାଇଁ ଆଖିର ଅନ୍ତର ହେଲା ତେବେ ‘‘ଗଲା ପୁତ୍ର ବାହୁଡ଼ି ନଇଲା’’ ଏ ନୀତିହୀନତାର ପଟାନ୍ତର ନାହିଁ । ଏ ଦିଗରେ ଇଂଲଣ୍ଡ ଓ ଆମେରିକାର ଲୋକଙ୍କର ନାଗରୀକ ଜ୍ଞାନ ଆମର ଅନୁକରଣୀୟ । ‘ସରଳତା’ ଅତି ଉଚ୍ଚଗୁଣ ‘ତା’ ବୋଲି ଭଦ୍ରତା’ ବୋଲି ଆଉ ଗୋଟିଏ ଗୁଣ ଅଛି । ମୂର୍ଖର ସରଳତା ଓ ଶିକ୍ଷିତର ଅଭଦ୍ରତା ଅତି ଅସ୍ପୃହଣୀୟ । ପକ୍ଷାନ୍ତରେ ଶିକ୍ଷିତର ସରଳତା ଓ ମୂର୍ଖର ଭଦ୍ରତା ଅତି ଆଦରର ଜିନିସ ଓ ତାହା ନାଗରୀକତାର ପରିଚାୟକ । ଅଧିକାଂଶ ଭାରତୀୟ ଏ ପର୍ଯ୍ୟନ୍ତ ଭଦ୍ରତା ଶିଖି ମଧ୍ୟ ସରଳତା ଦେଖାଇ ନାହାନ୍ତି । ପାଶ୍ଚାତ୍ୟର ଭଦ୍ରତା ଆମର ଅନୁକରଣୀୟ, କାରଣ ଇଂଲଣ୍ଡ ଆଦି ଦେଶ ବହୁ କାଳରୁ ସ୍ୱାଧୀନ । ନାଗରୀକତାରେ ସେମାନେ ଆମଠାରୁ ବହୁ ଉଚ୍ଚରେ । ହଂସ ଯେପରି କ୍ଷୀରତକ ଖାଇ ପାଣିତକ ଛାଡ଼ିଦିଏ, ଦେଶୀ ହେଉ ବିଦେଶୀ ହେଉ ଯାହାର ନାଗରୀକ ଗୁଣ ଦେଖୁଛୁଁ ତାହା ଆହରଣ କରି ତଦ୍‌ବିପରୀତକୁ ପ୍ରତ୍ୟାଖ୍ୟାନ କରିବାର ବୁଦ୍ଧିମାନର କାର୍ଯ୍ୟ । ଆମର ଭାରତରେ ନାଗରୀକତାର ଯେ ଆଦର୍ଶ ଅଛି ତାହାର ସାରବତ୍ତା ଗ୍ରହଣ ନ କରି ଆମେ ଦୟାର ପାତ୍ର ହେଉଛୁଁ । ସମସ୍ତେ ଅବଧୂତ ହେବାକୁ କେହି କହୁନାହିଁ । ଭାଗବତରେ ଅବଧୂତ ବର୍ଣ୍ଣିତ ୨୪ ଗୁରୁଠାରୁ ନିମ୍ନ ଗୁଣ ସବୁ ଗ୍ରହଣ କରି ପାରିଲେ ଆମେ ନାଗରୀକତା ଦିଗରେ ମଧ୍ୟ ଅଚିରେ ନେତୃସ୍ଥାନ ଅଧିକାର କରିପାରିବା । ପୃଥିବୀ ପରି ସର୍ବଂସହ ହେବାକୁ ପଡ଼ିବ । ବୃକ୍ଷ ପରି ଆତପ ବର୍ଷା ଶୀତ ସହ୍ୟକରି ପରୋପକାରେ ଜୀବନ ଧାରଣ କରିବାକୁ ହେବ । ବାୟୁ ପରି ସର୍ବତ୍ରଗ କିନ୍ତୁ ପାବନପରାୟଣ ଓ ଶୁଚି ହେବାକୁ ହେବ । ଆକାଶ ପରି ବ୍ୟାପକ ଅଥଚ ନିର୍ଲିପ୍ତ ହେବାକୁ ହେବ । ଜଳ ପରି ନିର୍ମଳ ରହି ଅନ୍ୟର ଦୁର୍ଗନ୍ଧ ବିସ୍ୱାଦ ଓ ଅବର୍ଣ୍ଣ ପରିହାର କରିବାକୁ ହେବ ଓ ସଦୈବ ଅନ୍ୟର ସୁଖ ଶାନ୍ତି ବିଧାନରେ ଚେଷ୍ଟିତ ହେବାକୁ ପଡ଼ିବ । ଅଗ୍ନି ପରି ଜୀର୍ଣ୍ଣ କରିବାକୁ ହେବ କିନ୍ତୁ କୌଣସି ଦୁଷ୍ପ୍ରବୃତ୍ତ ଯେପରି ଆୟତ୍ତ କରି ନପାରିବେ ତତ୍‌ପ୍ରତି ସାବଧାନ ରହିବାକୁ ହେବ । ଚନ୍ଦ୍ରର କ୍ଷୟ ବୃଦ୍ଧି, ପୂର୍ଣ୍ଣାଙ୍ଗ ଶେଷରେ ଅମାବାସ୍ୟାରେ ଅଦୃଶ୍ୟ ହେବାର ଦେଖି ଶିଖିବାକୁ ହେବ ମୃତ୍ୟୁ କିଛି ନୁହେଁ, ତାକୁ ଭୟ କରିବା ହାସ୍ୟାଷ୍ପଦ । ରସ ଗ୍ରହଣ କରି ସୂର୍ଯ୍ୟ ଯେପରି ଯଥା ସମୟେ ଜୀବଲୋକ ରକ୍ଷା ସକାଶେ ତାହା ବିତରଣ କରନ୍ତି, ଶିଖିବାକୁ ହେବ ଉପାର୍ଜନ କେବଳ ସତ୍‌କାର୍ଯ୍ୟେ ବ୍ୟୟ ପାଇଁ । ଖାଦ୍ୟ ଲୋଭରେ କପୋତ ଶାବକ ଜାଲନିବଦ୍ଧ ହେବାର ଦେଖି ଦୁଃଖରେ ପ୍ରଥମେ କପୋତୀ ଓ ପରେ କପୋତ ଜାଲନିବଦ୍ଧ ହୋଇ ପ୍ରାଣ ଦେଇଥିବାରୁ ଶିଖିବାକୁ ହେବ ଲୋଭର ପରିଣାମ ମୃତ୍ୟୁ ଅଟେ-। ଅଜଗରଠାରୁ ଶିଖିବାକୁ ହେବ ଖାଦ୍ୟାଭାବେ ଉପବାସ ବରଂ କର୍ତ୍ତବ୍ୟ ଓ ଶ୍ରେୟଃ କିନ୍ତୁ ରସନା ତୃପ୍ତି ସକାଶେ ପାପ ଅକରଣୀୟ । ସମୁଦ୍ର ପରି ଗମ୍ଭୀର, ପ୍ରଶାନ୍ତ ଓ ଅନନ୍ତପାର ହେବାକୁ ହେବ-। ଗ୍ରୀଷ୍ମ ବର୍ଷାରେ ଅକ୍ଷୋଭ ରହିବା ପରି ସୁଖ ଦୁଃଖରେ ବିଗତସ୍ପୃହ ଓ ଅନୁଦ୍‌ବିଗ୍ନମନା ରହିବାକୁ ହେବ । ପତଙ୍ଗ ଆଖିର ଲୋଭରେ ଅଗ୍ନିରେ ପଡ଼ି ମରିବା ଦେଖି ଶିଖିବାକୁ ହେବ, ଆଖିର ଲୋଭରେ ଯେପରି ବିପଦ ବରଣ ନ କରୁଁ-। ଭ୍ରମର ଲୋଭରେ ପଡ଼ି ସୂର୍ଯ୍ୟାସ୍ତ ପରେ ମଧ୍ୟ ମକରନ୍ଦ ପାନନିରତ ରହି ପଦ୍ମ ବୁଜି ହେଲେ ମରେ, ସାବଧାନ ହେବାକୁ ହେବ ଲୋଭରେ ପଡ଼ି ଯେପରି ମୃତ୍ୟୁ ବରଣ କରା ନଯାଏ । ମହୁମାଛି ଦିନ ରାତି ମଧୁ ସଂଗ୍ରହ କରି କୃପଣ ଭାବେ ମଧୁ ସଂଚୟ କରେ କିନ୍ତୁ ତା’ ମୁହଁରେ ନିଆଁ ଦେଇ ଅନ୍ୟ ତାହା ହରଣ ଓ ଉପଭୋଗ କରେ । ଏଥିରୁ ଶିଖିବାକୁ ହେବ ଅତି ସଞ୍ଚୟ ଭଲ ନୁହେଁ ତଦ୍ୱାରା ଚୋର ଖଣ୍ଟର ନିମନ୍ତ୍ରଣ କରାଯାଏ ମାତ୍ର-। ସତ୍‌କାର୍ଯ୍ୟେ ବ୍ୟୟ ପ୍ରକୃତ ସଞ୍ଚୟ ଅଟେ-। କୁଟୁଣୀ ହାତୀ ଦ୍ୱାରା ବନ୍ୟହାତୀ ବନ୍ଧନରେ ପଡ଼େ-। ଇନ୍ଦ୍ରିୟ ଲାଳସା କୁଟୁଣୀହାତୀ ପରି ମନଚଷ୍ୟକୁ ବନ୍ଧନରେ ପକାଏ । ନିଶା ପଶା ଓ ବେଶ୍ୟା ଉତ୍‌କୃଷ୍ଟ କୁଟୁଣୀହାତୀ ଅଟନ୍ତି । ବ୍ୟାଧର ଗୀତରେ ଆକୃଷ୍ଟ ହୋଇ ମୃଗ ମାରା ପଡ଼େ-। ଶ୍ରବଣମନୋହର ବେଶ୍ୟା ଗୀତରେ ଯୁବକ ଆକୃଷ୍ଟ ହୋଇ ନୀରୟ ଗମନ କରେ । ପକ୍ଷାନ୍ତରେ ଶ୍ରବଣ ମନୋହର ଭଗବତ୍‌ ସ୍ତୋତ୍ରାଦି ଶ୍ରବଣ ଦ୍ୱାରା ମନୁଷ୍ୟ ପରମ ଗତି ଲାଭ କରେ । କେଉଁଟା ଶ୍ରେୟଃ ଭାବିବାକୁ ହେବ । ବଡ଼ସିକଣ୍ଟାବିଦ୍ଧ ଆହାର ଖାଇବାକୁ ଯାଇ ମାଛ ଧରାପଡ଼େ । ଯାହା, ଉପରେ ଏତେ ଲୋଭନୀୟ ଭିତରେ କଅଣ ଅଛି ନଭାବି ଗିଳିଲେ ହିଁ ସର୍ବନାଶ ହେବ । ବାଳକ ପରି ସରଳ ଅଥଚ ନିଜ ପରବିହୀନ ହେବାକୁ ପଡ଼ିବ । ଧାନ କୁଟିବାବେଳେ କୁମାରୀ ହାତରେ କଙ୍କଣ ଥିଲେ ଶବ୍ଦ କରେ ତେଣୁ ସେତେବେଳେ କଙ୍କଣ ସମାଗମ ଅନର୍ଥ ଘଟାଏ । ସାଧୁ ଉଦ୍ଦେଶ୍ୟ ନରଖି ଲୋକସମାଗମ ବିପଦ୍‌ଜନକ ଅଟେ । ଅନେକ ଲୋକ ଯହିଁ ମିଳି, ଅବଶ୍ୟ ଉପୁଜାଇ କଳି । ଦୁରଭିସନ୍ଧି ରଖି ଯେପରି ସଭାସମିତି ଡକା ନଯାଏ ଦେଖିବାକୁ ହେବ ।

 

ଏତେବେଳକୁ ପାଠକ ବିରକ୍ତ ହୋଇ ଅର୍ଦ୍ଧଚନ୍ଦ୍ରହସ୍ତ ହେବେଣି । କିନ୍ତୁ ବୁଝିବାକୁ ହେବ ନାଗରୀକତା ମାନବିକତାର ପ୍ରଧାନ ସୋପାନ । ନାଗରୀକତା ଦିଗରେ ଉନ୍ନତି ନ ହେଲେ ଜଗତରେ ଆମର ସ୍ଥାନ ନାହିଁ । ଯଦି ଭଲ ନାଗରୀକ ନ ହେଉ ଘରଛାଡ଼ି ଜଙ୍ଗଲରେ ରହିବା ଚାହିଁ-। ମନୁଷ୍ୟ ଜୀବନ ଖେଳ ନୁହେଁ, ଏହା ଏକ ଦୁରୂହ କର୍ତ୍ତବ୍ୟର ଯନ୍ତ୍ର ମାତ୍ର, ତଦୁପରି ଜୀବନ ସଂଗ୍ରାମ ମନୁଷ୍ୟର ଜୀବନବ୍ୟାପୀ ଅଟେ ।

Image

 

ଦ୍ୱିତୀୟ ପରିଚ୍ଛେଦ

ସ୍ତ୍ରୀ ଶିକ୍ଷା ଓ ସ୍ତ୍ରୀ ଅଧିକାର

 

ସ୍ତ୍ରୀ-ଶିକ୍ଷା ସମ୍ବନ୍ଧେ ଆଲୋଚନା କରିବା ପୂର୍ବେ ସମାଜରେ ତାର କି ଅଧିକାର ରହିଛି ଅନୁସନ୍ଧାନ ସଙ୍ଗେ ସଙ୍ଗେ ସମାଜରେ ତାର ସ୍ଥାନ ପ୍ରଥମେ ନିରୂପଣ କରିବା ଉଚିତ । ପାଶ୍ଚାତ୍ୟରେ ତାକୁ (better half) ଉତ୍ତମାର୍ଦ୍ଧ କହିଥାନ୍ତି । ଏଠାରେ ସେ ଅର୍ଦ୍ଧାଙ୍ଗିନୀ ମାତ୍ର । ହିନ୍ଦୁ କିନ୍ତୁ ତାକୁ ସହଧର୍ମିଣୀ ଆଖ୍ୟା ଦେଇ ସ୍ତ୍ରୀ ଆଦରର ଚରମୋତ୍କର୍ଷ ଦେଖାଇଛି । ସୀତାରାମ, ରାଧେଶ୍ୟାମ, ଗୌରୀଶଙ୍କର ପ୍ରକୃତି ପୁରୁଷ ବୋଲିବା ଦ୍ୱାରା ସ୍ତ୍ରୀକୁ ପ୍ରଥମ ସ୍ଥାନ ଛାଡ଼ି ଦେଇଛି, ତାହା ତାର ସ୍ତ୍ରୀପକ୍ଷପାତୀତା ନା ନ୍ୟାୟବିଚାରରେ ତାର ପ୍ରାପ୍ୟ ଲକ୍ଷ୍ୟକରୁଁ । ଏ ସମ୍ବନ୍ଧେ ପ୍ରକୃତି ଗ୍ରନ୍ଥ ଅନୁଧ୍ୟାନ କଲେ କଅଣ ପାଉଁ ଦେଖା ଯାଉ । କେଶରୀ ପଶୁରାଜ କେଶର ସକାଶେ, ସିଂହୀର ତାହା ନାହିଁ । କୁକ୍‌କଟର ଚୂଳ କୁକ୍‌କୁଟୀର ନ ଥାଏ । ହସ୍ତୀର ଦନ୍ତ ହସ୍ତିନୀର ନ ଥାଏ କେତେ ସ୍ଥାନରେ ବ୍ୟତିକ୍ରମ ଧର୍ତ୍ତବ୍ୟ ମଧ୍ୟରେ ନୁହେଁ । ଦେହ ବଳରେ ପୁଂ ଜାତି ସ୍ତ୍ରୀ ଜାତି ଅପେକ୍ଷା ଗରୀୟାନ୍ । ଏହା ସର୍ବବ୍ୟାପୀ । ଯାହାର ସୌନ୍ଦର୍ଯ୍ୟ ନାହିଁ ସେ ସୌନ୍ଦର୍ଯ୍ୟ ପାଇଁ ଲାଳାୟିତ ହୁଏ କଦର୍ଯ୍ୟତାକୁ ଢାଙ୍କି ରଖିବାକୁ । ସ୍ତ୍ରୀର ଅଳଙ୍କାରପ୍ରିୟତା ପୃଥିବୀବ୍ୟାପୀ । କିନ୍ତୁ ପୁରୁଷ ପ୍ରକୃତିଦତ୍ତ ସୌନ୍ଦର୍ଯ୍ୟରେ ପରିତୃପ୍ତ । ଏ ସବୁ କିନ୍ତୁ ପୁରୁଷର ଶ୍ରେଷ୍ଠତା ପ୍ରତିପାଦନ କରୁନାହିଁ । କାରଣ ପୁରୁଷଠାରେ ଏହାର ମୂଲ୍ୟ ଅଛି ଏବଂ ସ୍ତ୍ରୀ ସୌନ୍ଦର୍ଯ୍ୟ ବର୍ଣ୍ଣନାରେ ପୁରୁଷ ଶତମୁଖ ଓ ସହସ୍ରମୁଖ । ବିଜ୍ଞାନ ପ୍ରାୟ ଶେଷ ସୀମାରେ ପହଞ୍ଚି ମଧ୍ୟ ପୁରୁଷକୁ ପେଟରେ ସନ୍ତାନ ଧାରଣର କ୍ଷମତା ଦେଇ ପାରିନାହିଁ ଓ କେବେହେଲେ ଦେଇ ପାରିବ ନାହିଁ । ତେବେ ପୁରୁଷ ପୁରୁଷ ହୋଇ ଓ ସ୍ତ୍ରୀ ସ୍ତ୍ରୀ ହୋଇ ସଦା ରହିବେ ଇ ରହିବେ । ଉଭୟଙ୍କର ବିଶେଷତଃ ଚିରକାଳ ରହିଛି ଓ ରହିଥିବ । ଏହି ବିଶେଷତ୍ୱ ପାଇଁ ଯାହା ଆବଶ୍ୟକ, ବିଧାତା ତାହା ବରାବର ଆଗରୁ ଖଞ୍ଜି ରଖିଛନ୍ତି ଓ ଏହି ବିଶେଷତ୍ୱ ଅନୁଯାୟୀ ଉଭୟେ କେତେ ଭିନ୍ନ ଭିନ୍ନ ଧାତୁରେ ଗଢ଼ା ହୋଇଛନ୍ତି । ତେବେ ମନୁଷ୍ୟ ତ, ଉଭୟଙ୍କ ମଧ୍ୟରେ ସମାନ ଉପାଦାନ ମଧ୍ୟ ଅନେକ ରହିଛି । ଏହି ସମାନ ଉପାଦାନ ମଧ୍ୟ ଅନେକ ରହିଛି । ଏହି ସମାନ ଉପାଦାନ କ୍ଷେତ୍ରରେ ଉଭୟେ ସମାନସ୍କନ୍ଧ ହୋଇ ସାମାଜିକ ମଙ୍ଗଳ ନିମନ୍ତେ ଚେଷ୍ଟା କରିବା ଉଚିତ ଏବଂ ପ୍ରତ୍ୟେକ ବିଶେଷତ୍ୱ ନିମନ୍ତେ ପୁରୁଷ, ପୁରୁଷ ପାଇଁ ଓ ସ୍ତ୍ରୀ, ସ୍ତ୍ରୀ ପାଇଁ ସ୍ୱତନ୍ତ୍ର ଉଦ୍ୟୋଗ କରିବା ଉଚିତ । ଯଦି ସେ ସୀମା ଅତିକ୍ରମ କରିବା ଭଳି ଅତିମାନୁଷୀ ଶକ୍ତି ଥାଏ ତେବେ ପୁରୁଷର ବିଶେଷତ୍ୱ ପାଇଁ ଓ ସ୍ତ୍ରୀର ବିଶେଷତ୍ୱ ପାଇଁ ସ୍ତ୍ରୀକୁ ଯଥାକ୍ରମେ ସ୍ତ୍ରୀ ଓ ପୁରୁଷ ସହାୟ ହେଲେ ହୋଇ ପାରନ୍ତି ଓ ସେ କ୍ଷେତ୍ରରେ କେବଳ ସହଧର୍ମ ବା ସହଧର୍ମିଣୀ ପଦ ସାଫଲ୍ୟମଣ୍ଡିତ ହୁଏ । ସହଧର୍ମ ଓ ସହଧର୍ମିଣୀ ଭାବ କଠୋର ଓ ଜୀବନବ୍ୟାପୀ ସାଧନାସାପେକ୍ଷ । ହିନ୍ଦୁର ବିବାହ ଧର୍ମ ପାଳନ କେବଳ କର୍ତ୍ତବ୍ୟର ଅନୁରୋଧରେ । ମୁସଲମାନ ବିବାହ ପରସ୍ପର ସୁଖ ସମ୍ଭୋଗ ପାଇଁ । ଖ୍ରୀଷ୍ଟିଆନର ବିବାହ ଜୀବନ ସମ୍ଭୋଗ ଓ ସାଂସାରିକ ସୁଖ ସୁବିଧା ସକାଶେ । ହିନ୍ଦୁ ସ୍ତ୍ରୀର ପତି ଦେବତା ସ୍ତ୍ରୀ ସ୍ତ୍ରୀ ମାତ୍ର । ମୁସଲମାନ ପକ୍ଷେ ସ୍ତ୍ରୀ ସମ୍ପତ୍ତିରେ ଗଣ୍ୟ । ଖ୍ରୀଷ୍ଟିଆନ ପକ୍ଷେ ସ୍ତ୍ରୀ ପୁରୁଷ ସମାନ କିନ୍ତୁ ସ୍ତ୍ରୀ ଅବଳା ବୋଲି ପ୍ରତ୍ୟେକ କ୍ଷେତ୍ରରେ ପୁରୁଷର ସହାୟତା ଆବଶ୍ୟକ କରେ ଓ ପ୍ରତି ବଦଳରେ କ୍ଷେତ୍ରେ ଓ କାଳେ ପୁରୁଷକୁ ସାହାଯ୍ୟ କରେ । ମୁସଲମାନ ଓ ଖ୍ରୀଷ୍ଟିଆନ୍‌ମାନେ ସ୍ତ୍ରୀ ବିଷୟରେ ଉଦାରଭାବ ପୋଷଣ କରନ୍ତି ମାତ୍ର ହିନ୍ଦୁର ସହଧର୍ମ ଓ ସହଧର୍ମିଣୀ ଭାବ ଏହାର ବହୁ ଉଚ୍ଚରେ । ଆଜିକାଲି ସ୍ତ୍ରୀ-ଶିକ୍ଷା ଓ ସ୍ତ୍ରୀ-ଅଧିକାର ସମ୍ବନ୍ଧେ ଆମ ଦେଶରେ ଯେ ହୁଳ୍‍ସ୍ଥୁଳ ପଡ଼ିଛି ତହିଁର ମୂଳରେ ରହିଛି ମୁସଲମାନ ଓ ଖ୍ରୀଷ୍ଟିଆନ ପ୍ରଭାବ । ଏ ପ୍ରଭାବ ଏତେ ଦୂରକୁ ଉଠିଲାଣି ଯେ, ଲୋକେ ବର୍ତ୍ତମାନ ବିବାହ ବିଚ୍ଛେଦକୁ ପସନ୍ଦ କଲେଣି । ହିନ୍ଦୁକୋଡ଼ ବିଲ୍‌ ତହିଁର ଏକ ବିକୃତ ପ୍ରତିକ୍ରିୟା ମାତ୍ର । ଏହାକୁ ପସନ୍ଦ କରୁଥିବା ଲୋକ ବୋଧହୁଏ ‘ପ୍ରେମ’ କଅଣ ଜାଣେ ନାହିଁ । ଏକ କଥାରେ ପ୍ରେମ ସ୍ତ୍ରୀ ପୁରୁଷ ମଧ୍ୟରେ ପରସ୍ପର ଆତ୍ମସମର୍ପଣ ଛଡ଼ା ଆଉ କିଛି ନୁହେଁ । ପ୍ରେମ କେବଳ ସ୍ତ୍ରୀ ପୁରୁଷକୁ ଏକତ୍ୱ ଦାନକରେ । ‘ଦ୍ୱି’ ତ୍ୱର ସମ୍ଭାବନା ମାତ୍ର ନ ଥାଏ । ପ୍ରେମ ଅବିଚ୍ଛେଦ୍ୟ ଓ ଚିରବର୍ଦ୍ଧନଶୀଳ, ‘ଦ୍ୱି’ତ୍ୱର ଅବକାଶ ରଖେ ନାହିଁ । ରୋଗ, ମନାନ୍ତର, କଳହ ଏବଂ ମୃତ୍ୟୁ ମଧ୍ୟ ପ୍ରେମ ସ୍ରୋତରେ ପାଣି ଫୋଟକା ମାତ୍ର । ହିନ୍ଦୁର ଏକ ପକ୍ଷର ଅବର୍ତ୍ତମାନତାରେ ଅବର୍ତ୍ତମାନତା ପ୍ରତି ଯେ ପ୍ରେମ ଓ ଆକର୍ଷଣ କ୍ରମେ ଈଶ୍ୱର ଭକ୍ତିରେ ତାହା ପରିଣତ ହୁଏ । ଏଥିପାଇଁ ରାମଚନ୍ଦ୍ରଙ୍କର ଅଶ୍ୱମେଧ ଯଜ୍ଞ ପାଇଁ ସୀତାଙ୍କର ସ୍ୱର୍ଣ୍ଣପ୍ରତିମାର ସୃଷ୍ଟି । ହିନ୍ଦୁର ଏ ଉତ୍କର୍ଷ ଅନ୍ୟତ୍ର ପାଇବେ ନାହିଁ ଓ ଏଠାରେ ହିନ୍ଦୁ ଅନ୍ୟର ବହୁ ଉଚ୍ଚରେ । ଏହି ଅମୂଲ୍ୟ ପୁରାତନକୁ ବଜାୟ ନ ରଖି ବୃଥାରେ ଆଜି ଆମେ ସ୍ତ୍ରୀ-ଶିକ୍ଷା ସ୍ତ୍ରୀ-ଅଧିକାର ପାଇଁ ବୋବାଳି ଛାଡ଼ିଥାଇଁ । ପୂର୍ବେ କୁହାଯାଇଛି ସ୍ତ୍ରୀର ବିଶେଷତ୍ୱ ପୁରୁଷଠାରେ ଓ ପୁରୁଷର ବିଶେଷତ୍ୱ ସ୍ତ୍ରୀଠାରେ ଦୁଷ୍ପ୍ରାପ୍ୟ । କଦାଚିତ କେହି ପୁରୁଷ ବା ସ୍ତ୍ରୀ କିୟତ୍‌ ପରିମାଣରେ ଅନ୍ୟର ଅଧିକାରରେ ହସ୍ତକ୍ଷେପ କରି ସମାଜରେ ହାସ୍ୟାଷ୍ପଦ ହୁଅନ୍ତି ମାତ୍ର । ତେଣୁ ପୁରୁଷର ବିଶେଷତ୍ୱ ଅନୁସାରେ ପୁରୁଷର ଶିକ୍ଷା ଓ ଅଧିକାର ପଦ୍ଧତି ଓ ସ୍ତ୍ରୀର ବିଶେଷତ୍ୱ ଅନୁସାରେ ସ୍ତ୍ରୀର ଶିକ୍ଷା ଓ ଅଧିକାର ପଦ୍ଧତି ଗଠନ କରିନେବାକୁ ହେବ, ତେବେ ଯାଇଁ ସମାଜର ସର୍ବାଙ୍ଗୀନ ଉନ୍ନତି କରିପାରିବା ନତୁବା ସ୍ତ୍ରୀମାନଙ୍କ ପାଇଁ ଯେତେ ସ୍କୁଲ କଲେଜ ସ୍ଥାପନ କରି ସହଶିକ୍ଷାର ବ୍ୟବସ୍ଥା କର, ସ୍ତ୍ରୀର ଶିକ୍ଷା ଓ ଅଧିକାର ଦିଗରେ ତାହା କାହିଁ ଲାଗିବ ନାହିଁ । ହଁ, ଆମେରିକା ବା ଇଂଲଣ୍ଡକୁ ଆଣି ଭାରତରେ ଥୋଇ ପାରିବା କିନ୍ତୁ ତଦ୍ଦ୍ୱାରା ଆମର ନୈତିକ ଅଧୋଗତି ଅନିବାର୍ଯ୍ୟ । ପାଶ୍ଚାତ୍ୟର ସ୍ତ୍ରୀ-ଶିକ୍ଷା ସ୍ତ୍ରୀ-ଅଧିକାର କୃତ୍ରିମ । କାରଣ ପ୍ରକୃତି ପୁରୁଷକୁ ପୁରୁଷ ଓ ସ୍ତ୍ରୀକୁ ସ୍ତ୍ରୀ କରି ଗଠନ କରିଛି । ସ୍ତ୍ରୀ ପ୍ରକୃତି ଓ ପୁରୁଷ ପ୍ରକୃତି ଭିନ୍ନ ଭିନ୍ନ ରହିଥିବା ପକ୍ଷେ ଉଭୟଙ୍କ ପାଇଁ ଏକ ଶିକ୍ଷା ଓ ଏକ ଅଧିକାର ଫଳୋପଧାୟକ ହେବନାହିଁ । ସୀତା, ସାବିତ୍ରୀ, ଦମୟନ୍ତୀ ଆଦି ମହା ମନୀଷୀଣୀ ସ୍ତ୍ରୀଗଣ କେତେ ସ୍କୁଲ କଲେଜରେ ପଢ଼ିଥିଲେ ବା ବିଲାତରୁ ଫେରିଥିଲେ । ସେମାନେ କୌଣସି ଆଶ୍ରମରେ ମଧ୍ୟ ଶିକ୍ଷାଲାଭ କରିଥିବାର ସୂଚନା ମାତ୍ର ନାହିଁ । ନିପାତନେ ସିଦ୍ଧ ପରି ଅଳ୍ପସଂଖ୍ୟକ ‘ଡେସ୍‌ଡ଼ିମୋନା’ ପାଶ୍ଚାତ୍ୟରେ ସ୍ତ୍ରୀତ୍ୱର ପରାକାଷ୍ଠା ଦେଖାଇଛନ୍ତି, ପାଶ୍ଚାତ୍ୟର ଆଧୁନିକ ସ୍ତ୍ରୀ ଶିକ୍ଷା ଓ ଅଧିକାର ପଦ୍ଧତି ଏ ଦେଶରେ କେତେଜଣ ସୀତା ସାବିତ୍ରୀ ବାହାର କରିପାରିଛି ? ଅନ୍ୟ ଦିଗରେ ତହିଁର ବିକୃତ ପ୍ରତିକ୍ରିୟା ଭାରତୀୟ ଲାଳନାକୁ ଆଜି କାହିଁ ନେଇ ଥୋଇଲାଣି ତାହା ଦେଖିବା ଲୋକ ଦେଖି ପାରୁଛନ୍ତି । ହଁ, ସ୍ତ୍ରୀ ପୁରୁଷର ସମାନ ଉପାଦାନ ଦିଗରେ କିଞ୍ଚିତ ଉନ୍ନତି ହୋଇଥିବାର ଦେଖିବାକୁ ମିଳିବ କିନ୍ତୁ ତାହା ମଧ୍ୟ ଅମୂଲ୍ୟ ନୈତିକତାର ବିନିମୟରେ । ବେଶୀ ଲେଖିଲେ ତିକ୍ତ ହେବ । ତେବେ ସ୍ତ୍ରୀର ସ୍ୱଭାବସୁଲଭ ଗୁଣଚୟର ଅନୁଧାବନ କରୁଁ । ଦୟା, କ୍ଷମା ବାହିଲ୍ୟ, ସହନଶୀଳତା ଓ ତିତିକ୍ଷା ଆଦି ଦିଗରେ ପୁରୁଷ ଯେତେ ଚେଷ୍ଟାକଲେ ସ୍ତ୍ରୀକୁ ଟପି ପାରିବ ନାହିଁ । ବୀରତ୍ୱ (ବାହୁବଳ ଓ ମନବଳ ସାପେକ୍ଷ) ଓ କଠୋରତା ଆଦି ପୁରୁଷର ସ୍ୱଭାବ । ଉପରୋକ୍ତ ଗୁଣଚୟ ସ୍ତ୍ରୀଠାରେ ନିବଦ୍ଧ, କାରଣ ‘ମା’ତ୍ୱ ସ୍ତ୍ରୀ ଠାରେ । ‘ମା’ତ୍ୱ ସକାଶେ ଭଗବାନ ସ୍ତ୍ରୀକୁ ସେ ଉପାଦାନରେ ଗଢ଼ିଛନ୍ତି ଓ ଆଉ ସେ ଉପାଦାନ ବ୍ୟତିରେକେ ‘ମା’ତ୍ୱ ଅସମ୍ଭବ । ଆଉ ‘ମା’ତ୍ୱ ରକ୍ଷା ସକାଶେ ପୁରୁଷ ବୀରତ୍ୱ ଓ କଠୋରତା ଅବଲମ୍ବନ ନ କଲେ ସଂସାର ଚଳିବ କିପରି ? କୋମଳତା ଓ କଠୋରତା ବିପରୀତାର୍ଥବୋଧକ ସବୁଦିନ । ତାକୁ ଏକ କରିବା ଚେଷ୍ଟା ପାଗଳାମି ମାତ୍ର । ତେଣୁ ସ୍ତ୍ରୀ ପାଇଁ ସ୍ୱତନ୍ତ୍ର ଶିକ୍ଷା ଓ ଅଧିକାର ପଦ୍ଧତି ଦରକାର । ପୁରୁଷର ଶିକ୍ଷା ପଦ୍ଧତି ସ୍ତ୍ରୀ ପକ୍ଷରେ ସବୁମନ୍ତେ ଫଳୋପଧାୟକ ହେବ ନାହିଁ । ସେ ଦିଗରେ ଯେତେ ଚେଷ୍ଟାକରୁ ତାହା ଅୟାସ ମାତ୍ରରେ ପର୍ଯ୍ୟବସିତ ରହିବ । ଏହାଦ୍ୱାରା କୁହାଯାଉ ନାହିଁ ଯେ ଲେଖାପଢ଼ା ସ୍ତ୍ରୀ ପକ୍ଷେ ପ୍ରୟୋଜନ ନାହିଁ । ପ୍ରକୃତି ସ୍ତ୍ରୀମାନଙ୍କୁ ବୁଦ୍ଧିମତୀ କରିଛି । ମାର୍ଜିତ ବୁଦ୍ଧି ମନୁଷ୍ୟ ବହୁ ଅଭିଜ୍ଞତା ପରେ ଯେଉଁ ଜ୍ଞାନ ସବୁ ଆଦାୟ କରିଛି ତାହା ଲିପିବଦ୍ଧ କରି ରଖିଛି । ଅଭିଜ୍ଞତା ଦ୍ୱାରା ସେ ଜ୍ଞାନ ଅର୍ଜନ କରିବା ଅପେକ୍ଷା ଲିପି ପାଠକରି ସେ ସବୁ ଆଦାୟ କରିବା ଉକ୍ତ ଜ୍ଞାନଚୟର ସ୍ଥିରତାର ପରିସୂଚକ ନ ହେଲେ ମଧ୍ୟ ଜ୍ଞାନ ଲାଭର ସହଜ ପନ୍ଥା । ଲିପି ପାଠଲବ୍‌ଧ ଜ୍ଞାନ ମଧ୍ୟ କ୍ରମେ କାର୍ଯ୍ୟ କ୍ଷେତ୍ରରେ ସ୍ଥିରତା ପାଇପାରେ । ତେଣୁ ଲିପିପାଠ କରି ଜ୍ଞାନଲାଭ କରିବା ଉପେକ୍ଷଣୀୟ ନୁହେଁ ବରଂ ଆଦରଣୀୟ । ବୁଦ୍ଧିମତୀ ସ୍ତ୍ରୀ ଜାତିର ବୁଦ୍ଧିକୁ ସୂକ୍ଷ୍ମ ତଥା ତୀକ୍ଷ୍‌ଣ କରିବାକୁ ପୁସ୍ତକ ପାଠ ଅପରିହାର୍ଯ୍ୟ ହେଲାଣି । ତଦୁପରି ସ୍ତ୍ରୀ ମଧ୍ୟ ଲବ୍‌ଧଜ୍ଞାନକୁ ପରିମାର୍ଜନ କରି ସ୍ତ୍ରୀତ୍ୱର ବିକାଶନ ଦିଗରେ ଲିପିବଦ୍ଧ ନକଲେ କେବଳ ପୁରୁଷଅର୍ଜିତ ଜ୍ଞାନ ଦ୍ୱାରା ସ୍ତ୍ରୀତ୍ୱର ପୂର୍ଣ୍ଣ ବିକାଶନ ହେବ ନାହିଁ ଏବଂ ତଦ୍ଦ୍ୱାରା ସମାଜ ଯେ ଖଣ୍ଡିଆ ହୋଇ ରହିଛି ସେ ଖଣ୍ଡିଆ ହୋଇ ରହିବ ମଧ୍ୟ ଦେଖା ଯାଇଛି, ପୁରୁଷ ଯେ ଜ୍ଞାନ ଅନେକ ଦିନରେ ହାସଲ କରେ, ସ୍ତ୍ରୀ ସ୍ୱଭାବତଃ ସ୍ଥିରବୁଦ୍ଧି ଥିବାରୁ ଅତି ଅଳ୍ପକାଳ ମଧ୍ୟରେ ତାହା ହାସଲ କରେ । ବର୍ତ୍ତମାନ ପ୍ରାଥମିକ ସ୍କୁଲରେ ଯେ ଅଳିଆସବୁ ଭର୍ତ୍ତି କରାଯାଇଛି ସେହି ଅଳିଆ ମଧ୍ୟରେ ପ୍ରାଥମିକ ଶିକ୍ଷା ସକାଶେ ଦୀର୍ଘ ତିନିବର୍ଷ ଲାଗି ଯାଉଛି । ଏହା ମଧ୍ୟ ଦେଖା ଯାଉଛି, ଏହି ତିନି ବର୍ଷର ଶିକ୍ଷା ଅକ୍ଳେଶରେ ଏକ ବର୍ଷ ମଧ୍ୟରେ ହାସଲ କରାଯାଇ ପାରେ । ଅନ୍ତତଃ ବାଳିକା ପକ୍ଷରେ ତାହା ଖୁବ୍‌ ସମ୍ଭବପର । ଆଉ ମନେ ରଖିବାକୁ ହେବ ଭାରତରେ ସ୍ତ୍ରୀ ଶିକ୍ଷା ପଞ୍ଚମବର୍ଷରୁ ତ୍ରୟୋଦଶ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ଏହାର ସୀମା ଆଠବର୍ଷ ମାତ୍ର । ଏଥିରୁ ମଧ୍ୟ ପଠଦ୍ଦଶା ଆହୁରି ଏକ ବର୍ଷ କମ୍ କରି ଦ୍ୱାଦଶ ବର୍ଷରୁ ବିବାହ ପର୍ଯ୍ୟନ୍ତ ତାକୁ ଘରକରଣା ଧାତ୍ରୀବିଦ୍ୟା ଓ ରନ୍ଧନ ପ୍ରଣାଳୀ ଶିକ୍ଷା ଦେବାକୁ ମାତା ବା ଗୃହିଣୀ ହାତରେ ତାକୁ ଦେବାକୁ ହେବ । ଏହି ସାତବର୍ଷ ମଧ୍ୟରେ ଗବେଷଣାମୂଳକ ଲେଖାପଢ଼ା ପଦ୍ଧତି ଦ୍ୱାରା ବାଳିକା ଅଭାବନୀୟ ପାଣ୍ଡିତ୍ୟ ଲାଭକରି ପାରିବ ଯାହା ପୁରୁଷ ପକ୍ଷରେ ତହିଁର ଦ୍ୱିଗୁଣ ସମୟରେ ମଧ୍ୟ କଠିନ ହେବ । ସ୍କୁଲ କଲେଜର ଶିକ୍ଷା କେବଳ ପୁରୁଷ ପକ୍ଷେ ଉପଯୁକ୍ତ କରାଯାଇଛି । ଏ ଶିକ୍ଷା ପଦ୍ଧତି ପୁରୁଷ ପକ୍ଷେ ମଧ୍ୟ ଉପଯୁକ୍ତ ନୁହେଁ, ତହିଁର ପ୍ରମାଣ ମହାତ୍ମା ଗାନ୍ଧୀ ୧୯୨୧ରେ ଅସହଯୋଗ ଆନ୍ଦୋଳନରେ ଦେଇ ସାରିଛନ୍ତି-। ଶେଷକୁ ମଧ୍ୟ ଶିକ୍ଷାର ଧାରା ବଦଳାଇବାକୁ ବାପୁଜୀ ବିଚିତ୍ର ବ୍ୟବସ୍ଥା କରି ଯାଇଛନ୍ତି-। ଏହି ଆରମ୍ଭ କାଳରେ ବାପୁଜୀକଳ୍ପିତ ଶିକ୍ଷା ପଦ୍ଧତି ସ୍ତ୍ରୀ ଲୋକ ପକ୍ଷରେ କେତେଦୂର ଉପଯୁକ୍ତ, ତାହା ସଠିକ ନିରୂପଣ କରାଯାଇ ପାରିନାହିଁ । ବର୍ତ୍ତମାନର ଶିକ୍ଷା ପଦ୍ଧତି ପାଶ୍ଚାତ୍ୟର ଅନୁକରଣରେ ସ୍ତ୍ରୀ ପୁରୁଷ ଦୁହିଁଙ୍କ ପାଇଁ ସମାନ କହିଲେ ଚଳେ । ସ୍ତ୍ରୀମାନଙ୍କ ପାଇଁ ଯେ ସାମାନ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଅଛି ତହିଁର ଉପାଦେୟତା ମାତ୍ର ନାହିଁ । ଯେପରି ସିଲାଇ କାମ ଓ ଉର୍ଣ୍ଣା ସୂତ୍ରରେ କେତୋଟି ଜିନିସ ତୟାରି । ପାଶ୍ଚାତ୍ୟର ଅନୁକରଣରେ ଏବେ ପ୍ରାୟ ସମସ୍ତେ ଅଙ୍ଗରକ୍ଷା ସକାଶେ ବିବିଧ ସିଲାଇକୃତ ବସ୍ତ୍ର ବ୍ୟବହାର କଲେଣି ଯଦ୍ୱାରା ବସ୍ତ୍ର ବିଷୟେ ଦେଶ ବେଦରକାରୀ ଆଡ଼ମ୍ବରପ୍ରିୟ ହୋଇ ପଡ଼ିଛି-। ଧୋତି ଛାଡ଼ି ବର୍ତ୍ତମାନ ଅନେକେ ପାଇଜାମା ବା ଲୁଙ୍ଗୀ, ତନୁପରି ପ୍ରଚଣ୍ଡ ଗରମରେ ମଧ୍ୟ ଅନ୍ତତଃ ଦୁଇପ୍ରସ୍ତ ବସ୍ତ୍ର ଆଭରଣ ନହେଲେ ଘରୁ ବାହାରନ୍ତି ନାହିଁ । ଶୀତ କାଳରେ କେବଳ ଦେହରକ୍ଷା ସକାଶେ ଦୁଇ ତିନି ପ୍ରସ୍ତ ବସ୍ତ୍ର ଆବଶ୍ୟକ ହୋଇପାରେ କିନ୍ତୁ ଆମର ଗ୍ରୀଷ୍ମପ୍ରଧାନ ଦେଶରେ ଅଧୁନା ଯେ ପରିମାଣ ବସ୍ତ୍ର ବ୍ୟୟ ହେଉଛି ତଦ୍ୱାରା ଦେଶ ବେଳୁ ବେଳ ସ୍ୱାବଲମ୍ବୀ ହେବା ଦୂରରେ ଥାଉ ଅନ୍ୟର ଗଳଗ୍ରହ ହେଉଛି ଓ ଆର୍ଥିକ ଘୋର କ୍ଷତିଗ୍ରସ୍ତ ହେଉଛି । ସିଲାଇ କାମ ଶିକ୍ଷାଦେବା ମାନେ ଦେଶର ଏ ଅଯଥା ଆଡ଼ମ୍ବରକୁ ପ୍ରଶ୍ରୟ ଦେବା ତଥା ଅଳସୁଆ ସୃଷ୍ଟି କରିବା । ତା ଛଡ଼ା ଉର୍ଣ୍ଣା ବସ୍ତ୍ର ଶୀତ ଛଡ଼ା ଅନ୍ୟ ସମୟରେ ବ୍ୟବହାର୍ଯ୍ୟ ନୁହେଁ । ଏହା ଶିକ୍ଷା ଦେବା ଦ୍ୱାରା ସ୍ତ୍ରୀମାନେ ସନ୍ତାନ ସନ୍ତତିମାନଙ୍କୁ ଜନ୍ମରୁ ଉର୍ଣ୍ଣାର ଦର୍ଶନମନୋହର ରଙ୍ଗରଙ୍ଗିଣୀ ଚାକ୍‌ଚକ୍ୟ ଭୂଷଣରେ ଭୂଷିତ କରିବା ଦ୍ୱାରା ସନ୍ତାନ ସନ୍ତତି ପଛକୁ କାୟକ୍ଳେଶବିମୁଖ ହେଉଛନ୍ତି । ଜଣେ ଚଷାର ପୁଅକୁ ପ୍ରଥମରୁ ଏପରି ସୌଖିନ ଜିନିଷ ଧରାଇ ଦେଲେ ସେ ବଡ଼ ହେଲେ ମାଟି ଚକଟି ଶସ୍ୟ ବାହାର କରିବାକୁ ମଙ୍ଗିବ ତ ? ଶୁଣିବାକୁ ପାଉଁ ଜର୍ମାନୀର ହର୍‌ହିଟ୍‌ଲର୍ ଅତି ଅଳ୍ପକାଳ ମଧ୍ୟରେ ଏଇ କେତେବର୍ଷ ତଳେ ଜର୍ମାନ ଜାତିକୁ ପ୍ରାୟ ଅଜେୟ କରି ଠିଆ କରିଥିଲେ । ତାର କାରଣ ବାଳକ ବିଦ୍ୟାଳୟ ପ୍ରବେଶ ମାତ୍ରେ କେତୋଟି ଆପ୍ତ ବାକ୍ୟ ତାକୁ ଉଚ୍ଚାରଣ କରିବାକୁ ହୁଏ ଯେପରି ‘‘ମୁଁ ଅଜେୟ, ମୋର ଏ ଦେହ ମୋ ଦେଶର ବା ମୋ ଦେଶ ପାଇଁ, ମୋ ନିଜ ପାଇଁ ନୁହେଁ’’ ଇତ୍ୟାଦି ଇତ୍ୟାଦି । ମାଟି କଞ୍ଚା ଥିବାବେଳେ କୁମ୍ଭାର ଇଚ୍ଛାମତେ ଜିନିସ ତୟାରି କରିପାରେ, ପୋଡ଼ାଇବା ପରେ ତାହା ଭାଙ୍ଗିଯିବ ପଛକେ ପରିବର୍ତ୍ତିତ ହେବ ନାହିଁ । ତେଣୁ ସ୍ତ୍ରୀ-ଶିକ୍ଷା ବାଳିକା କାଳରୁ କି ଭାବେ ଆରମ୍ଭ କରାଯିବା ଉଚିତ ତାହା ଶିକ୍ଷିତା ଅଭିଜ୍ଞତାସଂପନ୍ନା ସ୍ତ୍ରୀମାନେ ଗବେଷଣା କରି ପାରିବେ । ପୁରୁଷ କେବଳ ସେଥିରେ ସହାୟତା କରିପାରେ । ଦେଶର ପରିବର୍ତ୍ତନ ଯେ ଭାବେ ଚାଲିଛି ତାକୁ ମାନବିକ ପରିବର୍ତ୍ତନ କରିବାକୁ ନିଜକୁ ବଢ଼ିବାକୁ ହେବ । ହୁଏତ ସାମାଜିକ ଚାଲିଚଳନ ଏପରି ଥିଲା ଯେ ଆଗେ ଲେଖା ପଢ଼ାର ଏତେ ଆବଶ୍ୟକତା ନଥିଲା । ସାମାଜିକ ପରିସ୍ଥିତି ସ୍ତ୍ରୀ-ଶିକ୍ଷାର କେନ୍ଦ୍ରଥିଲା ବୋଲି ବୋଧହୁଏ । ବୋଧହୁଏ, ମା’ମାନେ ଝିଅକୁ ତାର ସ୍ୱାମୀ ସଂସାରର ଉପଯୁକ୍ତ କରି ନେଉଥିଲେ । ବିବାହ ବେଳକୁ ଷୋଡ଼ଶୀ ଏପରି ଗଠିତ ହେଉଥିଲା ଯେ ସଂପୂର୍ଣ୍ଣ ଅପରିଚିତ ସ୍ଥାନରେ ମଧ୍ୟ ପ୍ରତି ପତ୍ତି କରି ପାରୁଥିଲା । ଏବେ କିନ୍ତୁ ବିବାହ ପରେ ଦେଖା ଯାଉଛି ଉଚ୍ଚ ଶିକ୍ଷାରେ ଶିକ୍ଷିତା କନ୍ୟା ଘର କରଣାକୁ ସଂପୂର୍ଣ୍ଣ ଅଯୋଗ୍ୟା, ସଙ୍ଗେ ସଙ୍ଗେ କାୟକ୍ଳେଶବିମୁଖିନୀ ସୂଚି ଓ ଉଲ୍‌ହସ୍ତା ହୋଇ ନିଜର ସ୍ୱାସ୍ଥ୍ୟନାଶ କରି ଜନ୍ମିତ ପୁତ୍ର କନ୍ୟାଙ୍କୁ ରୁଗ୍‌ଣ ଓ କ୍ଷଣଜୀବୀ କରି ସ୍ୱାମୀ ପରିବାରର ଚିର ଅଶାନ୍ତିଦାୟିନୀ ହେଉଛି । ବର୍ତ୍ତମାନ ସ୍ତ୍ରୀ ଶିକ୍ଷା ପଦ୍ଧତିର ବିଫଳତା ସମ୍ବନ୍ଧେ ଏଥିରେ ବଳି ଆଉ କି ପ୍ରମାଣ ଆବଶ୍ୟକ ? ୩୦/୪୦ ବର୍ଷ ପୂର୍ବେ କନ୍ୟା ସ୍ୱାମୀ ଘରକୁ ଆସିବାମାତ୍ରେ ତାକୁ ଘରର ଏତେ କାମ କରିବାକୁ ହେଉଥିଲା ଯେ ଆଜି କାଲି ଯୁଗର ୨/୩ଟା ଚାକରାଣୀ ମଧ୍ୟ ସେତିକି କାମ ଉଠାଇ ପାରିବେ ନାହିଁ । ଆଗେ କନ୍ୟା ଯେ ପରିମାଣ କାମ କରୁଥିଲା ତଦନୁପାତରେ ତାର ଖାଦ୍ୟ ମଧ୍ୟ ଯଥେଷ୍ଟ ଥିଲା । ସେ ଖାଦ୍ୟ ମଧ୍ୟ ସରଳ, ମାତ୍ର ଦେହପୁଷ୍ଟକାରୀ ଥିଲା ଓ କନ୍ୟା ତାହା ନିଜେ ପ୍ରସ୍ତୁତ କରୁଥିବାରୁ ତହିଁର ସ୍ୱାଦ ନିଜେ ଅନୁଭବ କରି ରନ୍ଧନ ପ୍ରଣାଳୀକୁ କ୍ରମେ ପରିପାଟାଶୀଳ କରି ପାରୁଥିଲା । ଖାଲି ଖାଦ୍ୟ ଯେ ସରଳ ଥିଲା ତାହା ନୁହେଁ, ସେ କାଳର ବସନ ଭୂଷଣ ମଧ୍ୟ ଅତି ସରଳ, ନିରାଡ଼ମ୍ବର ଓ ସୁପ୍ରାପ୍ୟ ଥିଲା । ଦିନ ଯାକ କର୍ମନିରତ ରହି ରାତ୍ରରେ ଗାଢ଼ ସୁସୁପ୍ତି ଦ୍ୱାରା ଦେହକୁ ସୁସ୍ଥ ଓ କର୍ମକ୍ଷମ କରି ରଖୁଥିଲା । ସେ ପୁଣି ସମସ୍ତଙ୍କ ଉଠିବା ପୂର୍ବେ ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ବେଳକୁ ସେମାନଙ୍କର ଯାହା ଦରକାର ତାହା ସଂଗ୍ରହ କରି ରଖୁଥିଲା । ସେ କାଳର ସ୍ତ୍ରୀମାନେ ପ୍ରକୃତ ବୁଝିଥିଲେ ଅନ୍ୟପାଇଁ ଖାଟିବା ହିଁ ଜୀବନର ଆନନ୍ଦ । ଆଗର ସ୍ତ୍ରୀମାନେ ପରହିତବ୍ରତିନୀ ଥିଲେ । ତାହାହିଁ ଜୀବନର ଉଦ୍ଦିଷ୍ଟ ବସ୍ତୁ ଓ ମାନବିକତା, ସେଥିପାଇଁ ସେମାନଙ୍କୁ ସ୍କୁଲ କଲେଜରେ ପଢ଼ିବାକୁ ହେଉ ନଥିଲା । ବାସ୍ତବିକ୍ ସ୍ତ୍ରୀ-ଶିକ୍ଷା ପାଇ ଆଧୁନିକ ସ୍କୁଲ କଲେଜମାନଙ୍କର ଆବଶ୍ୟକତା ମାତ୍ରନାହିଁ । ସେଠାରେ ଥିବା ପୁରୁଷ ଶିକ୍ଷକ ସ୍ତ୍ରୀ-ଶିକ୍ଷା ଦେବାକୁ ଏକାନ୍ତ ଅନୁପଯୁକ୍ତ । ଆଉ ଯେଉଁ ସ୍ତ୍ରୀମାନେ ଶିକ୍ଷୟିତ୍ରୀ, ସ୍ତ୍ରୀ-ଶିକ୍ଷା ଦିଗରେ ସେମାନଙ୍କର ଜ୍ଞାନ ବା କେତେ ? ଅନୁଢ଼ାସ୍ତ୍ରୀ ବୁଢ଼ୀ ହେଲେ ମଧ୍ୟ ଉପଯୁକ୍ତ ଶିକ୍ଷା ଦେବାର ପାତ୍ରୀ ନୁହନ୍ତି । ହଁ, ଲେଖା ପଢ଼ା ଦିଗରେ ସେ କିଛି ସାହାଯ୍ୟ କରି ପାରିବେ ମାତ୍ର । ପ୍ରକୃତ ସ୍ତ୍ରୀ-ଶିକ୍ଷା ସକାଶେ ଭଲ ସମାଜ ଆବଶ୍ୟକ । ଲେଖା ପଢ଼ା ପାଞ୍ଚ ଛ ବର୍ଷ ମଧ୍ୟରେ ଶିଖି ଆଜିକାଲିର ସ୍ତ୍ରୀମାନଙ୍କୁ ୫୦/୬୦ ବର୍ଷ ପୂର୍ବକୁ ଫେରିବାକୁ ହେବ । ଅବଶ୍ୟ ସେତେବେଳେ ଯେ ସବୁ କୁସଂସ୍କାରମାନ ଥିଲା ପୁନଃଗ୍ରହଣ କରିବାକୁ ହେବ ନାହିଁ । କୁସଂସ୍କାରକୁ ବାଦ୍‌ଦେଇ ୫୦।୬୦ ବର୍ଷ ପୂର୍ବକୁ ଫେରିଲେ ଯାଇଁ ଆମର ସ୍ତ୍ରୀମାନେ ତାଙ୍କର ପ୍ରକୃତ ସ୍ତ୍ରୀ-ଶିକ୍ଷା ଓ ସ୍ତ୍ରୀ-ଅଧିକାର ଫେରି ପାଇବେ ବୋଲି ଏ ପୁରୁଷ ଲେଖକ ବିଶ୍ୱାସ କରେ । ମାତ୍ର ତାର ଏ ବିଶ୍ୱାସ ଭଲ ବା ଭୁଲ୍‌ ସେ ବିଚାର ଶିକ୍ଷିତା ଭଉଣୀମାନଙ୍କ ହାତରେ ।

Image

 

ତୃତୀୟ ପରିଚ୍ଛେଦ

ଅନ୍ନ ସମସ୍ୟା

 

ଭାରତର କାହିଁକି ପୃଥିବୀର ଅନ୍ନସମସ୍ୟା ବର୍ତ୍ତମାନ ମହାସମସ୍ୟା ହୋଇ ପଡ଼ୁଛି । ତହିଁର ନାନା କାରଣ ରହିଛି । ପ୍ରଥମ ଓ ପ୍ରଧାନ କାରଣ ଲୋକସଂଖ୍ୟା ବୃଦ୍ଧି । ଲୋକସଂଖ୍ୟା ବୃଦ୍ଧି ମନୁଷ୍ୟର ସ୍ୱକୃତ ନା ଦୈବୀ ଦୁର୍ଘଟଣା ଦେଖାଯାଉ । ଅନ୍ୟତ୍ର ଯାହା ଥାଉ, ଭାରତରେ ‘ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା’ ସର୍ବବାଦୀ ସମ୍ମତ । ହିନ୍ଦୁ ଶାସ୍ତ୍ରାନୁସାରେ ବଂଶରକ୍ଷା ପାଇଁ ପୁତ୍ର । ମାତ୍ର ବଂଶରକ୍ଷା ପାଇଁ କେତେ ପୁତ୍ର ଆବଶ୍ୟକ ? ପ୍ରଥମ ପୁତ୍ର ଧର୍ମାର୍ଥେ, ଜ୍ୟେଷ୍ଟ ହିଁ ଶ୍ରେଷ୍ଠ ଏହା ଏ ପର୍ଯନ୍ତ ହିନ୍ଦୁ ସମାଜ ବିଶ୍ୱାସ କରେ, କରିବା ଉଚିତ ମଧ୍ୟ ହେଉଛି । ଅନ୍ୟ ପୁତ୍ର ପାପ ପୁତ୍ର, ଏହା ସାଧାରଣ ଲୋକେ ମଧ୍ୟ କହନ୍ତି । କିନ୍ତୁ ସାଧାରଣ ଲୋକ କାହିଁକି, ଶିକ୍ଷିତ ମଧ୍ୟ ଏ ପାପରେ ପାପୀ ହୁଅନ୍ତି କାହିଁକି ? ତାହାର ମୂଳରେ ରହିଛି ସଂଯମହୀନତା ଓ ଇନ୍ଦ୍ରିୟପରାୟଣତା ଓ ଜନନେନ୍ଦ୍ରିୟର ଅନର୍ଥକ ସଂଚାଳନ । ସ୍ତ୍ରୀ ପୁରୁଷ ଉଭୟଙ୍କ ପକ୍ଷରେ ଏହି ଅଯଥା ଉତ୍ତେଜନ ବ୍ୟକ୍ତିଗତ ଭାବେ ଯେ କ୍ଷତି କରେ, ସମାଜର ତତୋଧିକ ବିଷମ କ୍ଷତି କରୁଛି । ୧୯୩୦-୩୧ ଖ୍ରୀଷ୍ଟାବ୍ଦ ଜନସୁମାରିରେ ଭାରତର ଲୋକସଂଖ୍ୟା ଥିଲା ୩୧ କୋଟି, କିନ୍ତୁ ୧୯୫୧ରେ ପାକିସ୍ଥାନର ଲୋକସଂଖ୍ୟା ଛାଡ଼ି କେବଳ ଭାରତର ଲୋକସଂଖ୍ୟା ପ୍ରାୟ ସେତିକି ରହିଛି । ପାକିସ୍ଥାନର ପଳାତକ ସଂଖ୍ୟା ଯୋଗ କଲେ ପ୍ରାୟ ୩୨ କୋଟି ହେବ । ଭାରତରୁ ଶତକଡ଼ା ୧୭ ପାକିସ୍ଥାନକୁ ଯାଇଛି । ତେବେ ଭାରତର ଯେଉଁ ଖାଦ୍ୟ ଶହେ ଜଣ ଖାଉଥିଲେ ବର୍ତ୍ତମାନ ସେ ଖାଦ୍ୟ ୧୫୦ ଜଣରେ ବଣ୍ଟିତ ହେଉଛି । ଅବଶ୍ୟ ଭାରତର ଚାଷ ଜମିର ପରିମାଣ ବଢ଼ିଛି, ତାହା ସ୍ୱୀକାର୍ଯ୍ୟ । ଏହା ସତ ଯେ ଶତକଡ଼ା ୧୫ଭାଗ ଚାଷ ଜମି ବଢ଼ିଛି । କିନ୍ତୁ ମୋଟ ଉପରେ ଭୂମିର ଉର୍ବରତା ଓ ଉପାଦେୟତା କମିଛି ଶତକଡ଼ା ୬ ତେବେ ଉପାର୍ଜନର ହାର ପ୍ରାୟ ୧୦୮ । ଏହି ଖାଦ୍ୟ ୧୫୦ ଜଣ ମଧ୍ୟରେ ବାଣ୍ଟିଲେ ପେଟ ପୂରିବ ତ ? ମନୁଷ୍ୟର ପରମାୟୁ ଯଦି ବ୬୦ର୍ଷ ଧରା ଯାଉଥିଲା, ଖାଦ୍ୟାଭାବେ କେବଳ କମିଗଲା ବ୨୦ର୍ଷ । ତଦୁପରି ଅଜିତେନ୍ଦ୍ରିୟତା ଓ ଆଉ ଅନ୍ୟ କାରଣରୁ ପରମାୟୁ କମିଯାଉଛି । ତେଣୁ ଆଜି ଭାରତୀୟ ବାମନ ହୋଇ ବ୩୦ । ୩୫ର୍ଷରେ ବୁଢ଼ା, ‘ମରଣଂ ବିନ୍ଦୁ ପାତେନ, ଜୀବନଂ ବିନ୍ଦୁଧାରଣତ୍‌’ । ଏହା ଆଜିର ଉଦ୍‌ଭାବନ ନୁହେଁ । ସଂଯମ ଥିଲା ହିନ୍ଦୁ ପାରଗତାର କେନ୍ଦ୍ର । ଜନନେନ୍ଦ୍ରିୟର ଅସମୟେ ଓ ଅଯଥା ପରିଚାଳନା ଆଜି ହିନ୍ଦୁର ସର୍ବନାଶ କରୁଛି । ଲୋକସଂଖ୍ୟା ବଢ଼ାଇ ଖାଲି ଯେ ଯାବତୀୟ ଅଭାବ ଓ ଅନାଟନ ସୃଷ୍ଟି କରାଯାଉଛି ତାହା ନୁହେଁ, ଭାରତୀୟକୁ ମନୁଷ୍ୟପଣିଆଁରୁ ବଞ୍ଚିତ କରାଯାଉଛି । ହଁ, ପୁତ୍ର କନ୍ୟା ଜାତି କରିବା ମନୁଷ୍ୟର ଆୟତ୍ତାଧୀନ ନୁହେଁ ସତ କିନ୍ତୁ ଇନ୍ଦ୍ରିୟ ସଂଯମ ଯୋଗେ ମନୁଷ୍ୟ ଦୈବଶକ୍ତିରେ ଶକ୍ତିମାନ୍ ହୁଏ । ଛାର ପୁତ୍ର କନ୍ୟା ଜାତ କରିବା ଅତି ସାମାନ୍ୟ କଥା । ସତ ଏହା ଯେ ପୁତ୍ର ବା କନ୍ୟାଜାତହେବା ବିଧାତର ଆୟତ୍ତାଧୀନ, ପୁତ୍ର ବଂଶରକ୍ଷା ସକାଶେ ଓ କନ୍ୟା ଅନ୍ୟକୁଳ ପାଇଁ । ଯଦି ପ୍ରଥମ ଗର୍ଭରେ ପୁତ୍ର ନ ହୋଇ କନ୍ୟା ଜାତହୁଏ ତେବେ ବୁଝି ନେବାକୁ ହେବ ତାହା ବିଧାତାଙ୍କର ବିଧାନ । ତଥାପି ଇନ୍ଦ୍ରିୟ ସଂଯମ କରଣୀୟ ଓ ଜନ୍ମନିରୋଧ ବାଞ୍ଛନୀୟ । ତେବେ ବଂଶରକ୍ଷା ସକାଶେ ଦ୍ୱିତୀୟ ଗର୍ଭାଧାନର ବିଧାନ ଶାସ୍ତ୍ରରେ ରହିଛି । ଯଦି ଦ୍ୱିତୀୟଗର୍ଭରେ କନ୍ୟା ଜାତ ହୁଏ ତେବେ ବୁଝିନେବାକୁ ହେବ ଆଉ ଉପାୟ ନାହିଁ । କର୍ମ ଆଦରି ଜନ୍ମ ନିରୋଧ କରି ସେ ଦିଗରେ ଆଉ ଅଗ୍ରସର ନ ହୋଇ ପୁତ୍ରିକା ପୁତ୍ରକୁ ଅପେକ୍ଷା କରିବାକୁ ହେବ । ଅନ୍ନ ସମସ୍ୟା ପୂରଣ ସକାଶେ ନିଷ୍ଠୁର ଭାବେ ଜନ୍ମ ନିରୋଧ କରିବାକୁ ହେବ ନ ହେଲେ ଆଉ ରକ୍ଷା ନାହିଁ । ଜନ୍ମ ନିରୋଧ ନ ହେବାରୁ ଭାରତରେ ନାନା ଦୁଃଖ ଦୁର୍ଦ୍ଦଶା ଘର କଲାଣି । ହିନ୍ଦୁର (Joint family system) ଇଜମାଲୀ ପରିବାର ଏହି ଦୁର୍ଦ୍ଦଶାର ଆଉ ଏକ କାରଣ । ହିନ୍ଦୁର ଜ୍ୟେଷ୍ଠ ପୁତ୍ରହିଁ ଶ୍ରେଷ୍ଠ ସନ୍ତାନ ଓ ଉତ୍ତରାଧିକାରୀ । ଯଦି ଭାଇ ରହିଛି ସେ ପୈତୃକ ସମ୍ପତ୍ତି ଭାଗ ପାଇବା ଉଚିତ ନୁହେଁ । ପିତା ମାତାର ପାପରୁ ତାର ଜନ୍ମ । ସେ ପାପ ପାଇଁ ପ୍ରାୟଶ୍ଚିତ୍ତ ପିତା ମାତାର ହିଁ କର୍ତ୍ତବ୍ୟ । ଦଣ୍ଡ ସ୍ୱରୂପ ପିତାମାତା ପୈତୃକ ସମ୍ପତ୍ତି ବାହାରେ ତାର ସଂସ୍ଥାନ ନିମିତ୍ତ ସ୍ୱପାର୍ଜିତ ସମ୍ପତ୍ତିର ବ୍ୟବସ୍ଥା କରିବେ । ଯଦି ସେ ଯୋଗ୍ୟତା ନ ଥାଇ ଦ୍ୱିତୀୟ ପୁତ୍ର ଜନ୍ମ କରନ୍ତି, ସାମାଜିକ କଠୋର ଦଣ୍ଡରେ ସେମାନେ ଦଣ୍ଡିତ ହେବା ଉଚିତ । ଆଗେ ଯଦି ତାହା ନଥିଲା ଏବେ ତାହା ନିତାନ୍ତ କରଣୀୟ ହୋଇ ପଡ଼ିଲାଣି । ପିତାମାତା ସେ ଦିଗରେ ଯଦି କିଛି କରି ପାରିଲେ ନାହିଁ ତେବେ ୨ୟ ବା ୩ୟ ପୁତ୍ର ଯୋଗ୍ୟତା ଅର୍ଜନ କରି ନିଜ ଗୋଡ଼ରେ ଠିଆ ହୋଇ ପାରିବା ପର୍ଯ୍ୟନ୍ତ ପୈତୃକ ସମ୍ପତ୍ତିରୁ ଅସ୍ଥାୟୀଭାବେ ଖୋରାକ ପୋଷକ ମାତ୍ର ପାଇବା ଉଚିତ । ତହିଁର ବ୍ୟବସ୍ଥା ଏ ପର୍ଯ୍ୟନ୍ତ ଅନେକ ସ୍ଥାନରେ ହିନ୍ଦୁ ସମାଜରେ ରହିଛି । ଏପରି ଅବସ୍ଥାରେ ଜାତି ମାତ୍ରେ ଇଜମାଲୀ ସମ୍ପତ୍ତିରେ ଅଂଶୀଦାର ହେଉଥିବାରୁ ଇଜମାଲୀ ସମ୍ପତ୍ତିରେ ନିର୍ଭର କରି ଯୋଗ୍ୟତା ଅର୍ଜନରୁ ବିରତ ହେବା ଦ୍ୱାରା ହିନ୍ଦୁର ଏବମ୍ବିଧ ଅଧଃପତନ ଘଟିଛି । ଜନ୍ମ ନିରୋଧ ପାଇଁ ଔଷଧ ପ୍ରୟୋଗ ଏକାନ୍ତ ଗର୍ହିତ ଅଟେ । ଇନ୍ଦ୍ରିୟପରତନ୍ତ୍ରତା ଯଦି ନିତାନ୍ତ ଏଡ଼ାଇ ନ ହୁଏ ତେବେ ଅନ୍ତତଃ ସ୍ତ୍ରୀ ରଜସ୍ୱଳାହେବା ଷୋଡ଼ଶ ଦିବସ ପରେ ସହବାସ କଲେ ଗର୍ଭାଧାନର କମ୍ ଆଶଙ୍କା । ମନକୁ ସଂଯମ ଦିଗରେ ଅଗ୍ରସର କରାଇ ଧୀରେ ଧୀରେ ଆଗକୁ ବଢ଼ିଲେ ସଂଯମ କ୍ରମେ ଅଭ୍ୟାସଗତ ହୁଏ । ଅସଲ କଥା ମନ ଚଞ୍ଚଳ ନ ହେଲେ ଇନ୍ଦ୍ରିୟଗଣ କ୍ରମେ କ୍ରମେ ସ୍ଥିର ହୋଇ ପଡ଼ନ୍ତି । ମନ ଇନ୍ଦ୍ରିୟ ସବୁର ରାଜା । ସୁତରାଂ ସୁଶିକ୍ଷା ଦ୍ୱାରା ମନକୁ ଆୟତ୍ତ କରିପାରିଲେ ଏକ ପୁରୁଷରେ ନ ହେଲେ ମଧ୍ୟ ଅନ୍ୟ ପୁରୁଷକୁ ସଂଯମ ସୁଲଭ ହୋଇଯିବ । ଆଉ ମନେ ରଖିବାକୁ ହେବ ଯେଉଁ ଭାରତର ଅଷ୍ଟମ ବର୍ଷୀୟ ବାଳକ ପିତୃତୃପ୍ତି ପାଇଁ ସିଂହାସନ ତ୍ୟାଗ ତଥା ବିମାତାର ତୃପ୍ତି ପାଇଁ ବିବାହ ତ୍ୟାଗକରି ଆମରଣ ଅସ୍ଖଳିତ ଭାବେ ସଂଯମ ରକ୍ଷା କରିପାରେ ଆମେ ତାଙ୍କର ଉତ୍ତରାଧିକାରୀ ।

 

ଲୋକସଂଖ୍ୟା ବୃଦ୍ଧିର ଅନ୍ୟ ଏକ ଉଜ୍ୱଳ ପାଖ ଅଛି । ଦେଶର ଉନ୍ନତି କଳ୍ପେ ଲୋକସଂଖ୍ୟା ବୃଦ୍ଧିର ଆବଶ୍ୟକତା ମଧ୍ୟ ଅଛି । ଦେଖିବାକୁ ପଡ଼ିବ ସଂଖ୍ୟା ବୃଦ୍ଧି ଦ୍ୱାରା ଯେପରି ଅଯୋଗ୍ୟର ସଂଖ୍ୟା ବୁଦ୍ଧି ନହୁଏ । ନିକଟ ଭୂତ କାଳରେ ମସୋଲିନି ବିବାହ ଓ ସନ୍ତାନ ବୃଦ୍ଧିରେ ଉତ୍ସାହ ଦେଇ ଇତାଲୀୟ ଜାତିକୁ ବଳବାନ୍ କରିଥିବାର ସାହସିକତା ଦେଖାଇ ଯାଇଛନ୍ତି । ସେ ଦିଗରେ ଜନ୍ମନିରୋଧ ଅପେକ୍ଷା ମଧ୍ୟ ସଂଯମର ଆବଶ୍ୟକତା ଅତି ବେଶୀ କାରଣ ଶରୀରକୁ ନିରୋଗ ରଖି ଶୁକ୍ର କ୍ଷୟ ଦ୍ୱାରା ଶରୀରର ଯେପରି କୌଣସି କ୍ଷୟ ନହୁଏ ତଥା ଶୁକ୍ର କ୍ଷୟ ଦ୍ୱାରା ଶରୀରର ଯେପରି କୌଣସି କ୍ଷୟ ନ ହୁଏ ତଥା ଶୁକ୍ର ଯେପରି ଦୋଷ ଦୁଷ୍ଟ ନହୁଏ ତାହା ପ୍ରଣିଧାନ କରିବାକୁ ହେବ । ଯଦି ଯୋଗ୍ୟ ପୁତ୍ର କନ୍ୟାର ସଂଖ୍ୟା ବୃଦ୍ଧି ହୁଏ ତେବେ ସଙ୍ଗେ ସଙ୍ଗେ ଜାତୀୟ ସଂପତ୍ତିର ବୃଦ୍ଧି ହେବ । ସୁଯୋଗ୍ୟ ନାଗରୀକର ପରିଶ୍ରମ ଦ୍ୱାରା ଦେଶ ସମ୍‌ରୁଦ୍ଧିମନ୍ତ ହେବ ମାତ୍ର ଭାରତରେ ବଞ୍ଚିବାକୁ ଖାଦ୍ୟ ଅନାଟନ ବେଳେ ସେ ଆଶା ଆକାଶକୁସୁମ ମାତ୍ର । ସେହି ଉପଯୁକ୍ତ ସମୟ ସମୂହ ଚେଷ୍ଟାରେ ଆଣିବାକୁ ହେବ । ଖାଦ୍ୟ ଉପୁଜନ ସମ୍ୱନ୍ଧେ ଭାରତକୁ ସ୍ୱାବଲମ୍ୱୀ କରିବାକୁ ହେବ । ବିଭୋ ! ଆଶାବାଦୀର ଏ ଆଶା ଆକାଶକୁସୁମ ନହେଉ, କାରଣ ତମେଇ ଆଶାୟୀ ଭାରତକୁ ଏ ପର୍ଯ୍ୟନ୍ତ ବଞ୍ଚାଇ ରଖିଛି । ଖାଦ୍ୟାଭାବର ଆଉ ଅନେକ କାରଣ ରହିଛି । ଅତିଭୋଜନ ବୋଧହୁଏ ୨ୟ ପ୍ରଧାନ କାରଣ । ଆଜି ସମାଜରେ ନିମ୍ନଶ୍ରେଣୀ ଛଡ଼ା ମଧ୍ୟ ଓ ଉଚ୍ଚ ଶ୍ରେଣୀରେ ଜୀର୍ଣ୍ଣାଭାବଜନିତ ପେଟ ଦୁଃଖ ଅପର୍ଯ୍ୟାପ୍ତ, ଏ ଦିଗରେ ନିମ୍ନ ଶ୍ରେଣୀର ସ୍ୱାସ୍ଥ୍ୟ ଲୋଭନୀୟ । ଏପରିକି, ଏପରି ପରିବାର ନାହାନ୍ତି ଯହିଁରେ ଅତିଭୋଜନ ଜନିତ ଉଦରପୀଡ଼ା ପୀଡ଼ିତ ବ୍ୟକ୍ତି ନାହିଁ । ଦୁନିଆଁରେ ନଖାଇ ମରିବା ଲୋକସଂଖ୍ୟା ଅପେକ୍ଷା ଖାଇ ମରିବା ଲୋକସଂଖ୍ୟା ଅତି ବେଶୀ, କଦାଚିତ୍‌ ଲୋକ ନଖାଇ ମରେ । ତେବେ ଅଖାଦ୍ୟ ଭୋଜନଜନିତ ମୃତ୍ୟୁ ନଖାଇ ମରିବା ଲୋକସଂଖ୍ୟା ତୁଳନାରେ ତାହା କିଛି ନୁହେଁ । ଭୋଗ ପାଇଁ ଖାଦ୍ୟ ଆବଶ୍ୟକ ଅନ୍ୟଥା ତାହା ରସନାଲୋଭ ମାତ୍ର । ଏହି ରସନାଲୋଭ ପରି ମନୁଷ୍ୟର ଶତ୍ରୁ ଆଉ କେହି ନୁହନ୍ତି । ଏ ଦେହ ଭଗବାନଙ୍କର ମନ୍ଦିର, ଏହା ସର୍ବଧର୍ମ ଓ ସର୍ବବାଦୀସମ୍ମତ । ତେବେ ଯଦି ଅତିଭୋଜନ (ଯାହା ରସନାଲୋଭ ଓ ଇଚ୍ଛାକୃତ ଅଟେ) ଦ୍ୱାରା ରୋଗ ଓ ମୃତ୍ୟୁ ଆମନ୍ତ୍ରଣ କରାଯାଏ ତାହା ଆତ୍ମହତ୍ୟା ଛଡ଼ା ଆଉ କଅଣ ହୋଇପାରେ । ସାମାନ୍ୟ ବାଲି ସୃଷ୍ଟି କରିବାର ଯାହାର ଶକ୍ତି ନାହିଁ ସେ ଯଦି ଅତିଭୋଜନ ଦ୍ୱାରା ଭଗବାନଙ୍କର ଏ ପବିତ୍ର ମନ୍ଦିରକୁ ଅପବିତ୍ର, କଳୁଷିତ ଓ ନଷ୍ଟ କରେ ତାଠାରୁ ବଳି ଆଉ କିଏ ଗର୍ହିତ ପାପୀ ଅଛି ? ଅତିଭୋଜନ ଦ୍ୱାରା ଦେଶରେ ଯେ ଖାଦ୍ୟ ନଷ୍ଟ ହେଉଛି ତଦ୍ୱାରା ହିଁ କେବଳ ଦେଶକୁ ରକ୍ଷା କରାଯାଇ ପାରେ, ଏହା ଆସ୍ପର୍ଦ୍ଧା ନୁହେଁ । ଆଗରୁ କୁହାଯାଇଛି ଜୀବନ ରକ୍ଷା ସକାଶେ ଭଗବାନ ଯଥେଷ୍ଟ ଖାଦ୍ୟ ସୃଷ୍ଟି କରିଛନ୍ତି କିନ୍ତୁ ଆମେ ଖାଇ ନଜାଣି ଓ ଅଖାଦ୍ୟ ଖାଇ ସର୍ବନାଶ କରିଛୁଁ । ଅତିଭୋଜନ ଯେପରି ଦେହର ଅନିଷ୍ଟକାରକ ଅନ୍ୟ ପକ୍ଷରେ ଉପବାସ ସେପରି ବଳବୀର୍ଯ୍ୟବର୍ଦ୍ଧକ ଓ ଆରାମଦାୟକ । ଉପବାସ ଓ ପଥ୍ୟ ପରିବର୍ତ୍ତନ ସ୍ୱାସ୍ଥ୍ୟସମ୍ମତ କାହିଁକି ଧର୍ମସମ୍ମତ ମଧ୍ୟ ଅଟେ । ନିଦ୍ରା ଓ ବିଶ୍ରାମ ଦେହ ରକ୍ଷାପାଇଁ । ଜୀର୍ଣ୍ଣ ପ୍ରଣାଳୀର ସାହାଯ୍ୟ ସକାଶେ ପାକସ୍ଥଳୀର ବିଶ୍ରାମ ପକ୍ଷେ ଉପବାସ ଏକାନ୍ତ ପ୍ରୟୋଜନ । ପେଟୁକ ଉପବାସର ଅନୁରାଗୀ ନୁହେଁ କାରଣ ତାର ଜିହ୍ୱାଲାଳସା ରୋଗ (ବୈଜ୍ଞାନିକମାନଙ୍କର ଏହା ମତ) ଅଛି । ହିନ୍ଦୁର ଉପବାସ ଉପାସନା ସ୍ୱାସ୍ଥ୍ୟ ପାଇଁ । ନିତାନ୍ତ ଉପବାସବିମୁଖ ମଧ୍ୟ ସପ୍ତାହରେ ଯଦି ଓଳିଏ ମାତ୍ର ନଖାଏ ତେବେ ସେ ମଧ୍ୟ ଏହି ମହାଅନ୍ନସମସ୍ୟା ଦିଗରେ ସାହାଯ୍ୟ କରି ପାରିବ । ୩୨ କୋଟି ଲୋକ ମଧ୍ୟରୁ ଯଦି କୋଡ଼ିଏ କୋଟି ଲୋକ (ବୃଦ୍ଧ ଓ ବାଳକ ଛାଡ଼ି) ସାବାଳକ ଥାଆନ୍ତି ଓ ପ୍ରତ୍ୟେକେ ଯଦି ସପ୍ତାହରେ ଏକଓଳି ମାତ୍ର ଉପବାସ କରନ୍ତି ତେବେ ଫଳ କଅଣ ହୋଇପାରେ ଦେଖାଯାଉ । ମନେକର ଜଣେ ଓଳିକୁ ପାଏ ଚାଉଳ ବା ଗହମ ଖାଏ ତେବେ କୋଡ଼ିଏ କୋଟି ଲୋକ ୨୦ କୋଟି ପାଅ ବା ପାଞ୍ଚକୋଟି ସେର ଖାଦ୍ୟ ଓଳିକୁ ବଞ୍ଚାଇ ପାରିବେ । ମାସରେ ୨୦ କୋଟି ସେର ଓ ବର୍ଷକୁ ୨୪୦ କୋଟି ସେର ଖାଦ୍ୟ ବଞ୍ଚାଇ ପରିବେ । ତେବେ ଅତି ଭୋଜନ ନ କରିବା ଦ୍ୱାରା ଯାହା ହେଉ ନ ହେଉ ସପ୍ତାହରେ ଓଳିଏ ମାତ୍ର ନ ଖାଇବା ଦ୍ୱାରା କେବଳ ଭାରତର ଖାଦ୍ୟ ସମସ୍ୟା ପୂରଣ ହୋଇପାରେ, ଏହା ଆଉ ବୁଝାଇବାକୁ ହେବ ନାହିଁ । ତା’ନ କରି ବୃଥା ଘୋ ଘୋ ଦ୍ୱାରା ଅନ୍ୟକୁ ଉପଦେଶ ଦେବାର ବହପପଣିଆଁ ଆମକୁ ଆଉ ସୁନ୍ଦର ଦିଶୁନାହିଁ । ବର୍ତ୍ତମାନ ଏ ଦିଗରେ ଆମର ଜାତୀୟ ସରକାର ବାଧ୍ୟତାମୂଳକ କିଛି ବ୍ୟବସ୍ଥା କଲେ ମଧ୍ୟ ନିନ୍ଦାଭାଜନ ହୁଅନ୍ତେ ନାହିଁ ।

 

ହିନ୍ଦୁର ଖାଦ୍ୟ ଓ ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀ ଅତି ସରଳ ଥିଲା । ସେଥିରେ ମଧ୍ୟ ନାନା ଜଟିଳତା ପ୍ରବେଶ କରିଛି। ଦୁଧ ଘିଅ ତ ସ୍ୱପ୍ନ ହେଲାଣି । ଅନ୍ୟ କୌଣସି ଜିନିଷର ଅପେକ୍ଷା ନକରି କେବଳ ଲୁଣ ଓ ସାମାନ୍ୟ ଘିଅ ଯୋଗାଡ଼ କରି ପାରିଲେ ଖାଦ୍ୟର ଉପାଦେୟତା, ସରଳତା ଓ ସରସତା ରକ୍ଷା କରାଯାଇ ପାରନ୍ତା । (Hunger is the best-sauce) ଅର୍ଥାତ୍‌ କ୍ଷୁଧାହିଁ ସ୍ୱାଦୁର ଜନନୀ । କ୍ଷୁଧା ଥିଲେ ଅସାର ଖାଦ୍ୟ ମଧ୍ୟ ପରିପାକ ହୋଇଯାଏ । ଆଉ କ୍ଷୁଧା ନ ଥାଇ ଖାଇଲେ ଖାଦ୍ୟ ପରିପାକ ନ ହୋଇ ମଳ ହୋଇ ଚାଲିଯାଏ । ଖାଦ୍ୟର ଉଦ୍ଦେଶ୍ୟ ସିଦ୍ଧିହୁଏ ନାହିଁ । ମସଲାଯୁକ୍ତ ଖାଦ୍ୟ ମୁଖରୋଚକ ଓ ଜୀହ୍ୱାଲାଳ ସାବର୍ଦ୍ଧକ ମାତ୍ର ଶରୀର କ୍ଷୟକାରକ କାରଣ ନାନା ମସଲାରେ ନାନା ଦ୍ରବ୍ୟ ଗୁଣ ବା ଦୋଷ ରହିଛି । ଦେହର ଉପକାରୀ ଉପାଦାନ ସଙ୍ଗେ ଯଦି ମସଲାର ଦ୍ରବ୍ୟଗୁଣ ଏକ ନୁହେଁ, ତେବେ ଉକ୍ତ ମସଲା ସଂଯୁକ୍ତ ଖାଦ୍ୟ ସ୍ୱାସ୍ଥ୍ୟସମ୍ମତ ହେବ ନାହିଁ । ଏଥିରେ ବିଚିତ୍ରତା କିଛି ନାହିଁ । ଆଉ ସେଭଳି ଖାଦ୍ୟ ଦ୍ୱାରା ଦେହ ରକ୍ଷା କରାଯାଇ ପାରେ ନାହିଁ ବରଂ ନାନା ଉତ୍କଟ ଓ ଜଟିଳ ରୋଗରେ ଦେହକୁ ଧ୍ୱଂସାଭିମୁଖୀ କରାଯାଏ । ବେଳୁଁବେଳ ନୂତନ ନୂତନ ନାନା ରକମ ମସଲା ଖାଦ୍ୟରେ ପକାଇ ତାକୁ ମୁଖରୋଚକ କରୁଛୁଁ ସିନା କିନ୍ତୁ ତଦ୍ୱାରା ଖାଦ୍ୟପାନରେ ଆଡ଼ମ୍ୱର ଓ ଆବର୍ଜନା ଭରୁଛୁଁ । ତଦ୍ୱାରା ବୃଥା ଜାତୀୟ ସମ୍ପତ୍ତିର ଅପଚୟ ଘଟୁଛି ତଥା ବହୁମୂଲ୍ୟ ଦେଇ ଜାତିର ସ୍ୱାସ୍ଥ୍ୟ ନଷ୍ଟ କରୁଥାଇଁ । ଘିଅ ଯାଇଛି, ବନସ୍ପତି ତେଲ ଘିଅର ସ୍ଥାନ ପୂର୍ଣ୍ଣ କରିଛି । ଆଜି ଏହି ବନସ୍ପତିରେ ଆରତୀ ଓ ହୋମ କରାଗଲାଣି । ଆଜିର ରନ୍ଧନପ୍ରଣାଳୀ ଖାଦ୍ୟକୁ ଦେହ ଓ ସ୍ୱାସ୍ଥ୍ୟସମ୍ମତ ନକରି ବିପରୀତ ଦିଗରେ ଚାଲିଛି । ରନ୍ଧନପ୍ରଣାଳୀକୁ ପୁନର୍ବାର ସରଳ ଓ ସହଜ କରି ଖାଦ୍ୟର ସରଳତା ଓ ସରସତା ଆଣି ଖାଦ୍ୟକୁ ଜୀର୍ଣ୍ଣକାର୍ଯ୍ୟରେ ସହାୟକ କରିବାକୁ ହେବ । ଆଡ଼ମ୍ୱର ଓ ଆବର୍ଜନା ଯେପରି ଖାଦ୍ୟରେ ପଶି ଜାତିର ସ୍ୱାସ୍ଥ୍ୟର ଅବନତି ନ ଘଟାଏ ତତ୍‌ପ୍ରତି ଅବହିତ ହେବାକୁ ହେବ ।

 

ଖାଦ୍ୟ ସମସ୍ୟା ପୂରଣ କରିବାକୁ ଆଉ ଏକ ବିଷୟ ମନେ ରଖିବାକୁ ହେବ । ସ୍ନେହ ଓ ବାତ୍ସଲ୍ୟ ଯେପରି ଅଯଥା ଖାଦ୍ୟପାନରେ ପ୍ରଭାବ ବିସ୍ତାର ନ କରନ୍ତି । ମା’ ଭଉଣୀ ଓ ପତ୍ନୀ ଅଶିକ୍ଷିତା ଥିବାରୁ ଅଧିକ ଖାଇବାକୁ ଯେ ଭାବେ ପ୍ରଚେଷ୍ଟା କରନ୍ତି ଓ ପରିବେଷଣ ବେଳେ ଅଧିକ ପାତ୍ରରେ ଅଜାଡ଼ି ଦିଅନ୍ତି ତହିଁର କୁଫଳ ପ୍ରତି ଆଦୌ ନଜର ଦିଅନ୍ତି ନାହିଁ । ଦାନଶୀଳତା ଦେଖାଇବାକୁ ଯାଇ ଗୋଟିଏ ଗୋଟିଏ ଭୋଜିରେ ଯେ ଖାଦ୍ୟର ଅପଚୟ ହୁଏ, ଉକ୍ତ ଅପଚୟିତ ଖାଦ୍ୟ ଆହୁରି ତେତିକି ଲୋକ ଖାଇ ପାରନ୍ତେ । ଦୈନନ୍ଦିନ ଖାଦ୍ୟ ପରିବେଷଣ ବେଳେ ଗୃହିଣୀଗଣ ଯେ ଖାଦ୍ୟ ଅପଚୟ କରନ୍ତି, ଉକ୍ତ ଅପଚୟିତ ଖାଦ୍ୟରେ କେତେ କାଙ୍ଗାଳ, ଗୋରୁ ଓ କୁକୁର ପୋଷା ଯାଆନ୍ତେ । ପୁଣି ଭାତ ରନ୍ଧନପ୍ରଣାଳୀ ଏପରି ଯେ ଚାଉଳର ସାର ପେଜରେ ଫିଙ୍ଗି ଦିଆଯାଏ । ଡାଲି ଏପରି ରନ୍ଧା ହୁଏ ଯେ ଭଲଭାବେ ସିଦ୍ଧ ନ ହୋଇ ଡାଲି ଆକାରରେ ମଳରେ ଚାଲିଯାଏ । ସୁସ୍ୱାଦୁ କରିବାକୁ ଯେ ମସଲା ଦିଆଯାଏ ସ୍ୱାଦୁ ଦିଗରେ କିଛି କାର୍ଯ୍ୟକାରୀ ହେଲେ ମଧ୍ୟ ପୃଷ୍ଟିକର ହୁଏ ନାହିଁ । ରନ୍ଧନ ବେଳେ ମନେ ରଖିବାକୁ ହେବ ରନ୍ଧନ କେବଳ ପାକକ୍ରିୟା, ପାକ ବା ଜୀର୍ଣ୍ଣ ନ ହେଲେ ରନ୍ଧନ, ରନ୍ଧନ ନୁହେଁ ବନ୍ଧନ ମାତ୍ର । ଖାଦ୍ୟ ସମସ୍ୟାକୁ ଦେଶରତ୍ନ ନେହେରୁ ଯୁଦ୍ଧକାଳୀନ ଜରୁରୀ ସମସ୍ୟା କରି ନେବାକୁ ଆହ୍ୱାନ କରିଛନ୍ତି । ସେ ଦିଗରେ ତତ୍‌ପର ହେବା ପ୍ରତ୍ୟେକ ନାଗରୀକର ପବିତ୍ର କର୍ତ୍ତବ୍ୟ । ଏ ଦିଗରେ ସରକାର ପକ୍ଷରୁ ପଡ଼ିଆ ଜମିକୁ ଉଠିଆ କରିବାକୁ ଯେ ଉଦ୍ୟମ କରାଯାଉଛି ସେଥିରେ ସମସ୍ତଙ୍କର ସହୃଦୟତା ଲୋଡ଼ା । ସଂଯମ ଦ୍ୱାରା ଜନ୍ମ ନିରୋଧ କରିବାକୁ ହେବ । ଅତିଭୋଜନ ପରିତ୍ୟାଗ କରି ଉପବାସର ବିଧି ମାନିବାକୁ ହେବ । ରନ୍ଧନ ପ୍ରଣାଳୀକୁ ସରଳ କରିବାକୁ ହେବ । ସ୍ନେହ ଓ ବାତ୍ସଲ୍ୟ ଯେପରି ଅତିଭୋଜନ ପାଇଁ ଚାପ ନ ଦିଅନ୍ତି ତାହା ଦେଖିବାକୁ ହେବ । ପରିବେଷଣ ଏପରି କରିବାକୁ ହେବ ଯେପରି ଖାଦ୍ୟର ଲେଶ ଅପଚୟ ନହୁଏ । ଅପଚୟ ବେଳେ ଘୋଷିବାକୁ ହେବ–

 

ଅନ୍ନ ବିହୁନେ ପ୍ରାଣ ହାନି

କର୍ମ କରିବ କାହା ଘେନି ।

Image

 

ଚତୁର୍ଥ ପରିଚ୍ଛେଦ

ବସ୍ତ୍ର ସମସ୍ୟା

 

ଅନ୍ନ ସମସ୍ୟା ପରେ ବସ୍ତ୍ର ସମସ୍ୟା ମଧ୍ୟ ବଡ଼ ବିଷମ । ଅନ୍ନ ସମସ୍ୟା ମନୁଷ୍ୟର ଭୁଲ୍‍ ହେତୁ ବୋଲି ଦେଖାଇବାକୁ ଚେଷ୍ଟା କରାଯାଇଛି । ବସ୍ତ୍ର ସମସ୍ୟା ଅନ୍ନ ସମସ୍ୟାର ଅନ୍ତର୍ଭୁକ୍ତ ଏହା ଦେଖାଇବାକୁ ଚେଷ୍ଟା କରୁଁ । ବସ୍ତ୍ର ସମସ୍ୟା ପୂରଣ ନ ହେବାତକ ଅନ୍ନ ସମସ୍ୟା ଯିବ ନାହିଁ ଏହା ନିଶ୍ଚୟ । ବସ୍ତ୍ର ସମସ୍ୟା ବିଦେଶୀ ବ୍ରିଟିଶ ସରକାରକୃତ ଓ ସୃଷ୍ଟ । ତତ୍‌ପୂର୍ବେ ବସ୍ତ୍ର ସମସ୍ୟା ଏ ଦେଶରେ ନ ଥିଲା । ପୂର୍ବେ ଭାରତୀୟ ବସ୍ତ୍ର ଦେଶ ବିଦେଶରେ ଆଦୃତ ହେଉଥିଲା, ଇତିହାସ ସ୍ପଷ୍ଟ ଭାଷାରେ ଏହା ପ୍ରକାଶ ଓ ପ୍ରଚାର କରୁଛି । ଏବେ ମଧ୍ୟ ବସ୍ତ୍ର ବିଷୟରେ ଭାରତୀୟ ରୁଚି ପାଶ୍ଚାତ୍ୟର ପ୍ରଶଂସାର ବିଷୟ । ତାହାଦ୍ୱାରା ପ୍ରମାଣିତ ହେଉଛି ବସ୍ତ୍ର ରୁଚିର ଅବଶେଷ ମଧ୍ୟ ଭାରତର ବସ୍ତ୍ର ସ୍ୱଚ୍ଛଳତାର ସୂଚନା ଦେଉଛି । ଭାରତୀୟ ସୂକ୍ଷ୍ମ ବସ୍ତ୍ରର ପରିପାଟୀ ମୋଗଲ ଶାସନ ସମୟେ ଏପରି ପ୍ରକାଶ ପାଉଥିଲା । ବିଦେଶୀ ବଣିକର ଆଖିକୁ ପ୍ରଥମରୁ ଚମକାଇ ଦେଇଥିଲା । ଏପରିକି ୬୦ ଗଜ ରେସମ ବସ୍ତ୍ରର ଓଜନ ହେଉଥିଲା ଏକ ପାଆ ମାତ୍ର । ପୌରାଣିକ ଯୁଗରେ ମଧ୍ୟ ଦୌପଦୀ ବସ୍ତ୍ରହରଣ ଉପନ୍ୟାସରେ ଭାରତର ବସ୍ତ୍ର ଶିଳ୍ପର ଯଥେଷ୍ଟ ଆଭାସ ମିଳେ । କିନ୍ତୁ ଏତାବତ୍‌କାଳ ପର୍ଯ୍ୟନ୍ତ ବସ୍ତ୍ର ଶିଳ୍ପ ଭାରତର କୁଟୀର ଶିଳ୍ପ ହୋଇ ରହିଥିଲା । ଏହି କୁଟୀର ଶିଳ୍ପକୁ ପାଶ୍ଚାତ୍ୟ ବିଜ୍ଞାନ ସମୂଳେ ଧ୍ୱଂସ କରିଛି ବ୍ରିଟିଶର ସ୍ୱାର୍ଥ ସିଦ୍ଧି ପାଇଁ । ଭାରତରୁ କପା ଅଳ୍ପ ମୂଲ୍ୟରେ ନେଇ ବ୍ରିଟେନ୍‌ ମିଲ୍‌ରେ ବସ୍ତ୍ର ପ୍ରସ୍ତୁତ କରି ଭାରତର କୋଟି କୋଟି ୨ ଟଙ୍କା ଅପହରଣ କରାଯାଇଛି । ଭାରତ ଅନ୍ନ ବିନିମୟରେ ବିଦେଶୀ ବସ୍ତ୍ର ଗ୍ରହଣ କରି ଅନ୍ନକାଙ୍ଗାଳ ହୋଇଛି । ଖାଲି ସେତିକି ନୁହେଁ, ବସ୍ତ୍ର ବିଷୟେ ଅଯଥା ଆଡ଼ମ୍ୱର ବ୍ରିଟିଶର ଆମଦାନୀ । ଏକଲବ୍ୟ ଦ୍ରୋଣ ଗୁରୁଙ୍କୁ ଅଙ୍ଗୁଷ୍ଠ ଦକ୍ଷିଣା ଦେଇ ଶିକ୍ଷିତ ଓ କ୍ଳେଶାର୍ଜିତ ଧନୁର୍ବିଦ୍ୟାକୁ ବିଫଳ କରିଥିଲେ, ଏ ଦିଗରେ ଆମର ବ୍ରିଟିଶ ଗୁରୁ ବସ୍ତ୍ରଶିଳ୍ପର ଅଙ୍ଗୁଳି କଟାଇଥିଲେ ଏହା ଗୋପନୀୟ ନୁହେଁ । ଭାରତରେ ପ୍ରକୃତି ଦେବୀ ଅନ୍ନ ଓ ବସ୍ତ୍ର ବିଷୟେ ସେ ଉଦାରତା ଦେଖାଇଛନ୍ତି ପୃଥିବୀର ଅନ୍ୟତ୍ର ତାର ପଟାନ୍ତର ନାହିଁ । ଆମେ ଅଯୋଗ୍ୟ ମୂର୍ଖ ଭାରତୀୟଗଣ ଏ ଉଦାରତାର ଅନୁପଯୁକ୍ତ ବୋଲି ପ୍ରମାଣ କରୁଛୁଁ ନତୁ ଭାରତରେ ଅନ୍ନ ସମସ୍ୟା ଓ ବସ୍ତ୍ର ସମସ୍ୟା ଘଟିବାର ନୁହେଁ । ବିଦେଶୀ ମିଲ୍‌ ଏବଂ ସ୍ୱଦେଶୀ ମିଲ୍‌ ଆମର ଏ କୁଟୀର ଶିଳ୍ପ ନଷ୍ଟକରି ଆମର ଯେ କ୍ଷତି କରିଛି ତାହା ବୋଧହୁଏ ସବୁ ଦିନକୁ ଅପୂରଣୀୟ ହୋଇ ରହିଥିବ କାରଣ ଗାନ୍ଧିଜୀଙ୍କର ପଟ୍ଟଶିଷ୍ୟମାନେ ଏବେ ମଧ୍ୟ ନୂଆ ନୂଆ ମିଲ୍‌ କରିବାକୁ ପ୍ରତିଯୋଗିତା ଚଳାଇଛନ୍ତି । ଗାନ୍ଧିଜୀ ୧୯୨୦ରୁ ଏ ଦିଗରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରି ‘‘ଖଦୀ’’ ଉପରେ ଏତେ ଯୋର ଦେଇ ଯାଇଛନ୍ତି । ତହିଁରେ ଅନ୍ୟର ଯାହା ହେଉ, ତାଙ୍କର ଅନୁକର୍ମୀ ଓ ସହକର୍ମିମାନେ ଏ ପର୍ଯ୍ୟନ୍ତ ଆସ୍ଥା ସ୍ଥାପନ କରି ନାହାନ୍ତି । ତେଣୁ ସ୍ୱାଧୀନତା ଲାଭ ପରେ ମଧ୍ୟ ଆମର ଦୁଃଖ ଦୁର୍ଦ୍ଦଶାର ଅବସାନ ନାହିଁ । ଥରେ ସେ କହିଥିଲେ-ମୁଁ ଖଦି ଓ ସ୍ୱରାଜ୍ୟ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖୁ ନାହିଁ । ସେତେବେଳକୁ ଟଙ୍କାର ମୂଲ୍ୟ ଥିଲା । ସେତେବେଳେ କେବଳ ଲ୍ୟାଙ୍କସାୟାର ଭାରତରୁ ପ୍ରତିବର୍ଷ ୬୦ କୋଟି ଟଙ୍କା ନେଇ ଯାଉଥିଲା । ସେ କେବଳ କଥା ବା ପ୍ରଚାରରେ ସନ୍ତୁଷ୍ଟ ନ ହୋଇ ଅର୍ଦ୍ଧନଗ୍ନ ଅବସ୍ଥାରେ ଦେଢ଼ଫୁଟ ଓସାର ଓ ଛଅଫୁଟ ଲମ୍ୱ ବସ୍ତ୍ରରେ ଅର୍ଥାତ୍‌ ଲେଙ୍ଗୁଟିରେ ଗାତ୍ରାବରଣ କରି, ଖାଲି ସେତିକି ନୁହେଁ, ତାଙ୍କର ବିଷମ କର୍ମନିରତ ଜୀବନରେ ସୂତା କାଟିବା ପାଇଁ ପ୍ରତ୍ୟହ ସମୟ ନିର୍ଦ୍ଦିଷ୍ଟ କରି ରଖିଥିଲେ ଯହିଁର ସ୍ଖଳନ ମୃତ୍ୟୁ ପର୍ଯ୍ୟନ୍ତ ଏପରିକି ମୃତ୍ୟୁ ଦିନ ମଧ୍ୟ ଘଟିନାହିଁ । ଏପରି କି ଯେଉଁଦିନ ସେ ଘାତକ ହାତରେ ପ୍ରାଣ ଦେଇଛନ୍ତି ସେଦିନ ମଧ୍ୟ ସେ ସୂତା କାଟିବା ପରେ ଉପାସନାକୁ ଯାଉଥିବାବେଳେ ତାଙ୍କର ପ୍ରାଣହାନି ହୋଇଛି । ଆମ୍ଭମାନଙ୍କୁ ବୁଝିବାକୁ ହେବ ଜାତିର ପିତା ବୃଥାରେ ଏ ତପଶ୍ଚରଣନିରତ ନଥିଲେ । ଗାନ୍ଧିଜୀ ବୁଝିଥିଲେ ତାଙ୍କର ଦୈନନ୍ଦିନ କାର୍ଯ୍ୟ ଦେଶର ଓ ଜାତିର ଅନୁକରଣୀୟ ନ ହେଲେ ଏ ଜାତି ଉଠିବ ନାହିଁ । ବସ୍ତ୍ର ବିଷୟେ ଦେଶ ଯେ ପର୍ଯ୍ୟନ୍ତ ସ୍ୱାବଲମ୍ୱୀ ହୋଇ ନାହିଁ ସେ ପର୍ଯ୍ୟନ୍ତ ଆମର ସ୍ୱାଧୀନତାର ମୂଲ୍ୟ ନାହିଁ । ହଁ, ଏହା ସତ ଯେ ଭାରତରେ ବହୁତ ମିଲ୍‌ ହେଲାଣି ଆଉ ଭାରତୀୟର ଦରକାର ମୁତାବକ ବସ୍ତ୍ର ଏ ମିଲ୍‌ମାନ ଯୋଗାଇ ଦେଲେଣି । କିନ୍ତୁ ଏ ମିଲ୍‌ମାନ ଭାରତକୁ ଆଳସ୍ୟ ଦିଗରେ ଅଗ୍ରସର କରାଇ ଦେଶର ସର୍ବନାଶ କଲେଣି । ତଦୁପରି କେତେଜଣ ପୁଞ୍ଜିପତି ସୃଷ୍ଟିକରି କେବଳ କେତେଜଣ ମଧ୍ୟରେ ଜାତୀୟ ସମ୍ପତ୍ତିକୁ ଆବଦ୍ଧ କରି ରଖିଲେଣି । ଦେଶକୁ ଆଡ଼ମ୍ୱର ଶିଖାଇ କର୍ମବିମୁଖ କଲେଣି ଏବଂ ସରଳତା ଓ ମାନବିକ ପରିଶ୍ରମର ସରସତାକୁ ଦେଶରୁ ଦୂର କଲେଣି । ସାଧୁ ସାବଧାନ । ମିଲ୍‌ଦିଗରେ ଅଗ୍ରସର ହେଲେ ଦେଶକୁ ପୁଣି ପରାଧୀନ ପଙ୍କରେ ବୁଡ଼ାଇ ବିଦେଶୀ ଶାସକକୁ ବିଦେଶୀ ବୋଲି ଅନ୍ତର କରି ସ୍ୱଦେଶୀ ପୁଞ୍ଜପତିକୁ ଗାଦିରେ ବସାଇବାକୁ ହେବ । ଗାନ୍ଧିଜୀଙ୍କର ଏହି ଅର୍ଦ୍ଧନଗ୍ନାବସ୍ଥା ପାଇଁ ଚରମପନ୍ଥୀ ‘ଚର୍ଚ୍ଚିଲ’ ଗାନ୍ଧିଜୀଙ୍କୁ (Naked sedicious Fakir) ଉଲ୍ଲଙ୍ଗ ରାଜଦ୍ରୋହୀ ଫକୀର ବୋଲି ଗାଳି ଦେଇଥିଲେ । ଏ ଗାଳି ପାଶ୍ଚାତ୍ୟ ଆଭିଜାତ୍ୟର ପ୍ରାଚ୍ୟ ସରଳତା ଉପରେ, ପଶ୍ଚାତ୍ୟର ମୁଖ୍ୟ ଗ୍ରାସ ମୁଖଚ୍ୟୁତ ହେଉଥିବାରୁ । ଦୁଃଖର ବିଷୟ ଆମେ ଗାନ୍ଧିଜୀଙ୍କର ଉତ୍ତରାଧିକାରୀ ହୋଇ ମଧ୍ୟ କାର୍ଯ୍ୟତଃ ଏ ଗାତରୁ ନିବୃତ୍ତ ହୋଇନାହୁଁ । ଗାନ୍ଧିଜୀ ଉଲଙ୍ଗ କାହିଁକି ? ପ୍ରଥମେ ଗରିବର ଆଡ଼ମ୍ୱର ନଥିବା ଉଚିତ । ଯାହାକୁ ପିନ୍ଧିବାକୁ ମିଳୁନାହିଁ, ଲଜ୍ଜା ନିବାରଣ ପାଇଁ ତାର ଯେତିକି ଆବଶ୍ୟକ ତେତିକି ମାତ୍ର ବସ୍ତ୍ର ତାର ବ୍ୟବହାର କରିବା ଉଚିତ । ଯେ ପାଶ୍ଚାତ୍ୟର ଶିକ୍ଷା ଓ ସଭ୍ୟତାର ଦାସ ନୁହେଁ, ପାଶ୍ଚାତ୍ୟର ଅନୁକରଣରେ ସେ କେବେହେଁ ଆବଶ୍ୟକତାରୁ ଅଧିକ ବସ୍ତ୍ର ବ୍ୟବହାର କରିବ ନାହିଁ । ଅପ୍ରକାଶ୍ୟ ଅଙ୍ଗ ଛଡ଼ା ଦେହର ବାକୀ ଅଂଶ ସୂର୍ଯ୍ୟ ତାପ ଓ ବାୟୁ ଦ୍ୱାରା ବଳବାନ ଓ ପୃଷ୍ଟ ହୁଅନ୍ତି । ବସ୍ତ୍ର ଦ୍ୱାରା ତହିଁର ଅପ୍ରକାଶନ ସ୍ୱାସ୍ଥ୍ୟସମ୍ମତ ନୁହେଁ । ତଦୁପରି ବସ୍ତ୍ର ବିଷୟେ ରୁଚି ଏ ସୌକର୍ଯ୍ୟ ଦର୍ଶକ ଚକ୍ଷୁର ବିକାର ମାତ୍ର । ଯେ ଭାରତରେ ବ୍ରହ୍ମଣ୍ୟଯୁଗର ବ୍ରାହ୍ମଣର କୌପୀନ ତତ୍‌କାଳୀନ ସ୍ୱାଧୀନ ରାଜ୍ୟପାଳମାନଙ୍କର ଭୟ ଭକ୍ତି ଆକର୍ଷଣ କରୁଥିଲା ସେ ଭାରତରେ କୌପୀନ ଘୃଣାର ସୃଷ୍ଟି କରୁଛି, ଏଥିରୁ ବଳ ଅଧୋଗତି ଆଉ କଅଣ ହୋଇପାରେ ? ଆଜି ଯେଉଁ ହାଫ ପ୍ୟାଣ୍ଟ ମୋଟା କପଡ଼ାରେ ପ୍ରସ୍ତୁତ କରି ପିନ୍ଧି ଲୋକ ସମାଜର ଭୟ ଜାତ କରାଉଛି ତାହା ଆଜିର ଭାରତୀୟର ରୁଚିର ଅଧୋଗତି ପ୍ରମାଣ କରୁଛି ମାତ୍ର । ଭାରତୀୟ ‘କାଚ୍ଛା’ ବା କଚ୍ଛ ଦେହ ବଳର ପୃଷ୍ଠପୋଷକ ସୁନ୍ଦର ଓ ସ୍ୱାସ୍ଥ୍ୟସମ୍ମତ । ଏକ ସଙ୍ଗେ ଦୁଇ ଖଣ୍ଡ ବସ୍ତ୍ର ବ୍ୟବହାର ଆବହମାନ କାଳରୁ ଥିଲା । ବର୍ତ୍ତମାନ କୋଟ କାମିଜ ଏହି ଦ୍ୱିତୀୟ ବସ୍ତ୍ରର ସ୍ଥାନ ଅଧିକାର କରିଛି । ଟିକିଏ ଭାବିଲେ ଏହି ୨ୟ ବସ୍ତ୍ରର ଉପାଦେୟତା ଦେଖି ପାରିବା । ଆଉ ‘ରୁମାଲ’ବୋଲି ଯେଉଁ ସାମାନ୍ୟ କନା ପାଶ୍ଚାତ୍ୟ ସଭ୍ୟତାର ଦାନ ତାହା ଗ୍ରହଣର ଅଯୋଗ୍ୟ । ୨ୟ ବସ୍ତ୍ର ଦେହକୁ ଶୀତ ଖରା ଓ ବର୍ଷାରୁ ସାମୟିକ ରକ୍ଷା କରିଥାଏ ତଦୁପରି ଶରୀରକୁ କ୍ଳେଦଶୂନ୍ୟ କରେ । ରୁମାଲ କନାରେ ଯେତେ ସୁଗନ୍ଧର ଅତର ଦିଅ ଓ ତାକୁ ଯେତେ ସରୁ ଓ କାରୁକାର୍ଯ୍ୟ ବିଶିଷ୍ଟକରତ ଦ୍ୱାରା ୨ୟ ବସ୍ତ୍ରର ଆବଶ୍ୟକତା ଅପୂର୍ଣ୍ଣ ରହିବଇ ରହିବ । ହଁ, ରୁମାଲର ଆକାର ୨ୟ ବସ୍ତ୍ର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇ ପାରିବ କିନ୍ତୁ ତାହା ହେଲେ ତାହା ଆଉ ପକେଟ୍‌ରେ ରଖି ପାରିବ ନାହିଁ । ତାକୁ କୋର୍ଟ କାମିଜ ଉପରେ ଝୁଲାଇବାକୁ ହେବ ବା ମହର୍ଗରୁ ଯାଇ କାନ୍ତାରେ ପଡ଼ିବାକୁ କୋର୍ଟ କାମିଜ ଭିତରେ ଲୁଚାଇବାକୁ ହେବ । ବୋଧହୁଏ ସେଥିପାଇଁ କେହି ପ୍ରସ୍ତୁତ ହେବେ ନାହିଁ । ଆଉ ଏହା ମଧ୍ୟ ହୋଇ ପାରେ ୨ୟ ବସ୍ତ୍ର ବହନ କରିବାକୁ ଅର୍ଦ୍ଦାଳୀ ରଖିବାକୁ ପଡ଼ିବ । କେତେ ଜଣ ପକ୍ଷେ ତାହା ସମ୍ଭବ ? ଆଉ ସେଥିପାଇଁ ଆଜି ମଧ୍ୟ ରୁମାଲର ପରିସର ବଢ଼ି ନାହିଁ । ରୁମାଲରେ ମୁହଁ ପୋଛି ଅନ୍ୟକୁ ଦେଖାଇ ହେଲେ ବାସ୍ତବିକ ହାଡ଼ ଜଳି ଯାଏ । ଗାନ୍ଧିଜୀଙ୍କର ୨ୟ ବସ୍ତ୍ର ଆବଶ୍ୟକତା ଅନୁସାରେ କେତେବେଳେ ବଡ଼ କେତେବେଳେ ସାନ ହେଉଥିଲା । ଭାରତୀୟ ‘ଅଙ୍ଗୁଛି’ ସଦୃଶ ସୁନ୍ଦର ଦ୍ୱିତୀୟ ଆଉ ନାହିଁ । ପୁଣି ଭାରତୀୟ ‘ଅଙ୍ଗୁଛି’ ଭାରତର ସ୍ୱଭାବ ସୁଲଭ ସରଳତାର ପରିଚାୟକ । ଅଙ୍ଗୁଛିର ଅନ୍ୟ ନାମ ‘ଗାମୁଛା’ ବା ‘ସାଫି’ ଶରୀର ପରିଷ୍କାରକ । ସ୍ନାନ ବେଳେ ଗାତ୍ର କ୍ଳେଦ ପରିଷ୍କାର କରେ ଅନ୍ୟ ସମୟେ ଶୀତ ଖରେ ଓ ବର୍ଷାରୁ ରକ୍ଷା ପାଇବାକୁ ଅପରିହାର୍ଯ୍ୟ । ଗାନ୍ଧିଜୀଙ୍କର କଟିବସ୍ତ୍ର ଭାରତୀୟ ଦରିଦ୍ରତା, ଆଧ୍ୟାତ୍ମିକତା ଓ ସତ୍‌ସାହସର ପରିଚାୟକ ଓ ପ୍ରତୀକ, ତଦୁପରି ଏହା ସ୍ୱାସ୍ଥ୍ୟ ସମ୍ମତ, ରୁଚି ଓ ଅବସ୍ଥାସଙ୍ଗତ । ପାଶ୍ଚାତ୍ୟ ଏବଂ ଆମେ ମଧ୍ୟ ଏହାକୁ ଯେ ନଗ୍ନ କରି ଦେଖୁଥାଇଁ ଆମର ଦୃଷ୍ଟିର କଦର୍ଯ୍ୟତା ହେତୁ । ଆଉ ସେଥିପାଇଁ ଦେଶ କାହିଁକି ଦେଶର ନେତୃବୃନ୍ଦ ଓ ଗାନ୍ଧିଜୀଙ୍କର ଶିଷ୍ୟ ଗଣ (ସାମାନ୍ୟ କେତେ ଜଣ ଛାଡ଼ି ଦେଲେ) ତାଙ୍କର କଟି ବସ୍ତ୍ର ଏ ପର୍ଯ୍ୟନ୍ତ ଧରି ନାହାନ୍ତି । ତାଙ୍କର କଟି ବସ୍ତ୍ର ମୋଟା ଖଦଡ଼ ଗାନ୍ଧିଜୀଙ୍କ ନିଜ ହାତକଟା ସୂତାରେ ପ୍ରସ୍ତୁତ । ମିଲ୍‌ର କାରୁକାର୍ଯ୍ୟ ବା ସୂକ୍ଷ୍ମତା ସେଥିରେ ଥାଇ ନପାରେ । ‘ମା’ ଦେଇଥିବା ମୋଟା ବସ୍ତ୍ର ଦେହକୁ କାଟୁ ପଛକେ ଯେ ପର୍ଯ୍ୟନ୍ତ ଭାରତ ବିଭୁନିର୍ମାଲ୍ୟ କରି ତାକୁ ଶ୍ରଦ୍ଧା ଓ ଭକ୍ତି ସହିତ ଗଦ୍‌ଗଦ୍‌ ଚିତ୍ତରେ ଗ୍ରହଣ ନକରିଛି, ସେ ପର୍ଯ୍ୟନ୍ତ ଭାରତୀୟ ‘ମା’ର ଆଦର ବୁଝିନାହିଁ ବୋଲି ବୋଲିବାକୁ ହେବ । ଗାନ୍ଧିଜୀ ଚରଖାରେ ସୂତା କାଟିବା ପାଇଁ ଏତେ ଜୋର ଦେବାର ପ୍ରଥମ ଅର୍ଥ ସ୍ୱାବଲମ୍ୱନ, ସ୍ୱରାଜ୍ୟ ଓ ଗୋଲାମୀରୁ ପରିତ୍ରାଣ । ସ୍ୱରାଜ୍ୟ ଓ ସ୍ୱାବଲମ୍ୱନର ଅର୍ଥ ଏକ ନ ଥିଲେ ବ୍ରିଟିଶ କବଳରୁ ଉଦ୍ଧାର କରି ଦେଶକୁ ସ୍ୱଦେଶୀ ଶାସକର କରକବଳିତ କରିବାକୁ କେବେହେଁ ତାଙ୍କର ଉଦ୍ଦେଶ୍ୟ ହୋଇ ନ ପାରେ । ମିଲ୍‌ମାଲିକ ପୁଞ୍ଜିପତି ହାତକୁ ଦେଶକୁ ପୁଣି ଟେକି ଦିଆଯାଇ ନ ପାରେ । ଭାରତରେ ଯେତେ କପା ଆଦାୟ କରାଯାଉଛି ତାହା ଯଦି ଭାରତୀୟ ପାଇଁ ଯଥେଷ୍ଟ ନୁହେଁ, ପ୍ରଥମେ ଆବଶ୍ୟକ ପରିମାଣ କପା ଆଦାୟ କରିବାକୁ ହେବ । କପା କରିବାକୁ ହେବ ମାନେ ଏହା ନୁହେଁ ଯେ କାର୍ପାସ ପାଇଁ କ୍ଷେତ୍ର ବଢ଼ାଇ ଧାନ ବା ଗହମର ଉପୁଜନରେ ବ୍ୟାଘାତ କରିବାକୁ ହେବ । ତା’ଛଡ଼ା ଭାରତୀୟ ଚଷା କାହିଁକି ଶ୍ରମଜୀବୀର ମଧ୍ୟ ନିଜ ବାସସ୍ଥାନରେ କପା ଲଗାଇ ପରିବାର ପାଇଁ ଯେତେ କପା ଆବଶ୍ୟକ, ତାହା ଅକ୍ଳେଶରେ ବାହାର କରି ହେବ । ମନେକର ଘର କାନ୍ଥ ଲାଗୁଣୁ ଦିଓଟି ମଞ୍ଜି ପୋତି ଯଦି ଶ୍ରମିକ ପତ୍ନୀ ଘରର ଅଳିଆ ତା ମୂଳରେ ଦିଏ ଏବଂ ପରିବାରର ପ୍ରତ୍ୟେକେ ଖାଇସାରି କପାଗଛ ମୂଳରେ ହାତ ଧୁଅନ୍ତି, ଉକ୍ତ ଦୁଇଟି କପାଗଛ ଦୁଇବର୍ଷ ମଧ୍ୟରେ ପରିବାରର ଆବଶ୍ୟକ ପରିମାଣ କପା ଯୋଗାଇ ଦେବେ । ଶ୍ରମିକ ବା ଶ୍ରମିକ ପତ୍ନୀ କେହି ଦିନକୁ ଯଦି ଏକ ଘଣ୍ଟାକରି ସୂତା କାଟନ୍ତି ବର୍ଷକୁ ଅକ୍ଳେଶରେ ୩୬୦ ତୋଳା ବା ୪ ସେର ସୂତା କରି ପାରିବେ । ସେଥିରେ ଶ୍ରମିକ ପାଇଁ ଖ୩ଣ୍ଡ, ଖଣ୍ଡକୁ ସେ ୧/୨ ଛଟାଙ୍କି ହିସାବେ ସେ ୧ ଶ୍ରମିକ ପତ୍ନୀ ପାଇଁ ଖ ୩ ଣ୍ଡ ଖଣ୍ଡକୁ ସେ ୧/୨ ହିସାବରେ ସେ ୨ । ଗାମୁଛା ୧ ଖଣ୍ଡ ସେ ୦ ।, ଉତ୍ତରୀ ଏକ ଖଣ୍ଡ ସେ ୦ ୪ୟ ମୋଟ ସେ ୪୧/୨ ହୋଇ ପାରିବ ଅର୍ଥାତ୍‌ ଉଭୟଙ୍କର ବସ୍ତ୍ର ସେମାନେ ଅକ୍ଳେଶରେ ଯୋଗାଡ଼ କରି ପାରିବେ । ଏ କଥାର କଥା ନୁହେଁ ବାସ୍ତବ । ପ୍ରତ୍ୟେକ ପରିବାରରେ ଯେତେଜଣ ଥାଆନ୍ତି ତେତେ ଗଛ କପା ଲଗାଇବାକୁ ଯଦି ବାଧ୍ୟ କରାଯାଆନ୍ତା ଓ ଉପରୋକ୍ତ ହାରରେ ପ୍ରତ୍ୟେକ ପରିବାରରେ ଯଦି ସୂତାକଟା ଯାଆନ୍ତା ତେବେ ଦମ୍ଭ ସହିତ କୁହା ଯାଇପାରେ ଭାରତ ପାଞ୍ଚବର୍ଷ ମଧ୍ୟରେ ଖାଲି ବସ୍ତ୍ର ବିଷୟେ କାହିଁକି ଅନ୍ନ ବିଷୟରେ ମଧ୍ୟ ସ୍ୱାବଲମ୍ୱୀ ହୋଇ ପାରନ୍ତା । ସୂତାକଟା ଓ ବସ୍ତ୍ର ବୟନ ଛଡ଼ା ଆଉ କୌଣସି କୁଟୀରଶିଳ୍ପ ଭାରତର ଜାତୀୟ ସମ୍ପତ୍ତି, ମାନରକ୍ଷା ଓ ବୃଦ୍ଧି ସକାଶେ ଏପରି ଅଭାବନୀୟ ସହାୟ ହୋଇ ନ ପାରେ । ଖାଲି ଯେ ସେତିକି ତାହା ନୁହେଁ-। ଅଭିଜ୍ଞ ବ୍ୟକ୍ତି ମାତ୍ରେ ଜାଣନ୍ତି ଚରଖାରେ ସୂତା କାଟିବା ମାତ୍ରେ ମନରେ ଯେ ବିମଳ ଆନନ୍ଦ ଆସେ, ଅନ୍ୟ ଆନନ୍ଦ ତା ସଙ୍ଗେ ତୁଳନୀୟ ନୁହେଁ । ମନ ସ୍ୱତଃ ଦେଶ ହିତୈଷଣାର ଉନ୍ମାଦନାରେ ଭରିଉଠେ । ସରଳତା ଓ କାର୍ଯ୍ୟର ସରସତା ହାଡ଼େ ହାଡ଼େ ରସିଯାଏ, ଆଡ଼ମ୍ୱର ପ୍ରତି ଘୃଣା ଜାତହୁଏ । ଚଞ୍ଚଳ ମନ ଆୟତ୍ତାଧୀନ ହୁଏ ଆଉ ସ୍ୱକର୍ତ୍ତିତ ପ୍ରଥମ ବସ୍ତ୍ର ଖଣ୍ଡ ପାଟ ପୀତାମ୍ୱରଠାରୁ ମଧ୍ୟ ମୂଲ୍ୟବାନ ବୋଧହୁଏ । ମାତୃଦତ୍ତ କୈବଲ୍ୟ ଜ୍ଞାନରେ ହୃଦୟ ଭଗବାନଙ୍କ ଆଡ଼କୁ ଢଳି ପଡ଼େ-। ଜାତୀୟ ସରକାର କେବଳ ଏ ଦିଗରେ ପ୍ରଯତ୍ନଶୀଳ ହେଲେ ଅନ୍ନବସ୍ତ୍ର ସମସ୍ୟା ଦେଶର ଓ ଜାତିର ମନର ଶାନ୍ତି ନଷ୍ଟ କରନ୍ତା ନାହିଁ । ପୁନରାୟ କହୁଁ ଗାନ୍ଧିଜୀଙ୍କର କଟିବସ୍ତ୍ର ଭାରତରେ ବସ୍ତ୍ର ବିଷୟରେ ସରଳତାର ଅପୂର୍ବ ନିଦାନ । ଆଜି ଭାରତ ପାଶ୍ଚାତ୍ୟର ଦୁର୍ଗୁଣ ଅନୁକରଣ କରି ବସ୍ତ୍ର ବିଷୟରେ ଯେ ସବୁ ଅନାବଶ୍ୟକ ଆଡ଼ମ୍ୱର ଆମର ଦୈନନ୍ଦିନ ପୋଷାକରେ ଭରିଛୁଁ ତାହା ଯେ ଜାତିକୁ ନଗ୍ନ ଓ ନିରନ୍ନ କରୁଛି ତାହା ନୁହେଁ, ଜାତୀୟ ସ୍ୱାସ୍ଥ୍ୟ ଦିଗରେ ମଧ୍ୟ ଘୋର ଅନର୍ଥ ଘଟାଉଛି-। ଭାରତର ଜଳବାୟୁ ଯାହା ଶୀତ ଛଡ଼ା ଅନ୍ୟ ସମୟରେ ଆମର ଏତେ କୋଟ୍‌ କାମିଜ କୁରୁତା ବେକର ଫାସି (Neck Tie) ଆବଶ୍ୟକ ନାହିଁ । ୩୦ ବର୍ଷ ତଳେ ଗୋଟିଏ ଗୋଟିଏ ବଡ଼ ବଡ଼ ଗ୍ରାମରେ ଖଣ୍ଡେ ଖଣ୍ଡେ ସିଲାଇ କଳ ଥିଲା । ଗୋଟିଏ ଗୋଟିଏ ସିଲାଇ କଳର ସିଲାଇକୃତ ପୋଷାକ ଗ୍ରାମ ପକ୍ଷରେ ଯଥେଷ୍ଟ ଥିଲା । ପୂର୍ବେ ବୁଣାଳୀମାନେ କ୍ୱଚିତ୍‌ଖଣ୍ଡେ ଅଧେ ‘ଅଙ୍ଗରଖା’ ସିଉଁଥିଲେ । ତାହା ଧନୀମାନେ ବ୍ୟବହାର କରୁଥିଲେ । ଏ ଲେଖକର ମନେ ଅଛି ମାତା ତତ୍‌କାଳୀନ ଫେସନର ଖଣ୍ଡିଏ କଳା ଅଙ୍ଗରଖା ମାମୁଁ ଘରୁ (ମାମୁଁ ଘର ଧନୀଲୋକ) ଆଣିଥିଲେ । ତାହା ଦେଖି ପ୍ରଥମେ ବଡ଼ଭାଇ ପରେ ଅନ୍ୟ ତିନି ଭାଇ ସ୍କୁଲରେ ପଢ଼ିବା ବେଳେ ‘ସାହେବ ଆସିଲେ’ ବ୍ୟବହାର କରୁଥିଲେ । ଅନ୍ୟ ସମୟରେ ପେଡ଼ିରେ ତାହା ସାଇତି ରଖାହୁଏ । ଦ୍ୱାଦଶ ବର୍ଷ ବୟସ ପର୍ଯ୍ୟନ୍ତ ଲେଖକ ଅନ୍ୟ ‘ଅଙ୍ଗରଖା’ ବ୍ୟବହାର କରିଥିବାର ମନେ ନାହିଁ । ପ୍ରାୟ ୪୦ ବର୍ଷ ତଳେ ଯେତେବେଳେ ମଧ୍ୟ ଇଂରାଜୀ ସ୍କୁଲରେ ନିମ୍ନ ଶ୍ରେଣୀ ପାସ୍‌ହୁଏ ପୁରସ୍କାର ସ୍ୱରୂପ ପ୍ରଥମ କୁରୁତା ସେ ପାଏ, ଯେଦିନ ଦର୍ଜି କୁରୁତା ଖଣ୍ଡକ ଦିଏ ମୂଲ୍ୟ (ଦଶଅଣା) ସେଦିନ ତାହା ପରିଧାନପୂର୍ବକ ଗ୍ରାମ ପ୍ରଦକ୍ଷିଣ ଓ ବନ୍ଧୁ ଗହଣରେ ଅନର୍ଥକ କଥାବାର୍ତ୍ତାରେ ଅନ୍ତତଃ ତିନିଚାରି ଘଣ୍ଟା କଟିଥିବାର ସ୍ପଷ୍ଟ ମନେଅଛି । ସେଦିନ ଶ୍ରେଣୀରେ ମଧ୍ୟ ଯେ ବ୍ୟବହାର କରାଯାଇଛି ତାହା ସ୍ମରଣ କଲେ ଏବେ ମଧ୍ୟ ହସ ମାଡ଼େ ଓ ସେଥିପାଇଁ ମସ୍ତକ ଅବନତ କରିବାକୁ ହୁଏ। ଏ ପର୍ଯ୍ୟନ୍ତ ବସ୍ତ୍ର ବାବଦ ଯେତେ ଖର୍ଚ୍ଚ ହୋଇଛି ତାହା ଭାବିଲେ ନିଜକୁ ଶତ ଧିକ୍‌କାର ଦିଏ ଅଥଚ ଲେଖକ ତାର ସମସାମୟିକ ସହଧର୍ମୀ ସମସ୍ତଙ୍କ ଅପେକ୍ଷା ବସ୍ତ୍ର ବିଷୟେ ଏକାନ୍ତ ସରଳ, ଏ ବିଷୟରେ ଗର୍ବ କରିବାର ତାର ଅଧିକାର ଅଛି ।

 

ଯାହା ହେଉ, ସିଲାଇ କଳ ବର୍ତ୍ତମାନ ଗ୍ରାମେ ଗ୍ରାମେ ନଗରେ ନଗରେ ଦିନ ରାତି କାମ କରୁଛି ଅଥଚ ତାକୁ ଅବସର ମିଳୁନାହିଁ । ଏଥିରୁ ସ୍ପଷ୍ଟ ଦେଖିପାରୁଁ ଯେ ଜାତି ବସ୍ତ୍ର ବିଷୟେ ନିଜର ସର୍ବନାଶ କରି ମଧ୍ୟ ଆହୁରି କୁମ୍ଭୀପାକ ଆଡ଼କୁ ଗତି ଚଳାଇଛି । ଗାନ୍ଧିଜୀଙ୍କ କଟି ବସ୍ତ୍ରରୁ କିଛି ଶିଖି ନାହିଁ । ଶିଖିବାର ଲକ୍ଷଣ ମଧ୍ୟ ନାହିଁ । ପ୍ରଭୋ ! ଏ ଜାତିକୁ ରକ୍ଷା କରନ୍ତୁ । ସିଲାଇ କଳର ସଂଖ୍ୟା ନିରୂପଣ କରି ସେଗୁଡ଼ାକ ଯଦି ଅର୍ଦ୍ଧ ମୂଲ୍ୟରେ ଅନ୍ୟ ଦେଶକୁ ବିକ୍ରି କରା ଯାଆନ୍ତା ବୋଧହୁଏ ତହିଁରେ ଜାତିର ଏକ ବର୍ଷର ଅନ୍ନ ଯୋଗାଡ଼ କରାଯାଇ ପାରନ୍ତା ଏବଂ ତଦ୍ୱାରା ଜାତିର ମାନ ସଂଭ୍ରମ ରକ୍ଷା କରିବା ଦିଗରେ କୌଣସି ବ୍ୟତିକ୍ରମ ହୁଅନ୍ତା ନାହିଁ । ଏକକଥାରେ କହୁଁ ଏହି ସିଲାଇ କଳର ଆବଶ୍ୟକତା ମୋଟେ ନାହିଁ ପକ୍ଷାନ୍ତରେ ଏହି ବେଦରକାରୀ ଆଡ଼ମ୍ୱର ଜାତିର ଜୀବନରେ ଘୋର ଅବସନ୍ନତା ଆଣି ଦେଲାଣି । ଖଦଡ଼ ବୋଧହୁଏ ଭାରତର ଜାତୀୟତା ଆଣିଥିଲା ଓ ଖଦଡ଼ ପୁଣି ସେହି ଜାତୀୟତା ଆଣି ଲୋକଙ୍କୁ ସରଳ ପରିଶ୍ରମୀ ଓ ଦେଶଗତଜୀବନ କରିବ । ୨।୩ ବର୍ଷ ପୂର୍ବେ ଦେଶରେ ବସ୍ତ୍ରର ଓ ସୂତାର ଯେ ଅନାଟନ ପଡ଼ିଥିଲା, ଲୋକେ କେବଳ ସରକାରଙ୍କୁ ଦୋଷୀ କରିଥିଲେ । ତେଣୁ ସରକାର ବାଧ୍ୟ ହୋଇ ମିଲ୍‌ ଲୁଗା ଓ ସୂତାର ବାହୁଲ୍ୟ ଭିଆଇ ଲୋକଙ୍କ ହାତରେ ‘ଦିଲ୍ଲୀକା ଲଡ଼ୁ’ ଧରାଇ ଦେଲେ ।

 

ଏବେ ଲୋକେ ଭାଲୁ ଧରିଛନ୍ତି ଓ ଭାଲୁ ସଙ୍ଗେ ‘ଚାଲବାଜି’ ଚଳାଇଛନ୍ତି । ଭାଲୁ ସଙ୍ଗେ ଭାଲୁତ୍ୱ ନ ପାଇଲେ ରକ୍ଷା । ଭାଲୁକୁ ଧରି ପୂର୍ବ ଭୁଲ ସଂଶୋଧନରେ ତତ୍‌ପର ନ ହୋଇ ଭଲ ଛାଡ଼ିଛନ୍ତି । ଆଉ ଗାନ୍ଧିଜୀଙ୍କ ଆଜୀବନ ସାଧନା ‘ଖଦି’ କ୍ଷୁଦ୍ର ହୋଇ ଉଭେଇ ଗଲାଣି । କଂଗ୍ରେସିଆ ମଧ୍ୟ ଖଦି ନ ପିନ୍ଧିବାକୁ ଲଜ୍ଜା ଅନୁଭବ କରୁନାହିଁ । ଆଉ କଂଗ୍ରେସ ବିରୋଧୀ ବିରୋଧ ପାଇଁ ଖଦି ନାମରେ ନାକ ସିଞ୍ଚାଡ଼ୁଛି । ସମସ୍ତେ ଗାନ୍ଧିଜୀଙ୍କୁ ଭୁଲଥାଇଁ । ଖାଲି ମୁହଁରେ ଗାନ୍ଧିବାଦର ବଡ଼ାଇ କରି ସ୍ୱଦେଶୀ ହେଉ, ବିଦେଶୀ ହେଉ ସୂକ୍ଷ୍ମ ବସ୍ତ୍ରରେ ନିଜର ଲଜ୍ଜାହୀନତା ଲୁଚାଉଥାଇଁ । ଭଗବାନ ଏ ଦୁର୍ନୀତିର କଅଣ ଶେଷ ନାହିଁ ? କଅଣ ବୁଡ଼ିମଲା ଗୋଡ଼ ତଳକୁ ତଳକୁ ?

Image

 

ପଞ୍ଚମ ପରିଚ୍ଛେଦ

Unknown

କୃଷି ସମସ୍ୟା

 

ମାନବିକତା ବିଶ୍ଳେଷଣ କରିବା ବେଳେ କୃଷି ସମସ୍ୟା ଉପର୍ଯ୍ୟୁପରି ଅପ୍ରାସଙ୍ଗିକ ବୋଧ ହେଲେହେଁ, କୃଷି ସମସ୍ୟା ସମାଧିତ ନ ହେଲେ ଭାରତରେ ମାନବିକତାର ସଂପୂର୍ଣ୍ଣ ବିକାଶନ ଅସମ୍ଭବ ଅଟେ । କାରଣ କୃଷି ଏ ପର୍ଯ୍ୟନ୍ତ ଭାରତରେ ପ୍ରଧାନ ଜୀବିକା ବୋଲି ପରିଗଣିତ ହେଉଛି ଓ ଭାରତରେ ଶତକଡ଼ା ୯୫ ଜଣ କୃଷି ଉପରେ ନିର୍ଭର କରନ୍ତି । ସ୍ୱାଧୀନତା ଲାଭ ପରେ ଶିଳ୍ପ ଓ ବାଣିଜ୍ୟର ପରିସର ବଢ଼ାଇବାକୁ ଯେ ପରିମାଣରେ ଉଦ୍ୟମ କରାଯାଉଛି କୃଷି ଦିଗରେ ସେପରି ଉଦ୍ୟମ କରାଯାଉ ନାହିଁ ତାହା ନୁହେଁ କିନ୍ତୁ କୃଷି ପାଇଁ ଯେ ବିଦ୍ୱାନ୍‌, ବୁଦ୍ଧିମାନ ଓ ଗବେଷଣାମୂଳକ ତତ୍ପରତା ଆବଶ୍ୟକ ସେ ଦିଗରେ ଯଥେଷ୍ଟ କରାଯାଉ ଥିବାର ସୂଚନା ମିଳୁନାହିଁ । ମନେ ରଖିବାକୁ ହେବ ‘ମା ପୃଥିବୀ’ ପ୍ରସବପରାୟଣା ନ ହେଲେ ମନୁଷ୍ୟ ଟଙ୍କା ବା ଯନ୍ତ୍ର ଭକ୍ଷଣ କରି ବଞ୍ଚିବ ନାହିଁ ବା ମାଟି ଖାଇବ ନାହିଁ । ଯେତେ ଯାହାକର ‘ମାଟି ଚକଟା’ ନହେଲେ ଜୀବନର ରକ୍ଷା ଅସମ୍ଭବ । ହଁ, ପୂର୍ବକାଳର ଶବର ପରି ଉଦ୍ଭିଦ, ପଶୁ, ପକ୍ଷୀ, କୀଟ ପତଙ୍ଗ ବା ଅନ୍ୟ ମନୁଷ୍ୟର ମାଂସ ଖାଇ ପ୍ରାଣ ରକ୍ଷା କରାଯାଇପାରେ କିନ୍ତୁ ତାହା ହେଲେ ସତ୍ୟ ଓ ଅହିଂସାକୁ ଛାଡ଼ିବାକୁ ହେବ ଏବଂ ତଦ୍ୱାରା ଜାତି ଯିବ କିନ୍ତୁ ପେଟ ପୂରିବ ନାହିଁ । ମାଟିରୁ ଖାଦ୍ୟ ନ ହେଲେ ଗଛ ବା ଉଦ୍ଭିଦ ସୁଦ୍ଧା ହେବ ନାହିଁ ବା ପଶୁ ପକ୍ଷୀ କୀଟ ପତଙ୍ଗାଦି କେହି ବଞ୍ଚିବେ ନାହିଁ-। ତେବେ ‘ମାଟି ଚକଟା’ ବା କୃଷି ସୃଷ୍ଟିରକ୍ଷାର ଏକ ଓ ଅଦ୍ୱିତୀୟ ଅବଲମ୍ୱନ, ଏହା ଧ୍ରୁବ ସତ୍ୟ । ଏ ଧ୍ରୁବ ସତ୍ୟ ଦିଗରେ ସୁଚିନ୍ତିତ କାର୍ଯ୍ୟପ୍ରଣାଳୀ ଓ ଉନ୍ନତି ମାନବିକତାର ପ୍ରଧାନ ଅଙ୍ଗ, ଏହା ସ୍ୱୀକାର୍ଯ୍ୟ କାହିଁକି ସ୍ୱତଃସିଦ୍ଧ । କୃଷି ଭାରତୀୟ ସଭ୍ୟତାର ପ୍ରଧାନ ଅଙ୍ଗ ହୋଇ ରହିଛି ଓ ରହିଥିବ-। କୃଷି ପରି ନିର୍ଦ୍ଦୋଷ ଜୀବିକା ଭାରତୀୟ ଆଧ୍ୟାତ୍ମବାଦିତାର ପରିପୂରକ । ଭାରତୀୟ କୃଷକ ପରି ନିରୀହ କର୍ମୀ ପୃଥିବୀରେ ବିରଳ ଅଥଚ ଭାରତୀୟ କୃଷକ ଉପରେ ଯେ ଅତ୍ୟାଚାର ହୋଇ ଆସୁଛି ଓ ଯେପରି ସରଳ, ଆଶୁତୁଷ୍ଟ ଓ ସର୍ବଂସହା ତାର ପଟାନ୍ତର ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

କାଠର ଲଙ୍ଗଳ ଦେଖିବାକୁ ଅତି ସରଳ । କେତେଖଣ୍ଡ କାଠର ସମନ୍ୱୟରେ ଲୌହ ଫାଳ ସାହାଯ୍ୟରେ ମାଟି ଖୋଳିବାକୁ ଏହାର ଉଦ୍‌ଭାବନ । ଯେ ପ୍ରଥମେ ଏହାର ଉଦ୍ଭାବନ କଲେ ତାଙ୍କର କି ଭାବରେ ମସ୍ତିଷ୍କ ଚାଳନା ହୋଇଥିବ ଓ ସୃଷ୍ଟିରକ୍ଷା ଓ ଖାଦ୍ୟ ଯୋଗାଡ଼ ପାଇଁ ସେ କି ଭାବେ ମନୁଷ୍ୟ ଜୀବନ ରକ୍ଷାର ଉପାୟ ଅନୁଶୀଳନ କରିଥିବେ ତାହା ଭାବିଲେ ଅବାକ୍‌ ହେବାକୁ ହୁଏ । ସେହିପରି ଶଗଡ଼ ଓ ଆଉସବୁ କୃଷି ଯନ୍ତ୍ରର ପ୍ରତ୍ୟେକ ଜିନିସ କେତେ ଅନୁଶୀଳନ ଓ ଗବେଷଣା ପରେ ହୋଇଛି ତାହା ଭାବିବାର ବିଷୟ । କେତେ କାଳରୁ ଆମେ ଗତାନୁଗତିକ ଭାବେ ଆମର ପୂର୍ବ ପୁରୁଷମାନଙ୍କର ସେହି ଉଦ୍ଭାବନମାନଙ୍କୁ ବିକି ଖାଉଛୁଁ କିନ୍ତୁ ତହିଁର ଉନ୍ନତି ଦିଗରେ ନିଜର କିଛି ଯୋଡ଼ି ପାରି ନାହୁଁ ଭାବିଲେ ନିଜକୁ ଧିକ୍‌କାର ଦେଉଁ । ହଁ, ସେଗୁଡ଼ିକ ବଜାୟ ରଖି ଅତି ମୋଟା ବୁଦ୍ଧି ଖଟାଇ ମାଟିର କିଞ୍ଚିତ୍‌ ଉନ୍ନତି କରା ଯାଇଛି କିନ୍ତୁ ଖାଲି ମାଟିର ଉନ୍ନତି ଆଜିର ଆମର ଜୀବନର ଆଡ଼ମ୍ୱର ପକ୍ଷରେ ଯଥେଷ୍ଟ ନୁହେଁ, ଏ ମହାର୍ହ ଅନୁଭୂତି ଭୋକରେ ନ ମରିବା ପର୍ଯ୍ୟନ୍ତ ଲାଭ କରି ନାହୁଁ ଏହା ବଡ଼ ବିଚିତ୍ର ଅଟେ । ଶରୀର ମାଦ୍ୟଂ ଖଳୁଧର୍ମ ସାଧନମ ପୁଣି ଅନ୍ନାଦ୍‌ଭବନ୍ତି ଭୂତାନି, ଶରୀର ରକ୍ଷା ଧର୍ମର ପ୍ରଦାନ ପ୍ରଥମ ଅଙ୍ଗ । ଶରୀର ରକ୍ଷା ପାଇଁ ଖାଦ୍ୟ ଆବଶ୍ୟକ । କୃଷି ଖାଦ୍ୟର ଜନନୀ, ଜନନୀ, ଜନ୍ମଭୂମି କୃଷି ପାଇଁ । ତେବେ କୃଷିପରାୟଣ ହୋଇ ଆସ ଆମେ ଜନନୀର ପୁତ୍ର ବୋଲି ବାହାସ୍ଫୋଟ ମାରୁ । ଗୋପାଳନ କୃଷିର ଅପରିହାର୍ଯ୍ୟ ଅଙ୍ଗ । ଗୋ ଦୁଗ୍‌ଧ ପୁଣି ଆମର ପ୍ରଧାନ ଉପାଦେୟ ଖାଦ୍ୟ । ପରବର୍ତ୍ତୀ ଅଧ୍ୟାୟରେ ଗୋପାଳନର ଆଲୋଚନାକୁ ପେଷି ପକାଇ ଅଗ୍ରେ କୃଷି ସମମ୍ୟାର ମାଧାନ ଦିଗରେ ତତ୍‌ପର ହେଉଁ । କୃଷି ପାଇଁ ମାଟି, ଜଳ, ବାୟୁ ଓ ଆଲୋକ ଦିଗରେ ପ୍ରକୃତି ଏ ଭାରତକୁ ଯେ ଉଦାରତା ଦେଖାଇଛନ୍ତି ଭାବିଲେ ହୃଦୟ ସ୍ୱତଃ ସନ୍ତାନପାଳିନୀ ପ୍ରକୃତି ଜନନୀଙ୍କ ପ୍ରତି ଭକ୍ତି ଗଦ୍‌ଗଦ୍‌ ହୁଏ ଓ ନଇଁ ପଡ଼େ । ଏତେ ମାଟି ଏତେ ଜଳ ଏତେ ବାୟୁ ଓ ଏତେ ଆଲୋକ ଆଉ କେଉଁ ମା’ର ପୁଅର ଅଛି । ଏତେ ଥାଇଁ ଭାରତୀୟ କେଉଁ ମା’ର ପୁଅ ପରି ଏତେ ଦୁଃଖୀ । ଆମ ଭିତରେ ଅନିର୍ବଚନୀୟ କୌଣସି ଦୁର୍ବଳତା ରହିଛି । ଆସ ତାକୁ ଦୂର କରି କୃଷିର ଉନ୍ନତି କରି ପିତୃଋଣ ପରିଶୋଧ କରୁଁ, ଖାଉଁ ପୃଥିବୀକୁ ଖୁଆଉଁ ଓ ଦେଖାଇ ଦେଉଁ ଆମେ ଭାରତ ଜନନୀର ସୁପୁତ୍ର । ଆଉ କୁପୁତ୍ର ହୋଇ ରହିବୁଁ ନାହିଁ ।

 

ନବଲବ୍‌ଧ ସ୍ୱାଧୀନତା କାର୍ଯ୍ୟରେ ନ ହେଲେ ମଧ୍ୟ କାଗଜ କଲମରେ ଆମର ଏ ଦିଗରେ ସହାୟ ହୋଇଛି । ଆଜି ଆଉ ଭାରତରେ ରାଜ ରାଜୋଡ଼ା ନାହାନ୍ତି । ଜମିଦାର ଗଲେଣି, ଗୌନ୍ତିଆମାନେ ଯିବେ, ଉପରେ ସମସ୍ତଙ୍କର ଆୟୁଷ ଶେଷ ହୋଇଛି । ସ୍ୱାଧୀନ ସରକାର ମାଟି ଭୂଇଁ ଫୋଡର ବୋଲି ଜାରି କଲେଣି । ମାଟି ଭୂଇଁ ଫୋଡ଼ର ପ୍ରାୟ ହେଲାଣି । ଭାରତୀୟ କୃଷକ ଭାରତର ଜନତା ତେଣୁ କୃଷି ଜନତା ପାଇଁ, ଜନତାହିଁ ଜନାର୍ଦ୍ଦନ । କୃଷି ଜନାର୍ଦ୍ଦନଙ୍କ ନିମନ୍ତେ । ତେଣୁ କୃଷିହିଁ ଧର୍ମ । ଏହି ଧର୍ମ ଭାବରେ ପ୍ରଣୋଦିତ ହୋଇ ଚଷାକୁ ଲକ୍ଷ ପୋଷା କରି ଶୀଘ୍ର କାର୍ଯ୍ୟାରମ୍ଭ କରୁଁ ।

 

ପ୍ରଥମେ ଦେଖାଯାଉ ‘ରାଜସ୍ୱ’ କଅଣ ଓ କାହିଁକି ? କୃଷକ ଏତେ କଷ୍ଟକରି ମୁଣ୍ଡ ଝାଳ ତୁଣ୍ଡରେ ମାରି, ଖରା ନାହିଁ ବର୍ଷା ନାହିଁ ଶୀତ ନାହିଁ ଏତେ ହାଡ଼ଭଙ୍ଗା ପରିଶ୍ରମ କରି ଯେଉଁ ଶସ୍ୟ ଉତ୍ପାଦନ କରେ ସେଥିରୁ ଅଂଶ ଦିଏ କାହିଁକି? ରାଜସ୍ୱ ଅର୍ଥାତ୍‌ ରାଜାଙ୍କର ସ୍ୱତ୍ତ୍ୱ, ସ୍ୱୀକାର କରିବାକୁ ହେବ । ରାଜସ୍ୱ ଦେବା ମାନେ ରାଜାଙ୍କର ଆନୁଗତ୍ୟ ସ୍ୱୀକାର କରିବା । ରାଜା ରାଜ୍ୟ ଶାସନ କରନ୍ତି, ରାଜ୍ୟରେ ଶାନ୍ତିରକ୍ଷା କରନ୍ତି । ଦେଶରକ୍ଷା କରିବାକୁ ଅର୍ଥର ପ୍ରୟୋଜନ । ଏହି ଅର୍ଥ ଆସିବ କେଉଁଠାରେ ? ତେଣୁ ଏ ଯେ ରାଜସ୍ୱ ଦେଶରକ୍ଷା ଓ ଦେଶ ଶାସନର ଖର୍ଚ୍ଚ ତୁଲାଇବାକୁ । ରାଜସ୍ୱ ସଂପୂର୍ଣ୍ଣ ନୈତିକ, ରାଜସ୍ୱ ନ ଦେବା ଅନୈତିକ । ଯାହା ନୈତିକ ଭିତ୍ତି ଉପରେ ତାହା କର୍ତ୍ତବ୍ୟ, କର୍ତ୍ତବ୍ୟହିଁ ଧର୍ମ, ଧର୍ମହିଁ ମାନବିକତା । ରାଜସ୍ୱ ହିଁ ଦେଶରକ୍ଷାର ମୂଲ୍ୟ । ତେବେ ଏହି ରାଜସ୍ୱ ହେତୁ ପୃଥିବୀର ଯାବତୀୟ ବିପ୍ଳବ । ଗାନ୍ଧିଜୀଙ୍କର ‘ଭାରତ ଛାଡ଼’ ବିପ୍ଳବର ମୂଳରେ ଏହି ରାଜସ୍ୱ । ବ୍ରିଟିସର ଭାରତ ତ୍ୟାଗ ବା ଆମ ସ୍ୱାଧୀନତା ମୂଳରେ ଏହି ରାଜସ୍ୱ ଏବଂ ଆଜି କଂଗ୍ରେସ ଶାସନ ପ୍ରତି ଏ ଯେ ଅସନ୍ତୋଷ ତାର ମୂଳରେ ଏ ରାଜସ୍ୱ । ଆମେ ଭାତରେ ବଞ୍ଚୁ ଏବଂ ମରୁଁ ମଧ୍ୟ ଏ ଭାତରେ । ସେପରି ଏହି ରାଜସ୍ୱହିଁ ସବୁ ଅନର୍ଥର ମୂଳ ପୁଣି ଏହି ରାଜସ୍ୱହିଁ ଦେଶର ସବୁ ଉନ୍ନତିର ମୂଳ କାରଣ। ଏପରି ହୁଏ କାହିଁକି ? ରାଜତନ୍ତ୍ରରେ ରାଜସ୍ୱ ନିଅନ୍ତି ରାଜା । ପ୍ରଜାତନ୍ତ୍ର ବା ଗଣତନ୍ତ୍ରରେ ରାଜସ୍ୱ ନିଅନ୍ତି କିଏ ? ପ୍ରଜା ବା ଜନତା । ସେତେବେଳେ ଏହା ଆଉ ରାଜସ୍ୱ ନୁହେଁ ‘ନିଜସ୍ୱ’ ଏହାର ପ୍ରକୃତ ନାମ ହେବା ଉଚିତ । ଯେତେବେଳେ ପର୍ଯ୍ୟନ୍ତ ଜନତା ଏହାକୁ ‘ନିଜସ୍ୱ’ ବୋଲି ଜ୍ଞାନ ନ କରିଛନ୍ତି, ଆଉ ସେପରି କରିବାକୁ ଦେଶ ଶାସକ ବ୍ୟଭିଚାର ଅଭିଚାର ଅତ୍ୟାଚାରରୁ କ୍ଷାନ୍ତ ନ ହୋଇଛନ୍ତି ସେତେବେଳ ପର୍ଯ୍ୟନ୍ତ ଦେଶର ଶାନ୍ତି ଓ ଶ୍ରାନ୍ତି ନାହିଁ । ବିପ୍ଳବ କୌଣସି ନା କୌଣସି ଆକାରରେ ଲାଗି ରହିଥିବ । ଏହାର ଆଉଏକ ନାମ ‘କର’ । କର ଅର୍ଥ କିରଣ । ବାସ୍ତବିକ ସୂର୍ଯ୍ୟ କିରଣର କ୍ଷମତା ରହିଛି ଏ କରରେ । ରାଜା ନଥିଲେ ମଧ୍ୟ ଏହା ରାଜସ୍ୱ ଅଟେ । ରାଜ ଅର୍ଥ ସୌନ୍ଦର୍ଯ୍ୟ ପ୍ରକାଶ । ଦେଶରେ ସୌନ୍ଦର୍ଯ୍ୟ ପ୍ରକାଶ ପାଇଁ, ଦେଶରେ ଶାନ୍ତି ସ୍ଥାପନ କରିବାକୁ ଓ ଦେଶକୁ ସମୃଦ୍ଧିମନ୍ତ କରିବାକୁ ଏ ରାଜସ୍ୱ । ଏହା କାହାକୁ ଦିଆ ଯାଉ ନାହିଁ, ଦିଆ ଯାଉଛି ନିଜକୁ, ଜନତା ଜନାର୍ଦ୍ଦନଙ୍କୁ । ଏଥିରେ ଅସାଧୁତା ଚଳିବ ନାହିଁ । ଏଥିର ନୈତିକତା ଅବିସମ୍ୱାଦୀ । ଏଥିରେ ଅସାଧୁତା ପ୍ରଜା ପକ୍ଷରେ ମାରାତ୍ମକ, ଶାସକ ପକ୍ଷରେ ମଧ୍ୟ ତତୋଧିକ ମାରାତ୍ମକ ଓ ବିପ୍ଳବ ଧ୍ୱଂସାତ୍ମକ । ତେବେ ରାଜସ୍ୱ ଯଦି ଦେଶର ଜୀବନ ମରଣର ମୂଳ ତେବେ ଶାସକ ପକ୍ଷରୁ ଓ ପ୍ରଜା ପକ୍ଷରୁ ଏ ବିଷୟରେ ଯେ ସାବଧାନତା ଆବଶ୍ୟକ ତାହାର ଅଭାବହିଁ ଆଜି ଦେଶରେ ଅଶାନ୍ତିର ଧୂଆଁ କୁହୁଳାଉଛି ଓ କେତେବେଳେ ନିଆଁ ହୋଇ ଜଳିଉଠୁଛି ମଧ୍ୟ । ବାଣିଜ୍ୟ ଓ ଶିଳ୍ପ ଦିଗରେ ଯାହା ଥାଉ, ଭୂମିକର ଆମର ଆଲୋଚ୍ୟ ବିଷୟ । ଭୂମିକର ଦିଗରେ ପ୍ରଥମେ ଶାସିତ ଓ ଶାସକର ହାର୍ଦ୍ଦିକ ସନ୍ଧି ବନ୍ଧନ ଆବଶ୍ୟକ । ଇତିହାସର ପୃଷ୍ଠା ଅନୁଧାବନ କଲେ ଦେଖିବା ଏହି ସନ୍ଧି ବନ୍ଧନ ଯେତେବେଳେ ହାର୍ଦ୍ଦିକ, ସେତେବେଳେ ଦେଶରେ ଶାନ୍ତି ଶୃଙ୍ଖଳା ବିରାଜମାନ । ଦେଶ ଯେତେବେଳେ କୃଷି ଉପରେ ଏପରି ନିର୍ଭର କରୁଛି ସେତେବେଳେ ଭୂମିର ପ୍ରକାର ଭେଦ ଓ ଉପାର୍ଜନର ହାର ନିରୂପଣ କରି ଭାରତରେ ରାଜସ୍ୱର ହାର ଯାହା ରହିବା ଉଚିତ ସେହି ହାରରେ ରାଜସ୍ୱ ପ୍ରଜାର ସମ୍ମତି ଓ ସୌନ୍ଦର୍ଯ୍ୟ କ୍ରମେ, ଧାର୍ଯ୍ୟ କରି ତାହା ଅସୁଲ କରିବା ପ୍ରଥମ ଓ ପ୍ରଧାନ କାର୍ଯ୍ୟ ହୋଇପଡ଼ିଛି । ଉଦାହରଣ ସ୍ୱରୂପ କୁହାଯାଇପାରେ ଏହି ସମ୍ବଲପୁର ଜିଲ୍ଲାରେ ପ୍ରାୟ ୩୦ ବର୍ଷ ପୂର୍ବ ଭୂମି ମପାଯାଇ ରାଜସ୍ୱ ଧାର୍ଯ୍ୟ କରାଯାଇ ଥିଲା । କିନ୍ତୁ ଏ ୩୦ ବର୍ଷ ଜାତିର ଜୀବନରେ ଯେ ମହା ପରିବର୍ତ୍ତନ ଆଣିଛି ତାହା ବର୍ଣ୍ଣନା ସାପେକ୍ଷ ନୁହେଁ, ଅନୁଭବନୀୟ । ୩୦ ବର୍ଷ ପୂର୍ବେ ଖାଦ୍ୟ ଶସ୍ୟର ଯେ ମୂଲ୍ୟ ଥିଲା ଓ ଯେଉଁ ମୂଲ୍ୟ ଉପରେ ସେତେବେଳେ ରାଜସ୍ୱ ଧାର୍ଯ୍ୟ କରାଯାଇଥିଲା, ଆଜି ସେହି ରାଜସ୍ୱର ପରିବର୍ତ୍ତନ ନ କରି ଅସୁଲ କରିବା ଶାସକ ପକ୍ଷରେ ମଧ୍ୟ ଅନୁଚିତ ଓ ଶାସିତ ପକ୍ଷରେ ମଧ୍ୟ ଅସାଧୁତା ତଦୁପରି ଏହି ସମୟ ମଧ୍ୟରେ ଭୂମିର ଯେ ଉନ୍ନତି ବା ଅବନତି ଘଟିଛି ତହିଁର ମଧ୍ୟ କୌଣସି ବିଚାର ନାହିଁ । ୩୦ ବର୍ଷ ପୂର୍ବର ହାରରେ ରାଜସ୍ୱ ଦେବା ପ୍ରଜା ପକ୍ଷରେ ଯେପରି ଅସାଧୁତା । ନେବାର ମଧ୍ୟ ଶାସକ ପକ୍ଷରେ ସେପରି ଅସାଧୁତା ହୋଇପଡ଼ିଛି । ଉଭୟ ପକ୍ଷରୁ ଏ ଅସାଧୁତା ଚଳାଇ କୃଷି ସମସ୍ୟା ସମାଧାନ ଏକ ବିଡ଼ମ୍ବନା ମାତ୍ର । ତଦୁପରି ବାଣିଜ୍ୟ କ୍ଷେତ୍ରରେ ମୋସେଲଟ୍ୟାକ୍‌ସ, ଇନକମ୍‌ଟ୍ୟାକ୍‌ସ ଲଦାଯାଉଛି ଏବଂ କୃଷି ଦିଗରେ ଯେ ଇନ୍‌କମ୍‌ଟ୍ୟାକ୍‌ସ ଧାର୍ଯ୍ୟ ହେଉଛି ତାହା କାହାଠାରୁ ଅସୁଲ ହେଉଛି । ଏହା ଦେଖି କେହି ଦେଖୁନାହାନ୍ତି । ଜମିର ରାଜସ୍ୱ ବାହାରେ ଏ ସବୁ କୃଷକ ଦେଉଛି ତାହା କହିବା ବାହୁଲ୍ୟ ମାତ୍ର । ଜୀବନ ରକ୍ଷା ପାଇଁ ଲୁଣ କିରାସିନି, କପଡ଼ା ଓ ଆଉ ଅନ୍ୟାନ୍ୟ ଜିନିସ ଗ୍ରହଣ ମାରଫତ ଏ ସବୁ କରଭାର ତା ଉପରେ ପଡ଼ୁଛି । କୃଷକ ସ୍ୱଭାବତଃ ଦରଳ । ବାଣିଜ୍ୟର କୁଟନୀତି ବୁଝିବା ତା ପକ୍ଷରେ ଅସମ୍ଭବ । କୃଷିଜାତ ଦ୍ରବ୍ୟ ସରକାର କଣ୍ଟ୍ରୋଲ କରି ନିଜେ ଗ୍ରହଣ କରୁଥିବାରୁ ତାହା ବିକି ଅଯଥା ଲାଭ ସେ ଉଠାଇ ପାରୁନାହିଁ । ଆଉ ସେ ଲାଭ ସେ ଉଠାଇବା ମଧ୍ୟ ଉଚିତ ବୋଲି କେହି କହୁନାହିଁ । ତେବେ ତାର ମେରୁଦଣ୍ଡ ଭାଙ୍ଗିବା ପୂର୍ବେ ଏ ବିଷୟ ସମାଧାନ ନ କଲେ ପରେ ଅନୁତାପ କରିବାକୁ ହେବ ଓ ଶେଷରେ ସେଥିରୁ ଅବ୍ୟାହତି ପାଇବା ଆଶା ତ୍ୟାଗ କରିବାକୁ ହେବ । କୃଷକ ପକ୍ଷରେ ମଧ୍ୟ ଏ ବିଷୟରେ ନିଜ ଦାୟିତ୍ୱ ଏଡ଼ାଇବାକୁ ଶାସକ ଉପରେ ସବୁ ଦାୟିତ୍ୱ ଓ ଦୋଷ ଲଦି ଦେଲେ ଚଳିବ ନାହିଁ । ବହୁକାଳରୁ ଗୌନ୍ତି ଓ ଜମିଦାରୀ ପ୍ରଥା ଲୋପ କରିବାକୁ ଆନ୍ଦୋଳନ କରି ସେ ସବୁ ପ୍ରଥା ଲୋପ ପରେ ନିଜେ ଗୋନ୍ତିଆ ବା ଜମିଦାର ହେବାକୁ ଯେପରି ସେ ଚେଷ୍ଟା ନ କରେ । ଯେତେ ଜମି ଭଲ ଭାବେ ଚାଷ କରିବା ତାର ସାଧ୍ୟ ମଧ୍ୟରେ ସେଥିରୁ ଅଧିକ ଜମି ହାତରେ ରଖିବାକୁ ଚେଷ୍ଟା କଲେ ଗୌନ୍ତି ଓ ଜମିଦାରୀ ପ୍ରଥା ଉଠାଇବାର ଅର୍ଥ ନାହିଁ । ଆଉ ଗଣତନ୍ତ୍ର ଶାସନରେ ଭୋଟାଧିକର ଅର୍ଥାତ୍‌ ଶାସନ କ୍ଷମତା ହାତରେ ପାଇ ଅଭିଜ୍ଞ ସଂପନ୍ନ କୃଷକ ପ୍ରତିନିଧି ପଠାଇ କୃଷିର ଉନ୍ନତି ଓ କୃଷକର ଅଭାବ ପୂରଣ କରିବା ଛାଡ଼ି ଯଦି ସେ ଅର୍ଥଲୋଭରେ ଅନ୍ୟ ପକ୍ଷକୁ ପ୍ରତିନିଧି ନିର୍ବାଚନ କରେ ତେବେ ତାହା ତାହାର ଆତ୍ମହତ୍ୟା ଛଡ଼ା ଆଉ କଅଣ ହୋଇପାରେ । ଦେଶରେ ଶତକଡ଼ା ୯୫ ଜଣ କୃଷକ ଥାଇ ମଧ୍ୟ କୃଷକ ହିତେତ୍ସୁ ଛଡ଼ା ଅନ୍ୟ ଦଳ ସଂଖ୍ୟାଧିକ ହୁଏ ତେବେ ସେଥିପାଇଁ କୃଷକ ଛଡ଼ା ଆଉ କାହାକୁ ଦୋଷ ଦେବା ? ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଯେପରି ଏକତା ଓ ସଂଘବଦ୍ଧ କାମ ଶିଳ୍ପୀ ଓ ବଣିକ୍‌ମାନେ କରୁଛନ୍ତି ସେଥିରୁ ଅଧିକ କୃଷକ ଏକ ଓ ସଂଘବଦ୍ଧ ନ ହେଲେ ତାର ରକ୍ଷା ନାହିଁ ଓ ଯେଉଁ ଶାସକର ପଛରେ ଦେଶର କୃଷକ ନାହାନ୍ତି ସେ ଶାସକର ଶାସନ କାଳ ଶୀଘ୍ର ଇତି ହୁଏ ଏହା କହିବା ବାହୁଲ୍ୟ । କଟକ ପୁରୀ ଅଞ୍ଚଳରେ ପ୍ରାୟ ୪୦ ଏକର ଜମିଥିଲେ ସେ ଜଣେ ଜମିଦାର ବୋଲାଉଥିଲେ କାରଣ ସେ ଅଞ୍ଚଳର ମାଟିର ଉପାଦେୟତା ବେଶୀ । ପୁଣି ସେମାନେ ବର୍ଷକରେ ଦିଓଟି ଫସଲ ଆଦାୟ କରନ୍ତି । କିନ୍ତୁ ସମ୍ବଲପୁର ଓ ତତ୍‌ସଂଲଗ୍ନ ପୂର୍ବତନ କେତେ ଗଡ଼ଜାତରେ ସାମାନ୍ୟ କେତେ ସ୍ଥାନ ଛାଡ଼ିଦେଲେ ସେପରି ଉର୍ବର ଜମି ନାହିଁ । ଜମିଦାରୀ ଲୋପ ପରେ ଲୋକଙ୍କ ମନରେ ଭୟ ଆସିଛି ସରକାର ଆମର ଜମିସବୁ କାଢ଼ି ନେବେ । ଏ ମଧ୍ୟରେ ପ୍ରଜାର ଖୁଣ୍ଟିର ଜମିର ପରିମାଣ ସରକାର ଜାଣି ନେଇ ସାରିଛନ୍ତି । ତଦ୍ୱାରା ପ୍ରଜାର ଏ ଧାରଣା ଦୃଢ଼ବଦ୍ଧ ହୋଇଛି । ପ୍ରତ୍ୟେକ ଖୁଣ୍ଟିରେ ୩୦ ଏକରରୁ ବେଶୀ ଜମି ରହିବ ନାହିଁ ବୋଲି ଜାରି ହୋଇଥିବାରୁ ଲୋକେ ସେତିକି ମାତ୍ର ଜମି ରଖି ବାକୀ ଜମିମାନ ହସ୍ତାନ୍ତର ବା ନିଜର ବନ୍ଧ, ଜ୍ଞାତି ମଧ୍ୟରେ ବାଣ୍ଟି ଦେଉଛନ୍ତି ଓ ସେ ଦିଗରେ କେତେ ଯେ ବେନାମି ହସ୍ତାନ୍ତର ହେଲାଣି, ତାର ଠିକଣା ନାହିଁ । ଯଦି ହସ୍ତାନ୍ତର ହୋଇଥାଏ ତାହା ଜମି ବଣ୍ଟନ ଦିଗରେ ସହାୟ ହେବ । ମାତ୍ର ବେନାମି କାରବାର ଦ୍ୱାରା ଜମିକୁ ଯଦି ପୁରାତନ ଖୁଣ୍ଟି ସାମିଲ ରଖାଯାଏ ତେବେ ବିଭ୍ରାଟ କମ୍‌ ହେବ ନାହିଁ । ତା ଅପେକ୍ଷା ଉତ୍ତରାଧିକାରୀମାନଙ୍କ ମଧ୍ୟରେ ବିଭାଗ ଓ ଖୁଣ୍ଟିର ପୃଥକୀକରଣ ଶ୍ରେୟସ୍କର ହେବ । ଏ ଦିଗରେ ପ୍ରତ୍ୟେକ ଖୁଣ୍ଟିରେ କେତେ ଜମି ରଖାଯିବ ତାହା ଦେଶ କାଳ ପାତ୍ରର ବିବେଚନା ଉପରେ ନିର୍ଭର କରେ । ମୂଳ ନୀତିକୁ ଛାଡ଼ିଲେ ଚଳିବ ନାହିଁ । କୃଷକ ଜମି ଭଲଭାବେ କମାଣି କରିପାରିବ ତେତିକି ମାତ୍ର ତାର ଖୁଣ୍ଟିରେ ରଖିବା ଉଚିତ । ଭବିଷ୍ୟତରେ ଉନ୍ନତି କରିବା ବାହାନାରେ କୌଣସି ଅଧିକା ଜମି ରଖିବା ଉଚିତ ନୁହେଁ, କାରଣ ଏଠାରେ ଆମେ ଯାହାକୁ ଭଲ ଓ ଉନ୍ନତ ଜମି କହୁଁ ସେଥିରେ ମଧ୍ୟ ଏତେ ଉନ୍ନତି କରିବାକୁ ଅଛି ଯାହା ଆଉ ଏକ ପୁରୁଷରେ ସଂପନ୍ନ ହେବ ନାହିଁ । ତେବେ ଯେଉଁ ଜମିରେ ଦୁଇ ଫସଲ ହୁଏ ସେ ଜମି ପ୍ରତ୍ୟେକ ଖୁଣ୍ଟିରେ ଯେତେ ରହିବ ଦୁଇ ଫସଲ ନହେବା ଜମି ତାର ଦୁଇ ତିନିଗୁଣ ନିଶ୍ଚୟ ରଖିବାକୁ ଓ ସେଥିରେ ଦୁଇ ଫସଲ ଆଦାୟ କରିବାର ସୁବିଧା କରିଦେଲେ ଅଧିକା ଜମି କାଢ଼ି ନେଲେ ତାହା ବାଧିବ ନାହିଁ । ଆଉ ଖୁଣ୍ଟିର ଜମି ପରିମାଣ ନିର୍ଣ୍ଣୟ କରିବା ପୂର୍ବେ ଅନ୍ତତଃ ଦୁଇବର୍ଷ କ୍ରମାଗତ ଭାବେ କୃଷକ କେତେ ଜମି ଭଲଭାବେ ଚାଷ କରୁଛି ତହିଁର ବିଶ୍ୱସ୍ତ ଓ ନିର୍ଭର କରିବା ପାଇଁ ଉପଯୁକ୍ତ ଅନୁସନ୍ଧାନ କରିବାକୁ ହେବ । ଜମି ବଣ୍ଟନ, ଖୁଣ୍ଟିର ଜମି ପରିମାଣର ନିର୍ଣ୍ଣୟ ଜମିର ଷୋହଳପଣ ଚାଷ ପାଇଁ ମାତ୍ର, ପ୍ରଜାକୁ ଜମିରୁ ଅନ୍ତର କରିବାକୁ ନୁହେଁ । ବର୍ତ୍ତମାନ ଯେଉଁମାନଙ୍କ ଉପରେ କୃଷିର ଆୟକର ଧାର୍ଯ୍ୟ ହେଉଛି ଅନ୍ତତଃ ଏ ଅଞ୍ଚଳରେ ସେମାନଙ୍କର ୮୦ ଏକରରୁ ଅଧିକ ଜମି ନିଶ୍ଚୟ ଅଛି । ଯାହା ଆୟ କରଧାର୍ଯ୍ୟ ହେଉଛି ଭଲ ଭାବେ ଚାଷ କଲେ ଏକ ବା ଦୁଇ ଏକର ଜମିରେ କେବଳ ଆୟକର ଫିଙ୍ଗିଦିଆଯାଇ ପାରିବ କିନ୍ତୁ ତା କରିବା ପାଇଁ କୃଷକର ଯୋଗ୍ୟତା ଆସି ନାହିଁ ଓ ଯେତେବେଳେ ପର୍ଯ୍ୟନ୍ତ ତାର ଏତେ ବେଶୀ ଜମିଥିବ ସେତେ ଦିନ ପର୍ଯ୍ୟନ୍ତ ତାର ସେ ବୁଦ୍ଧି ହେବ ନାହିଁ ଓ ସେତେବେଳେ ପର୍ଯ୍ୟନ୍ତ ଏହା ତା ଉପରେ କରଭାର ମାତ୍ର-। ପ୍ରତ୍ୟେକ ଖୁଣ୍ଟିରେ ଜମିପରିମାଣ କମାଇ କୃଷିର ଆୟକୁ ବଢ଼ାଇବାକୁ ସୂଚନା ଦିଆଗଲା-। ଏହାର ଅର୍ଥ ଏହା ନୁହେଁ ଯେ, ମିଲ ସୃଷ୍ଟିକରି ବସ୍ତ୍ରର ଅଭାବ ମେଣ୍ଟାଇବା ପରି ଯନ୍ତ୍ର ସାହାଯ୍ୟରେ ଜମିର ଉତ୍ପାଦନ ବଢ଼ାଇବାକୁ ହେବ । କୃଷିଭୂମିର ପରିମାଣ କମାଇ ଅଳ୍ପ ଭୂମିରୁ ବେଶୀ ଆଦାୟ କରିବାକୁ ଉପାୟ ଉଦ୍‌ଭାବନ କରିବାକୁ, ମାଟିରେ ଯଥେଷ୍ଟ ସାର ଦେବାକୁ ବ୍ୟବସ୍ଥା କରିବାକୁ ହେବ ଓ ଗୋପାଳନ ଦ୍ୱାରା ଯଥେଷ୍ଟ ଖତ ସଂଗ୍ରହ କରିବାକୁ ହେବ ।

 

ଜଳସେଚନ ପାଇଁ ଏପରି ବ୍ୟବସ୍ଥା ରହିବ ଯେପରି କୃଷକ ଇନ୍ଦ୍ରକୁ ଅନାଇ ତାର ମୁହଁ ବଙ୍କା ନହୁଏ ବା ଇନ୍ଦ୍ରଯଜ୍ଞ ପାଇଁ ଘିଅ କାହୁଁ ପାଇବ, ବନସ୍ପତି ପୋଡ଼ା ହୁଏ । ଗବେଷଣା ଦ୍ୱାରା କୃଷି ପ୍ରଣାଳୀର ଉନ୍ନତି କରି କୃଷିର ଉପାର୍ଜନ ଦ୍ୱାରା ଯେପରି ସମସ୍ତେ ପେଟ ପୂରାଇ ଖାଆନ୍ତି ତାହା ଦେଖିବାକୁ ହେବ ଓ ଧାନକଳ ଆଦି ସୃଷ୍ଟି ଦ୍ୱାରା ଯେପରି କେତେଜଣ ପୁଞ୍ଜିପତି ସୃଷ୍ଟିକରି ଦେଶର ଲକ୍ଷଢ଼ିଙ୍କି ବନ୍ଦ କରି ଲକ୍ଷେ ପ୍ରାଣୀଙ୍କୁ ନିରନ୍ନ କରି ମିଲ୍‌କୁଟା ଚାଉଳ ଦ୍ୱାରା ଦେଶକୁ ବେରି ବେରି ଆଉ ସେପରି ଅନେକ ରୋଗର ନିମନ୍ତ୍ରଣ କରା ନ ଯାଏ ସେଥିପାଇଁ ଅଣ୍ଟା ଭିଡ଼ିବାକୁ ହେବ-

Image

 

ଷଷ୍ଠ ପରିଚ୍ଛେଦ

‘ଗୋପାଳନ’

 

ଗୋ, ହିରଣ୍ୟ, ସ୍ତ୍ରୀ ଓ ପୃଥ୍ୱୀ ଏ ସଂସାରରେ ଅତି ଆଦରର । ଅନ୍ୟ ପକ୍ଷେ ଯାହାହେଉ, ଗୋରୁ ଭାରତ ପକ୍ଷେ ବିଭୁଦୟାର ଶ୍ରେଷ୍ଠ ନିଦାନ । କିନ୍ତୁ ଅନ୍ୟ ତିନି ଦାନର ଆମେ ଯେ ଯତ୍ନ ନେଉଛୁଁ ଗୋରୁ ବିଷୟରେ ସେପରି ଯତ୍ନନେଉ ନଥିବାରୁ ଆମର ଏ ଦୁର୍ଦ୍ଦଶା । ଭାରତୀୟ ଦିନେ ଯେ ବିଦ୍ୟା, ବୁଦ୍ଧି ଓ ଐଶ୍ୱର୍ଯ୍ୟରେ ଦେବତାସମାନ ହୋଇଥିଲା ତାର ମୂଳରେ ରହିଛି ଗୋରୁ ଓ ଆଜି ସେ ଦୁର୍ଦ୍ଦଶାର ଶେଷ ସୀମାରେ ପହଞ୍ଚିଛି ତାର ମୂଳରେ ରହିଛି ଗୋରୁ ପ୍ରତି ଅବହେଳା ଓ ଗୋପାଳନ ଦିଗରେ ଆମର ଉଦାସୀନତା । ଆମ ପାଇଁ ପୃଥ୍ୱୀରେ ଗୋରୁର ଆଦର ବଢ଼ିଛି କିନ୍ତୁ ଆଜି ଗୋରୁ ପ୍ରତି ହତାଦର କରୁଛି ଆମଠାରୁ କିଏ ବେଶୀ ? ହିନ୍ଦୁ କଥାରେ ଗୋପୂଜକ କିନ୍ତୁ ଆଜି କଂସାଇଠାରୁ ଗୋ ଅତ୍ୟାଚାରରେ ହୀନ । ଯେ ହିନ୍ଦୁର ପୂର୍ବ ପୁରୁଷଗଣ, ଗୋରୁର ଆଦର ବଢ଼ାଇବାକୁ ଗୋରୁର ପ୍ରତ୍ୟେକ ଲୋମରେ ଏକ ଏକ ଦେବତାକୁ ପ୍ରତିଷ୍ଠିତ କରିଥିଲେ ଆଜି ସେମାନଙ୍କର ଦାୟାଦ ଈଶ୍ୱରୋପାସନା ପରିପୂଜନ କରି ସେହି ଦେବତା ଶ୍ରେଷ୍ଠକୁ ପାଦରେ ଦଳନ କରୁଛି । ଗୋ ଖାଦକ ଖ୍ରୀଷ୍ଟିଆନ ଆଜି ଭାରତକୁ ଗୋ ଦୁଗ୍‌ଧ ଓ ତଜ୍ଜାତ ଅମୃତ ସରବରାହ କରୁଛି-। ଆଜି ଖ୍ରୀଷ୍ଟିଆନ ଦେଶର ଗୋରୁ ଓଜନରେ ଭାରତୀୟ ସାଧାରଣ ଗୋରୁର ବହୁ ଗୁଣ ଓ ପ୍ରାୟ ୩୦ ଗୁଣ ଅଧିକ ଦୁଗ୍‌ଧ ଦିଏ । ଆଜି ଭାରତୀୟ ଗୋରୁ ଛେଳି ସମାନ ବା ଛେଳିଠାରୁ ମଧ୍ୟ ହୀନ-। ଆଜିର ବଳଦରେ ଚଷା ଆଣ୍ଠୁଆଣି ମାଟି ଚଷି ନପାରି ଚାରି ଆଙ୍ଗୁଳି ମାଟି ଫଟାଇବାର ଆୟାସ କରୁଛି । କର୍ଷଣ ଅଭାବେ ମାଟି ଫଳପ୍ରସୂ ହେଉ ନାହିଁ । ଖାଦ୍ୟାଭାବେ ଭାରତୀୟ ଗୋରୁ ଅଖାଦ୍ୟ, ମଇଳା, ଧୂଳି ଓ ବିଷ୍ଠା ଖାଉଛି, କର୍ଷଣାଭାବେ ମାଟି ଆଉ ଗୋ ଖାଦ୍ୟ ଘାସ ଦେଉ ନାହିଁ-। ଅଖାଦ୍ୟ ଖାଇ ଆଜିର ଗୋରୁ ଯେ ଦୁଗ୍‌ଧ ଦେଉଛି ତହିଁରେ ପୃଷ୍ଟିକର ଉପାଦାନ ଆସିବ କେଉଁଆଡ଼ୁ ? ଆଗେ ‘‘ଭାରତୀୟ ଘିଅରେ ଖାଇ ଗୋରସରେ ଆଞ୍ଚୁଥିଲା’’ ଆଜି ଘିଅ ତ ଦେଖିବାକୁ ମିଳିବାର ନୁହେଁ, ଆଜିର ଅପୃଷ୍ଟିକର ଗୋରସ ମଧ୍ୟ ଔଷଧ ହେଲାଣି । ଗୋ ଦୁଗ୍‌ଧ ଅଭାବେ ଭାରତୀୟ ନାନା ଅଖାଦ୍ୟ ଖାଉଛି, ଫଳରେ ନାନା ରୋଗ ଭାରତରେ ଘର କଲେଣି । ଆଜିର ଭାରତର ସେ ସ୍ୱାସ୍ଥ୍ୟ ନାହିଁ କେବଳ ଗୋରସ ଅଭାବରେ । ତାର କାରଣ ଗୋ ପାଳନ ଦିଗରେ ଆମର ଅବହେଳା ଓ ଉଦାସୀନତା । ଆଜି ଆଉ ଦୀଲିପ ରାଜା ପୁତ୍ର ଲାଭ ପାଇଁ ସୁରଭୀ ପଛରେ ନାହାନ୍ତି ଓ ସୁରଭୀର ରକ୍ଷା କରିବା କଳ୍ପେ ଅକାତରେ ଶରୀର ଦାନ କରୁ ନାହାନ୍ତି । ଆଜି ଭାରତୀୟର ସେ ଦେହବଳ ମନବଳ ସେହି ଅଧ୍ୟାତ୍ମିକ ଭାବ ଓ ସେହି ଐଶ୍ୱରୀକ ଉପାଦାନ ଉପରେ ଆଧିପତ୍ୟ ନାହିଁ-। ଆଜି ଭାରତୀୟର ସେ ବୀରତ୍ୱ ସେ ଯୋଗ୍ୟତା ନାହିଁ । ଆମର ବିଗତ ଜାତୀୟ ଆନ୍ଦୋଳନ ବେଳେ ଆମର ମହାପ୍ରତିଭାଶଳୀ ନେନ୍ଦୃବୃନ୍ଦ ବନ୍ଦୀଶାଳରେ ରହି ଅଳ୍ପ ସମୟ ମଧ୍ୟରେ ଜାତିର ସଂପତ୍ତି ସଦୃଶ ସେମାନଙ୍କର ମହାପ୍ରାଣ ହରାଇଥିଲେ କିନ୍ତୁ ଗାନ୍ଧିଜୀ ଏତେ ଦୀର୍ଘକାଳ ସେହି ବନ୍ଦୀଶାଳରେ ରହି ମଧ୍ୟ ଅଶିତି ବର୍ଷ ବୟକ୍ରମ କାଳରେ ମଧ୍ୟ ସୁସ୍ଥ ସବଳ ଥିଲେ ତହିଁର କାରଣ ବନ୍ଦୀଶାଳରେ ବା ବାହାରେ ଗାନ୍ଧିଜୀ ଦୁଗ୍‌ଧ ଓ ଫଳଛଡ଼ା ଆଉ କିଛି ଖାଉ ନଥିଲେ-। ଏହି ଏକ କଥାରୁ ଏହା ସ୍ପଷ୍ଟ ପ୍ରମାଣିତ ହେଉଅଛି ଗୋଦୁଗ୍‌ଧ ମନୁଷ୍ୟ ଖାଦ୍ୟର ପ୍ରଧାନ ଓ ମନୁଷ୍ୟ ଖାଦ୍ୟର ଉପାଦାନ ସବୁ ଗୋଦୁଗ୍‌ଧରେ ରହିଛି । ଅନ୍ୟ ଦିଗରେ କିଛି ନ କରି ଭାରତ ଯଦି ଦେଶକୁ କେବଳ ଯଥେଷ୍ଟ ପରିମାଣରେ ଗୋରସ ଯୋଗାଇ ପାରନ୍ତା ତେବେ ଭାରତୀୟ ତାର ନଷ୍ଟସ୍ୱାସ୍ଥ୍ୟ, ଭଷ୍ଟଐଶ୍ୱର୍ଯ୍ୟ ନଷ୍ଟବୁଦ୍ଧି, ନଷ୍ଟବୀରତ୍ୱ, ନଷ୍ଟଆଧ୍ୟାତ୍ମିକତା, ଏକ କଥାରେ ନଷ୍ଟ ଧନ ଜନ ଗୋପଲକ୍ଷ୍ମୀ ଫେରାଇ ଆଣନ୍ତା । ପ୍ରତ୍ୟେକ ଗ୍ରାମକୁ ଯାଇ ସାଧାରଣ ଗୃହସ୍ଥକୁ ପଚାର ଶୁଣିବ ତାର ଗୁହାଳରେ ୫।୭ ଗୋରୁ ଅଛନ୍ତି, ଗୋରସ କଥା ପଚାରିଲେ କହିବେ ‘‘ମହାଶୟ, ବାଛୁରୀ ବଞ୍ଚିବା ଅସମ୍ଭବ ଦୁଧକଥା କଣ ପଚାରୁଛନ୍ତି ?’’ ଗୁହାଳକୁ ଗଲେ ଦୁର୍ଗନ୍ଧରେ ନାକ ଫାଟିଯିବ-। ମଶା ମାଛିଙ୍କର ଆଡ଼ା ସେ । ବାୟୁ ଆଲୋକର ଅଭାବ ଓ ମୂତ୍ରରେ ଓଦା । ବର୍ଷାକାଳରେ ରାତ୍ରିର ଗୋରୁ ଶୋଇ ପାରିବା ଅସମ୍ଭବ । ଗ୍ରାମରେ ସବୁଠାରୁ ସେ ଅଳସୁଆ, ଅଯୋଗ୍ୟ ଓ ଅନ୍ୟ କୌଣସି କାମ କରି ପାରିବ ନାହିଁ ଗ୍ରାମର ବ୍ୟବସ୍ଥାରେ ସେ *‘ଚରୁହା’ । ଗ୍ରାମରେ ଆଉ ଆଗରେ ‘ଗୋଚର’ ଭୂମି ନାହିଁ-। ଗୋରୁ ଖାଦ୍ୟ ମିଳିବା ଭଳି ସବୁ ଜମି କୃଷି ଭୂମିରେ ପରିଣତ ହେଲାଣି । କେବଳ ଯିବା ଆସିବା ‘ଧର୍ସା’ *। ଭଲକୁ ତାହା ଚାଷ କରିବା ମନା । ଏହି ଧର୍ସା ହିଁ ଗୋଚାରଣ ସ୍ଥାନ ବାକୀ ସର୍ବତ୍ର ଚାଷ କରାଯାଏ । ତାର କଡ଼ରେ ସାମାନ୍ୟ କିଛି ଘାସ ଥାଏ ତାହାହିଁ ଭରସା, ତାକୁ ଲାଗି ଚାଷଜମି । ସେ ଆଡ଼କୁ ଗୋରୁ ମୁହଁଇଲା ତ ଚରୁହାର ବାଡ଼ିରେ ତାର ନାକ ଫାଟିଲା ପୁଣି ପ୍ରତିଦିନ ସେ ବାଟେ ଯିବା ଆସିବା ଦ୍ୱାରା ଗୋରୁ କ୍ଷୁରରେ ସେହି ସାମାନ୍ୟ ଘାସ ମଧ୍ୟ ନଷ୍ଟ ହୁଏ । ଦଶହରା ବେଳକୁ ଘାସ ପାଇଁ ଗୋରୁ ମାଟି ଚାଟି ଚାଟି ମାଟିରେ ତାର ନାନା ପେଟ ବେଦନା । ଚଷା ବାପୁଡ଼ା ସେତେବେଳେ ଚାଷର ହଡ଼ାକୁ ବଞ୍ଚାଇବାରେ ବ୍ୟତିବ୍ୟସ୍ତ, ଗାଈ ପ୍ରତି ନଜର ଦେବାକୁ ତାର ବେଳ କାହିଁ ? ସେତେବେଳକୁ ବାଛୁରୀମାନେ ଖାଦ୍ୟାଭାବେ ଖାଦ୍ୟାଭାବ ଏଡ଼ାଇବାକୁ ନିର୍ବାଣ ମୁକ୍ତି ପାଇ ସାରିଥାନ୍ତି । ବେଶୀ ପରିମାଣ ଜମି ରଖିବା ଦ୍ୱାରା ତାହା ଭଲ ଚଷା ନ ଯାଇ ଅନୁର୍ବରା ହୁଏ । ସଂଖ୍ୟାଧିକ ଗୋରୁ ରଖିବା ଦ୍ୱାରା ଗୋଜାତିର ଅବମାନନା ଓ ଫଳତଃ ଅବସାନ ଘଟୁଛି, ଏହା ଦେଖି କେହି ଦେଖି ନାହାନ୍ତି । ଭାରତୀୟ ଗୋ ଜାତିର ନାହାନ୍ତି । ଭାରତୀୟ ଗୋ ଜାତିର ହତାଦର ବ୍ରିଟିଶର ପୂର୍ବେ ନଥିଲା । ଏହା ସତ ଯେ ଗୋ-ଖାଦକ ମୁସଲମାନ ମଧ୍ୟ ଗୋରୁପଲ ସାମନାରେ ରଖି ଯୁଦ୍ଧାଭିମୁଖୀ ହେବାରୁ ଏତେ ସହଜେ ହିନ୍ଦୁକୁ ପରାସ୍ତ କରିପାରି ଥିଲା କିନ୍ତୁ ସେ ମଧ୍ୟ ଗୋପାଳନ ଦିଗରେ କେବେ ପଶ୍ଚାତ୍‌ପାଦ ହୋଇ ନାହିଁ । ଏହା ମଧ୍ୟ ସତ ବହୁତ ମୁସଲମାନ ନବାବ ସାହ ବାଦସାହ ହିନ୍ଦୁର ବିରାଗ ଓ ଅବମାନନା ସକାଶେ ଗୋ ହତ୍ୟା ଦିଗରେ ନିର୍ବିଚାର ଥିଲେ କିନ୍ତୁ ପକ୍ଷାନ୍ତରେ ଯେଉଁ ମୁସଲମାନ ନବାବ ବା ସମ୍ରାଟ ବୁଝିଥିଲେ ହିନ୍ଦୁର ସହଯୋଗିତା ବିନା ଭାରତ ଶାସନ ସମ୍ଭବପର ନୁହେଁ । ସେ ଗୋହତ୍ୟା ନିବାରଣ କରି ଗୋମାଂସ ଭକ୍ଷଣ ମନା କରିଥିଲେ । ଯାହା ହେଉ, ଗୋଖାଦକ ହେଲେହେଁ ସେମାନେ ଗୋଦୁଗ୍‌ଧର ମହତ୍ୱ ବୁଝିଥିଲେ ତେଣୁ ଗୋପାଳନ ଦିଗରେ ତ୍ରୁଟି କରି ନଥିଲେ । ମୁସଲମାନ ହିନ୍ଦୁସ୍ଥାନକୁ ନିଜର ଜନ୍ମଭୂମି କରି ନେଇଥିଲା ଆଉ ବୁଝିଥିଲା ଗୋମାଂସ ଭାରତରେ ଉପାଦେୟ ଖାଦ୍ୟ ନୁହେଁ ବରଂ ତଦ୍ୱାରା ସ୍ୱାସ୍ଥ୍ୟ ହାନି ଘଟେ । ମାଂସ ସକାଶେ ହଜାର ହଜାର ଗୋରୁ କାଟିବା ତଥା ଲକ୍ଷ ଲକ୍ଷ ଗୋରୁ ରପ୍ତାନି କରିବା କେବଳ ବ୍ରିଟିଶ ଶାସନ କାଳରୁ ଆରମ୍ଭ ହୋଇ ଭାରତକୁ ଗୋରୁ ଶୂନ୍ୟ କରି ଭାରତକୁ ନିର୍ଜୀବପ୍ରାୟ କରିଛି । ଭାରତରେ ଚିରକାଳ ଶାସନଦଣ୍ଡ ଧରି ରଖିବାକୁ, ଗୋଜାତିର ଅବମାନନା କରି ଭାରତୀୟ ହିନ୍ଦୁ ମୁସଲମାନମାନଙ୍କୁ ଚିରକାଳ ପାଇଁ ନିର୍ବୀର୍ଯ୍ୟ କରିବାର ସେମାନଙ୍କର ଦୁରଭିସନ୍ଧି ଥିବା ଅନୁମାନ କରା ଯାଇପାରେ କିନ୍ତୁ ତାହା ସଠିକ କହି ହେଉ ନାହିଁ । ଅତି କ୍ଷୋଭର ବିଷୟ ସ୍ୱାଧୀନତା ଲାଭ ପରେ ମଧ୍ୟ ଗୋହତ୍ୟା ଭାରତରେ ନିବାରିତ ହୋଇ ନାହିଁ, ଏହାହିଁ ବର୍ତ୍ତମାନ ଶାସନର ବିଫଳତାର ଜ୍ୱଳନ୍ତ ନିଦର୍ଶନ । ଏ ଦିଗରେ ବିଳମ୍ବ, ଶାସନକଳକୁ ଅଚଳ ନ କଲେ ରକ୍ଷା ।

 

* ଯେ ଗୋରୁ ଚରାଏ

 

* ଗ୍ରାମ ବାହାରେ ମନୁଷ୍ୟ ଓ ଗାଡ଼ିଯିବା ରାସ୍ତା ।

 

୨୫।୩୦ ବର୍ଷ ପୂର୍ବ ପଢ଼ିବାକୁ ମିଳିଥିଲା ଇଟାଲୀର ଲମ୍ବାର୍ଡ଼ ପ୍ରଦେଶ ଗୋପାଳନ ଦିଗରେ ଚରମୋତ୍କର୍ଷ ଦେଖାଇଥିଲା । ସେଠାରେ ଚାଷ ଜମିର ଅର୍ଦ୍ଧେକ ମାତ୍ର ଚାଷ କରାଯାଇ ଅନ୍ୟାର୍ଦ୍ଧରେ ଘାସ କରା ଯାଉଥିଲା । ଘାସ ୭।୮ ଦିନ ଅନ୍ତରରେ କାଟି ଘାସ ଜମା କରି ତା ଉପରେ ଲୁଣ ଦିଆଯାଉଥିଲା । ପୁଣି ତା ଉପରେ ଘାସଦେଇ ତା ଉପରେ ଲୁଣ ଏପରି ଅନେକ ପ୍ରସ୍ତ ଦେବାପରେ ଘାସ ଓ ଲୁଣ ମିଶିଯାଇ ଉତ୍‌କୃଷ୍ଟ ଗୋଖାଦ୍ୟରେ ପରିଣତ ହେଉଥିଲା । ଯେଉଁ ଭୂମିଖଣ୍ଡରେ ଘାସ ଲଗାଯାଉଥିଲା ଘାସକାଟି ନେବା ପରେ ଘାସର ମୂଳସବୁକୁ ପୋଡ଼ିଦିଆଯାଉଥିଲା, ତାହା ଉତ୍‌କୃଷ୍ଟ ସାରରେ ପରିଣତ ହେଉଥିଲା । ଆଜି ମଧ୍ୟ ଧାନକଟା ପରେ ଧାନମୂଳ ଯାହାକୁ ଆମେ ‘ନଡ଼ା’ କହୁଁ ତାକୁ ପୋତି ସାରରେ ପରିଣତ କରୁଥିବାର ଦେଖିବାକୁ ମିଳେ । ଉପରୋକ୍ତ ଘାସନଡ଼ା ସାର ଏତେ ଉପାଦେୟ ହେଉଥିଲା ଯେ ଲମ୍ବାର୍ଡ଼ର ଚଷା ଘାସ ଜମିରୁ ପରବର୍ଷ ସବୁଜମିର ଫସଲ ଆଦାୟ କରି ନେଉଥିଲା । ସେଠା ଗୋରୁ ତତ୍‌କାଳୀନ ଭାରତୀୟ ଗୋରୁର ୧୦ଗୁଣ ଓଜନ ହେଉଥିଲା ମାତ୍ର ୩୦ଗୁଣ ଦୁଧ ଦେଉଥିଲା । ଗୋଖାଦନ ଖ୍ରୀଷ୍ଟିଆନ୍‌ର ଦେଶ ଡେନମାର୍କ, ହଲାଣ୍ଡ ଓ ଇତାଲି ଆଜି ମଧ୍ୟ ଭରତକୁ ଘନୀଭୂତ ଦୁଗ୍‌ଧ ଓ ଦୁଗ୍‌ଧଜାତ ନାନାଜାତି ଜିନିଷ ସରବରାହ କରୁଛନ୍ତି ଏବଂ ଏବେ ନିର୍ଲ୍ଲଜ୍ଜ ଭାରତୀୟ ଉକ୍ତ ଘନୀଭୂତ ଗୋଦୁଗ୍‌ଧ ମିଶାଇ ଚା ଖାଉଛି । ଏବେ ଭାରତରେ ଗୋଚରଣ ଭୂମିର ଭାରି ଅଭାବ ହେଲାଣି । ଆଉ ସ୍ୱାଧୀନ ସରକାର ବେଶୀ ଶସ୍ୟ ଉପୁଜାତ ଯୋଜନାରେ ବାକୀ ଯାହାଥିଲା ତାକୁ ପ୍ରାୟ ଶେଷକରି ଭାରତରେ ଗୋଜାତିର ଅବସ୍ଥାନ ପ୍ରାୟ ଅସମ୍ଭବ କଲେଣି । ତଦୁପରି ଗୋହତ୍ୟା ନିବାରଣରେ ତତ୍ପର ନୁହନ୍ତି । ଏହା ଯଦି ଆଉ କେତେବର୍ଷ ଚାଲେ ତେବେ ଗୋଜାତି ଓ ଭାରତୀୟର କି ଦୂରବସ୍ଥା ହେବ ତାହା ଦେଖିବାକୁ ବାକୀ ରହିଲା ।

 

କୃଷି ସମସ୍ୟା ସମାଧାନ ପାଇଁ ବୈଜ୍ଞାନିକ ରୀତିରେ ଭୂମିରୁ ବେଶୀ ଉପାର୍ଜନ ପାଇଁ ସୂଚନା ଦିଆଯାଇଛି । ମାତ୍ର ଅଳ୍ପ ଆୟାସରେ ଅଧା ଜମିରେ ଘାସ ଲଗାଇ ଅଧା କେବଳ ଚାଷକରି ଲମ୍ବାର୍ଡ଼ ପରି ଅନୁର୍ବର ସ୍ଥାନରେ ଯଦି ଦୁଇଗୁଣ ଫସଲ ଆଦାୟ କରାଯାଇପାରେ ତେବେ ଭାରତରେ ତାହା ଅସମ୍ଭବ ନୁହେଁ । କାରଣ ଭାରତରେ ଜମି ଚାଷର ସୁବିଧା ଅନ୍ୟତ୍ର ନାହିଁ । ଭାରତୀୟ ଜଳବାୟୁ ଓ ଆଲୋକ କୃଷି ପରିପାଟୀର ସହାୟକ । କେବଳ ପରୀକ୍ଷା କରି ଦେଖିବାକୁ ହେବ । ଆଉ ଯଦିଓ ତାହା ସମ୍ଭବ ନ ହୁଏ ତଥାପି ତାହା କରଣୀୟ କାରଣ ଗୋଦୁଗ୍‌ଧର ପରି ମନୁଷ୍ୟର ଅନ୍ୟ ଉପାଦେୟ ଖାଦ୍ୟ ନାହିଁ । ଧାନ ଓ ଗହମ ବଦଳରେ ଯଦି ପର୍ଯ୍ୟାପ୍ତ ଗୋଦୁଗ୍‌ଧ ମିଳିପାରେ ତହିଁର ବ୍ୟବସ୍ଥା କରିବାକୁ ହେବ । ଆଉ ଗୋଜାତିର ଉନ୍ନତିରେ ଚାଷ ପୂର୍ଣ୍ଣଭାବେ ନିର୍ଭର କରୁଥିବାରୁ ଗୋଜାତିର ଉନ୍ନତି ଓ ଭାରତରେ ଚାଷର ଉନ୍ନତି ପାଇଁ ଯଥେଷ୍ଟ ଜମିରେ ଘାସ ଲଗାଇ ଉକ୍ତ ଘାସକୁ କି ଭାବେ ଉପାଦେୟ ଗୋଖାଦ୍ୟରେ ପରିଣତ କରାଯାଇପାରେ ତାର ଉପଯୁକ୍ତ ଗବେଷଣା କରିବାକୁ ହେବ । ଏହା ମଧ୍ୟ ପ୍ରମାଣିତ ହୋଇ ସାରିଛି ଯେ ଘାସ ପରି ଉପାଦେୟ ଗୋରୁ ଖାଦ୍ୟ ଆଉ ନାହିଁ । ଆଉ ଅନ୍ୟ କୌଣସି ଖାଦ୍ୟ ନ ଦେଇ କେବଳ ଘାସ ଗୋଜାତିର ଉନ୍ନତି କରିବ, ଏହା ମନଭୁଲାଣିଆ କଥା ନୁହେଁ । ଶୁଷ୍କନଡ଼ା (ପୁଆଳ) ଘାସ ଛଡ଼ା ଆଉ କଅଣ ? ଅଥଚ ପୁଆଳହିଁ ଗୋରୁର ଭରସା । ପୁଆଳରେ ଆଦୌ ସାର ନାହିଁ କିନ୍ତୁ ଖାଇ ବଞ୍ଚିବାକୁ ଗୋରୁ ତାହା ଖାଏ ମାତ୍ର । ପୁଆଳର ଆବଶ୍ୟକ, ତାହା ତଳେ ବିଛାଇ ଗୋରୁର ଶୋଇବାର ସୁବିଧା କରିବାକୁ । ଆମର ଗରମ ଦେଶରେ ଗ୍ରୀଷ୍ମକାଳରେ ଘାସ ମିଳିବା ଦୁଷ୍କର । ଆଉ ଗ୍ରୀଷ୍ମକାଳୀନ ଚାଷ ଜମିର ପାଖରେ ଯେ ସାମାନ୍ୟ ଘାସ ଖରାଦିନେ ମିଳେ ତାହା ଗୋରୁକୁ ବଞ୍ଚାଇ ରଖିବା ପକ୍ଷେ ଯଥେଷ୍ଟ ନୁହେଁ । ତେଣୁ ଅନ୍ୟ ଋତୁରେ ଘାସ ସଂଗ୍ରହ କରି ଖରାଦିନ ପାଇଁ ରଖିବାକୁ ହେବ । ମୋଟରେ ଗୋଜାତିର ଉନ୍ନତି ପାଇଁ ପ୍ରଥମ ଆବଶ୍ୟକତା ଘାସ ।

 

ଘାସ ଛଡ଼ା କୁଣ୍ଡା ମଧ୍ୟ ଗୋଜାତିର ଖାଦ୍ୟ । କୁଣ୍ଡା କହିଲେ ଆମେ ସାଧାରଣତଃ ଚଷୁକୁ ମନେକରୁଁ । ଚଷୁ ଗୋଖାଦ୍ୟ ନୁହେଁ । ମାତ୍ର କେବଳ ବଞ୍ଚି ରହିବାକୁ ଗୋରୁ ଚଷୁ ମଧ୍ୟ ଖାଏ । ଚଷୁ ଅଲଗା କଲା ପରେ ଚାଉଳକୁ ଛାଡ଼ି ବାକୀ ଧାନର ଯେ ଅଂଶ ରହେ ତାହାହିଁ କୁଣ୍ଡା ଓ ଗୋଖାଦ୍ୟ । ଧାନର ବୀଜ ଦଳ ଓ ଖୁଦ କୁଣ୍ଡାରେ ଥାଏ ତେଣୁ ତାହା ଗୋଖାଦ୍ୟ । ଯାହାହେଉ ଚଷୁ ହେଉ ବା କୁଣ୍ଡା ହେଉ ଅଳ୍ପସଂଖ୍ୟକ ଚାଷର ଗୋରୁ ତାହା ପାଆନ୍ତି । ଗାଈ ଭାଗ୍ୟରେ କଦାଚିତ୍‌ ତାହା ଘଟେ, ଯାହାର ଅତି ଅଳ୍ପସଂଖ୍ୟକ ଗାଈ ଥାଆନ୍ତି । ଯାହାର ଗାଈଗୋଠ ତାର ଗାଈ କୁଣ୍ଡା ଗୋଖାଦ୍ୟ ବୋଲି ଜାଣେ ନାହିଁ । ଏହା ଦେଖିବାକୁ ନୂଆ କିଣା ଯାଇଥିବା ଗୋରୁ ଯାହା ଦି’ ହାତରୁ ଅଣା ଯାଇଥାଏ ସେ ୧୫।୨୦ ଦିନ ପର୍ଯ୍ୟନ୍ତ କୁଣ୍ଡା ଖାଏ ନାହିଁ । ଅଭ୍ୟସ୍ତ ହେବା ପରେ ଖାଏ ଓ ବେଶୀ ଦୁଧ ଦିଏ । କିନ୍ତୁ ହାୟ ଧାନକଳ ଗୁଡ଼ିକ ଗୋରୁର ଏ ଚଷୁକୁ ମଧ୍ୟ ନେଲେଣି ଆଉ ଢିଙ୍କିମାନେ ମୁହଁମୋଡ଼ି ପଡ଼ିଲେଣି, ବୋଧହୁଏ ଆଉ କେବେ ମୁହଁ ଟେକିବେ ନାହିଁ । ଏହି ଧାନକଳମାନ ଯେତେ ଗୋହତ୍ୟା କରୁଛନ୍ତି କୌଣସି ଗୋଖାଦକ ତେତେ ଗୋହତ୍ୟା ଚେଷ୍ଟା କଲେ ମଧ୍ୟ କରିପାରିବ ନାହିଁ । ଆଉ ଅନ୍ୟାନ୍ୟ ତେତେ ଗୋଖାଦ୍ୟ ପିଡ଼ିଆ ଆଦି କଥା ନ କହିବା ଭଲ । ପ୍ରତ୍ୟେକ ଚଷା ଯେତେ ଚାଷ ଗୋରୁ ରଖନ୍ତି ତାର ଅଧା ମୂଲିଆ ରଖନ୍ତି । ଜଣେ ମୂଲିଆକୁ ବାର୍ଷିକ ଯାହା ପାରିଶ୍ରମିକ ଦିଅନ୍ତି ଚାରିପଟ ଚାଷର ଗୋରୁ ସକାଶେ ଯଦି ସେତିକି ଖର୍ଚ୍ଚ କରନ୍ତେ ତେବେ ବୋଧହୁଏ ସେମାନେ ଯେ ଖାଲି ଚାଷର ଗୋରୁର ଉନ୍ନତି କରି ପାରନ୍ତେ ତାହା ନୁହେଁ ଚାଷରୁ ମଧ୍ୟ ବେଶୀ ଆଦାୟ କରି ପାରନ୍ତେ । ଜଣେ ମୂଲିଆ ଏ ଜିଲ୍ଲାରେ ବର୍ଷରେ କାହିଁକି ୯ ମାସରେ ପାଏ ଅନ୍ତତଃ ପକ୍ଷେ ୧୦ ପୁଡ଼ୁଗ ଧାନ ଅର୍ଥାତ୍ ୩୨ ମହଣ ଧାନ । ଯଦି ଚାରିପଟ ଗୋରୁକୁ ଚାରିତାମ୍ବୀ ଧାନ ଢିଙ୍କିରେ କୁଟି ଚାଉଳ ଚକ୍ଷୁ ଓ କୁଣ୍ଡା ସବୁ ସିଦ୍ଧକରି ସେଥିରେ ସାମାନ୍ୟ ଲୁଣ ଦେଇ ପ୍ରତି ସନ୍ଧ୍ୟାରେ ତାକୁ ଦିଆଯାଏ ତେବେ କୁହାଯାଇ ପାରେ ଚାଷର ଗୋରୁ ବର୍ତ୍ତମାନ ଯାହା ଖାଇବାକୁ ପାଉଛି ତାକୁ ବଜାୟ ରଖି ଗୋରୁର ଉନ୍ନତି ଦିଗରେ ସଙ୍ଗେ ସଙ୍ଗେ ଚାଷରୁ ବେଶୀ ଆଦାୟ କରିବା ଦିଗରେ ଆମେ ଅଗ୍ରସର ହୋଇ ପାରିବା । ବଡ଼ ଚଷାଙ୍କ ସକାଶେ ଏ ଖାଦ୍ୟ ସବୁ ଗାଈ ପାଇଁ ନ ହେଲେ ମଧ୍ୟ ଅନ୍ତତଃ ଦୁହାଁଳିଆ ଗାଈକୁ ଦେବା ଅକିଞ୍ଚିତକର । ଏହା ଲଗାୟତ ଯଦି ଚାରିବର୍ଷ କରିପାରିବା ତେବେ ଆସ୍ପର୍ଦ୍ଧା ସହିତ କୁହାଯାଇପାରେ, ଚାରି ବର୍ଷରେ ଦେଶର ଆର୍ଥିକ ସ୍ୱାଧୀନତା ହାସଲ କରି ପାରିବା । ଗୋପାଳନର ଦିଗରେ ଉନ୍ନତି କରି ଆମର ନଷ୍ଟ ସମୃଦ୍ଧିର ପୁନରୁଦ୍ଧାର ସକାଶେ ନିମ୍ନ କେତୋଟି କଥା ପ୍ରଣିଧାନ ଯୋଗ୍ୟ ।

 

୧ । ଗୋରୁର ପ୍ରଧାନ ଖାଦ୍ୟ ଘାସ ଦିଗରେ ଆମକୁ ଧାନଠାରୁ ମଧ୍ୟ ଅଧିକ ତତ୍‌ପର ହେବାକୁ ପଡ଼ିବ ।

 

୨ । ପୁଆଳ ଗୋଖାଦ୍ୟ ନୁହେଁ । ‘ନଡ଼ା’ (ସମ୍ବଲପୁରୀ ଭାଷାରେ) ଗୋଖାଦ୍ୟ । ‘ନଡ଼ା’ କାଟି ଗୋରୁକୁ ଖାଇବାକୁ ଦେବାକୁ ହେବ ସେଥିପାଇଁ । ଧାନ କାଟି ବେଙ୍ଗଳା ବେଶି ନ ପକାଇ ଧାନଗଛ ମୂଳରୁ କାଟି ପିଟି ଧାନ ସବୁ ବାହାର କରି ଗୋଖାଦ୍ୟ ସକାଶେ ଯଥେଷ୍ଟ ନଡ଼ା ସଂଗ୍ରହ କରି ରଖିବାକୁ ହେବ ।

 

୩ । ଚାଷଜମିର କିୟଦଂଶରେ ଘାସକରି ଘାସକାଟି ପୁଆଳ ପରିବର୍ତ୍ତରେ ପୁଆଳ ପଚି ସାଇତି ରଖିବାକୁ ହେବ ।

 

୪ । ଧାନ ବିକ୍ରି ନ କରିବାକୁ ପ୍ରତିଜ୍ଞା କରିବାକୁ ହେବ । ଯଦି ବିକ୍ରି କରିବାର ଦରକାର ପଡ଼େ ତେବେ ତାହା କୁଟାଇ କୁଣ୍ଡା ରଖି ଚାଉଳ ଆକାରରେ କେବଳ ବିକ୍ରି କରିବାକୁ ହେବ ।

 

୫ । ଯାହାର ଯେତେ ଗୋରୁ ପଟକୁ ଏକ ତାମ୍ବୀ ହିସାବରେ ଧାନ ଗୋରୁ ପାଇଁ ସାଇତି ରଖି ପ୍ରତିଦିନ ସନ୍ଧ୍ୟାରେ ତାହା ଗୋରୁକୁ ଖାଇବାକୁ ଦେବାକୁ ହେବ । ଯଦି ସେ ଶକ୍ତି ନାହିଁ ସେ ଗୋରୁ ରଖି ପାରିବ ନାହିଁ ।

 

୬ । ଜଣେ ଚରୁହା ଜିମାରେ ୨୦ ପଟରୁ ଅଧିକ ଗୋରୁ ରଖାଯିବ ନାହିଁ ।

 

୭ । ଗୁହାଳ ଏପରି କରିବାକୁ ହେବ, ମୁକ୍ତ ଆଲୋକ ଓ ବାୟୁର ଅବାଧ ପ୍ରବେଶର ବ୍ୟବସ୍ଥା ଥିବ । ମଳ ମୂତ୍ର ଯେପରି ଜମା ନ ହୋଇ ଗୋଟିଏ କୁଣ୍ଡରେ ପଡ଼େ । ଆଉ ପ୍ରତିଦିନ ଗୋମୟ ସକାଳୁ ଅନ୍ତର କରି ଯଥେଷ୍ଟ ଖାର (ପାଉଁଶ) ଗୋମୟଜନିତ ଆର୍ଦ୍ର ସ୍ଥାନରେ ପକାଇ ଆର୍ଦ୍ର ସ୍ଥାନକୁ ଶୁଷ୍କ କରିବାକୁ ହେବ ।

 

୮ । ଗୋରୁ ସବୁ ଗୁହାଳରେ ଅଲଗା ଅଲଗା ବନ୍ଧାହେବେ । ଏକର ରୋଗ ଯେପରି ଅନ୍ୟକୁ ସଂକ୍ରମିତ ନ ହୁଏ ତାହା ଦେଖିବାକୁ ହେବ । ବଳଦ ଗାଈ ପୋଢ଼ ମଇଁଶି ଏକତ୍ର ଢୁକିବେ ନାହିଁ ।

 

୯ । ଉପଯୁକ୍ତ ଷଣ୍ଢ ରଖି ଉପଯୁକ୍ତ ସମୟେ ଗାଈର ସଙ୍ଗମ କରାଇ ଭଲ ବାଛୁରୀ ବାହାର କରିବାକୁ ହେବ ।

 

ଉପରେ ଯେ ସବୁ ବିଷୟ କୁହାଗଲା ତାହା ଗୋରୁ ଉନ୍ନତି ଦିଗରେ ଯେ ଯଥେଷ୍ଟ ତାହା ନୁହେଁ । ଗୋପାଳନ ଶିକ୍ଷାଭିଜ୍ଞମାନେ ଏ ଦିଗରେ ଦେଶକୁ ଆଉ ଅନେକ ଦେଇ ପାରିବେ । କିନ୍ତୁ ଉପରୋକ୍ତ ବିଷୟ ସବୁ ଅତି ସହଜସାଧ୍ୟ ଓ ସମସ୍ତ ଗୃହୀକ ଓ ଗୃହିଣୀର ତତ୍ତ୍ୱାବଧାନ ମଧ୍ୟରେ । ପୁତ୍ର କନ୍ୟାଙ୍କ ଯତ୍ନ ଅପେକ୍ଷା ଗୋପାଳନ କୌଣସି ଅଂଶରେ ନ୍ୟୂନ ନୁହେ । ତଦୂପରି ହିନ୍ଦୁପକ୍ଷେ ତାହା ଧର୍ମ ଓ ପବିତ୍ର କର୍ତ୍ତବ୍ୟ ।

Image

 

ସପ୍ତମ ପରିଚ୍ଛେଦ

ମାତୃଭାଷା ଓ ରାଷ୍ଟ୍ରଭାଷା

 

ମାତୃଭାଷା ଦେଶର ଉନ୍ନତି ଓ ଅବନତିର ପରିମାପକ । ଯଦି ଦେଶକୁ ଉଠାଇବାକୁ ଚାହୁଁ ତେବେ ପ୍ରଥମେ ମାତୃଭାଷାକୁ ଉଠାଇବାକୁ ହେବ । ଓଡ଼ିଆ ଭାଷା କେଉଁ ଦିନୁ ? ତାହା ସଠିକ୍ ନିରୂପଣ କରିବା ପୂର୍ବେ ଏ ଭାଷାର ମୂଳ କେଉଁଠି ଓ ଭାଷାଟି ମୌଳିକ ନା ଅପଭ୍ରଂଶ ଆଲୋଚନା କରୁଁ । ଏ ଭାଷା ସଂସ୍କୃତରେ ଅପଭ୍ରଂଶ, ଏହା ସ୍ୱୀକାର କରିବାକୁ ହେବ । ଓଡ଼ିଆ, ବଙ୍ଗଳା, ହିନ୍ଦି ଓ ହିନ୍ଦୁସ୍ଥାନୀ ଏ ସବୁ ଭାଷାର ଜନନୀ ସଂସ୍କୃତ, ପକ୍ଷପାତ ବା ପକ୍ଷାଘାତଗ୍ରସ୍ତ ନ ହେଲେ ଏହା ସ୍ୱୀକାର କରିବାକୁ ହେବ । ବସ୍ତୁତଃ ହିନ୍ଦି, ବଙ୍ଗଳା ଓ ଓଡ଼ିଆ ଭାଷା ସବୁଥିରେ କ୍ରିୟାର ପ୍ରକାର ଓ ଆଉ କେତେ ସାମାନ୍ୟ ପ୍ରଭେଦ ଛାଡ଼ଦେଲେ ତିନି ଭାଷାର ସୌସାଦୃଶ୍ୟ; ଏତେ ଅଧିକ ଯେ ସେଗୁଡ଼ିକର ମୂଳ, ସଂସ୍କୃତ ଥିବାର ହୃଦବୋଧ ହୁଏ । ଏ ତିନି ଭାଷା ଓ ଭାରତର ଆଉ କେତୋଟି ଭାଷା ଛାଡ଼ିଦେଲେ ବାକି ସବୁ ଅନାର୍ଯ୍ୟ ଓ ଦ୍ରାବିଡ଼ ଭାଷା । ସଂସ୍କୃତ ଭାଷା ଆର୍ଯ୍ୟ ଓ ଦ୍ରାବିଡ଼ ଭାଷା ଉପରେ ମଧ୍ୟ ପ୍ରଭାବ ବିସ୍ତାର କରିଥିବାର ଦେଖୁଁ ମାତ୍ର ସଂସ୍କୃତ ସେ ଭାଷା ଗୁଡ଼ିକର ମୂଳ ନୁହେଁ । ସେ ଯାହା ହେଉ, ସଂସ୍କୃତ ଯେ ମୌଳିକ ଭାଷା ସେଥିରେ ସନ୍ଦେହର ଅବକାଶ ନାହିଁ । ଆଉ ସନ୍ଦେହର ଅବକାଶ ନାହିଁ ଯେ ହିନ୍ଦି, ବଙ୍ଗଳା ଓ ଓଡ଼ିଆ ସଂସ୍କୃତର ଅପଭ୍ରଂଶ । ଏପରି ଅବସ୍ଥାରେ ‘ସଂସ୍କୃତ’ ଦିନେ ଯେ କଥିତ ଭାଷା ନଥିଲା ବୋଲି କହିବା ପାଗଳାମି । ଉଚ୍ଚଶିକ୍ଷିତମାନେ ବଡ଼ ସହଜେ ଏହାକୁ ମୃତଭାଷା ବା (Dead language) ବୋଲି କହନ୍ତି । ‘ଭାଷା’ ଭାଷଣ କରିବା ବା କହିବାର ସୂଚନା ଦିଏ । ତେବେ ଏହା ଯଦି ଦିନେ କଥିତ ଭାଷା ନଥିଲା, ଏହା ଯଦି କେବେ ଜନ୍ମ ହୋଇ ନାହିଁ ତେବେ ଏହା ମଲା କିପରି ? ଅଥଚ ସେହି କାରଣରୁ ଆଜି ସଂସ୍କୃତ ‘ରାଷ୍ଟ୍ରଭାଷା’ ହେଲା ନାହିଁ । ସଂସ୍କୃତର ଆଲୋଚନା ଦେଶ ବିଦେଶରେ, ଦୂରବର୍ତ୍ତୀ ଆମେରିକା, ଇଂଲଣ୍ଡ, ରୁଷିଆ, ଜର୍ମାନୀ ଓ ଯାପାନରେ, ପ୍ରଚଳିତ ଉନ୍ନତ ବିଜ୍ଞାନ ସଂସ୍କୃତରେ, କାବ୍ୟ ପୁରାଣ, ଶରୀରବିଜ୍ଞାନ, ରୋଗବିଜ୍ଞାନ, ଦର୍ଶନ, ଉପନିଷତ ସର୍ବୋପରି ପୃଥିବୀ ଅଦୃତ ‘‘ଭଗବତ୍‌ଗୀତା’’ ସଂସ୍କୃତରେ ଏପରି ଅନେକ ବହୁମୂଲ୍ୟ ରତ୍ନ ରହିଛି ଯାହାର ମୂଲ୍ୟ ଆମେ ବୁଝିବାକୁ ଅକ୍ଷମ ଅଥଚ ସେ ଦିଗରେ ଆମର କୌଣସି ଚେଷ୍ଟା ନାହିଁ, ସେହି ସଂସ୍କୃତ ଆମର ରାଷ୍ଟ୍ରଭାଷା ନୁହେଁ । ଆଜି ଭାରତ ମା କୁ ଛାଡ଼ି ମା’ର ସ୍ଥାନରେ ରଖିଛି ଏକ ଭଉଣୀକୁ । ଜଣେ ଭଉଣୀ ଯେତେ ସୌଭାଗ୍ୟବତୀ ଓ ଗୁଣବତୀ ହେଉ, ଅନ୍ୟ ଭଉଣୀମାନେ ତାକୁ ମା’ର ଆଦର ଦେଇପାରିବେ ନାହିଁ । ରାଷ୍ଟ୍ରର ବ୍ୟବସ୍ଥା ମାନିନେବାକୁ ବାଧ୍ୟ ହେଲେହେଁ ମନୁଷ୍ୟର ସ୍ୱାଭାବିକ ଈର୍ଷା କୀଟ ସେମାନଙ୍କୁ ଦଂଶନ କରିବ ନାହିଁ ? ମା’ର ଏ ଅବମାନନା ସ୍ୱାଧୀନତା ପରେ ମଧ୍ୟ ଏତେ ସହଜେ ସହିଯିବେ ? ସ୍ୱାଧୀତ ଭାରତ ସ୍ୱାଧୀନତାର ଏହି ଅଳ୍ପକାଳ ମଧ୍ୟରେ ଯେତେ ଗୁଡ଼ିଏ ଭୁଲ କରିଛି, ‘ସଂସ୍କୃତ’କୁ ରାଷ୍ଟ୍ରଭାଷା ନ କରିବା ବୋଧହୁଏ ସେ ସବୁଠାରୁ ଗରିଷ୍ଟ ଓ ଗର୍ହିତ ତଥା ଅକ୍ଷମଣୀୟ । ଆଉ ବୋଧହୁଏ ଉଦୀୟମାନ ଭାରତ ବେଶୀଦିନ ଏ ଭୁଲ୍‌ ବରଦାସ୍ତ କରିବ ନାହିଁ । ହିନ୍ଦୁ ଓ ବଙ୍ଗଳା ଭାଷାଭାଷୀମାନଙ୍କୁ ଏ ଭୁଲ ଦିଗରେ ଓଡ଼ିଶା ଅନେକ ଟପି ଗଲାଣି । ଓଡ଼ିଆ ଭାଷାର ପିତୃସ୍ଥାନୀୟ ବ୍ୟକ୍ତିଗଣ ତାଙ୍କର ଲିଖିତ ଭାଷା Sanskritised ବା ସଂସ୍କୃତଗତ ବୋଲି ଆଜି ପରିତ୍ୟକ୍ତ ହେଲେଣି । ଆଜି ମଧୁସୂଦନ ରାଧାନାଥ, ଫକୀରମୋହନ ଆଦିଙ୍କ ଲିଖିତ ପୁସ୍ତକାବଳୀ ଓଡ଼ିଆ ଭାଷା ଶିକ୍ଷା ଦେବା ପାଇଁ ଉପଯୁକ୍ତ ବିବେଚିତ ହେଉ ନାହିଁ । ଏ ଦୋଷର କ୍ଷମା ଅଛି ? ଓଡ଼ିଶାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ନ କରି ଓଡ଼ିଶାକୁ ଚିରନ୍ତନ ପାଟଣା, କଲିକତା ବା ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟ ତଳେ ରଖିଥିଲେ ବୋଧହୁଏ ଭଲ ହୋଇ ଥାଆାନ୍ତା ଆଉ ତାହା ହୋଇଥିଲେ କ୍ରମେ ଓଡ଼ିଶା ଓ ଓଡ଼ିଆ ଭାଷା ଯଥାକ୍ରମେ ଅନ୍ୟ ପ୍ରଦେଶରେ ଓ ଅନ୍ୟ ପ୍ରାଦେଶିକ ଭାଷାରେ ଲୀନ ହୋଇଥାନ୍ତା ଆଉ ସଂସ୍କୃତରେ ବୋଲି ଆମର ଭାଷା ପିତାମାନଙ୍କର ଲେଖା ପରିତ୍ୟକ୍ତ ହୋଇ ନ ଥାନ୍ତା । ଭଲ କଥା ସଂସ୍କୃତକୁ ଓଡ଼ିଆରୁ ବାଦ୍‌ ଦିଅ । ତମର ଓଡ଼ିଶା ଭାଷା ଆଉ ବଞ୍ଚିବ ? କିଂଭୂତକିମାକାର ଧାରଣ କରିବ ନାହିଁ ? ଆଉ ଉତ୍କଳ ବିଶ୍ୱବିଦ୍ୟାଳୟ ଏ ଚେଷ୍ଟା ନିକଟ ଭବିଷ୍ୟତରେ ପଣ୍ଡ ହେବ କାରଣ ‘ମାତୃଭାଷା’ ଆମର ଏହା ସହିବ ନାହିଁ । ଯେଉଁ ଭାଷାଭାଷୀ ସ୍ତ୍ରୀମାନେ ଦୁଃଖାଭିଭୂତା ହୋଇ କାନ୍ଦିବା ବେଳେ ମଧ୍ୟ ଗୀତ ରଚନା କରି ଯାଆନ୍ତି, ଯାହା ଶୁଣିବା ଲୋକଙ୍କୁ ମଧ୍ୟ ମୁଗ୍‌ଧ, ଚମକିତ ଓ ଅଭିଭୂତ କରିପାରେ ସେହି ଭାଷା କଅଣ ଏତେ ନିର୍ଜୀବ ହୋଇପାରେ ? ହିନ୍ଦି ଆମ କାନରେ କର୍କଶ ଓ ବଙ୍ଗଳା ଜଟିଳ, କୁଟିଳ କିନ୍ତୁ ଯେ ଓଡ଼ିଆ ଭାଷାରେ ଏ ସବୁର ଚିହ୍ନ ମାତ୍ର ନାହିଁ, ଯେ ଓଡ଼ିଆ ଭାଷା ସହଜେ ତେଜସ୍କର ଓ ହୃଦୟଭେଦୀ, ସେ ଭାଷାର ତେଜ ଏ ମୋହଭେଦ କରି ତେଜି ଉଠିବ, ବିଶ୍ୱାସ ତ୍ୟାଗ କରି ହେଉ ନାହିଁ । ଭଗବାନ୍‌ ଏହା ଶୁଭସ୍ୟଂ ଶୀଘ୍ରଂ ହେଉ । ଆଉ ଏ ଶୁଭ ସଂସ୍ଥାପନ ପାଇଁ ସଂସ୍କୃତକୁ ତାର ପୂର୍ବସ୍ଥାନ ଦେଉଁ । ସଂସ୍କୃତ ଆମର ରାଷ୍ଟ୍ରଭାଷା । ଅନ୍ୟ ଭାଷାକୁ ଆମେ ବାହାରେ ନ ହେଲେ ହୃଦୟ ଭିତରେ ସେ ସ୍ଥାନ ବେଶୀଦିନ ଦେଇ ପାରିବୁ ନାହିଁ ।

 

ଓଡ଼ିଆ ଭାଷାର ଏ ଦୁର୍ଗତି କାହିଁକି ? ପ୍ରଥମ ଓ ପ୍ରଧାନ କାରଣ ଏ ଭାଷାର ଜନନୀ ସଂସ୍କୃତର ହତାଦର ଯାହା ସ୍ୱାଧୀନତା ପରେ ଆଜି ମଧ୍ୟ ଚାଲିଛି । ଏହା ଚାଲିଥିବା ଯାଏ ଦୁର୍ଗତିର ଶେଷ ନାହିଁ । ଆହୁରି ଅନେକ କାରଣ ରହିଛି । ତନ୍ମଧ୍ୟରେ ଭାରତର ପୁରାତନ ଓ ଆଜିର ରାଷ୍ଟ୍ରନୀତି ଏକତମ । ବ୍ରିଟିଶ ଅଧୀନରେ ଆମର ଦାସତ୍ୱ ବେଳେ ଓଡ଼ିଶାକୁ ଯେତେବେଳେ ଯେଉଁ ପ୍ରଦେଶ ଅଧୀନରେ ରଖାଗଲା ସେତେବେଳେ ସେ ପ୍ରଦେଶର ବଡ଼ ଭାଇମାନେହିଁ ଆମର ଲୋପ ପାଇଁ ଯତ୍‌ପରୋନାସ୍ତି ଅପଚେଷ୍ଟା କରି ଆମର ଅପୂରଣୀୟ ଅନିଷ୍ଟ ସାଧନ କରିଛନ୍ତି । ସମୟ ଏପରି ଥିଲା ଯେ ବଙ୍ଗଳା ଆମର ସ୍କୁଲମାନଙ୍କରେ ଓଡ଼ିଶା ଭାଷାର ସ୍ଥାନ ଅଧିକାର କରିଥିଲା । ଯୋଗଜନ୍ମା ଫକୀରମୋହନଙ୍କର ଅଭ୍ୟୁଦୟ ହୋଇ ନଥିଲେ ଓ ବଙ୍ଗାଳୀ ହୋଇ ମଧ୍ୟ ରାଧାନାଥ ତାଙ୍କ ସଙ୍ଗେ ସହଯୋଗ ଦ୍ୱାରା ଏକଧର୍ମୀ ହୋଇ ନଥିଲେ ଆଜି ଆଉ ଓଡ଼ିଆ ଭାଷା ନଥାନ୍ତା । କାନ୍ଥି ଅନ୍ତର୍ଭୁକ୍ତ କରି ମେଦିନୀପୁରକୁ ଦେଇ ମାତାର ଅଙ୍ଗ ଚ୍ଛେଦକରି ଓଡ଼ିଶାକୁ ବିହାର ସଙ୍ଗେ ଯୋଡ଼ିଦେବାରୁ ଓଡ଼ିଆ ଭାଷା ରକ୍ଷା ପାଇଗଲା । କିନ୍ତୁ ‘ପଳାଇ ପଶିଲି ମାଉସୀ ଘରେ ମାଉସୀ ମାଇଲା ଦି ପାହାରେ’ ମାଉସୀ ଯେ ଦୁଇ ପାହାର ପକାଇଲା ତାହାର ଚିହ୍ନ ମେଣ୍ଟିବାର ନୁହେଁ । ଅବଶ୍ୟ ବ୍ୟଥା ଭୁଲି ପାରିଥାନ୍ତେ କିନ୍ତୁ ସିଂହଭୂମି, ଖରସୁଆଁ ଓ ସଢ଼େଇକଳା ସେ କ୍ଷତିକୁ ସବୁଦିନ ପୁନର୍ଜୀବିତ ରଖିବ । ଓଡ଼ିଶା ବଙ୍ଗଳା ସଙ୍ଗେ ମିଶିବା ପୂର୍ବେ ସମ୍ବଲପୁରକୁ ଧରି ବିସ୍ତୀର୍ଣ୍ଣ ଓଡିଆ ଭୂଖଣ୍ଡମାନ ମଧ୍ୟପ୍ରଦେଶରେ ରହି ଯାଇଥିଲା । ସମ୍ବଲପୁର ଅନ୍ତର୍ଗତ ବିସ୍ତୀର୍ଣ୍ଣ ଭୂଖଣ୍ଡମାନ ତଥା ସମ୍ବଲପୁର ବାହାର ଭୂଖଣ୍ଡମାନ ଦେଇ ବହୁ ଆନ୍ଦୋଳନ ପରେ କେବଳ ସମ୍ବଲପୁର ଓଡ଼ିଶାରେ ମିଶି ପାରିଲା । ସମ୍ବଲପୁର ବାକୀ ସବୁ ଓଡ଼ିଆ ଅଂଶମାନ ଆଜି ମଧ୍ୟ ମଧ୍ୟପ୍ରଦେଶରେ ଓ ସେଠା ଓଡ଼ିଆମାନଙ୍କର ଜିଭ କଟା ହୋଇ ସାରିଛି । ୧୯୩୬ରେ ଓଡ଼ିଶା ପ୍ରଦେଶ ଗଠନ କରାଯିବା ବେଳେ ମା’ର ଅଙ୍ଗ ପ୍ରତ୍ୟଙ୍ଗ କଟାଯାଇ କେବଳ ଗଣ୍ଡିଟାକୁ ନେଇ ଏ ପ୍ରଦେଶ ଗଠନ କରାଯାଇଛି, ସେଥିପାଇଁ ଦୋଷୀ ବ୍ରିଟିସ୍‌ ନୁହନ୍ତି, ଦୋଷୀ ଆମେ । ସେଥିରେ ସମ୍ମତ ସ୍ୱୀକାର କରିଥିବା ହେତୁ ଓ ଦୋଷୀ ଆମର କେତେ ଘରଭାଇ ବିଭୀଷଣ ମାନେ ଯେଉଁମାନେ ଓଡ଼ିଆ ହୋଇ ମଧ୍ୟ ଦୁଃଖ ଦୁର୍ଦ୍ଦଶାରେ ପଡ଼ି ଓଡ଼ିଆ ବୋଲାଇବାକୁ ଲଜ୍ଜିତ । ଜଗନ୍ନାଥ ଭୂମିର ସନ୍ତାନ ହୋଇ ସିଂହର ରଡ଼ି ଛାଡ଼ି ମେ ଯାଉଁ ମେ ଖାଉଁ କରି ମେଣ୍ଢା ପରି ମେ ମେ କରୁଛନ୍ତି । ଆଜି ଯଦି ବିଶାଖାପତ୍ତନକୁ ଯାଇ ଓଡ଼ିଶାକୁ ଫେରିଯିବାକୁ କହୁଁ, ଆମର ବିଭୀଷଣମାନେ କହିବେ ‘‘ସେ ନାହିଁ ବାବୁ । ଆମର ଆହୁରି ଓଡ଼ିଶାକୁ ନଯିବାର ।’’ ସେଥିରେ ଆଉ କାରଣମାନ ରହିଛି । ପଡ଼ୋଶୀ ଭିନ୍ନ ଭାଷାଭାଷୀମାନେ ଆମଠାରୁ ଉନ୍ନତ, କ୍ଷମତାଶାଳୀ ତଦୁପରି ସେମାନଙ୍କର ତୁଙ୍ଗନେତୃବୃନ୍ଦ ରହିଛନ୍ତି ଯେଉଁମାନେ ସ୍ୱ ରାଜ୍ୟମାନଙ୍କୁ ସ୍ୱରାଜ୍ୟ ଦେଲେଣି । ଯେଉଁ ସ୍ୱରାଜ୍ୟରୁ ଆମର ଓଡ଼ିଆ ଭାଇମାନେ ସ୍ୱରାଜ୍ୟଶୂନ୍ୟ ସେପରି ଓଡ଼ିଶାକୁ ଆସିବାକୁ ଅନ୍ୟମାନ ଚାହାନ୍ତି ନାହିଁ । ଚାହିଁଲେ ମଧ୍ୟ ସେମାନଙ୍କୁ ଧରି ରଖିବାକୁ ସେମାନଙ୍କର ରାଜେନ୍ଦ୍ର ପ୍ରସାଦ, ପଟ୍ଟାଭି ସୀତାରାମାୟା, ରବିଶଙ୍କରମାନେ ରହିଛନ୍ତି । ଅମର ମଧୁବାବୁ ଓ ଗୋପବନ୍ଧୁ ବାବୁ ଯାଇଛନ୍ତି । ଆଉ ଯଦିଓ ନେତାଜୀ ଓ ବୀରେନ୍ଦ୍ର ସାମଲ ଆଦି ନାହାନ୍ତି, ବିଧାନ ରାୟ ଓ ଶ୍ୟାମାପ୍ରସାଦ (ବର୍ତ୍ତମାନ ମଲେଣି) ରହିଛନ୍ତି । ଆଜି ମଧ୍ୟ ‘ଓଡ଼େ କୁଲି’ । ଆଜି ମଧ୍ୟ ମଧ୍ୟପ୍ରଦେଶରେ ଓ ବିହାରରେ ହିନ୍ଦୀ ଶିକ୍ଷକ ଓଡ଼ିଆଛାତ୍ରକୁ ହିନ୍ଦି’ ଶିଖିବାର ତ୍ରୁଟି ନିମନ୍ତେ ନିଷ୍ଠୁର ତାଡ଼ନା ଦେଲେ ଛାତ୍ର ମରିଗଲି ବାପରେ, ଉଚ୍ଚାରଣ କରିବାବେଳେ ଶିକ୍ଷକ ବିଦ୍ରୁପ କରି କହନ୍ତି ‘ଶାଳେ ଉଡ଼ିଁଓ କୋ ଯତନେ ଖିଶାଓ ବୋଲେଗା ‘‘ମନ ଗନି ବୁଅରେ’’ । ବିଜାତିପ୍ରେମୀ କେତେକ ଓଡ଼ିଆ ତୁଙ୍ଗ ନେତାଙ୍କ ପକ୍ଷେ ଏହା ଅତି ଅକିଞ୍ଚିତ୍‌କର ହେଲେ ହେଁ ଆମ ଓଡ଼ିଆ ଜାତି ପ୍ରତି ଓ ଭାଷା ପକ୍ଷେ ଏହା ଜୀବନମରଣ ସମସ୍ୟା ହୋଇଛି ।

 

ଭାଷାର ଦୁର୍ଗତିର ଆଉ ଏକ କାରଣ ଭାଷା ସାଧନାରେ ନାମ ଅର୍ଜନର ଆକାଙ୍‌କ୍ଷା । ନାମ ଅର୍ଜନ ମନୁଷ୍ୟର ଏକ ପ୍ରାକୃତିକ ଦୁବୃର୍ତ୍ତ । ଭାଷାର ଦୁର୍ଗତି ବେଳେ ଓ ଭାଷାକୁ ବଞ୍ଚାଇ ରଖିବା କଷ୍ଟକର ହେଉଥିବା ବେଳେ ସେହି ଭାଷାର ଅନୁଶୀଳନରେ ନାମ ଅର୍ଜନର ସ୍ଫୃହା ଏକାନ୍ତ ହାସ୍ୟାସ୍ପଦ ଅଟେ । ଆମର ପୁରାତନ କବି ଓ ଭାଷାବିଶାରଦମାନେ ଏପରି ଲେଖା ଲେଖି ନଥିଲେ ଯାହାର ଶେଷରେ ନିଜ ନାମୋଲ୍ଲେଖ କରି ନଥିଲେ । ସେ କାଳରେ ଆଦିରସାଶ୍ରିତ ଲେଖାମାନ କେବଳ ଆଦର ପାଉଥିବାରୁ ଆମର ଅଧିକାଂଶ ଲେଖକ ସେ ଦିଗକୁ ଆକୃଷ୍ଟ ହୋଇ ନାମ ପାଇଁ ଆଦିରସାଶ୍ରିତ ଲେଖାସବୁ ଲେଖି ଜାତିର କୃଷ୍ଟି ଓ ରୁଚି ନଷ୍ଟ କରି ନାମ କରିଛନ୍ତି ସତ । ମାତ୍ର ସେ ନାମର ମୂଲ୍ୟ ଏକବଡ଼ (ଶୂନ୍ୟ) । ସେମାନଙ୍କର ନାମଲିପ୍‌ସା ଜାତି ଓ ଜାତିର ଭାଷାକୁ କୁତ୍ସିତ କରି ସେମାନଙ୍କର କବି ପ୍ରତିଭାକୁ କୁମାର୍ଗଗାମୀ ଓ ନଷ୍ଟ କରିଛି । ଉପେନ୍ଦ୍ରଭଞ୍ଜ ଯଦି ଆଦିରସର ଏତେ ପକ୍ଷପାତୀ ହୋଇ ନଥାନ୍ତେ ତାଙ୍କର କବିତ୍ୱ ଆଜି ପୃଥିବୀକୁ ଚମକିତ ଓ ସ୍ତବ୍‌ଧ କରୁଥାନ୍ତା, ଏହା ଭାବିଲେ ଛାତି ଫାଟିଯାଏ । ଭଞ୍ଜ ସାହିତ୍ୟ’ ସାହିତ୍ୟ ଶବ୍ଦର ଅପଳାପ ମାତ୍ର କାରଣ ‘ସାହିତ୍ୟ’ ସମାଜର ହିତସାଧନକାରୀ ମାତ୍ର । ଯଦ୍ୱାରା ସମାଜର ହିତ ନାହିଁ ତାହା ସାହିତ୍ୟ ନୁହେଁ । ଆଦିରସ ଏପରି ଗୋଟିଏ ମାଦକ ଯହିଁର ସ୍ଫୁରଣ କେବଳ ବୟସର ଅପେକ୍ଷା କରେ । ଏଥିପାଇଁ କୌଣସି ସାଧନାର ଅପେକ୍ଷା ବା ଆବଶ୍ୟକତା ନାହିଁ । ଏହାର ସ୍ୱଭାବସୁଲଭ ସ୍ଫୁରଣ ଏତେ ଅଧିକ ଯେ ତହିଁର ପ୍ରତିରୋଧ ହିଁ ସମାଜର ହିତ ଓ ରକ୍ଷାର ଉପାୟ । ମାତ୍ର ମନୁଷ୍ୟର ରୁଚି ଏତେ କଦର୍ଯ୍ୟ ଓ ଅଧୋମୁଖଗାମୀ ଯେ ମୋହମୁଗ୍‌ଧ ମନ ଏକଦେଶଦର୍ଶୀ ହୋଇ ମନୁଷ୍ୟକୁ ପ୍ରାୟ ଅନ୍ଧ କରେ, ଆଜି କଦର୍ଯ୍ୟଚରିତ୍ର ଚିତ୍ରତାରା ଓ ଚିତ୍ର ତାରକର ପ୍ରଣୟ ଅଭିଯାନର ଚିତ୍ର ଦର୍ଶନ ଆକାଙ୍‌କ୍ଷା ସୁଅରେ ଈଶ୍ୱରେ ଭକ୍ତି ଓ ମନୁଷ୍ୟେ ପ୍ରୀତି ଭାସି ଗଲାଣି । ଆଜି ବେଦର ଓଁକାରର ମୂଲ୍ୟ ନାହିଁ । ଗଣିକା କଣ୍ଠ ନିଃଶ୍ରୂତ, କୁତ୍ସିତ ମାତ୍ର ଶ୍ରବଣମଧୁର ପ୍ରଲୋଭନପୂର୍ଣ୍ଣ ଗୀତିକା ଶ୍ରବଣ ଓ ପ୍ରଣୟାଭିନୟ ଦର୍ଶନରେ ସମାଜ ହୃତସର୍ବସ୍ୱ । ମନେରଖିବାକୁ ହେବ ଭାଷାର ଉନ୍ନତି ସେ ସେ ଦିଗରେ ନାହିଁ । ଭାଷାରେ ସଂଯମର ଯେ ଅବଶ୍ୟକତା ଆଉ ଅନ୍ୟତ୍ର ସେତେ ନୁହେଁ । ଭାଷା ମନୁଷ୍ୟକୁ ସ୍ୱର୍ଗକୁ ଟେକି ଦେଇପାରେ ବା ନରକକୁ ଠେଲି ଦେଇପାରେ, ତେଣୁ ଭାଷା ପାଇଁ ଅତି ସାବଧାନ ହେବାକୁ ହେବ । ଭାଷାରୁ କେବଳ ସାହିତ୍ୟକୁ ଗ୍ରହଣ କରିବାକୁ ହେବ । ଯାହା ଲୋକ ସମାଜର ମଙ୍ଗଳବିଧାୟକ ତାହାହିଁ ସାହିତ୍ୟ । ତାକୁ କେବଳ ଗ୍ରହଣ କରି ଯାହା ଅସତ୍‌ ଦିଗରେ ମନଃ ଚାଞ୍ଚଲ୍ୟକର, ଓଜସ୍ୱିନୀ ହେଉ ପଛେ ତାହା ପରିତ୍ୟଜ୍ୟ । ଆଉ ଯାହା ବାଣ ପରି ତୀକ୍ଷ୍‌ଣ, ସହଜେ ହୃଦୟ ଭେଦକରି ହୃଦୟର ଦୁର୍ବଳତା ଅପନୋଦନ କରେ ତାହା ମର୍ମନ୍ତୁଦ ହେଉ ପଛେ ଗ୍ରହଣୀୟ ।

 

ଭାଷାର ଅଧୋଗତିର ଆଉ ଏକ କାରଣ ଅଛି । ସଚରାଚର ଓଡ଼ିଆ ଭାଷାରେ ଗୀତ ଆକାରରେ ଏତେ ପୁସ୍ତକ ପୁସ୍ତିକା ରହିଛି ଯେ ତାର ସୀମା ନାହିଁ । ଅନ୍ୟ କୌଣସି ଭାଷାରେ ଏତେ ପଦ୍ୟ ନାହିଁ କହିଲେ ଚଳେ । ଗଦ୍ୟ ଆକାରରେ ଓଡ଼ିଆ ଭାଷାରେ ଯାହା ଅଛି ତାହା ନଗଣ୍ୟ-। ହଁ ଛାପାଖାନା ହେବା ପରେ ଖବରକାଗଜ ଓ ମାସିକ ପତ୍ରାଦି ଅନେକ ଗଦ୍ୟ ଲେଖା ହେଉଛି କିନ୍ତୁ ତାହା ସାଇତି ରଖିବା ଉଦ୍ଦେଶ୍ୟରେ ନୁହେଁ । ପକ୍ଷାନ୍ତରେ ପଦ୍ୟସବୁ ସାଇତି ରଖିବା ଉଚିତ । ମଧୁସୂଦନ ଓ ଫକୀରମୋହନଙ୍କ ଲିଖିତ ଗଦ୍ୟ ସାହିତ୍ୟ ଏଥିର ବ୍ୟତିକ୍ରମ । ଅଥଚ ସେ ସବୁକୁ ବାଦ ଦିଆଯାଉଛି । ତାହା ବାହାରେ ନାନା ଲେଖକମାନେ ଅନେକାନେକ ଉପନ୍ୟାସ ଲେଖିଛନ୍ତି ଓ ଲେଖୁଛନ୍ତି । ମାତ୍ର ସେ ମଧ୍ୟରୁ ୨।୪ ଖଣ୍ଡ ଛାଡ଼ି ଦେଲେ ବାକୀସବୁ ସାହିତ୍ୟ ନୁହନ୍ତି ଓ ଶିକ୍ଷଣୀୟ ସେଥିରେ କିଛି ନାହିଁ । ସେ ଗୁଡ଼ାକୁ ଏକ ସ୍ଥାନରେ ଗଦା କରି ସେଥିରେ ଅଗ୍ନି ସଂଯୋଗ କଲେ ଭାଷାର କୌଣସି କ୍ଷତି ହେବ ନାହିଁ । ପକ୍ଷାନ୍ତରେ ଭାଷା ବ୍ୟଭିଚାରରୁ ବଞ୍ଚିଯିବ । ପଦ୍ୟ କବିତା ଜାତିକୁ ଏପରି ଆୟତ୍ତ କରିଥିଲା ତାହା କଥାରେ କହି ହେବ ନାହିଁ । ଆଜି ମଧ୍ୟ ଗ୍ରାମମାନଙ୍କରେ ଯୁବା ଓ ଯୁବତୀଦଳ ମଧ୍ୟରେ ଗୀତ ପ୍ରତିଯୋଗିତା ଦେଖିଲେ ଅବାକ୍‌ ହେବାକୁ ହୁଏ । ଅପ୍ରସ୍ତୁତ ଭାବେ ସେମାନେ ଯେ ଗୀତ ଯୋଡ଼ନ୍ତି ତାହା ଶ୍ରୋତାକୁ ଚମତ୍କୃତ କରେ । ଶବର ଶବରୁଣୀର ନାଟ ଦେଖିଲେ ବୁଝି ପାରିବା ପଦ୍ୟ ଏ ଜାତିର ସ୍ୱତଃସ୍ଫୂର୍ତ୍ତ । କେବଳ ଆଦିରସାଶ୍ରିତ ଥିବାରୁ ତାହା ବିଲୋପ ହେଉଛି ଓ ହେବା ଉଚିତ । ବୋଧହୁଏ ଏ ଭାଷାଭାଷୀଙ୍କ ପୁରାତନ ଧାରଣା ଥିଲା ଯଦି ଭାଷା ଦିଗରେ କିଛି କରିବାକୁ ହୁଏ ତେବେ ପଦ୍ୟ ଦ୍ୱାରା ଆଉ ଗଦ୍ୟର ଉଦ୍ଦେଶ୍ୟ ପରସ୍ପର ମଧ୍ୟରେ କଥୋପକଥନ ପାଇଁ । ପଦ୍ୟ ରଚନା କରିବା, ବୋଲିବା ଓ ଶୁଣିବା ବେଳେ ମନୁଷ୍ୟର ସ୍ୱଭାବସୁଲଭ ସରଳତା, ସରସତା ଆଡ଼କୁ ଗମନ କରେ, ମନ ଉଚ୍ଚାଟ ଥାଏ ସେତେବେଳେ ଭାଷାର ଉତ୍‌କର୍ଷ ଅପକର୍ଷର ଜ୍ଞାନ ରହେ ନାହିଁ କିନ୍ତୁ ଗଦ୍ୟ ବେଳେ ମନୋଭାବ ସ୍ୱାଭାବିକ ରହିଥାଏ ଓ ଭାଷାର ଉନ୍ନତି କରିବାର ଅବସର ମିଳେ । ତେଣୁ ଭାଷାର ଉନ୍ନତି କରାଯିବ ତେବେ ଗଦ୍ୟ ଦ୍ୱାରା, ପଦ୍ୟ ଦ୍ୱାରା ନୁହେଁ । ଉପରୋକ୍ତ ପଦ୍ୟ ସବୁ ଯେ ଭଲ ନୁହେଁ ତାହା ନୁହେଁ । ସ୍ତବ ସ୍ତୁତି ଜଣାଣ ପୁରାଣର ଅଧିକାଂଶ ଏପରି ଅନେକ ପଦ୍ୟ ଅଛି ଯହିଁ ପାଇଁ ହୃଦୟ ଗଦ୍‌ଗଦ୍ ହୁଏ ଓ ମନ ପାରମାର୍ଥିକ ଭାବରେ ପରିପ୍ଳୁତ ହୁଏ । ଗଦ୍ୟମାନଙ୍କରେ ସ୍ଥାନେ ସ୍ଥାନେ ଏପରି ଲେଖାମାନ ଅଛି ଯାହା ବାପ ପୁଅ ମା ଝିଅ ଏକ ସଙ୍ଗେ ବସି ଶୁଣିପାରିବେ ନାହିଁ । ଆଦିରସ ଓ ବିଭତ୍ସ ରସରେ ଆମର ଓଡ଼ିଆ ପଦ୍ୟ ଭରି ଉଠିଛି । ଆମର କବି ପ୍ରତିଭା ଅମାର୍ଗ ଓ କୁମାର୍ଗରେ ପାଇ ନଷ୍ଟ ହୋଇଛି । ତଦୁପରି ପଦ ଯୋଡ଼ିବାକୁ ଯାଇ ଭାବଧାରାର କି ବିଷମ ବ୍ୟତିକ୍ରମ ହୋଇଛି ଭାବିଲେ ସ୍ତମ୍ଭୀଭୂତ ହେବାକୁ ହୁଏ। ଗଦ୍ୟ ସାହିତ୍ୟରେ ଏ ବ୍ୟତିକ୍ରମ ନାହିଁ । ଗଦ୍ୟ ଜାତିକୁ ସଂଯମଶୀଳ ଓ ସରଳ କରେ । ହୃଦୟ ପରିଷ୍କାର କରି ଆବିଳଭାବ ଦୂର କରେ । ଧୀର, ଗମ୍ଭୀର ଓ ଓଜସ୍ୱିନୀ ଭାଷା (ଗଦ୍ୟ) ଭଲ ଦିଗରେ ଜାତିର ମନକୁ ଆକର୍ଷଣ କରେ ଓ ମନ୍ଦ ଦିଗରୁ ଫେରାଇ ଆଣେ । ଇନ୍ଦ୍ରୟପରାୟଣତା ଓ ଆଦିରସ କଦାଚିତ ଗଦ୍ୟ ସାହିତ୍ୟକୁ ପ୍ରଭାବାନ୍ୱିତ କରେ । ତେବେ ସୁଦ୍ଧା ଗଦ୍ୟ ସାହିତ୍ୟ ପ୍ରତି ଏ ଜାତି କାହିଁକି ଉଦାସୀନ କହି ହେଉନାହିଁ । ଏହି ବିଂଶ ଶତାବ୍ଦୀରେ ମଧ୍ୟ ଈଶ୍ୱରଚନ୍ଦ୍ର ଓ ବଙ୍କିମଚନ୍ଦ୍ର କି ଭାବେ ଗଦ୍ୟସାହିତ୍ୟ ଗଠନ କରାଯାଇ ପାରେ ଦେଖାଇ ଯାଇଛନ୍ତି । ଭାଷାର ଅଧୋଗତିର ଆଉ ଏକ କାରଣ ଓଡ଼ିଶାର ସର୍ବତ୍ର କଥିତ ଭାଷା ଏକ ନୁହେଁ । ଆମର ଏ କ୍ଷୁଦ୍ର ରାଷ୍ଟ୍ରରେ ମଧ୍ୟ ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଲବଜ ରହିଛି-। ସମ୍ବଲପୁର, କଟକ, ଗଞ୍ଜାମ ଓ ବାଲେଶ୍ୱର ପ୍ରତ୍ୟେକ ସ୍ଥାନରେ ଭିନ୍ନ ଭିନ୍ନ ଲବ୍‌ଜ ରହିଛି-। ସମସ୍ତେ ଓଡ଼ିଆ କହନ୍ତି ମାତ୍ର ଶିକ୍ଷିତ ନ ହେଲେ ଏକ ଅନ୍ୟର ଲବଜ ବୁଝିବା ମୁସ୍କିଲ । ଖାଲି ସେତିକି ନୁହେଁ, ଆମ ସଙ୍ଗେ ଓଡ଼ିଆରେ କଥାବର୍ତ୍ତା ହେଲେ ମଧ୍ୟ କନ୍ଧ, ସହର, ବିଁଝାଳ, କୋହ୍ଲ, ଖଡ଼ିଆ, ଭୁଲିଆ, କୁଡ଼ା ଓ ଲବାନ୍‌ ଏମାନଙ୍କର ପ୍ରତ୍ୟେକଙ୍କର ଏକ ଏକ ସ୍ୱତନ୍ତ୍ର ଭାଷା ରହିଛି । ଏହା କିନ୍ତୁ ଲିଖିତ ଭାଷା ନୁହେଁ । ବେଦକୁ ଶ୍ରୁତି କୁହାଯାଉଥିଲା, ଏ ଭାଷାଗୁଡ଼ିକୁ ଶ୍ରୁତି ବୋଲିବାକୁ ହେବ । ଓଡ଼ିଆ ଭାଷାର ଉନ୍ନତି ଦିଗରେ ଏ ସବୁ ଭାଷା ଏକ ଏକ ପ୍ରତ୍ୟବାୟ । ଏ ଭାଷାବିଭିନ୍ନତା ଓ ଲବଜବିଭିନ୍ନତା ଏତେ ତୀବ୍ର ସେ ସମୟେ ଅକାରଣ ମହା ହଟାହଟାରେ ପଡ଼ିବାକୁ ହୁଏ । ଥରେ ଜଣେ ଉଚ୍ଚ ଶିକ୍ଷିତ ଶିକ୍ଷକ ଜଣେ ଗଉଡ଼ୁଣୀ ଗୋ-ଦୁଗ୍‌ଧ ବିକ୍ରୟ କରୁଥିବାର ଦେଖି ଡାକିଲେ, ‘‘ହେ ମାଇପି ଲୋକ । ମୋତେ କିଛି ଦୁଧ ଦେଇ ଯା’’ । ଗଉଡ଼ୁଣୀର ସ୍ୱାମୀ ତାଙ୍କୁ ମାରିବାକୁ ଉଦ୍ୟତ ହେବାରେ ବଡ଼ କଷ୍ଟରେ ଛାତ୍ରମାନେ ତାଙ୍କୁ ଏ ଅପମାନରୁ ରକ୍ଷା କଲେ । ତେବେ ଓଡ଼ିଶା ରାଷ୍ଟ୍ର ମଧ୍ୟରେ ଭାଷାଗତ ଏତେ ଅସାମଞ୍ଜସ୍ୟ କଅଣ ସବୁଦିନ ରହିଥିବ ? ସାମଞ୍ଜସ୍ୟ କଅଣ ଅସମ୍ଭବ ଓ ସେଥିରୁ କଅଣ ଭାଷା ସାହିତ୍ୟକୁ ବଞ୍ଚାଇ ରଖିହେବ ନାହିଁ ? ସାମଞ୍ଜସ୍ୟ ସମ୍ଭବ ଓ ଭାଷାକୁ ବଞ୍ଚାଇ ରଖହେବ କିନ୍ତୁ ସାଧନା ଆବଶ୍ୟକ । ଅତି ଦୁଃଖ ଓ କ୍ଷୋଭର ସହିତ କହିବାକୁ ହେଉଛି ଏ ସାଧନା ଦିନେ ଆମର ମଧୁସୂଦନ, ଫକୀରମୋହନ, ରାଧାନାଥ ଓ ଗଙ୍ଗାଧର କରିଥିଲେ ଓ ପ୍ରାୟ କୃତକାର୍ଯ୍ୟ ହୋଇଥଲେ-। ସେହି ସାଧନାର ଏକମାତ୍ର ଉପାୟ ମାତୃକୋଡ଼ ଅଛି । ଅର୍ଥାତ୍‌ ସଂସ୍କୃତର ସହାୟତା ଓ ଆଶ୍ରୟ ଗ୍ରହଣ, ପ୍ରତ୍ୟେକ ଆଞ୍ଚଳିକ ସଂକୀର୍ଣ୍ଣତା ଓ ଆଞ୍ଚଳିକତା ଛାଡ଼ିବାକୁ ହେବ । ଯାହା ସାରା ରାଷ୍ଟ୍ରପ୍ରଚଳିତ ଓ ସର୍ବସମ୍ମତ ତାକୁ ଅବଲମ୍ବନ କରି ଭାଷା ସାହିତ୍ୟର ସାଧନାରେ ତତ୍‌ପର ହେବାକୁ ହେବ । ଆଉ ଲବଜମାନ ହିନ୍ଦି ହେଉ ବଙ୍ଗଳା ହେଉ ତେଲଗୁ ହେଉ ଇଂରାଜୀ ହେଉ ବା ପାର୍ଶି ହେଉ ଯାହା ଜାତି ଗ୍ରହଣ କରି ନେଲାଣି ତାକୁ ଓଡ଼ିଆ ବୋଲି ମାନି ନେବାକୁ ହେବ-। ଭାଷାର ଶବ୍ଦସଂଖ୍ୟାକୁ ପ୍ରବଳ ଗତିରେ ବଢ଼ାଇବା ଉପଯୋଗୀ ସଂସ୍କୃତ ଶବ୍ଦ ସାଗର ଆମର ଆଗରେ । ଅମରସିଂହଙ୍କର ଅମରକୋଷ ନ ପଢ଼ି ମଧୁସୂଦନ, ଗଙ୍ଗାଧର ଓ ରାଧାନାଥ ସୃଷ୍ଟି ଏକାନ୍ତ ଅସମ୍ଭବ । ସଂସ୍କୃତି ଶବ୍ଦ ସାଗର ମନ୍ଥନ କଲେ ଆମର ପଦ ବା ଶବ୍ଦାମୃତର ଅଭାବ ହେବ ନାହିଁ। ଓଡ଼ିଶା ମଧ୍ୟରେ ‘କ୍ରିୟା’ ପ୍ରାୟ ସର୍ବାଞ୍ଚଳରେ ସମାନ ଥିବାରୁ ଆମର କୌଣସି ଅସୁବିଧା ହେବ ନାହିଁ ।

 

ଲିଖିତ ଗୀତ ସବୁରେ ଆମର ଗଦ୍ୟ ସାହିତ୍ୟ ଦୀପ୍ତିମାନ । ତାକୁ ଅବଲମ୍ବନ କରି ଗଦ୍ୟ ସାହିତ୍ୟକୁ ସୌଷ୍ଠବମୟ କରିବାକୁ ହେବ । କୌଣସି ଏକ ଅଞ୍ଚଳ ଅନ୍ୟ ଅଞ୍ଚଳକୁ ନିଜର ଆଞ୍ଚଳିକ ଭାଷାରେ ଅଭିଭୂତ କରିବାକୁ ଅପଚେଷ୍ଟା କରିବେ ନାହିଁ । ଓଡ଼ିଶାର ସର୍ବତ୍ର ଅନ୍ୟାନ୍ୟ ଲବଜ ଯାହାର ଯାହା ଅଛି ତାହାଠାରୁ ଛଡ଼ାଇବାକୁ ହେବ । କନ୍ଧ କୋହ୍ଲ ଆଦିଙ୍କର ଅଶିକ୍ଷିତ ଓ ଅଲିଖିତ ଭାଷା ସବୁକୁ ଲୋପ କରିବାକୁ ହେବ । ସେମାନେ ଓଡ଼ିଆ ଧରି ସାରିଥିବାରୁ ଆଉ ତାହା ଆୟାସସାଧ୍ୟ ନୁହେଁ । ଲିଖିତ ଓ କଥିତ ଭାଷାକୁ ଏକ କରିବାକୁ ପ୍ରାଣ ପଣ କରିବାକୁ ହେବ । ଜାତିର ଦରକାର ମୁତାବକ ଯଥେଷ୍ଟ ଗଦ୍ୟ ସାହିତ୍ୟ ରଚନା କରି ନେବାକୁ ହେବ । ରାଷ୍ଟ୍ରର ସମସ୍ତ ଶିକ୍ଷିତ ବ୍ୟକ୍ତି ଏ ଦିଗରେ ଧ୍ୟାନ ଦେଲେ ପାଞ୍ଚବର୍ଷରେ ଭାଷା କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ ଫଳ ଦେଖାଇ ପାରିବା ।

 

ଏହାବୋଲି ଏହା କୁହା ଯାଉନାହିଁ ଯେ ଯାର କବି ପ୍ରତିଭା ରହିଛି ସେ କବିତା ନ ଲେଖିବେ । ମାତ୍ର ବର୍ତ୍ତମାନ ଓଡ଼ିଶାରେ କବି ଭଳିଆ କେହି ଦିଶୁ ନାହାନ୍ତି । ତା ବୋଲି ଭବିଷ୍ୟତ୍‌ରେ ଓଡ଼ିଶାରେ କବି ନ ବାହାରିବେ ଏହା କେଉଁ ଚଣ୍ଡାଳ କହିବ ? ଯାହାର କବିତ୍ୱ ଅଛି ସେ କବିତା ଲେଖନ୍ତୁ କିନ୍ତୁ ଯାହା ଦେଶ ଓ ଜାତିର ଉନ୍ନତିମୂଳକ ତାହାହିଁ ଲେଖନ୍ତୁ । ଆଉ ଆମର ବର୍ତ୍ତମାନର ନେତାଗଣ ଯେ ପର୍ଯ୍ୟନ୍ତ ସର୍ବବାଦୀ ଓ ସର୍ବାଞ୍ଚଳସମ୍ମତ ଏକ ଓ ଅଦ୍ୱିତୀୟ ଓଡ଼ିଆ ଭାଷା ସାହିତ୍ୟ ଦିଗରେ ଅନବଧାନ, ଯେ ପର୍ଯ୍ୟନ୍ତ ଏ ଜାତି ମଧୁସୂଦନ, ଫକୀରମୋହନ, ଗୋପବନ୍ଧୁ, ରାଧାନାଥ ଓ ଗଙ୍ଗାଧର ଓ ଜୀବୀତ ବ୍ୟକ୍ତିଙ୍କ ମଧ୍ୟରେ ପଣ୍ଡିତ ନୀଳକଣ୍ଠ ଆଦିଙ୍କର ସାହିତ୍ୟକୁ ସଠିକ ଓଡ଼ିଆ ସାହିତ୍ୟ ବୋଲି ଗ୍ରହଣ କରି ନାହାନ୍ତି ଓ ଯେ ପର୍ଯ୍ୟନ୍ତ ଲିଖିତ ଓ କଥିତ ଭାଷା ଏକ ହୋଇ ନାହିଁ ଓ ସେହି ଏକ ଭାଷାରେ ଅପର୍ଯ୍ୟାପ୍ତ ଗଦ୍ୟ ସାହିତ୍ୟର ସୃଷ୍ଟି ହୋଇ ନାହିଁ ସେ ପର୍ଯ୍ୟନ୍ତ ଏ ଜାତିର ଦୁର୍ଗତି ଯିବ ନାହିଁ ।

Image

 

ଅଷ୍ଟମ ପରିଚ୍ଛେଦ

ଶ୍ରମିକ ସମସ୍ୟା

 

ପୃଥିବୀରେ ସର୍ବତ୍ର ତିନି ଶ୍ରେଣୀର ଲୋକ ଅଛନ୍ତି । ୧-ଧନିକ ୨-ମଧ୍ୟବିତ୍ତ ୩-ଶ୍ରମିକ । ଧନିକ ସଂଖ୍ୟା ସବୁଠାରୁ କମ୍‌ ହେଲେ ମଧ୍ୟ ସମ୍ପତ୍ତିର ହିସାବ ଧଇଲେ ମଧ୍ୟବିତ୍ତ ଓ ଶ୍ରମିକର ମୋଟ ସମ୍ପତ୍ତି ଅପେକ୍ଷା ଧନିକର ସମ୍ପତ୍ତି ବୋଧହୁଏ ବେଶୀ ହେବ । ବିଧାତାଙ୍କର ଏ ସମ୍ପତ୍ତି ବଣ୍ଟନରେ ଏହି ପକ୍ଷପାତିତା ଯୋଗୁ ପୃଥିବୀରେ ଯାବତୀୟ ବିପ୍ଳବ, ଆଦିକାଳରୁ ଲାଗି ରହିଛି ଓ ରହିଥିବ । ଏ ବିପତ୍ତି ଏଡ଼ାଇବାକୁ ପୃଥିବୀର ସର୍ବଶ୍ରଷ୍ଠ ମୁଣ୍ଡମାନ ଏକତ୍ର ହୋଇ ନାନା ଯୋଜନା, ନାନା ଉପାୟ ଓ ଯତ୍ନ ପରମ୍ପରା କାଳ କାଳରୁ କରି ଆସୁଛନ୍ତି । ମାତ୍ର ଏବେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ପଣା ହିସାବରେ କୃତକାର୍ଯ୍ୟ ହୋଇ ନାହିଁ ଏବଂ ଅଭିଜ୍ଞତା ଦୃଷ୍ଟିକୋଣରୁ ଦେଖିଲେ କେବେ ହେବ ନାହିଁ ବୋଲି ହୃଦ୍‌ବୋଧ ହୁଏ । ତେବେ କଅଣ ଏ ଅସାମଞ୍ଜସ୍ୟ ବିଧାତାଙ୍କର ଅଭିପ୍ରେତ ଓ ଏଥିରେ ସାମଞ୍ଜସ୍ୟ ଆନୟନର ଚେଷ୍ଟା ପଣ୍ଡ ପରିଶ୍ରମ ? ହୋଇପାରେ । ତଥାପି ଏ ପଣ୍ଡଶ୍ରମ କରଣୀୟ କାରଣ ତାହାହିଁ ମାନବିକତା । ପ୍ରାଚ୍ୟ ଓ ପାଶ୍ଚାତ୍ୟ ଭିନ୍ନ ଭିନ୍ନ ମାର୍ଗରେ ଏ ସାମଞ୍ଜସ୍ୟ ପାଇଁ ଯତ୍ନବାନ୍‌ କିନ୍ତୁ ପାଶ୍ଚାତ୍ୟ ଯେତେ ଆସ୍ପର୍ଦ୍ଧା କରୁ, ଭାରତୀୟ ସରଳତା ଓ ଆଧ୍ୟାତ୍ମିକତାର ଆଶ୍ରୟ ନ ନେଲେ କୃତକାର୍ଯ୍ୟ ହେବ ନାହିଁ । ହଁ, ଆର୍ଥିକ ଅବସ୍ଥା ସେମାନେ କେତେକ ପରିମାଣରେ ସୁଧାରି ପାରିଛନ୍ତି ଏବଂ ଭାରତ ଏ ଦିଗରେ ତେତେ ଅଗ୍ରସର ହୋଇ ପାରି ନାହିଁ । କିନ୍ତୁ ଏ ଆର୍ଥିକ ଅଗ୍ରଗତିର ମାପକାଠି ସୁଖ ଓ ଶାନ୍ତି । ସୁଖ ଓ ଶାନ୍ତି ଦିଗରେ ସେମାନେ ଭାରତରଠାରୁ ଅଗ୍ରସର ହୋଇଥିବାର କାର୍ଯ୍ୟରେ ଦେଖାଯାଉ ନାହିଁ । ଆସିଆର କୋରିଆ ଯୁଦ୍ଧ, ମାଳୟ ବିପ୍ଳବ, ଚିନ୍‌ ବିପ୍ଳବ, ଭିଏଟମିନ ବିପ୍ଳବ କେଉଁଥିରେ ପାଶ୍ଚାତ୍ୟର ହାତ ନାହିଁ ? ଆଉ ପାଶ୍ଚାତ୍ୟର ମାରକ ବାଷ୍ପ ବିଷ୍ଫୋରଣ, ଆଣବିକ ଓ ହାଇଡ଼୍ରୋଜେନ ବୋମା ଏ ସୁଖ ଶାନ୍ତିର କି ପରିଚାୟକ ? ଅନ୍ୟ ଦିଗରେ ଏ ବିଜ୍ଞାନଯୁଗରେ ମଧ୍ୟ ଭାରତୀୟ ସତ୍ୟ ଓ ଅହିଂସାର ବିପ୍ଳବ ବିନା ରକ୍ତପାତରେ ଭାରତକୁ ବ୍ରିଟିଶ କେଶରୀର କରକବଳମୁକ୍ତ କରିଛି । କେଉଁଟା ଶ୍ରେୟଃ ଛାତିରେ ହାତ ଦେଇ ପାଶ୍ଚାତ୍ୟ ବିଜ୍ଞାନଭିମାନୀ କହନ୍ତୁ । ଧର୍ମବକ ଯୁଧିଷ୍ଠିରଙ୍କୁ ପ୍ରଶ୍ନ କଲେ ସବୁଠାରୁ ଗରିବ କିଏ ? ଯୁଧିଷ୍ଠିର କହିଥିଲେ ‘‘ଯେତେଥିଲେ ମଧ୍ୟ ଯେ ସନ୍ତୁଷ୍ଟ ନୁହେଁ ।’’ ଏ ଉତ୍ତର ଏ ସମସ୍ୟା ପୂରଣ ଦିଗରେ ଯଥେଷ୍ଟ ସହାୟ ହେବ ଓ ପୂର୍ବୋକ୍ତ ଅସାମଞ୍ଜସ୍ୟର କିଞ୍ଚିତ୍ ସାମଞ୍ଜସ୍ୟ ଆଣି ପାରିବ । ଏହାକୁ କିଞ୍ଚିତ ବିଶ୍ଳେଷଣ କରୁଁ । ଧନିକର କଥା ଧରାଯାଉ । ତାଙ୍କୁ ଟ୍ରେଜରୀଗାର୍ଡ଼ କହିଲେ କ୍ଷତି ନାହିଁ । ପୁଞ୍ଜି ସବୁ ତାଙ୍କର ଓ ତାହା ରକ୍ଷା କରିବାକୁ ତାଙ୍କୁ ରାତିରେ ନିଦ ହୁଏ ନାହିଁ । କିନ୍ତୁ ତାହା ଯଦି ସତ୍‌କାର୍ଯ୍ୟରେ ବ୍ୟୟ ନ ହୁଏ ତେବେ ସେ ପୁଞ୍ଜି କାହିଁରେ ଲାଗେ ନାହିଁ । ପକ୍ଷାନ୍ତରେ ସତ୍‌କାର୍ଯ୍ୟରେ ଯଦି ତାହା ବ୍ୟୟ କରାଯାଏ ଅର୍ଥାତ୍‌ ତାହା ଯଦି ସର୍ବସାଧାରଣଙ୍କର କାର୍ଯ୍ୟରେ ଲାଗେ, ସେ ପୁଞ୍ଜି, ପୁଞ୍ଜି ନୁହେଁ ବା ସେ, ଧନିକ ବା ପୁଞ୍ଜିପତି ନୁହନ୍ତି । ପୁଞ୍ଜି ସତ୍‌କାର୍ଯ୍ୟରେ ବ୍ୟୟିତ ନ ହେଲେ ତାଙ୍କର ନୈତିକ ଅଧୋଗତ ହୁଏ ଏବଂ ଅନ୍ୟ ତାହା ଖାଇଯାଏ-। ସେ ପୁଞ୍ଜିଦ୍ୱାରା ସେ ଲାଭବାନ୍‌ ହୋଇ ବରଂ କ୍ଷତିଗ୍ରସ୍ତ ହୁଅନ୍ତି । କେଉଁଟା ଶ୍ରେୟସ୍କର, କେଉଁଟା ମାନବିକତା । ହଁ, ସ୍ୱୀକାର କରିବାକୁ ହେବ ପୁଞ୍ଜି ହିଁ ଏ ଯୁଗରେ କ୍ଷମତାର ଜନନୀ । କିନ୍ତୁ ସେ ପୁଞ୍ଜିଜନିତ କ୍ଷମତା କେତେଦିନ ? ଆଉ ସେ କ୍ଷମତା ଟିକିଏ ଭାବି ଦେଖିବାକୁ ହେବ ପଶୃତ୍ୱ ବିକାଶନର ନା ମାନବିକତା ବିକାଶନର ସହାୟ ! ପୁଞ୍ଜିଜାତ କ୍ଷମତା ପଶୁବଳ । ଯେ କ୍ଷମତାର ଭିତ୍ତି ଜନସାଧାରଣ ହୃଦୟର ଭୟ ଭକ୍ତିରେ ନୁହେଁ, ସେ କ୍ଷମତା ସ୍ପୃହଣୀୟ ତ ନୁହେଁ କ୍ଷଣସ୍ଥାୟୀ, କ୍ଷଣଭଙ୍ଗୂର ଓ ଅଧୋମୁଖଗାମିନୀ ଅଟେ । ବୋଧହୁଏ ଆଜିର ଭାରତର ଦୁର୍ନୀତିର ମୂଳରେ ଏହି କ୍ଷମତା ବିଦ୍ୟମାନ । ତା ଯଦି ହୁଏ ତେବେ ତାକୁ ଅପସାରଣ କରି ଦୁର୍ନୀତିର ନିବାରଣ କରିବାକୁ ହେବ । ତା ନ କରି କ୍ଷମତାପନ୍ନ ଯଦି ଏ କ୍ଷମତାକୁ ଦୃଢ଼ୀଭୂତ କରେ ଏମଂ ତାହାକୁ ପ୍ରଶ୍ରୟ ଦିଆଯାଏ ତେବେ ‘‘ନ ଯାତି କାମ କାମ ନା ମୁପଭୋଗେନ ସାମ୍ୟତି ହିବିଷା କୃଷ୍ଣବର୍ତ୍ମୈବ ଭୂୟ ଏବା ବିବର୍ଦ୍ଧତେ ।’’ ଏ ଦୁର୍ନୀତି ଦିନୁଦିନ ବଢ଼ିବ । ଦେଖାଯାଉ ଧନିକ ଏ ପୁଞ୍ଜିଦ୍ୱାରା କେଉଁଭାବେ ଉପକୃତ ଯେ ସେ ପୁଞ୍ଜିତ୍ୟାଗ ପାଇଁ ପ୍ରସ୍ତୁତ ନୁହନ୍ତି । ହଁ ସେ ଭଲ ଖାଆନ୍ତି, ଭଲ ପିନ୍ଧନ୍ତି ଓ ବହୁତ ଲୋକକୁ ଖଟାଇ ପାରନ୍ତି । ପ୍ରଥମେ ଖାଦ୍ୟପାନର କଥା ଧରାଯାଉ । ଧନିକ ପାଞ୍ଚ ରକମ୍‌ ଖାଦ୍ୟ ନ ହେଲେ ଖାଇବେ ନାହିଁ । କିନ୍ତୁ ବଞ୍ଚି ରହିବାକୁ ଏତେ ରକମ ଖାଦ୍ୟର ଆବଶ୍ୟକତା ? ବରଂ ଏହାଦ୍ୱାରା ସେ ଅତି ଭୋଜନ କରି ଅରୁଚି ଓ ଅଜୀର୍ଣ୍ଣର ନିମନ୍ତ୍ରଣ କରନ୍ତି ଏବଂ ତଦ୍ଦ୍ୱାରା ଅନିଦ୍ର ରହନ୍ତି । ଶ୍ରମିକ ଭାତ ଲୁଣ ଖାଇ ଯେ ସ୍ୱାଦୁପାଏ ଓ ସହଜେ ଜୀର୍ଣ୍ଣ କରି ରାତ୍ରିରେ ସେ ଗାଢ଼ ସୁଶୁପ୍ତି ଉପଭୋଗ କରେ ତାହା ଧନିକର ଈର୍ଷାର ବିଷୟ । ଆଉ ଭଲ ପିନ୍ଧିବା କଥା ଅନୁଧାବନ କରୁଁ । ବାପୁଜୀଙ୍କର କଟିବସ୍ତ୍ର ଅପେକ୍ଷା କାରୁକାର୍ଯ୍ୟମଣ୍ଡିତ ଓ ଦିବ୍ୟ ଫେସନଦାର ସିଲାଇକୃତ ବହୁମୂଲ୍ୟ ବସନ ଯାହା ଧନିକ ବ୍ୟବହାର କରନ୍ତି, କେଉଁଟା ସ୍ୱାସ୍ଥ୍ୟସମ୍ମତ, ବିବେକସମ୍ମତ, ସ୍ୱାଧୀନତାସମ୍ମତ ଓ ଭାରତୀୟ ଆର୍ଥିକଅବସ୍ଥାସମ୍ମତ, ଟିକିଏ ତଳେଇ ଦେଖିଲେ ହେଲା । ଧନିକର କହୁତ ଲୋକ ଖଟାଇବାର କଥା ନ କହିବା ଭଲ । ନିଜେ କରିବା ଅପେକ୍ଷା ଯେତେ ବିଶ୍ୱାସୀ ଓ ପରିଶ୍ରମୀ ହେଉ ଅନ୍ୟଦ୍ୱାରାକୃତ କାର୍ଯ୍ୟ କେତେଦୂର ସନ୍ତୋଷଦାୟଦ ତାହା କାହାରିକି ବୁଝାଇବାକୁ ହେବ ନାହିଁ । ତଦୁପରି ତହିଁ ପାଇଁ ଅନ୍ୟ ସଙ୍ଗେ ସେ ଝଗଡ଼ା ତାହା କଦାପି ଧନିବର ସ୍ପୃହଣୀୟ ହୋଇ ନ ପାରେ-। ଆଉ ବିଭୁଦତ୍ତ ଏହି ପବିତ୍ର ଓ ମୂଲ୍ୟବାନ ଅଙ୍ଗ ପ୍ରତ୍ୟଙ୍ଗର ଉପଯୁକ୍ତ ବ୍ୟବହାରରେ ସେଗୁଡ଼ିକୁ କାର୍ଯ୍ୟକ୍ଷମ କରି ନ ରଖି ଅନ୍ୟକୁ ଖଟାଇବାର ଅଭ୍ୟାସ ଓ ପକ୍ଷଘାତ ଆଦି ରୋଗର ନିମନ୍ତ୍ରଣ ଶ୍ରେୟସ୍କର ? ନା ତଦ୍‌ବିପରୀତ ହିଁ ଶ୍ରେୟସ୍କର ?

 

ଆଗରୁ କୁହା ଯାଇଛି ମନୁଷ୍ୟର ଅଭାବ ଅତି କମ୍‌ ଓ ଆଡ଼ମ୍ବର ହିଁ ମନୁଷ୍ୟକୁ ଅଭାବରେ ପକାଏ । ତେଣୁ ଆଡ଼ମ୍ବର ସର୍ବଥା ବର୍ଜନୀୟ । ଆଉ ଆଡ଼ମ୍ବରବର୍ଜନ ସବୁ ମନୁଷ୍ୟର ସାଧ୍ୟର ମଧ୍ୟରେ । ମନୁଷ୍ୟର ବଞ୍ଚି ରହିବାକୁ ଯଦି ଦ୍ୱିଭୋଜନ ଆବଶ୍ୟକ ତେବେ ତ୍ରିଭୋଜନହିଁ ଆଡ଼ମ୍ବର । ଏହି ଆଡ଼ମ୍ବର ଦ୍ୱାରା ଆଡ଼ମ୍ବରୀ ଅନ୍ୟ ଅପେକ୍ଷା ନିଜର ଅଧିକ କ୍ଷତିକରେ ଓ ତଦ୍ଦ୍ୱାରା ଅସ୍ୱାସ୍ଥ୍ୟ ଅର୍ଜନ କରେ । ଅନ୍ୟର କ୍ଷତିକରେ ଅନ୍ୟକୁ ଏକ ଭୋଜନରୁ ବଞ୍ଚିତ କରି । ଏହାହିଁ ଚୋରି ଏବଂ ତେଣୁ ଦଣ୍ଡନୀୟ । ଅଧିକାଂଶ ଧନୀ ଏ ଦୋଷରେ ଦୋଷୀ ଓ ସେଥିର ଦଣ୍ଡ ମଧ୍ୟ ସେମାନେ ଭୋଗ କରୁଥିବାର ଦେଖୁଁ । ସେମାନେ ଅତିଭୋଜନ ଜନିତ ନାନା ରୋଗ, କାୟିକ ଓ ମାନସିକ ଅଶାନ୍ତି ଓ ଅନିଦ୍ରାରେ କାଳ ଯାପନ କରନ୍ତି । ବେଶୀ କହିବା ଅନାବଶ୍ୟକ । ହଁ, ସ୍ୱୀକାର କରିବାକୁ ହେବ ଶ୍ରମିକ ପେଟପୂରାଇ ଖାଇବାକୁ ପାଏ ନାହିଁ । ରୋଗବେଳେ ରୋଗରୁ ପରିତ୍ରାଣ ପାଇବାକୁ ଯଥେଷ୍ଟ ବ୍ୟବସ୍ଥା ପାଏ ନାହିଁ । ଶିକ୍ଷା ଦୀକ୍ଷା ପାଇବାକୁ ତାର ଅର୍ଥ ବା ଅବସର ନାହିଁ ତାକୁ ମଧ୍ୟ ଦେଖିବାକୁ ହେବ ତାହା କାହା ଦୋଷରୁ ଓ ସେଥିପାଇଁ ସେ ସଂପୂର୍ଣ୍ଣ ନିର୍ଦ୍ଦୋଷ କି ନା ? ବଞ୍ଚିବାକୁ ଯେତିକି ଆବଶ୍ୟକ, ସେ ସେତିକି ଖାଉଛି ପିନ୍ଧୁଛି ନା ତାର କୌଣସି ଆଡ଼ମ୍ବର ଅଛି । ସେ ଧୂଆଁ ଖାଏ କି ନା ଓ ମଦ୍ୟ ବା ଅନ୍ୟ ନିଶା ବ୍ୟବହାର କରେ କି ନା । ବସ୍ତ୍ର ବିଷୟେ ସେ ମିତବ୍ୟୟୀ ନା ନୁହେଁ ଓ ବସ୍ତ୍ର ବିଷୟେ ନିଜ ଗୋଡ଼ରେ ଠିଆ ହେବାକୁ ସେ ଚେଷ୍ଟା କରୁଛି ନା ନାହିଁ । ଯଦି ଏ ସବୁ ବିଷୟେ ତାର ଭୁଲ୍‍ ରହିଛି ଓ ତାର ମଧ୍ୟ ଆଡ଼ମ୍ବର ଅଛି ସେଥିରେ ଦଣ୍ଡ ସେ ଭୋଗ ନ କରିବ ତ କିଏ କରିବ ?

 

ମଧ୍ୟବିତ୍ତର କଥା ଟିକିଏ ଦେଖୁଁ । ମଧ୍ୟ ସ୍ଥାନରେ ରହି ସେ ସୁଖରେ ନା ଦୁଃଖରେ କାଳ କାଟୁଛି । ଧନିକ ନାନା ଭାବେ ତାକୁ ଚିପୁଡ଼ି ଧନାଦାୟ କରି ନିଏ । ଶ୍ରମିକ ତାକୁ ସାହାଯ୍ୟ କରି ପରିଶ୍ରମିକ ଯାହା ନିଏ ତାକୁ ବାଦ୍‌ ଦେଲେ ତାଠାରେ ଯାହା ରହେ ହିସାବ କଲେ ଦେଖିବା ଶ୍ରମିକ ଅପେକ୍ଷା ତାର ଅବସ୍ଥା ଭଲ ନୁହେଁ । ‘ବୋଝ ଉପରେ ନଳିତା ବିଡ଼ା’ ପରି କର ଭାର ତା ଉପରେ । ହୁଏ ତ ସେ ଜମି ମାଲିକ ବାଣିଜ୍ୟ ଓ ଶିଳ୍ପର କେତେକାଂଶ ତା ହାତରେ । ହଳ ବିହଣ ଯୋଗାଡ଼ କରି ବା ଘର ଓ ମୂଳଧନ ଖଟାଇ ଶ୍ରମିକର ମୂଲ ବା ପାରିଶ୍ରମିକ ଦେଉଁ ଦେଉଁ ତାର ଗୁଡ଼ର ଲାଲ ଚାଟି ଖାଇ ଯାଏ’ । ଅଥଚ ରାଜସେଷ ତା ଉପରେ; ଧନିକର ଶୋଷଣ ଲିପ୍‌ସା ତା ଉପରେ ଏବଂ ଶ୍ରମିକର ଚଢ଼ାଉ ତା ଉପରେ । ତେଣୁ ଧନିକ ଓ ଶ୍ରମିକ ବରଂ କିଛି ସୁଖ ଶାନ୍ତି ପାଆନ୍ତି, ମଧ୍ୟବିତ୍ତ ଭାଗ୍ୟରେ ତାହା ଘଟେ ନାହିଁ । ଏକ କଥାରେ କହିବାକୁ ହେବ ଧନିକ ଓ ମଧ୍ୟଭିତ୍ତ ଅପେକ୍ଷା ଶ୍ରମିକ ବରଂ କିଛି ସୁଖ ଶାନ୍ତି ଭୋଗ କରେ । ସେ ଯାହାହେଉ, ଏ ତିନିଶ୍ରେଣୀର ବିଭାଗ କୃତ୍ରିମ । ମନୁଷ୍ୟ ସୃଷ୍ଟ ଈର୍ଷା ହିଁ ଏହାର ମେରୁଦଣ୍ଡ । ଈର୍ଷା ଏପରି ଏକ ମାନବିକ ନୀଚ ବୃତ୍ତି ଯାହା ମନୁଷ୍ୟକୁ ଅକାରଣ ଦୁଃଖରେ ପକାଏ । ଯାହାକୁ ଈର୍ଷା କରାଯାଏ ତାକୁ ଦୁଃଖରେ ପକାଇ ନିଜକୁ ତତୋଧିକ ଦୁଃଖ ଦିଏ । ଦୁନିଆଁର ଯାବତୀୟ ଯୁଦ୍ଧ ଓ ଦୁଃଖ ଦୁର୍ଦ୍ଦଶାରେ ମୂଳରେ ଏହି ଈର୍ଷା, ଯାବତୀୟ ଧର୍ମଘଟର ମୂଳରେ ଏ ଈର୍ଷା ଆଉ ଏହି ଈର୍ଷାହିଁ ଧନିକ ମଧ୍ୟବିତ୍ତ ଓ ଶ୍ରମିକକୁ ଚିର ଅଶାନ୍ତି ଓ ଅସୁଖରେ ପକାଇ ରଖେ । ପ୍ରାର୍ଥିବ ଅର୍ଥ ବିଭାଗର ଘନଘଟର ମୂଳ କାରଣ ଈର୍ଷା; ‘ଅର୍ଥ ମନର୍ଥମ’ ଏହି ଏକ କଥାରେ ଶଙ୍କରାଚାର୍ଯ୍ୟ ଆମ ପାଇଁ ଗ୍ରନ୍ଥ ସୃଷ୍ଟି କରିଗଲେ । ଏହି ଗ୍ରନ୍ଥକୁ ଆୟତ୍ତକରି ପଣ୍ଡିତ ହେବାକୁ ହେବ । ଅର୍ଥର ଅର୍ଜନ ଯେପରି କଠିନ ଓ ଆୟାସସାଧ୍ୟ, ବ୍ୟୟ ତତୋଧିକ କଠିନ ଓ ସଂଚୟ ସବୁଠାରୁ କଠିନ । ସଞ୍ଚୟ ମନୁଷ୍ୟ ମନକୁ ଆଲୋଡ଼ନ ଓ ଉଚ୍ଚାଟନ କରି ଧନିକ ପାଇଁ ନରକର ପଥ ପରିଷ୍କାର କରେ । ଯେଉଁ ଅର୍ଥର ଉପାର୍ଜନ, ବ୍ୟୟ ଓ ସଂଚୟ ଏତେ ଆୟାସସାପେକ୍ଷ, ସଦର୍ଥେ ବ୍ୟୟ ଛଡ଼ା ଅନ୍ୟ କୌଣସି କ୍ଷେତ୍ରେ ତାହା ସ୍ପୃହଣୀୟ ନୁହେଁ । ସଦର୍ଥେ ବ୍ୟୟ ଭଲଭାବେ ବୁଝିବାକୁ ହେବ । ଆବଶ୍ୟକ ଖର୍ଚ୍ଚ ସଦର୍ଥେ ବ୍ୟୟର ଅନ୍ତର୍ଭୁକ୍ତ । ତା ବୁଝି ନ ପାରି ଭାରତରେ ଲକ୍ଷ ଲକ୍ଷ ଅଳସୁଆ ସାଧୁ ସନ୍ୟାସୀ ଓ ଭିକ୍ଷୁକ ଦେଶକୁ ନୀରୟକୁ ଠେଲୁଛନ୍ତି ଯେଉଁମାନଙ୍କର ସାଧୁ ପରିଶ୍ରମ ଦ୍ୱାରା କେବଳ ସମାଜ ରକ୍ଷା ପାଇଯାଆନ୍ତା । ଉପାର୍ଜନ ଯୋଗ୍ୟତାସାପେକ୍ଷ । ଯୋଗ୍ୟତା ନ ଥାଇ ଯୋଗ୍ୟତାରୁ ଅଧିକ ଉପାର୍ଜନ ଆକାଂକ୍ଷା ଦୁଃଖ ଓ ଅଶାନ୍ତିର ମୂଳ । ଶ୍ରମିକ ଯୋଗ୍ୟତା ଓ ପରିଶ୍ରମିରୁ ଅଧିକା ଆଦାୟ କରିନେବାକୁ ଚାହୁଥିବାରୁ ଏତେ ଦୁଃଖ ଓ ଅଶାନ୍ତି ଭୋଗକରେ । ଅଥଚ ଆମର ବଡ଼ ବଡ଼ ନେତାମାନେ ଶ୍ରମିକର ନାମରେ ଶ୍ରମିକମାନଙ୍କୁ ସଂଘବଦ୍ଧ କରି ସମୟେ ସମୟେ ଯେ ‘Strike’ ବା ଧର୍ମଘଟ କରି କେତେବେଳେ ସରକାରଙ୍କୁ କେତେବେଳେ ବା ଧନିକଙ୍କୁ ଜବଦ୍‌କରୁଛନ୍ତି, ଯୋଗ୍ୟତା ଓ ପରିଶ୍ରମର ବହୁ ଗୁଣ ମୂଲ୍ୟ ଆଦାୟ କରି ନେଉଛନ୍ତି, ତଦପେକ୍ଷା ଶ୍ରମିକମାନଙ୍କର ଯେ ଅନେକ କ୍ଷତି କରୁଛନ୍ତି ତାହା ଶ୍ରମିକ ବାପୁଡ଼ାରେ ବୁଝିବାର କ୍ଷମତା ବାହାରେ । ଏହି ଯେ ସରକାର ଓ କେତେବେଳେ ପୁଞ୍ଜିପତିଙ୍କୁ ସେମାନେ ଜବଦ୍‌ କରୁଛନ୍ତି ଓ ସରକାର ବା ପୁଞ୍ଜିପତି ଜବଦ୍‌ହୋଇ ‘ପାରିଶ୍ରମିକ ହାର’ ବଢ଼ାଉଛନ୍ତି ତାହା ଦେଉଛି କିଏ ? ଦେଉଛି ସେହି ଶ୍ରମିକ ଅନ୍ୟ ପ୍ରକାରେ ବଞ୍ଚିବାକୁ ଖାଇବାକୁ । ତଦ୍ୱାରା ତାର ଅବସ୍ଥା ସୁଧୁରି ନାହିଁ ବେଳୁବେଳ ଶୋଚନୀୟ ହେଉଛି । ଏହି ଧର୍ମଘଟ ଗୋଟିଏ ହାତରେ ଯାହା ଦେଉଛି ଅନ୍ୟହାତରେ ତାହା କାଢ଼ି ନେଉଛି । ଗୋଟିଏ ଗୋଟିଏ ଧର୍ମଘଟରେ ଦେଶର ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା କ୍ଷତି ହେଉଛି ଓ ଶ୍ରମିକ ଯେ ତିମିରେ ସେ ତିମିରେ ରହିଛି-। ‘‘ପରଂଲାଭଂ ଗୋବଧ’’ କ୍ଷତ ଚିହ୍ନ ଯାଉନାହିଁ । ଆଉ ସରକାର ବା ପୁଞ୍ଜିପତି ସେତେବେଳେ ଏହି ମୂଲ୍ୟ ଦେଉନାହାନ୍ତି, ତେତେବେଳେ ‘ଅବସ୍ଥାକୁ ଆୟତ୍ତାଧୀନ’ କରିବାକୁ କାହିଁକି ସହଜେ ତାହା ସ୍ୱୀକାର ନ କରିବେ । ସ୍ପଷ୍ଟ ଭାଷାରେ କହୁଁ ଏ ସବୁ ଧର୍ମଘଟ ନୁହେ । ଅଧର୍ମଘଟ ଓ ଦେଶଦ୍ରୋହ ଅଟେ ।

 

ଖାଲି ଭାରତରେ କାହିଁକି, ସାରା ପୃଥିବୀରେ ଏ ଧର୍ମଘଟମାନ ଅଳ୍ପ ସମୟ ମଧ୍ୟରେ ଯେ ଅନିଷ୍ଟ ସାଧନ କରୁଛି, ବହୁ ଯୋଜନା ଦ୍ୱାରା ଅନେକ ଦିନରେ ତାହା ଦୂର ହୋଇପାରୁ ନାହିଁ । ଏଥିର ମୂଳରେ ଅସନ୍ତୋଷ ଓ ଈର୍ଷା, ଅସନ୍ତୋଷ ଓ ଈର୍ଷାର ମୂଳରେ ଯୋଗ୍ୟତା ଓ ପରିଶ୍ରମରୁ ଅଧିକ ପାରିଶ୍ରମିକ ଦାବି କରିବାର ଦୁରଭିସନ୍ଧି । ଦୁରଭିସନ୍ଧି କେବେ ମାନବିକତା ନୁହେଁ । ଆଗରୁ କୁହାଯାଇଛି ଭାରତୀୟ ଅଧ୍ୟାତ୍ମିକତା ଏ ଦିଗରେ କିଞ୍ଚିତ୍‌ ସାହାଯ୍ୟ କରିପାରେ । ତାହା ସରଳତା ଓ ଆଡ଼ମ୍ବର ତ୍ୟାଗ । ଖାଦ୍ୟ ପାନ ପରିଧାନ ଓ ନିବାସରେ ସରଳତା କ୍ରମେ ଆତ୍ମନିର୍ଭରଶୀଳତା ଆଣେ ।

 

ସମ୍ବଲପୁର ଆଦି କତିପୟ ଜିଲାର ‘ଶ୍ରମିକ’ର ଅବସ୍ଥା କଞ୍ଚିତ ବିଶ୍ଳେଷଣ କରୁଁ । ଏଠାରେ ଏହାଙ୍କୁ ‘ଗୁତି’ କହନ୍ତି ଓ ଏମାନେ ଚାଷ ପାଇଁ ନିଯୁକ୍ତ ଓ ଚାଷରେ ବଞ୍ଚନ୍ତି । ତେଣୁ ଏମାନେ କୃଷକଶ୍ରେଣୀର ଅନ୍ତର୍ଭୁକ୍ତ । ଜଣେ ସାଧାରଣ ‘ଗୁତି’ ବର୍ଷକୁ ୯ ମାସ କାମ କରେ । ବାକି ତିନିମାସ କେହି କେହି ଅନ୍ୟ କିଛି ରୋଜଗାର କରି କିଛି ଆଦାୟ କରି ନିଅନ୍ତି । କେହି କେହି କିଛି ନ କରି ହେଣ୍ଡିମାରି ୯ ମାସର ଆୟରୁ କିଛି ବଞ୍ଚିଥିଲେ ତାକୁ ଉଡ଼ାନ୍ତି । କେହି କେହି ବା ଅନ୍ୟ ଲାଭଜନକ କାମରେ ଲାଗିପଡ଼ି ଆଉ ତିନିମାସର ଖାଇବାର ସୁବିଧା କରିନିଅନ୍ତି । ‘ଗୁତି’ ୯ମାସ କାମ କଲେ ମଧ୍ୟ ତାହା ଏକବର୍ଷ ବୋଲି ଧରାଯାଏ । ଚାଷର କାର୍ଯ୍ୟ ବୈଶାଖରୁ ପୌଷ ପୂର୍ଣ୍ଣମୀ ପର୍ଯ୍ୟନ୍ତ । ଜଣେ ସାଧାରଣ ଛାତି ବାହୁ ବାନ୍ଧିବା ବେଳେ ନିଏ ଟ ୪୦ । ବାହୁବନ୍ଧା ଟଙ୍କାର ଉଦ୍ଦେଶ୍ୟ ବର୍ଷକର ଲୁଣ ଓ କପଡ଼ା ସଂଗ୍ରହ କରିନେବା । ପ୍ରକୃତ ପକ୍ଷେ ସରଳଭାବେ ଚଳିଲେ ଶ୍ରମିକ ଓ ଶ୍ରମିକ ପତ୍ନୀ ସକାଶେ ଏକବର୍ଷର ଲୁଣ କପଡ଼ା ପାଇଁ ସେତିକି ଦରକାର । ମାସିକ ଦରମା ନିଏ ଖ୩ଣ୍ଡି ଧାନ । ସେଥିରୁ ଚାଉଳ ବାହାରେ ସେ ୩୦ର । କୁଣ୍ଡା ବାହାରେ ଟଂ ୪ର, ତା ବାହାରେ ଗୁତି ପାଏ ‘ଖମାଭରା’ ପାଇଁ ୧୨ ଖଣ୍ଡି ଧାନ, ମାସକୁ ପ୍ରାୟ ୧ ଖଣ୍ଡି । ଚାଉଳ ସେଥିରୁ ପାଏ ୧୦ ସେର । ତା ବାହାରେ ଗୁତି କୃଷକର ଖେତରେ ଓ କୃଷକର ଖର୍ଚ୍ଚରେ ୨ଖଣ୍ଡି ଧାନ ବୁଣେ ଓ ଅନ୍ତତଃ ପକ୍ଷେ ସେଥିରୁ ଆଦାୟ କରେ ୧୨ ଖଣ୍ଡି ଧାନ ବା ମାସକୁ ୧ ଖଣ୍ଡି ଧାନ ବା ଚାଉଳ ୧୦ ସେର । କେହି ୨ ଧାନ ନ ବୁଣି ଖମାଭରା ସଙ୍ଗେ ୩ ପୁଡ଼ୂଗ ବା ୨୪ ଖଣ୍ଡି ପର୍ଯ୍ୟନ୍ତ ଧାନ ନିଅନ୍ତି । ସେ ଏକ କଥା । ଧାନ ଅମଳ ବେଳେ ଗୁତି ‘‘କୁଲାପରି’’ ବୋଲି ୩ ରୁ ୬ ଖଣ୍ଡି ଧାନ ପାଏ । ବସ୍ତ୍ର ବର୍ଷକୁ ଦୁଇଖଣ୍ଡ ପାଇବା ବିଧାନ ରହିଛି । କୃଷକ ଖେତରେ ଅନ୍ୟ ଫସଲ କଲେ ସେଥିରୁ ମଧ୍ୟ ସେ କିଛି ପାଏ । ଏହି ଯେ ଗୁତି ଧାନ ଆକାରରେ ମାସକୁ ହାରାହାରି ଯାହା ପାଏ ସେଥିରୁ ପ୍ରାୟ ୫୦ ରୁ ୫୫ ସେର ଚାଉଳ ତାକୁ ମିଳେ । ଶ୍ରମିକ ପତ୍ନୀ ସେଥିରେ ଲୁଣ ଓ ଶାଗ ଆଦି କିଛି କିଛି ଯୋଗାଡ଼ କରି ମିଶାଇ ପାରିଲେ ଶ୍ରମିକ ଓ ଶ୍ରମିକ ପତ୍ନୀ ପେଟ ପୂରାଇ ଅନ୍ତତଃ ଦିନକୁ ୨ ଥର ଖାଇ ପାରିବେ । ତାହା ତାର ଖାଇବା ଉଚିତ ଓ ତାହା ସାରଯୁକ୍ତ ଖାଦ୍ୟ, ଏହା କହିବା ଆମର ଅଭିପ୍ରାୟ ନୁହେଁ । କିନ୍ତୁ ନିରାଡ଼ମ୍ବର ରହିପାରିଲେ ବଞ୍ଚିବାକୁ ତାହା ଯଥେଷ୍ଟ ଏହା ସ୍ୱୀକାର କରିବାକୁ ହେବ । ସମୂହ ଭାବେ ଧଇଲେ ଦେଶରେ ଜଣକୁ ମାସକୁ ୨୫ରୁ ୨୭ ସେର ଚାଉଳ ଦିଆ ଯାଇ ପାରିବ ନାହିଁ । ବସ୍ତ୍ର ପାଇଁ ‘‘ବସ୍ତ୍ର ସମସ୍ୟା’’ ପରିଚ୍ଛେଦ ବର୍ଣ୍ଣିତ ଉପାୟ ଅର୍ଥାତ୍‌୨।୪ ଟା କପା ମଞ୍ଜି ପୋତି ସୂତାକାଟି ଆବଶ୍ୟକାୟ ବସ୍ତ୍ର ବାହାର କରି ପାରିଲେ ଏହା ଆସ୍ପର୍ଦ୍ଧାର ସହିତ କୁହାଯାଇପାରେ ଯେ ଏ ଜିଲ୍ଲାରେ ଶ୍ରମିକସମସ୍ୟା ନାହିଁ ବା କେବେ ହେବନାହିଁ । ଅବଶ୍ୟ ତା ବୋଲି ଶ୍ରମିକର ଉନ୍ନତି ଦିଗରେ ଆଉ କିଛି କରିବାକୁ ନାହିଁ, କେହି ଗଣ୍ଡମୁର୍ଖ ମଧ୍ୟ ଏହା କହିବ ନାହିଁ । ଶ୍ରମିକ ତାର ଖାଦ୍ୟର ଉନ୍ନତି କରି ସେ ସାରଯୁକ୍ତ ଖାଦ୍ୟ ପାଉ, ପିନ୍ଧିବାକୁ ଯଥେଷ୍ଟ ପାଉ, ଜୀବନ ରକ୍ଷା ପାଇଁ ଆବଶ୍ୟକୀୟ ସବୁ ଜିନିସ ଯୋଗାଡ଼ କରିବାର ଶକ୍ତି ତାର ବଢ଼ୁ କିନ୍ତୁ ସେଥିପାଇଁ ପୂର୍ବକଥିତ ଧର୍ମଘଟ ଆବଶ୍ୟକତା ନାହିଁ । ଆମର ଅଭିସନ୍ଧି ପରାୟଣ ଶ୍ରମିକ ନେତାମାନେ ଏ ଜିଲାକୁ ଶ୍ରମିକ ସମସ୍ୟା ଆମଦାନୀ କରି ସେ ସମସ୍ୟା ସୃଷ୍ଟି କଲେଣି ତହିଁର ପ୍ରତିବିଧାନ ନ କଲେ ଫଳ ପୁଷ୍ପ ଓ ଧାନର ଭଣ୍ଡାର ଏ ଜିଲ୍ଲାର ଜମିସବୁ ପଡ଼ିଆ ପଡ଼ିବ ଓ କେତେବର୍ଷ ପରେ ଅନ୍ୟଠାରୁ ଧାନ ଆଣି ଜିଲ୍ଲାକୁ ବଞ୍ଚାଇବାକୁ ପଡ଼ିବ । ସମ୍ବଲପୁର ଜିଲ୍ଲାରେ ଶ୍ରମିକ ସମସ୍ୟା ଜଟିଳ କରିବା ପାଇଁ ଶ୍ରମିକନେତା ଓ ସରକାରୀ ନୀତି ଦାୟୀ ଓ କେତେକ ପରିମାଣରେ ହୀରାକୁଦ ବନ୍ଧ ମଧ୍ୟ ଦାୟୀ । ଏ ବନ୍ଧ ବାନ୍ଧିବା ବିରୁଦ୍ଧରେ କିଛି କହିବାର ନାହିଁ କିନ୍ତୁ ବହୁ ଗ୍ରାମ ଓ ଶସ୍ୟକ୍ଷେତ୍ର ଜଳମଗ୍ନ ହେଉଥିବାରୁ ସେ ଶସ୍ୟହାନି ଘଟୁଛି ତାହା ବର୍ତ୍ତମାନ ଅପୂରଣୀୟ ରହିଛି । କେବେ ପୂରଣ ହେବ ତଦୁପରି କେନାଲ ପାଣିଦ୍ୱାରା ଅନ୍ୟତ୍ର ଫସଲ ଦ୍ୱିଗୁଣିତ ହେବ ବା ତାହା ଆକାଶକୁସୁମ ହେବ ତାହା ଭବିଷ୍ୟତ ଗର୍ଭରେ। ଏକେ ଉନ୍ମୂଳିତ ଲୋକେ ଅସନ୍ତୁଷ୍ଟ ତଦୁପରି ସମ୍ବଲପୁର କାହିଁ, ଓଡ଼ିଶା ବାହାର ଲୋକେ ଏ ବନ୍ଧ ଦ୍ୱାରା ସୁବିଧା ଓ ମର୍ତ୍ତ୍ୟର ସ୍ୱର୍ଗ ଉଠାଇ ନେଲେଣି ଓ ଏ ମାଟିର ସନ୍ତାନଗଣ ଶ୍ରମିକ ମଧ୍ୟ ହୋଇ ନ ପାରିବା ଦ୍ୱାରା ସମସ୍ୟା ଜଟିଳ ହୋଇ ପଡ଼ିଛି । ସରକାର ଜମିହୀନଙ୍କ ସକାଶେ ଜମି ଯୋଗାଡ଼ କରି ଯଦି ‘ଗୁତି’ର ଜୀବନକୁ ଅପରିବର୍ତ୍ତନୀୟ କରି ଥାଆନ୍ତେ ଓ ବନ୍ଧର ବିବିଧ କାର୍ଯ୍ୟ ତୁଲାଇବାକୁ ଏ ଜିଲ୍ଲାର ଲୋକଙ୍କୁ ପ୍ରସ୍ତୁତ କରିଥାଆନ୍ତେ । ତେବେ ସଗର୍ବରେ କହିପାରୁଁ, ଏ ସମସ୍ୟା ଅନ୍ୟତ୍ର ଯାହାହେଉ, ଏଠାରେ ଏତେ ଶିରଃପୀଡ଼ାର କାରଣ ହୋଇ ନ ଥାନ୍ତା ଓ ଆମର ତଥାକଥିତ ଶ୍ରମିକନେତାଙ୍କୁ ଏ ସମସ୍ୟା ଜଟିଳ କରିବାକୁ ସୁବିଧା ମିଳି ନ ଥାନ୍ତା । ଯାହାହେଉ, ଏବେ ଜିଲ୍ଲାର ସବୁଆଡ଼େ ଶ୍ରମିକ ନିଆଯାଇ ଏ ବନ୍ଧରେ ନିଯୁକ୍ତ କରାଯାଉଛି । ‘ଗୁତି’ମାନେ ଲୋଭରେ ପଡ଼ି ସେଠାକୁ ଯାଇ ଯେ ଭାବେ ପଞ୍ଜାବୀ, ଓ ମାନ୍ଦ୍ରାଜୀମାନଙ୍କ ଦ୍ୱାରା ହିନସ୍ତା ହେଉଛନ୍ତି ତାହା ଅବର୍ଣ୍ଣନୀୟ । କେତେମାସ କାମକରି ଅନାହାରୀ ଓ ନଷ୍ଟସ୍ୱାସ୍ଥ୍ୟ ହୋଇ ଘରକୁ ଫେରିଲେ ‘ଗୁତି’ ହେବାକୁ ମଧ୍ୟ ଯୋଗ୍ୟତା ତାର ନ ଥାଏ ଓ ତାର ପରିବାର ଉତ୍ସନ୍ନ । ଏ ଜିଲ୍ଲାର ଗୂତିର ପାରିଶ୍ରମିକ ଟଙ୍କାରେ ଦିଆ ନ ଯାଇ ଧାନ ଆକାରରେ ଦିଆ ଯାଉଥିବାରୁ ଦେଶ ବିଦେଶର ଯୁଦ୍ଧ ପରିସ୍ଥିତି, ଦେଶର ସ୍ୱାଧୀନତା ପରାଧୀନତା, ଖାଦ୍ୟଶସ୍ୟର ଦୁର୍ମୂଲ୍ୟ ବା ଶସ୍ତାଭାବ ଶ୍ରମିକ ଜୀବନରେ କୌଣସି ପରିବର୍ତ୍ତନ ଆଣିନାହିଁ । ତେବେ ସାଧାରଣ କୃଷକର ଦୁରବସ୍ଥା, ଚାଷଜମିର ଅନୁତ୍ପାଦିକା ଦୋଷ କୃଷକ ତଥା ଶ୍ରମିକ ଜୀବନରେ ଦରିଦ୍ରତା ଆଣିଛି ଓ ଉଭୟଙ୍କର କିଣିବା ଶକ୍ତିକୁ ହ୍ରାସ କରିଛି ଆଉ ସଙ୍ଗଦୋଷରୁ ଆଜି ଗ୍ରାମେ ଗ୍ରାମେ ବିଡ଼ି ଦିଆସିଲାଇ, ଗୁଡ଼ାଖୁରେ ଦାନ୍ତ ଘଷିବା ଓ ଚାହାର ହୀନ ଆଡ଼ମ୍ବର ଶ୍ରମିକକୁ ଦୁର୍ଗତି ଦିଗରେ ଅଗ୍ରସର କରାଇଛି । ପୂର୍ବେ ଶ୍ରମିକ ନିଜ ବାଡ଼ିରେ ଧୂଆଁ ପତ୍ର କରିନେଇ ବର୍ଷକର ‘ଭାଙ୍ଗ’ ରଖି ‘କାହାଳୀ’ ଖାଉଥିଲା ବା ପଇସାକର ଭାଙ୍ଗରେ ସାତଦିନ କାହାଳୀ ଖାଉତିଲା । ଆଉ ‘ବେଣ୍ଟିଆ’ (ପାଳ ଦଉଡ଼ିରେ) ନିଆଁ ତାର କାହାଳୀ ପାଇଁ ଯଥେଷ୍ଟ ଥିଲା । ସେ ଦିଗରେ ବର୍ତ୍ତମାନ ତାର ଖର୍ଚ୍ଚ ପୂର୍ବ ଖର୍ଚ୍ଚର ଅନ୍ୟୂନ ଦାଗୁଣ । ପୂର୍ବେ ସ୍ଥାନୀୟ ମହୁଲରେ ମଦ, ସ୍ଥାନୀୟ ଲୋକଦ୍ୱାରା ପ୍ରସ୍ତୁତହୋଇ ଅଳ୍ପ ମୂଲ୍ୟରେ ବିକ୍ରୀ ହେଉଥିବାରୁ ଶ୍ରମିକ ଅତିରିକ୍ତ କାୟକ୍ଳେଶ ଭୁଲିବାକୁ କେତେ ୨ ବେଳେ ମଦ୍ୟ ଖାଉଥିଲା କିନ୍ତୁ ଅଧୁନା ତାହା ସରକାରଙ୍କର ଆୟର ପ୍ରଥମ ଉପାୟ ହୋଇଥିବାରୁ ତହିଁରେ ନାନା କଟକଣା କରାଯାଇଛି । ଯାହା କରିବାକୁ ମନା, ମନୁଷ୍ୟସ୍ୱଭାବ ଏପରି ଯେ କୌତୁହଳ ନିବାରଣ ପାଇଁ ତାହା କରିବାକୁ ମନୁଷ୍ୟର ଆଗ୍ରହ ହୁଏ । ସେ ଯାହା ହେଉ, ଏ ଦିଗରେ ଶ୍ରମିକ ଆଡ଼ମ୍ବରପରାୟଣ ଥିଲା, ତାର ଅନ୍ୟ ଆଡ଼ମ୍ବର ନ ଥିଲା । ଏବେ କିନ୍ତୁ ଚା ଓ ଗୁଡ଼ାଖୁ ତା ସଙ୍ଗେ ମିଶିଲାଣି । ଏତେ ଆଡ଼ମ୍ବରରୁ ତାକୁ ମୁକ୍ତ କରି ଶ୍ରମିକ ପତ୍ନୀକୁ ଚରଖା ଧରାଇ ପାରିଲେ ଏ ଜିଲ୍ଲାରେ ଶ୍ରମିକ ସମସ୍ୟା କେବେ ଉଠିବ ନାହିଁ । ଏହାଦ୍ୱାରା ଏହା କୁହାଯାଉ ନାହିଁ ଯେ ଶ୍ରମିକର ଆର୍ଥିକ ଉନ୍ନତି ଦିଗରେ କିଛି କରିବାର ନାହିଁ । ଜିଲ୍ଲାର ଶତକଡ଼ା ପ୍ରାୟ ୯୫ ଜଣ ଶ୍ରମିକ କୃଷିରେ ନିଯୁକ୍ତ । କୃଷି ଏ ଜିଲ୍ଲାର ପ୍ରଧାନ ଜୀବିକା । ମାତ୍ର ଏଠାରେ ଗତାନୁଗତିକ ଭାବେ ଚାଷ କାର୍ଯ୍ୟ କରି କୃଷକ ଲାଭବାନ୍‌ ହେଉ ନାହିଁ । ଗୋରୁ ଅଭାବେ ଭୂମିରେ ସାର ପଡ଼ୁ ନାହିଁ ପୁଣି ଗୋବର ‘ଜଳ’ରେ ପଡ଼ୁଛି । ବଳିଷ୍ଠ ବଳଦ ନ ଥିବାରୁ ମାଟି ଆଉ ଭଲଭାବେ କର୍ଷିତ ହେଉନାହିଁ । ଯଥାତଥା ଚାଷ କରି କୃଷକ କ୍ଷତିରେ ପଡ଼ୁଛି । ଏପରିକି ଶ୍ରମିକର ଉପଯୁକ୍ତ ମଜୁରୀ ଦେଇ ନ ପାରି ମଧ୍ୟ ଯାହା ଦେଉଛି ତାକୁ ବାଦ ଦେଲେ ଯାହା ରହେ ତାହା ‘ଲାଭ’ ପଦବାଚ୍ୟ ନୁହେଁ । ଶ୍ରମିକ ପୋଷଣ କାତ୍ର ସାର । ଏପରି ଅବସ୍ଥାରେ ’ଚଷା’ଠାରୁ ଶ୍ରମିକ ପାଇଁ ଆଉ କିଛି ଦାବି କରିବା ମାନେ ତାକୁ ‘ଫାସି’ ଦେବା । ଅବଶ୍ୟ ‘ଚଷା’ ମଧ୍ୟରେ ଯେ ପୁଞ୍ଜିପତି ନାହାନ୍ତି, ତାହା କୁହା ଯାଉ ନାହିଁ । କିନ୍ତୁ ସେପରି ଲୋକର ସଂଖ୍ୟା ଶତକଡ଼ା ପାଞ୍ଚ ହେଲେ ଯଥେଷ୍ଟ ହେବ । ଏ ପରିସ୍ଥିତିରେ ଏଠା ଶ୍ରମିକର ଉନ୍ନତି ଆକାଶକୁସୁମ ହେଉଛି । ତେବେ ବୈଜ୍ଞାନିକ ବା ଅନ୍ୟ କୌଣସି ପ୍ରଣାଳୀରେ ଚାଷର ଗତାନୁଗତିକ ଧାରା ବଦଳାଇ ଭୂମିର ଆୟ ଦ୍ୱିଗୁଣ କରାଯାଇ ପାରିଲେ ଶ୍ରମିକଙ୍କର ଆୟ ବଳେ ବଳେ ଦ୍ୱିଗୁଣ ହେବ ଏବଂ ସାହସ ସହିତ କୁହାଯାଇପାରେ ଯେ ବିଶାଳ ଭାରତର ସମସ୍ତ ଶ୍ରମିକଙ୍କ ଅବସ୍ଥା ଅପେକ୍ଷା ଏ ଜିଲ୍ଲାର ଶ୍ରମିକଙ୍କ ଅବସ୍ଥା ସ୍ୱଚ୍ଛଳ ହେବ । ଏ ଜିଲ୍ଲାରେ କୃଷକ ଗଛ ଓ ଶ୍ରମିକ ତାର ଶାଖା ପ୍ରଶାଖା । ଯଦି ଶାଖା ପ୍ରଶାଖାର ଉନ୍ନତି ଚାହୁଁ ତେବେ ଗଛ ମୂଳରେ ପାଣି ଦେବାକୁ ହେବ । ତା ନ କରି ଶାଖା ପ୍ରଶାଖା ଉପରେ ଯଦି ପାଣି ଦେଉଁ ତେବେ ତାହା କେଉଁ କାମରେ ଲାଗିବ ? ଅଥଚ ତା କରିବାକୁ ଆମର ଶ୍ରମିକ ନେତାମାନେ କେବଳ କାହିଁକି, ‘ଲୋକପ୍ରିୟ’ ସରକାର ମଧ୍ୟ ଯତ୍ନଶୀଳ । ସେମାନଙ୍କ ବୁଝିବା ଉଚିତ—ଅନ୍ୟତ୍ର ମାଟି ଯେପରି ସମାନ ଏଠାରେ ତାହା ନୁହେଁ । ଅନ୍ୟତ୍ର ‘କେନାଲ’ ଆଦି ଦ୍ୱାରା ଜଳ ସେଚନର ବ୍ୟବସ୍ଥା କରି ଦୁଇ ଫସଲ ଆଦାୟ କରାଯାଉଛି କିନ୍ତୁ ଏଠାରେ ତାହା ସମ୍ଭବ ପରି ଦିଶୁନାହିଁ । ଏଠା ମାଟି ଉଚ୍ଚାବଚ । ପାଣି ଅଟକିବ ନାହିଁ ତଳକୁ ବହିଯିବ । ମାଟିର କାହିଁକି ପଥରର ବନ୍ଧ ବାନ୍ଧ କିନ୍ତୁ ବହୁ ଉଚ୍ଚରୁ ପାଣି ଆସୁଥିବାରୁ ‘ବନ୍ଧ’ ଏ ପାଣିକୁ ସମ୍ଭାଳିବା ମୁସ୍କିଲ । ଯଦି ବିଜ୍ଞାନ ସାହାଯ୍ୟରେ ‘ବନ୍ଧ’କୁ ସମ୍ଭାଳି ନିଆଯାଏ ତେବେ ବହୁ ଦୂରରୁ ମାଟି ଆସି ‘ବନ୍ଧ’ ଶୀଘ୍ର ବୁଜି ହେବ । ଏ ଜିଲ୍ଲାର ମାଟି ଯେତେ ସରସ ଅନ୍ୟତ୍ର ତେତେ ନୁହେଁ କାରଣ ଏଠାରେ ତାହା ‘ଧୂଆ’ ନୁହେଁ । ତେଣୁ ମାଟି ରସକୁ ଧାରଣ କରି ରଖେ, ତାହା ଧୋଇ ହୁଏ ନାହିଁ । ତେଣୁ ଏକ ଫସଲ ହେଉ ପଛେ ଯଦି ବୈଜ୍ଞାନିକ ରିତିରେ ଓ ଉତ୍କୃଷ୍ଟ ପ୍ରଣାଳୀରେ ଏଣିକି ଚାଷ କରି ଭୂମିରୁ ଦୁଇଗୁଣ ଫସଲ ଆଦାୟ କରାଯାଇ ପାରିବ, ଫଳରେ ଶ୍ରମିକର ମଜୁରୀ ଦୁଇଗୁଣ କରାଯିଇ ପାରିବ, ତାହାହେଲେ ଏଠା କୃଷକ ଓ ଶ୍ରମିକ ଜୀବନ ପୃଥିବୀର ସମସ୍ତ କୃଷକ ଓ ଶ୍ରମିକଙ୍କ ଜୀବନର ଆଦର୍ଶ ହେବ । ଭଗବାନ ! ଏହା ପାଗଳର ପ୍ରଳାପ ନ ହେଉ ।

Image

 

ନବମ ଅଧ୍ୟାୟ

ନିଶା-ପଶା-ବେଶ୍ୟା

 

ଏହି ପୃଥିବୀରେ କେତେ ଜୀବଜନ୍ତୁ ଅଛନ୍ତି ତାହା କିଏ ସଂଖ୍ୟା କରିବ ? ଆଖିରେ ନଦିଶିବା ଭଳି ଜୀବାଣୁଠାରୁ ତିମିଙ୍ଗିଳ ପର୍ଯ୍ୟନ୍ତ ସମସ୍ତଙ୍କର ଜୀବନ ରହିଛି, ସମସ୍ତଙ୍କ ପାଇଁ ଆହାର, ନିଦ୍ରା ଓ ମୈଥୁନ ଆବଶ୍ୟକ । ମନୁଷ୍ୟ ସେ ମଧ୍ୟରୁ ଏକ ଜୀବ ମାତ୍ର । ତେବେ ଏ ସମସ୍ତଙ୍କ ଉପରେ ତାର ଏତେ ପ୍ରଭାବ ବିସ୍ତାର କାହା ହେତୁ ? ମନୁଷ୍ୟତ୍ୱ, ଧର୍ମବୁଦ୍ଧି ବା ହିତାହିତ ଜ୍ଞାନ ପାଇଁ । ଅନ୍ୟ ଜୀବଜନ୍ତୁ ଓ ମନୁଷ୍ୟ ମଧ୍ୟରେ ଏହି ମାତ୍ର ତଫାତ୍‌ । ଯେଉଁ ସବୁ କାରଣରୁ ମନୁଷ୍ୟର ଏ ଜ୍ଞାନ ଲୋପହୁଏ ସେ ସବୁକୁ ଏଡ଼ାଇ ଚାଲିଲେ ଯାଇଁ ତାର ମନୁଷ୍ୟତ୍ୱର ବିକାଶ । ସେ ସବୁ କାରଣଗୁଡ଼ିକ ଗୋଟିଏ ଗୋଟିଏ କରି ବାଛି ଦେଇ ପାରିଲେ ଓ ତହିଁରୁ ତଫାତ୍‌ ରହିପାରିଲେ ପୂର୍ଣ୍ଣ ମାନବିକତା ବିକଶିତ ହୁଏ । ମାନବିକତା ବିକାଶନ ପାଇଁ ଯାହା ଯାହା ଦରକାର ସେସବୁ ଏ ଲେଖାର ଅବଧାର୍ଯ୍ୟ ବିଷୟ । ନିଶା, ପଶା ଓ ବେଶ୍ୟା ମାନବିକତା ବିକାଶନର ଘୋର ପ୍ରତିରୋଧୀ । ଜନ୍ମରୁ ଦ୍ୱାଦଶ ବର୍ଷ ପର୍ଯ୍ୟନ୍ତ ସେ ଦୋଷ ସବୁର ଭୟ ନ ଥିଲେହେଁ ଏହି ଦ୍ୱାଦଶ ବର୍ଷ ମଧ୍ୟରେ ଯଦି ବାଳକକୁ ତହିଁର ମାରତ୍ମକତା ହୃଦ୍‌ବୋଧ କରା ନଯାଏ ତେବେ ଏ ଦୋଷରେ ଜଡ଼ିତ ହେବା ପରେ ତହିଁରୁ ଉବୁରିବା ବଡ଼ ମୁସ୍କିଲ ହୁଏ । ତେଣୁ ବର୍ଣ୍ଣଜ୍ଞାନ ସଙ୍ଗେ ସଙ୍ଗେ ନୀତିଶିକ୍ଷାର ବ୍ୟବସ୍ଥା ରହିଛି ।

 

ନିଶା, ପଶା ଓ ବେଶ୍ୟା ଦୋଷ ସଙ୍ଗଦୋଷରୁ ଜାତ ହୁଏ । ତେଣୁ ସୁସଙ୍ଗ ପାଇଁ ଘରେ ବାପ ମା, ଅଭିଭାବକ ଓ ବିଦ୍ୟାଳୟରେ ଶିକ୍ଷକଙ୍କୁ ବାଳକର ୫ମ ବର୍ଷ ବୟଃକ୍ରମ କାଳରୁ ତତ୍‌ପର ରହିବାକୁ ହେବ । ବାଳକର ଚରିତ୍ର ଦୋଷର କେତେକାଂଶ ବାପ ମା’ଙ୍କଠାରୁ ଉତ୍ତରାଧିକାର । ପୁଣି ଶିଶୁ ବିଦ୍ୟାଳୟରେ ନାନା ସ୍ୱାଭାବର ବିଭିନ୍ନ ବାଳକବାଳିକା ସହିତ ମିଶେ । ସେମାନଙ୍କ ଚରିତ୍ରଗଠନ ଶିକ୍ଷକଙ୍କ ଜିମାରେ ଥିଲେ ମଧ୍ୟ ଶିକ୍ଷକ ଯେତେ ଚରିତ୍ର ସଂଶୋଧନ ତତ୍‌ପର ହୁଅନ୍ତୁ ପିଲାର ଯେ ଦୋଷ ତାର ଉତ୍ତରାଧିକାର ଅର୍ଥାତ୍‌ ପିଲାଠାରେ ଯେ ଦୋଷ ସ୍ୱତଃସ୍ଫୁର୍ତ, ସେ ଦୋଷ ଏଡ଼ାଇବାରେ ଶିକ୍ଷକ ତେତେ କୃତକାର୍ଯ୍ୟ ହୁଅନ୍ତି ନାହିଁ । ତେଣୁ ‘ସଙ୍ଗ ଦୋଷ’ ଏଡ଼ାଇବାକୁ କେବଳ ବାପ ମା ଓ ଅଭିଭାବକଙ୍କ ଦାୟିତ୍ୱ ମୌଳିକ ଓ ଅତି ବେଶୀ । ଶିକ୍ଷକଙ୍କ ଦାୟିତ୍ୱ ମଧ୍ୟ କମ ନୁହେଁ କିନ୍ତୁ ବାପ ମାଙ୍କ ପରେ ସେ ଦିଗରେ ତାଙ୍କର ସ୍ଥାନ । ତେଣୁ ବାପ ମା’ଙ୍କ ପକ୍ଷେ ଚରିତ୍ର ସଂଶୋଧନ ଅପରିହାର୍ଯ୍ୟ ଓ ଚରିତ୍ରଗଠନ ପୂର୍ବେ ‘ଗର୍ଭଧାନ’ ନିଷେଧ ରହିବା ଉଚିତ । ସନ୍ତାନ ପ୍ରସବ ପରେ ମଧ୍ୟ ସନ୍ତାନର ପୂର୍ଣ୍ଣ ମନୁଷ୍ୟତ୍ୱ ପାଇଁ ସେମାନେ ହିଁ ଦାୟୀ । ତେଣୁ ‘‘ଆକାଶହୁଁ ବଡ଼ ପିତା, ମାତା ବଡ଼ ପୃଥିବୀ ଅପେକ୍ଷା’’ ।

 

‘ନିଶା’ ମଧ୍ୟରେ ଧୂଆଁ ପତ୍ର (ଭାଙ୍ଗ) ସର୍ବବ୍ୟାପୀ । ନାନା ଆକାରରେ ବିଡ଼ି, ସିଗାରେଟ୍‌, ଚୁରୁଟ୍‌, ଦୋକ୍‌ତା, ଗୁଣ୍ଡି, ଗୁଡ଼ାଖୁ, କାହାଳୀ ବା ପିକା ଭାବେ ଏ ନିଶା ଶତକରା ଷାଠିଏ ଜଣରୁ ବେଶୀ ଲୋକଙ୍କୁ ଆୟତ୍ତାଧୀନ କରିଛି । ଭାଗ୍ୟକୁ ସ୍ତ୍ରୀମାନଙ୍କ ମଧ୍ୟରୁ ଶତକରା ପ୍ରାୟ ପଚାଶ ଜଣ ଏଥିରୁ ବଞ୍ଚିତ । ସର୍ବହରା ମନେକରେ-ଧୂଆଁଖାଇ କିଞ୍ଚିତ୍‌ ଆରାମ ଲାଭକରେ । ବିଡ଼ି ସିଗାରେଟ୍‌ ଖାଇବା ଲୋକ ମନେକରେ ତଦ୍ଦ୍ୱାରା ତାର ଝାଡ଼ା ସଫାହୁଏ । କେତେକ ମନେ କରନ୍ତି ଗୁଡ଼ାଖୁରେ ଦାନ୍ତ ଘଷିଲେ ଦାନ୍ତ ସଫା ଓ ମଜଭୂତ ହୁଏ ଏବଂ ଦସ୍ତ ମଧ୍ୟ ସଫାହୁଏ । ସିଗାରେଟ୍‌ ଶିକ୍ଷିତ ମହଲରେ, ସ୍କୁଲ କଲେଜରେ ଓ ମଜା ମଜଲିସ୍‌ରେ ଅଖଣ୍ଡ ରାଜତ୍ୱ କରେ । କିନ୍ତୁ ଏ ନିଶା ଏ ସବୁର ବ୍ୟତିକ୍ରମ ଘଟାଏ ଓ ଏ ଧାରଣା ଧାରଣାରେ ହିଁ ପର୍ଯ୍ୟବସିତ ଓ ଭ୍ରମାତ୍ମକ । ନିଶା ମାତ୍ରକେ ଖରାପ । ତେବେ କେଉଁ ନିଶା ଖରାପ ନୁହେଁ, ନିଶାଖୋରକୁ ପଚାରିଲେ ଯେ, ଯେଉଁ ନିଶା ଧରିଥାଏ ସେ ସେହି ନିଶା ଛଡ଼ା ବାକି ସବୁ ନିଶା ଖରାପ, ଏହା ଅମ୍ଳାନ ଭାବେ କହିଦେବ । ନିଶାଖୋର ମୁହଁରେ ହିଁ ସବୁ ନିଶା ଖରାପ, ଏହା ସ୍ୱୀକୃତ ହେବ । ନିଶା ମଧ୍ୟରେ ଧୂଆଁପତ୍ର ସର୍ବବ୍ୟାପକ । ତେଣୁ ସମସ୍ତେ ବୋଧହୁଏ ସ୍ୱୀକାର କରନ୍ତି ଧୂଆଁପତ୍ର ସବୁଠାରୁ କମ୍‌ କ୍ଷତିକାରକ । କେତେବର୍ଷ ହେଲା କେନ୍ଦ୍ର ଶାସନ ଏହାର ନିୟନ୍ତ୍ରଣ ପରାୟଣ ହୋଇଛନ୍ତି ମାତ୍ର ଫଳରେ ଏହାର ପ୍ରଚଳନ ବଢ଼ିଛି । ଧର୍ଷଣ ନୀତିରେ କୌଣସି ଆନ୍ଦୋଳନ ବନ୍ଦ ହୁଏ ନାହିଁ ବରଂ ବଢ଼େ । ଧୂଆଁପତ୍ର ନିୟନ୍ତ୍ରଣ ତହିଁର ପ୍ରମାଣ । ସ୍ତ୍ରୀ ଜାତି ଓ ଶିଶୁ ଛଡ଼ା ପ୍ରାୟ ସମସ୍ତେ କୌଣସି ନା କୌଣସି ପ୍ରକାରେ ଧୂଆଁପତ୍ରର ଅନୁରକ୍ତ । ଆଜି ଦ୍ୱାଦଶବର୍ଷର ବାଳକ ମଧ୍ୟ ଧୂମ୍ରପାନଜନିତ ପ୍ରଶ୍ୱାସରେ ବାୟୁମଣ୍ଡଳ କଳୁଷିତ କରୁଥିବାର ସର୍ବତ୍ର ଅବାଧ । ଆଜି ସ୍ତ୍ରୀମାନେ ମଧ୍ୟ ଧୂମ୍ରପାନ ଆରମ୍ଭ କଲେଣି । ଆଜି ଭଦ୍ର ମହିଳାମାନେ ‘ଗୁଡ଼ାଖୁ’ରେ ଦାନ୍ତ ନ ଘଷିଲେ ତାଙ୍କର ଝାଡ଼ା ପରିଷ୍କାର ହୁଏନାହିଁ । ଭଦ୍ରଲୋକମାନେ ମୁଖାଗ୍ନି ନ ଦେଇ ଝାଡ଼ାଫେରିବେ ନାହିଁ । ସ୍କୁଲ ଶିକ୍ଷକ ଓ ଛାତ୍ରମାନେ ପରିସ୍ରା ବାହାନା କରି କଣ୍ଠ ତାଳୁ ପରିଷ୍କାର ? ନା ଅପରିଷ୍କାର କରି ବୁଦ୍ଧି ବିଦ୍ୟାର ମାର୍ଜନା କରିନିଅନ୍ତି ଓ କେତେକ ଭାବିନିଅନ୍ତି ତଦ୍ଦ୍ୱାରା ତାଙ୍କର କ୍ଳାନ୍ତି ଦୂର ହୁଏ । ଥରେ ଜଣେ ବିଚାରକ ନ୍ୟାୟାଳୟରେ ଧୂମ୍ରପାନ କରିବା ବେଳେ ଜଣେ ମଦ୍ୟପ ଆଇନ ବ୍ୟବସାୟୀ ତାହା ନ କରିବାକୁ ଅନୁରୋଧ କଲେ । ବିଚାରକ ଭ୍ରୂକ୍ଷେପ ନ କରିବାରୁ ‘ଓକିଲ’ ପକେଟରୁ ଢଳ ଢଳାୟମାନ ବୋତଲବାହିନୀ ଦେବୀ ସୁରା କାଢ଼ି ଢକ ଢକ କରି ଗିଳିଲେ । ବିଚାରକ ନାଚାର । ନିଜେ ସେ ଅବମାନନାର ନିମନ୍ତ୍ରଣ କରିଛନ୍ତି । ଯେ ବାଳକ ଦଶମ ବା ଏକାଦଶ ବର୍ଷରୁ ବିଡ଼ି ଧରିଥାଏ, ଏପରି ଦେଖା ଯାଇଛି, ଷୋଡ଼ଶ ବା ସପ୍ତଦଶ ବର୍ଷ ବୟଃକ୍ରମ ବେଳକୁ ତାର ପେଟ କଫରେ ପୂର୍ଣ୍ଣ, କଣ୍ଠରେ ଘା, ଓ ସେ କାଶରେ ଅସ୍ଥିର । ଏପରି ସମୟରେ ତାର ବିବାହ । ବିବାହର ୨।୪ ମାସପର ବା ତତ୍‌ପୂର୍ବେ ତାର ମୃତ୍ୟୁ ଘଟିଛି । ଓଃ କି ଶୋଚନୀୟ ଦୁର୍ଦ୍ଦଶା ଓ ମନୁଷ୍ୟଜୀବନରେ କି ଶୋଚନୀୟ ଆତ୍ମହତ୍ୟା ସମାଜ ବରଦାସ୍ତ କରୁଛି । ପରୀକ୍ଷା ପରେ ପ୍ରମାଣିତ ହୋଇଛି ଧୂଆଁ ପତ୍ରରେ ଥିବା ନିକୋଟିନ୍‌ ବିଷରୁ ଏକ ବୁନ୍ଦା ଯଦି ଗୋଟିଏ ବୃହତ୍‌ ବେଙ୍ଗର ନାକରେ ଦିଆଯାଏ ସଙ୍ଗେ ସଙ୍ଗେ ତାର ମୃତ୍ୟୁ ଘଟେ । ହାୟ ! ଆମର ମୂର୍ଖ ସମାଜ ଜାଣି ଜାଣି ଅହରହ ଏ ବିଷପାନ ଓ ଆତ୍ମହତ୍ୟାନିରତ । ଆଜି ଦେଶବନ୍ଧୁ ବିଡ଼ି, ସୁଭାଷ ବିଡ଼ି, ରାମ ବନବାସ ବିଡ଼ି, ଜବାହର ଗୁଡ଼ାଖୁ ନାନା ନାମଧେୟ ବିଡ଼ି, ସିଗାରେଟ୍‌, ଗୁଣ୍ଡି, ଜରଦା ବା ଦୋକ୍ତା ଆଦିର ବିଜ୍ଞାପନମାନ ଦେଶର ସୁନାମଧନ୍ୟ ଅବତାର ଓ ତୁଙ୍ଗନେତୃବୃନ୍ଦଙ୍କ ନାମରେ ନାମିତ ହୋଇ ଏ ଦୁର୍ନୀତିର ଅବାଧ ପ୍ରଚାର ଚଳାଇ ସମାଜକୁ ଧ୍ୱଂସମୁଖୀ କରାଯାଉଛି, ତାର କଅଣ ଶେଷନାହିଁ । ‘ବିଭୋ ! ତୁମେ ନାହଁ କି ଦୟାମୟ ? ଚଳଚ୍ଚିତ୍ର ଯୋଗେ ସମାଜରେ ସିଗାରେଟ୍‌ ଚାଲୁକରି ସମାଜ ପ୍ରତିବର୍ଷ କେତେ କୋଟି ଟଙ୍କାର ବିଷପାନ କରୁଛି, ତାହା କଣ ତମକୁ ବାଧୁନାହିଁ । ତବ ଅପୂର୍ବ ଏ ସୃଷ୍ଟିର ଏ ଅବାଧ ଧ୍ୱଂସରେ ତମେ କଅଣ ପଥର ପାଲଟିଲଣି ବା ତମେ ମଧ୍ୟ ନୀରୟଗମନ କଲଣି ! ଜାତିର ମନ ଫେରାଅ, ପ୍ରଭୋ ! ଦେଶର ଆଶା ଭରସା ସ୍ଥଳ, ଦେଶର ଭବିଷ୍ୟତ୍‌ ମେରୁଦଣ୍ଡ ଛାତ୍ରର ମୁଖରେ ଏ ମୁଖାଗ୍ନିରେ ଦେଶର ଭବିଷ୍ୟତ୍‌ ଭସ୍ମୀଭୂତତା କି ତମର ଉଦ୍ଦିଷ୍ଟ ? ନା ନା ଦୟାମୟ ! ଶତ୍ରୁର ମୁହଁରେ ହିଁ ଏହା ଆବଦ୍ଧ ରହୁ ।’

 

ଆମ ଏଠାରେ ଲୋକେ ଢଗ ମେଲନ୍ତି ‘‘ଆପୁଆ ଚୋର, ଗଞ୍ଜିଆ ଭୋଳ, ମଦୁଆ ଗରେ ନୀତି ଗୋଳ’’ ଯେ ପଦ ଯୋଡ଼ିଛି ତାକୁ ଶତ ନମସ୍କାର, ସେ ଏ ଜାତିର ଧନ୍ୟବାଦାର୍ହ । ଏହି ଅଳ୍ପ କଥାରେ ଏତେ ନିରାଟ ସତ୍ୟ ସଞ୍ଚିତ । ‘ଆପୁଆ ଚୋର’ ଅଫିମ ମନୁଷ୍ୟକୁ ଏପରି ଆୟତ କରେ ଯେ ଅଫିମ ନ ପାଇଲେ ଏପରି ଅପରାଧ ନାହିଁ ଯାହା ଆପୁଆ ନ କରିବ । ଅଫିମ ସମ୍ୱନ୍ଧେ ଏକ ଗଳ୍ପରେ କୁହାଯାଇଛି ଆପୁ, ରାଜକୁମାରୀ ପରି ଅଭିମାନିନୀ, ବିରାଡ଼ି ପରି ଆମିଷଲୋଭୀ, କୁକ୍‌କୁର ପରି କଦର୍ଯ୍ୟ ଓ କନ୍ଦଳପରାୟଣ, ବାଘ ପରି ହିଂସ୍ର, ଏକ କଥାରେ ଆପୁଆ ଆଉ ମନୁଷ୍ୟ ପଦବାଚ୍ୟ ନୁହେଁ । ‘ଗଞ୍ଜିଆ ଭୋଳ’ ଭୋଳ ଭୁଲିଯିବାର ସୂଚନା ଦିଏ । ବାସ୍ତବିକ୍‌ ‘ଗଞ୍ଜାଖୋର’ ଏପରି ଆତ୍ମହରା ଯେ ଦୁନିଆଁ ଭାସିଗଲେ ତାର କିଛି ଯାଏ ଆସେ ନାହିଁ ଅର୍ଥାତ୍‌ ସେ ଦୁନିଆଁ ବାହାରେ । ଗଞ୍ଜଡ଼ ଗଞ୍ଜାଇ ଖାଇ ଈଶ୍ୱରୋପାସନାର ଭାବ କରେ ଈଶ୍ୱରୋପାସନା କି ଏଡ଼େ ସହଜ ! ତା ହେଲେ ଈଶ୍ୱରୋପାସନାର ଆବଶ୍ୟକତା ମାତ୍ର ନାହିଁ । ଗଞ୍ଜାରେ ମନୁଷ୍ୟ ମନୁଷ୍ୟପଣିଆ ଭୁଲେ ।

 

‘‘ମଦୁଆ ଘରେ ନିତି ଗୋଳ’’ ବାସ୍ତବିକ୍‌ ମଦ୍ୟପ ସମାନ କଳହପ୍ରିୟ ଆଉ ଦୁନିଆଁରେ କେହି ନାହାନ୍ତି । କଥାରେ ଅଛି, ରାଜାଙ୍କ ଭଣ୍ଡାରି ବଡ଼ ପ୍ରଭୁଭକ୍ତ । ସଙ୍ଗଦୋଷରେ ମଦ ଖାଇଲା । ଦିନେ ମଦଖାଇ ଫେରୁଥିବା ବେଳେ ରାଜା ହାତୀରେ କୁଆଡ଼େ ଯାଉଥାନ୍ତି । ଭଣ୍ଡାରି ମାତାଳ ଅବସ୍ଥାରେ ଡାକେ ‘‘ଆବେ ସାଲା ରାଜା ! ହାତୀକା ଦାମ କିତନା ରୂପେୟା ?’’ ରାଜା ଜାଣିଲେ ଭଣ୍ଡାରି ଆତ୍ମହରା ହୋଇଛି, କିଛି ନ କହି ଚାଲିଗଲେ । ଆରଦିନ ସକାଳେ ଭଣ୍ଡାରି ରାଜସେବାରେ ନିଯୁକ୍ତ ଥିବାବେଳେ ତାକୁ ପଚାରନ୍ତି, ‘‘କିହୋ ! କାଲି ଯେ ହାତୀର ମୂଲ୍ୟ ପଚାରୁଥିଲ, କେତେ ଟଙ୍କା ରଖିଛ ଯେ ମୋଠୁଁ ହାତୀ କିଣିବ ?’’ ଭଣ୍ଡାରି କହେ ‘‘ମଣିମା ! ଯେ ହାତୀ କିଣୁଥିଲା ସେ ଚାଲିଗଲାଣି ।’’ ଏ ସାମାନ୍ୟ କଥାରେ ମଦ୍ୟପର ବହପପଣିଆ, ଅସୀମ ସାହସ, ବୃଥାରେ ଦୁଃଖ ଦୁର୍ଦ୍ଦଶାର ନିମନ୍ତ୍ରଣ, ଶତ୍ରୁତା ସୃଷ୍ଟି ଓ ‘‘ନିତି ଗୋଳ’’ର ପରିସୂଚନା ମିଳେ । ବାସ୍ତବିକ୍‌ ମଦ୍ୟପର ସଠିକ ଓ ସଂକ୍ଷିପ୍ତ ଦୋଷ ନିର୍ଣ୍ଣୟ ଏହିଠାରେ । ମଦ୍ୟପ ମଦ ପାଇଁ ସ୍ତ୍ରୀ କନ୍ୟା ପୁତ୍ରସମାକୁଳ ସୁନାର ସଂସାର ଚୂନା କରେ । ସମସ୍ତଙ୍କର ମନରେ ଅଶାନ୍ତି ଆଣି ଶେଷକୁ ନିଜସ୍ୱ ହରାଇ ଆତ୍ମହତ୍ୟା କରେ ।

 

ଏହି ନିଶାମାନଙ୍କ ବିରୋଧରେ ସମାଜ ଶତମୁଖ ଓ ସହସ୍ରମୁଖ କିନ୍ତୁ ତାହା ମୁହଁର କଥାରେ ପର୍ଯ୍ୟବିତ । ନିବାରଣର ଉପାୟ ଏ ଲେଖାର ଉଦ୍ଦେଶ୍ୟ । ତହିର ଉପାୟ ଅବଧାରଣ ପାଇଁ କାହିଁକି ସମାଜ ‘ନିଶା’ର ଅଧୀନ ତାହା ବିଚାର୍ଯ୍ୟ । ଦଶବର୍ଷର ବାଳକ ଯେତେବେଳେ ଦେଖେ ଚତୁର୍ଦ୍ଦିଗରେ ସମସ୍ତେ ଅହରହ ଧୂମ୍ରପାନରତ ବା ସେପରି ଅନ୍ୟ କୌଣସି ନିଶାର ଅଧୀନ, ସେ କୌତୁହଳ ପରାୟଣ ହୋଇ ଯେତେବେଳେ ଅନ୍ୟକୁ ଲୁଚାଇ ଧୂମ ମୁହଁରେ ଧରେ, ବଳିଷ୍ଠ ମାନବିକତାର ନୈସର୍ଗିକ ଉପକ୍ରମ, ଧୂମର ତିକ୍ତତା ଓ ଦୁର୍ଗନ୍ଧ ପ୍ରତି ତାର ଘୃଣାର ଉଦ୍ରେକ କରେ । ଏଥି ଙ୍ଗେ ସଙ୍ଗେ ଯଦି ଅଭିଭାବକ ନିଶାର କ୍ଷତିକାରିତାକୁ ତାକୁ ହୃଦୟଙ୍ଗମ କରାଇ ପାରେ ତେବେ ଦେଖା ଯାଇଛି, ମାନବିକତା ଜୟଯୁକ୍ତ ହୁଏ ଓ ସେ ଆଜୀବନ ଯେ କୌଣସି ନିଶାର ଅନଧୀନ ରହେ । ପକ୍ଷାନ୍ତରେ କୁସଙ୍ଗ ଏହି ପ୍ରାରମ୍ଭିକ ଘୃଣାର କ୍ରମହ୍ରାସ ଘଟାଇ କ୍ରମେ ତାକୁ ତାର ଦେହସହ କରାଏ । ଏଥିପାଇଁ ସ୍କୁଲ କଲେଜରେ ଯଦି ନିୟମ କରା ଯାଆନ୍ତି ଯେ ପବିତ୍ର ଶିକ୍ଷାନୁଷ୍ଠାନରେ ଧୂମ୍ରପାନ ଓ ଧୂମ୍ରପାୟୀର ପ୍ରବେଶ ନିଷେଧ ଏବଂ ତଦୁପରି ଅଷ୍ଟାଦଶ ବର୍ଷ ବୟସ୍କ ହେବା ପୂର୍ବେ ଯେ କୌଣସି ନିଶା ସେବନ ପାଇଁ ଦଣ୍ଡବିଧାନ ବ୍ୟବସ୍ଥା ହୁଅନ୍ତା, ତେବେ ଅନ୍ୟ ଦିଗରେ ବେଶୀ ପ୍ରୟାସ ନକରି ଦେଶର ସମୂହ ଓ ଆଶୁକଲ୍ୟାଣ କରାଯାଇ ପାରନ୍ତା । ପକ୍ଷାନ୍ତରେ ଆମର ଶିକ୍ଷକଗଣ ନିଜେ ଧୂମ୍ରପାୟୀ । ଆମର ବ୍ୟବସ୍ଥାପକଗଣ ତହୁଁ ବଳି ନିଶାର ଅଧୀନ, ଆମର ସରକାର ଅବକାରୀ ଆୟ ପାଇଁ ପାଗଳ । କାହାକୁ ନେଇ କଅଣ କରାଯାଇ ପାରେ ? ଯାବତ୍‌ ଆମର ଦେଶର ଭବିଷ୍ୟତ୍‌ ଆଶା ଭରସାର ସ୍ଥଳ ଛାତ୍ରଗଣ ଦେଶରୁ ନିଶା ନିବାରଣରେ ବ୍ରତୀ ହୋଇ ମାତୃ ନାମରେ ପ୍ରତିଜ୍ଞା କରି ପ୍ରଥମେ ହୃଦୟ ପରିଷ୍କାର କରି ବିବେକର ବେକ ମୋଡ଼ୁଥିବା ନିଶାକୁ ବିଷ୍ଠାରୁ ଅଧିକ ଘୃଣା ନ କରନ୍ତି ତାବତ୍‌ ଏ ଦେଶରେ ସ୍ୱାଧୀନତାର ମୂଲ୍ୟ ନାହିଁ । ତାବତ୍‌ ଏ ଦେଶର ଭବିଷ୍ୟତ୍‌ମଧ୍ୟ ନାହିଁ । ମନେ ରଖିବାକୁ ହେବ ଆଜିର ଛାତ୍ର ଯେ; କାଲିର ଦେଶର ବ୍ୟବସ୍ଥାପକ ଓ ଶାସକ ସେ ।

 

ନିଶା ତଳକୁ ପଶା ଲୋକମନ ଭୁଲାଇ ତାକୁ ନୀରୟକୁ ପ୍ରେରଣ ଦିଗରେ ଅମୋଘ କହିଲେ ଚଳେ । ପଶାର ଅନ୍ୟନାମ ଦ୍ୟୂତ । ସାଧାରଣରେ ଏହାକୁ ‘ଜୁଆ’ କହନ୍ତି । ଲକ୍ଷପତି କୋଟିପତି ଏଥିରେ ଭୁଲି ଦାଣ୍ଡର ଭିଖାରୀ ହୁଅନ୍ତି । ମଧ୍ୟବିତ୍‌, ଶ୍ରମିକ ଓ ପରେ ଚୋର ମଧ୍ୟ ଦୁର୍ଦ୍ଦଶାଗ୍ରସ୍ତ ହୁଏ । ଅଥଚ କେହି ଦ୍ୟୂତ ଦ୍ୱାରା ଘର କରିଛି ଦେଖିବାକୁ ମିଳେ ନାହିଁ । ମହାଭାରତର ଯୁଦ୍ଧ ଦ୍ୟୁତ ପାଇଁ । ଧାର୍ମିକ ଯୁଧିଷ୍ଠିର ମଧ୍ୟ ଏଥିରେ ଆତ୍ମହରା ହୋଇ ସ୍ୱକୀୟ ସହଧର୍ମିଣୀଙ୍କୁ ହାରି ସଭାରେ ତାଙ୍କ ରାଜରାଜେଶ୍ୱରୀଙ୍କର ଉଲ୍ଲଙ୍ଗତାର କାରଣ ହୁଅନ୍ତି । ନଳ ଓ ଶ୍ରୀବତ୍ସ ଆଦି ମହାଧାର୍ମିକ ସମ୍ରାଟଗଣ ବରାଟ୍‌ର ନିମନ୍ତ୍ରଣ କରନ୍ତି । ହିନ୍ଦୁଶାସ୍ତ୍ରକାରମାନେ କି ଭାବେ ଏହି ମାନବିକ ଦୁର୍ବଳତାର କ୍ଷତିକାରିତା ବର୍ଣ୍ଣନା କରିଛନ୍ତି ତାହା ଆମରି ଆଗରେ । କିନ୍ତୁ ହିନ୍ଦୁ ସମାଜରେ ଏ ନୀତିହୀନତା ଆଜି ମଧ୍ୟ ଦୁର୍ଦ୍ଦଣ୍ଡ ପ୍ରତାପ ବିସ୍ତାର କରି ରହିଛି । ଇଂରାଜ ଆଇନରେ ଏହା ମନା କିନ୍ତୁ ସେ ଆଇନ ଏପରି ଗଢ଼ା ସେ ତଦ୍ଦ୍ୱାରା ଜୁଆରୀକୁ ଧରିବା କାଠିକର ପାଠ । ଦଣ୍ଡ ତ ଦୂରର କଥା । ଆମର ଆଜିର ସରକାର ମଧ୍ୟ ବିଦେଶୀର ଏ କୋହଳ ନୀତିକୁ ଦେଶର ଏ ଦୁର୍ନୀତିରେ ପ୍ରଶ୍ରୟ ଦେଉଛି ମାତ୍ର ତଦୁପରି ଦେଶ ମଙ୍ଗଳ ପାଇଁ ଦେଶମଙ୍ଗଳ ଅନୁଷ୍ଠାନ ଆରମ୍ଭର ଅଜୁହତରେ ‘ଗୋରୁ ମାରି ଯୋତା ଦାନ’ ରୀତିରେ ନାନା ଳଟାରୀ ସୃଷ୍ଟି କରି ଦେଶର ଯୁବକମାନଙ୍କର ମନକୁ ଏହି ଲୋଭନୀୟ ଦ୍ୟୂତ ଆଡ଼କୁ ଆକର୍ଷଣ କରୁଛନ୍ତି । ଏହି ଲଟରୀମାନଙ୍କର ପ୍ରତିକ୍ରିୟା ମହାଭୀଷଣ । ଏହି ମହାଭୀଷଣ ପାପକୁ ପ୍ରଶ୍ରୟ ନ ଦେଇ ଏହାର ମୂଳୋତ୍‌ପାଟନ ଖାଲି ଯେ କରଣୀୟ ତାହା ନୁହେଁ, ଅକରଣ ପାଇଁ ଭବିଷ୍ୟତ୍‌ ବଂଶଧରମାନେ ଏ ସରକାରଙ୍କୁ ନିନ୍ଦା କରିବେ । ସେଥିପାଇଁ ଆଜିଠୁଁ ସାବଧାନ ହେବାକୁ ହେବ ।

 

‘ବେଶ୍ୟା’ର ନାମହିଁ ଘୃଣାର ଉଦ୍ରେକ କରେ ଓ କରିବା ଉଚିତ । ମନୁଷ୍ୟର ସେ ସବୁ ଦୁଷ୍ପ୍ରବୃତ୍ତ ମନୁଷ୍ୟକୁ ଅଧୋଗାମୀ କରେ, ‘ବେଶ୍ୟା ବୃତ୍ତି’ ତନ୍ମଧ୍ୟରୁ ଏକତମ । ଏ ଦୁଷ୍ପ୍ରବୃତ୍ତି ପୃଥିବୀରେ ସର୍ବତ୍ର ଅଳ୍ପ ବହୁଳ ରହିଛି । ମାନବିକ ଦୁର୍ବଳତା ଏଥିର ପ୍ରଥମ ଓ ପ୍ରଧାନ ଅବଦାନ ଓ କାରଣ । ପୁରୁଷ ଓ ସ୍ତ୍ରୀ ଉଭୟ ଲିଙ୍ଗରେ ଏ ଦୁର୍ବଳତା ରହିଛି । ସ୍ତ୍ରୀ ପୁରୁଷଙ୍କ ମଧ୍ୟରେ ଏ ଦୁର୍ବଳତା ଯୋଗୁ ଆଜି ସମାଜ ନାନା ଭାବେ ବିକଳାଙ୍ଗ । ବିକଳାଙ୍ଗ ଜାଣି ମଧ୍ୟ ଅଙ୍ଗ ସବଳତା ପାଇଁ ସମାଜ ଉଦାସୀନ । ତହିଁର କାରଣ ‘କାମ’ ଯାହା ଏକ ରିପୁ ମଧ୍ୟରେ ପରିଗଣିତ । କାମ ‘ରିପୁ’ ନୁହେଁ ମିତ୍ର, କାରଣ ତାହା ସୃଷ୍ଟିର ବୀଜ । କାମ ପ୍ରବୃତ୍ତିର ଅପବ୍ୟବହାର ହିଁ ଦୋଷ । ଅନ୍ୟଥା କାମ ପ୍ରଜନନ ବା ସୃଷ୍ଟିକ୍ରିୟାରେ ଭଗବତ୍ସହାୟ । ତା ଛଡ଼ା ଅନ୍ୟ ଭାବେ ଅଯଥା ‘କାମବୃତ୍ତି’ର ପରିଚାଳନା ଭଗବଦୁଦ୍ଦିଷ୍ଟ ନୁହେଁ । ଭଲ ଦିଗରେ ଏହାର ନିୟନ୍ତ୍ରଣ ସକାଶେ ବିବାହ ସବୁ ସମାଜରେ ଉଦ୍ଭାବିତ ଓ ପ୍ରଚଳିତ ଅଥଚ ଉଦ୍‌ବାହ ଜୀବନରେ ଏହାର ଉଚ୍ଛୃଙ୍ଖଳତା ଯୋଗୁଁ ଏକାଧୀକ ବାର ପ୍ରଜନନଜନିତ ସ୍ତ୍ରୀ ପୁରୁଷ ଉଭୟ ପକ୍ଷରେ ଶକ୍ତିର ଅପଚୟ ଓ ଫଳରେ ଆୟୁହାନି । ବିବାହିତ ଜୀବନରେ ମଧ୍ୟ ଏହାର ପ୍ରତିକ୍ରିୟା ଯଦି ଏତାବତ୍‌ କ୍ଷତିକାରକ ‘ଅବିବାହିତ’ କ୍ଷେତ୍ରରେ ଏହା ଯେ ମାରାତ୍ମକ ତାହା କାହାକୁ ବୁଝାଇବାକୁ ହେବ ନାହିଁ । ଅଥଚ ଏହି ମାରାତ୍ମକ ଦୋଷର ସର୍ବତ୍ର ବ୍ୟାପକତା ଆଜିର ପୃଥିବୀର କଣ୍ଟକ ପୃଥିବୀକୁ ଅଧୋଗାମୀ କରୁଛି, ଏହାହିଁ ଆଶ୍ଚର୍ଯ୍ୟ । ଏପରି କାହିଁକି ହୁଏ ? ସ୍ତ୍ରୀ ପୁରୁଷ ଚକ୍ଷୁରେ ଓ ପୁରୁଷ ସ୍ତ୍ରୀ ଚକ୍ଷୁରେ ସୁନ୍ଦର ଓ ଲୋଭନୀୟ । ତେଣୁ ପତଙ୍ଗ ବହ୍ନିମୁଖଗାମୀ । ଏହା ବିଧିର ବିଧାନ । ବିଧିର ବିଧାନ ମଙ୍ଗଳମୟ ପ୍ରେମ ଯଦି ତହିଁର ମୂଳରେ । ତା ନ ହୋଇ ତହିଁର ମୂଳରେ ଯଦି କାମ, ତେବେ ଦୃଷ୍ଟିଦୋଷରୁ ତହିଁର ବିକାର । ଥରେ କାମଜନିତ ଏ ଦୁଷ୍ଟଦୃଷ୍ଟିର ପରିଣତି ଭାବି ପାରିଲେ ହେଲା । ଆଖିରେ ଯାହା ଏ ଲୋଭନୀୟ । ପୂଜ ରକ୍ତ ହାଡ଼ ଚର୍ମ ପ୍ଳୀହା ଯକୃତ୍‌ମଳ, ମୁତ୍ର ଏଥିର ପ୍ରତ୍ୟେକକୁ ସ୍ୱତନ୍ତ୍ର ଭାବେ କେହି ଦେଖି ପାରନ୍ତି ନାହିଁ । ସ୍ୱାଭାବିକ ଘୃଣାର ବସ୍ତୁ ଏଗୁଡ଼ିକ କିନ୍ତୁ ଏ ସବୁର ଏକତ୍ର ସମାବେଶ ପ୍ରତି ଏତେ ଆକର୍ଷଣ କାହିଁକି ? ଏ ଘୃଣା ଭାବ ଢାଙ୍କି ରଖିବାକୁ ମନୁଷ୍ୟର ଏତେଗୁଡ଼ିଏ ପ୍ରସାଧନର ଆବିଷ୍କାର-। ଏତେ ଆବିଷ୍କାର ସତ୍ୱେ ଯଦି କୌଣସି ରୋଗ ଆକ୍ରମଣ ଯୋଗୁଁ ଏ ପ୍ରସାଧନ ବନ୍ଦ ହୁଏ, ତେବେ ତ ପ୍ରେମ ଓ ସ୍ନେହ ନ ଥିଲେ ତାର ପାଖ ମାଡ଼ି ହେବ ନାହିଁ । ଦୁର୍ଗନ୍ଧରେ ନାକ ଫାଟିଯିବ । ତଦୁପରି ଏତେ ପ୍ରସାଧନ ପରେ ବେଶ୍ୟାସଙ୍ଗ ନାସିକାରଞ୍ଜକ ନୁହେଁ । ବେଶ୍ୟାସଙ୍ଗାସକ୍ତ ମଧ୍ୟ ଏହା ସ୍ୱୀକାର କରେ । ତେବେ କାମଜନିତ ଏ ଆକର୍ଷଣ ଭିତ୍ତିହୀନ । ଏ ଆକର୍ଷଣକୁ ପ୍ରେମଜନିତ କରିବାକୁ ହେବ-। ନ କଲେ କାମ ଦୁଃଖ ଛଡ଼ା ସୁଖୋପଧାୟକ ହେବ ନାହିଁ । ଏହା ବିଧିର ବିଧାନ । ସ୍ତ୍ରୀ ପୁରୁଷ ପରସ୍ପର ପ୍ରତି ପ୍ରେମଜନିତ ଏ ଆକର୍ଷଣବିନା ପୁରୁଷ କାହିଁକି ଶକ୍ତି କ୍ଷୟକରି ଗର୍ଭାଧାନ କରିବ ବା ସ୍ତ୍ରୀ କାହିଁକି ଦୀର୍ଘ ଦଶମାସ ସନ୍ତାନ ଗର୍ଭରେ ଧରି ଗର୍ଭାବସ୍ଥାରେ ଓ ପ୍ରସବ ପରେ ସନ୍ତାନ ରକ୍ଷାକଳ୍ପେ ଖାଦ୍ୟ ପାନ ଆହାର ବିହାରରେ ଏତେ ସଂଯମଶୀଳ ରହି ତପସ୍ୟା ପରାୟଣା ହେବ ।

 

ପୁରୁଷ ଓ ସ୍ତ୍ରୀ ଉଭୟଙ୍କର ସନ୍ତାନ ପ୍ରତି ଯେ ଆକର୍ଷଣ, ସେ ଆକର୍ଷଣ ବିନା ପୃଥିବୀରେ ଶାନ୍ତି ବା ସୃଷ୍ଟିରକ୍ଷା ଅସମ୍ଭବ । ଏ ଆକର୍ଷଣ ଅତି ମଧୁର, ପବିତ୍ର ଓ ଶାନ୍ତିପ୍ରଦ । ଏ ଆକର୍ଷଣ ପାଇଁ ମନୁଷ୍ୟ ପିତୃଭାବେ ପୁତ୍ରଭାବେ ସାଧନତତ୍‌ପର ହୋଇ ସିଦ୍ଧିଲାଭ କରି ଶାଶ୍ୱତରେ ନିର୍ବାଣ ଲାଭକରେ । ପକ୍ଷାନ୍ତରେ ଏ ଆକର୍ଷଣକୁ ମନ୍ଦ ଦିଗରେ ଚଳାଇ ମନୁଷ୍ୟ ନରକର ସୃଷ୍ଟିକରେ । ପୁରାତନ ଭାରତ ଏ ଆକର୍ଷଣର ନିୟନ୍ତ୍ରଣ ପରାୟଣ ହୋଇ ସିଦ୍ଧିଲାଭ କରି ଭାରତରେ ସତ୍ୟଯୁଗ ଚଳାଇଥିଲା । ନିୟନ୍ତ୍ରଣରୁ ଖସି ରାବଣ ସୀତାଙ୍କୁ ଚୋରି କରିବାରୁ ସତ୍ୟରୁ ଖସି ଭାରତରେ ତ୍ରେତୟା ଯୁଗ ପରେ ନିଶା ଓ ଓ ପଶା ଦିଗରେ ଭାରତର ଅଧୋଗତି ହୋଇ ଦ୍ୱାପର ଯୁଗ ଓ ଆଜି ନିଶା, ପଶା ଓ ବେଶ୍ୟାର ଉତ୍ପାତ ଯୋଗୁଁ ଭାରତରେ ବହୁଦିନ ଧରି କଳିଯୁଗ ଚାଲିଛି ।

 

ଭାରତରେ ଯଦି ପୁଣି ସତ୍ୟଯୁଗ ଆଣିବାକୁ ଚାହୁଁ ତେବେ ନିଶା, ପଶା ଓ ବେଶ୍ୟାକୁ ଦେଶରୁ ଦୂରକରି କ୍ରମେ ଦ୍ୱାପର, ପରେ ତ୍ରେତୟା ଶେଷରେ ସତ୍ୟଯୁଗ ପାଇଁ ପ୍ରାଣପାତ କରିବାକୁ ହେବ । ବାପୁଜୀ ସେଥିପାଇଁ ସତ୍ୟ ଓ ଅହିଂସାର ଭେରୀ ବଜାଇ ଯାଇଛନ୍ତି । ଭଗବାନ କରନ୍ତୁ, ଏ ମହାଭେରୀରେ ଭାରତୀୟର କାନ ପଡ଼ୁ । ମୋହ ଭୟ ଦୂରକରି ଭାରତୀୟ ପ୍ରଥମେ ଭାରତର ପରିଚୟ ଦେଇ ପୃଥିବୀରେ ନେତୃତ୍ୱ କରୁ ।

 

ଜୟହିନ୍ଦ୍‌

Image

 

ଦଶମ ପରିଚ୍ଛେଦ

ମୃତ୍ୟୁ

 

ଭକ୍ତ ଗାଇଛନ୍ତି, ବିଭୋ । ତୋର ମଙ୍ଗଳ ବିଧାନ, କରିଅଛି ମରଣକୁ ଅମୃତ ସୋପାନ । ଏ ସଂସାରରେ କେତେ ଜୀବଜନ୍ତୁ, କୀଟ, ପତଙ୍ଗ, ଉଦ୍ଭିଦ ତାହାର କଳନା ନାହିଁ । ପୁଣି ଏକଯୋଡ଼ା ମନୁଷ୍ୟରୁ କେତେ ଯୋଡ଼ା, ସେ କେତେ ଯୋଡ଼ାରୁ କେତେ ଯୋଡ଼ା ହିସାବ ଧଇଲେ ବୁଦ୍ଧିବଣା ହେବ । ବଟବୀଜ କେଡ଼େ କ୍ଷୁଦ୍ର । ଗୋଟିଏ ବଟଫଳରେ ଏପରି କେତେ ଶହ ବୀଜ । ଗୋଟିଏ ବଟବୃକ୍ଷରେ ଏପରି କେତେ ଅସଂଖ୍ୟ ଫଳ ପ୍ରତିବର୍ଷ ଫଳେ । ଏପରି କେତେ ଅସଂଖ୍ୟ ବଟବୃକ୍ଷ ପୃଥିବୀରେ କେତେ କାଳରୁ ଦଣ୍ଡାୟମାନ । ଯଦି ସମୁଦାୟ ବୀଜରୁ ପୁଣି ବୀଜ ବାହାରି ଖାଲି ସଂଖ୍ୟାବର୍ଦ୍ଧନପରାୟଣ ହୁଅନ୍ତା ତେବେ ଆଜିକି କେବଳ ବଟବୃକ୍ଷରେ ବା ଖାଲି ମନୁଷ୍ୟରେ ପୃଥିବୀ ପୂରି ଯାଇଥାନ୍ତା ଏବଂ ଖାଦ୍ୟାଭାବେ ଖାଲି ମାଟି ଖାଇଲେ ମଧ୍ୟ ମାଟିର ଆଉ ଅସ୍ତିତ୍ୱ ନ ଥାନ୍ତା । କିନ୍ତୁ ମନୁଷ୍ୟ କହ, ଜୀବଜନ୍ତୁ କହ, ବଟବୃକ୍ଷ କେବଳ କାହିଁକି ଉଦ୍ଭିଦ କହ, ଏ ସବୁ ମାଟି ଛଡ଼ା ଆନ ନୁହେଁ । ଭଗବତ୍‌; ମଙ୍ଗଳବିଧାନରୁ ମାଟି ମା’ଟି । ଏହାର ପରିମାଣ ସବୁବେଳେ ସମାନ ରହିଛି ଓ ରହିଥିବ । ଶ୍ରେଷ୍ଠ ଐନ୍ଦ୍ରଜାଳିକର ହାତସଫାଇ ମୃତ୍ୟୁହିଁ ଏଥିର କାରଣ । ସେହି ହାତସଫାଇ ଅନୁଭବନୀୟ । ତେବେ ସ୍ୱୀକାର୍ଯ୍ୟ, ସୃଷ୍ଟିରକ୍ଷାର ଆଦିକାରଣ ମୃତ୍ୟୁ ଭଗବତ୍‌ ମଙ୍ଗଳବିଧାନର ମୂଳ ବୀଜ ବା ଓଁକାର । ମୃତ୍ୟୁ ଅମୃତ । ଆମେ ଏ ଅମୃତପାନରେ ଅମରତ୍ୱ ଲାଭ ପାଇଁ ବା ମହାନିର୍ବାଣ ପାଇଁ ଯତ୍ନବାନ୍‌ ହେଉଁ । ମାନବିକତାର ପରିଣତି ଦେବତ୍ୱ ବା ଭଗବତ୍‌ ପ୍ରାପ୍ତି ହେଉ ।

 

ଏ ଭଗବତ୍‌ପ୍ରାପ୍ତିର କିଞ୍ଚିତ୍‌ ବିଶ୍ଳେଷଣ କରୁଁ । ଅପ୍ରାପ୍ତବୟଃ ବାଳକଠାରୁ ଅଶୀତ ବର୍ଷ ବୟଃକ୍ରମ ବାଳକୋପମ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସ୍ୱୀକାର କରନ୍ତି, ‘‘ସର୍ବ ବ୍ରହ୍ମମୟଂ ଜଗତ୍‌।’’ ଜଗତ୍‌ମାଟି, ଜୀବଜନ୍ତୁ ମାଟିର ଅଣୁ ପରମାଣୁ । ମାଟିରୁ ଜାତ ହୋଇ ମାଟିରେ ମିଶନ୍ତି । ଜନ୍ମଠାରୁ ମାଟିରେ ଏ ମିଶ୍ରଣ ପର୍ଯ୍ୟନ୍ତ ଯେ ସାମାନ୍ୟ ସମୟ, ସେ ସମୟରେ ଏହାର ବିକାଶନ ଓ ଭବଲୀଳା ବା ନାଟ୍ୟ । ଏ ନାଟ୍ୟ ପୁଣି ଦୁଇ ପ୍ରକାର—ଭଲ ଓ ମନ୍ଦ, ସ୍ୱର୍ଗ ଓ ନରକ, ପ୍ରେମ ଓ କାମ, ଉନ୍ନତି ଅବନତି । ଅନ୍ୟପକ୍ଷେ ଯାହାହେଉ, ହିତାହିତ, ଧର୍ମବୁଦ୍ଧି ବା ବିବେକସଂପନ୍ନ ମନୁଷ୍ୟ ପକ୍ଷରେ କେଉଁଟା ଶ୍ରୟ ବାଛି ନେଉଁ । କବି ଗାଇଛନ୍ତି, ମାଟିର ଏ ଘଟ ମାଟିସାତ୍‌ ହେବା ପୂର୍ବେ ‘‘ସନ୍ନିମିତ୍ତେ ବରଂ ତ୍ୟାଗୋ’’ ସନ୍ନିମିତ୍ତେ ତେବେ କଅଣ? ସତ୍‌ ଅର୍ଥାତ୍‌ ଭଗବାନ ଅର୍ଥାତ୍‌ ମନୁଷ୍ୟ ଓ ଜୀବଜନ୍ତୁ ଆକାରରେ ତାଙ୍କର ବିକାଶନ । ଏହି ବିକାଶନରେ ନିଜର ଏ କ୍ଷୁଦ୍ର ବିକାଶନ ଲୀନ ହେବା ବାଞ୍ଛନୀୟ । ତେବେ ନିଜ ବୋଲିବାର ଜିନିସ ନାହିଁ । ନିଜ ଅତି କ୍ଷୁଦ୍ର । ଜାଗତିକ ସ୍ୱାର୍ଥର ଅଣୁ ପରମାଣୁ ଠାରୁ କ୍ଷୁଦ୍ର । ଏ ନିଜତ୍ୱ ଜାଗତିକ ସ୍ୱାର୍ଥରେ ଲାଗୁ ବା ଲୀନ ହେଉ, ଏହାହିଁ ମାନବିକତା । ମୃତ୍ୟୁହିଁ ଏହାର ବିକାଶନତତ୍‌ପର । ମୃତ୍ୟୁହିଁ ଏହାର ପ୍ରଥମ ସୋପାନ । ମୃତ୍ୟୁ ମଙ୍ଗଳମୟ, ମଙ୍ଗଳମୟଙ୍କର ମଙ୍ଗଳବିଧାନ । ମୃତ୍ୟୁ ଅମୃତ, ଶାଶ୍ୱତ, ସତ୍ୟ, ଶିବ, ସୁନ୍ଦର, ସଚ୍ଚିଦାନନ୍ଦ । ମୃତ୍ୟୁ ସକାଶେ ମନର ବିକାର ବା ଭୟ ହାସ୍ୟଷ୍ପଦ । ମୃତ୍ୟୁ ରୂପ ଏ ମଙ୍ଗଳବିଧାନର ପରାକାଷ୍ଠା । ମାଟିରେ ଏ ମାଟି ମିଶିଲେ କୃତକର୍ମା କର୍ମର ସ୍ମୃତି ଲୋପ । ଏ ସ୍ମୃତିଲୋପ କେଡ଼େ ମଧୁର, କେଡ଼େ ସୁଖମୟ । କୃତକର୍ମା କର୍ମର ଅନୁଶୋଚନା ବିହୀନ ଏ ଲୋପ । ଏ ଅନୁଶୋଚନା ଲୋପ ପାଇଁ କି ସୁଖଦୁଃଖରୁ ଜୀବନର ପରିତ୍ରାଣ ଭାବି ଦେଖିଲେ ଐଶ୍ୱରିକ ଅପାର କରୁଣା ହୃଦବୋଧ ହୁଏ । ଏ ଅନୁଶୋଚନାହୀନ ମୃତ୍ୟୁ ପାଇଁ କି ଭୟ ଛାର, ଭାବି ପାରିଲେ ହସରେ ଛାତି ଫାଟିଯିବ । ମରିପାରିଲେ ହିଁ ଏ ସଂସାରର ସୁଖ ଦୁଃଖର ପରିତ୍ରାଣ ଓ ଜୀବନର ଉଦ୍ଧାର । ତେବେ ସେହି ମରିବା ପାଇଁ ମାତ୍ର ‘ସନ୍ନିମିତ୍ତେ’ ଆଗ୍ରହ ହୃଦୟରେ ସବୁବେଳେ ପୋଷଣ କରି ରଖିବାକୁ ହେବ ।

 

ତେବେ ମୃତ୍ୟୁର ଭୟ କଅଣ ନାହିଁ ? ଅଛି ପନ୍ଦର ପଣ ପନ୍ଦର ଗଣ୍ଡା । ପଶୁ ପକ୍ଷୀଙ୍କର ଯାହା ଥାଉ, ମନୁଷ୍ୟ ମଧ୍ୟରେ ଶତକଡ଼ା ୯୯ ଜଣ ମୃତ୍ୟୁକୁ ଭୟ କରନ୍ତି । ବରଂ ପଶୁପକ୍ଷୀମାନଙ୍କର ଏ ଭୟ କମ ଥିବାର ଅନୁମିତ ହୁଏ । ପିମ୍ପୁଡ଼ି କାମୁଡ଼ିଲେ ଛଡ଼ାଇବାକୁ ଚେଷ୍ଟା କର ଦେଖିବ ତାର ମୁଣ୍ଡ ଛିଣ୍ଡିଯିବ କିନ୍ତୁ କାମୁଡ଼ା ହୁଗୁଳା ହେବ ନାହିଁ । ହିଂସ୍ର ପଶୁ ଶିକାର ଧରିଛି, ଛଡ଼ାଇବାକୁ ଚେଷ୍ଟା କର, ପାରିବ ନାହିଁ ବରଂ ତାକୁ ମାରିପାରିବ । ଏହାର ଅର୍ଥ ଏହା ନୁହେଁ ଯେ ତାର ମରଣ ଭୟ ନାହିଁ । ବରଂ ମୃତ୍ୟୁ କଅଣ, ସେ ଜାଣେ ନାହିଁ । ‘ମୃତ୍ୟୁ’ କୁ ନ ଜାଣିବା ମନୁଷ୍ୟ ପଣିଆଁ ନୁହେଁ । ତହିଁର ବିପରୀତ ଆଉ ଗୋଟିଏ କଥା । ଶିଶୁ କୌଣସି ଦୋଷରେ ଦୋଷୀ ନୁହେଁ, ତେବେ ମରେ କାହିଁକି ? ବାପ ମାର ଦୋଷର ଉତ୍ତରାଧିକାର ହେତୁ । ବାପ ମା ଯଦି ସଂଯମୀ, ଶିଶୁର ରୋଗ ଓ ମୃତ୍ୟୁଭୟ କମ୍‌ । ଆଉ ଗୋଟିଏ ଜିନିଷ ଅଛି ଯାକୁ ଆମେ ଦୈବଦୁର୍ଘଟଣା କହୁଁ । ମନୁଷ୍ୟ ଯେତେ ସାବଧାନ ହେଉ ବା ଯେତେ ସଂଯମଶୀଳ ହେଉ, ଏ ଅକାଳ ଦୈବଦୁର୍ଘଟଣା ଏଡ଼ିବାର ତାର ଶକ୍ତି ସାମର୍ଥ୍ୟ ବା କ୍ଷମତା ବାହାରେ । ତେବେ ଧରିନେବାକୁ ହେବ ‘ଦୈବଦୁର୍ଘଟଣା’ ସେ କ୍ଷେତ୍ରରେ ବିଧାତାଙ୍କର ଅଭିପ୍ରେତ । ସେ କ୍ଷେତ୍ରରେ ମଧ୍ୟ ଜୀବ ଯେ ନିର୍ଦ୍ଦୋଷ ତାହା ନୁହେଁ । ପୂର୍ବସୁକୃତ ଓ ଦୁଷ୍କୃତ ସେଥିପାଇଁ ଦାୟୀ ଓ କଥିତ ସୁକୃତ ଓ ଦୁଷ୍କୃତର ତାହା ଫଳ ଭାବି ନେଇ ଅନୁଶୋଚନା ଦୂର କରିବାକୁ ହେବ । ତା ଛଡ଼ା ମୃତ୍ୟୁ ପରେ ମୃତାତ୍ମା ସୁଦଶା ବା ଦୁର୍ଦ୍ଦଶାପ୍ରାପ୍ତ ହେବ ତାହା ନ ଜାଣି ଦୁଃଖ ଓ ଅନୁଶୋଚନା କରିବା ମୂର୍ଖତା ଅଟେ । ହୁଏତ ମୃତାତ୍ମା ଦୁଃଖପୂର୍ଣ୍ଣ ସଂସାରର ଦୁଃଖରୁ ଅତୀତ ହୋଇ ସୁଦଶା ଲାଭ କରିବ ଏହି ବିଶ୍ୱାସ ଏହି ଅନୁଶୋଚନାକୁ ତଡ଼ିଦିଏ ଓ ସେହି ବିଶ୍ୱାସ କରଣୀୟ । ଏ ବର୍ଣ୍ଣନାର ଉଦ୍ଦେଶ୍ୟ ଏହା ନୁହେଁ ଯେ ଅନ୍ୟର ମୃତ୍ୟୁଜନିତ ଯେ ସାଧାରଣ ଦୁଃଖ ତାହା କରଣୀୟ ନା ନୁହେଁ, ତହିଁର ବିଚାର କରିବା । ଆମର ଲକ୍ଷ୍ୟ; ମୃତ୍ୟୁ ପାଇଁ ଭୟଭୀତ ହେବା ଉଚିତ ନୁହେ ।

 

ନିଜର ମୃତ୍ୟୁଭୟ ଏ ଲେଖାର ଉଦ୍ଦେଶ୍ୟ । ନିଜେ ଯଦି ମୃତ୍ୟୁ ଭୟଭୀତ ନୋହୁଁ, ଏହି ନିଜ ସ୍ୱରୂପରେ ଗଠିତ ସମାଜର ଭୟ ରହିବ ନାହିଁ । ମୃତ୍ୟୁଭୟ ରହିତ ସମାଜ ଅସାଧ୍ୟ ସାଧନ କରେ, ଇତିହାସ ତହିଁର ମୁକସାକ୍ଷୀ । ନିକଟ ଅତୀତରେ ହିଟ୍‌ଲରଙ୍କ ଜର୍ମାନୀ ତହିଁର ପ୍ରମାଣ । ଆଉ ମୃତ୍ୟୁ ଭୟଭୀତ ସମାଜ ନିରୟଗାମୀ ହୁଏ । ତହିଁର ପ୍ରମାଣ ଦ୍ୱାଦଶ ଶତାବ୍ଦୀଠାରୁ ଭାରତର ପରାଧୀନତା । ଯେ କ୍ଷଣରେ ବାପୁଜୀଙ୍କ ପଞ୍ଚଜନ୍ୟ ସତ୍ୟ ଓ ଅହିଂସା-ଶଙ୍ଖ ନିନାଦରେ ଭାରତରୁ ଏ ଭୟ କିଞ୍ଚିତ୍‌ ଦୂର ହୋଇଛି ସେ କ୍ଷଣରେ ଭାରତ ସ୍ୱାଧୀନତା ଲାଭ କରିଛି ସତ ମାତ୍ର ତାଙ୍କର ତିରୋଧାନ ପରେ ପରେ ଆଜି ମୃତ୍ୟୁର ଭୟ ପୁଣି ଭାରତୀୟର ତଣ୍ଟି ଚିପିବାକୁ ଆରମ୍ଭ କରିଛି । ତାହାରି ଫଳରେ ଧନ କ୍ଷମତା ନିଶା, କଳାବଜାର, ପ୍ରିୟାପ୍ରୀତିତୋଷଣ ଚାଲିଛି । ଢୋକେ ପି ଦଣ୍ଡେ ଜୀଁ ହିସାବରେ ଏହି ଭୟରେ ଭାରତୀୟ ଭବିଷ୍ୟତ୍‌ପାଇଁ ସାଇତି ରଖିବାକୁ ନ୍ୟାଯ୍ୟ ବା ଅନ୍ୟାଯ୍ୟ ଉପାୟରେ ବ୍ୟକ୍ତିଗତ ପୁଞ୍ଜି ବଢ଼ାଇବାରେ ନିର୍ବିକାର । ସେହି ଭୟରେ କ୍ଷମତା ହାସଲ କରି ତାକୁ ବଜାୟ ରଖିବାକୁ ନ୍ୟାୟ ବା ଅନ୍ୟାୟ ନିର୍ବାଚନ ଯୁଦ୍ଧରେ ନିର୍ବିକାର । ସେହି ଭୟରେ ଧନିକ ଓ କ୍ଷମତାଶାଳୀ ବଜ୍ରମୁଷ୍ଟିକୁ ଟିକିଏ ହେଲେ ହୁଗୁଳା କରିବାକୁ ନାରାଜ । ଏହା ଆମର ଉନ୍ନତି ନା ଅଧୋଗତିର ଲକ୍ଷଣ, ଦୃଷ୍ଟି ପଛକୁ ଫେରାଇ ଦେଖିବାକୁ ହେବ । ସ୍ୱାଧୀନତା ଲାଭ ପରେ ମଧ୍ୟ ଆମର ଯେ ଶାନ୍ତି ସମୃଦ୍ଧି ଆସିନାହିଁ ତହିଁର କାରଣ ଅକାରଣ ଏ ମୃତ୍ୟୁର ଭୟ ।

 

ମୃତ୍ୟୁର ଭୟ ପୃଥିବୀକୁ କିପରି ଧ୍ୱସ୍ତ ବିଧ୍ୱସ୍ତ ଆଡ଼କୁ ଟାଣୁଛି ତାହା ସମସ୍ତେ ସବୁବେଳେ ଦେଖୁ ଥାଇଁ । ପ୍ରଥମେ ଘରେ ଦେଖୁଁ ଦୋଷ ଘୋଡ଼ାଇବାକୁ ପରିବାରର ସମସ୍ତେ କିପରି ବ୍ୟସ୍ତ । ଗୃହିଣୀ ଗୃହସ୍ଥକୁ ଲୁଚାଇ, ପୁତ୍ର ପିତାଙ୍କୁ ଲୁଚାଇ, ଭାଇ ଭାଇକୁ ଲୁଚାଇ, ଭଉଣୀ ଭଉଣୀ ଓ ମାତାଙ୍କୁ ଲୁଚାଇ, ସମସ୍ତେ ସମସ୍ତଙ୍କୁ ଲୁଚାଇ କେତେ କାମ କରୁଥାଇଁ । ନ୍ୟାୟ ବା ସତ୍ୟରେ ଲୁଚାଇବାର କିଛି ନ ଥାଏ । ଅନ୍ୟାୟ ଓ ଅସତ୍ୟ ଚିରକାଳ କାପୁରଷପଣିଆଁ କରନ୍ତି । ସେ ଯେତେ ଅନ୍ୟାୟ ଓ ଅସତ୍ୟପରାୟଣ ସେ ସେତେ ନିର୍ମନୁଷ୍ୟ । ତେବେ ‘ଗୁପ୍ତ’ ବୋଲି କାର୍ଯ୍ୟ ମାତ୍ରକେ ଘୃଣାର ଜିନିଷ । ଅନ୍ୟାୟ ଓ ଅସତ୍ୟର ସତ୍ତା ନିଶ୍ଚୟ ଅଛି । ଏହି ଗୋପନ ମଧ୍ୟରେ ଯଦି ‘ପ୍ରେମ’କୁ ନେଉଁ ତାହା ଭୁଲ ହେବ । ପ୍ରେମ ସ୍ୱର୍ଗୀୟ, ସେଥିରେ ଗୋପନର କଥା ମାତ୍ର ନାହିଁ । ସେଥିରେ ଘୃଣା କରିବାର କିଛି ନାହିଁ । ତାହା ଗୁପ୍ତ ନୁହେଁ, ସବୁ କାଳରେ ପ୍ରକାଶ୍ୟ ଓ ପ୍ରକାଶିତ । ଜଗତରେ ଦେଖିବା ଯାହାର ଗୋପନୀୟ କିଛି ନାହିଁ ସେ ନର ଶ୍ରେଷ୍ଟ ବା ମହାତ୍ମା । ଜୀବନର ଚରମୋଦ୍ଦେଶ୍ୟ ଗୋପନ ସଂଖ୍ୟାର କ୍ରମେ ହ୍ରାସ କରି ତାହାର ବିଲୋପ ସାଧନ । ତାହା ଅତି କଠିନ କିନ୍ତୁ କରଣୀୟ । ନ ହେଲେ ମୃତ୍ୟୁର ଭୟ ଯିବ ନାହିଁ । ଦୋଷ ସଂଖ୍ୟା ହ୍ରାସକରି ଜୀବନକୁ ନିର୍ଦୋଷ ନ କଲେ ମୃତ୍ୟୁର ଭୟ ଏଡ଼ାଇ ହେବ ନାହିଁ । ଦୋଷ ଓ କପଟ ମୃତ୍ୟୁଭୟର ଦୁଇପୁତ୍ର, ପରିବାର, ସମାଜ ଓ ଜାତିର ଉନ୍ନତିର ଘୋର ପ୍ରତିବନ୍ଧକ।

 

ଗ୍ରାମରେ ଦେଖୁଁ, ଧନିକ କିପରି ଧନ ଓ କ୍ଷମତା ବଜାୟ ରଖିବାକୁ ମଧ୍ୟବିତ୍ତ ଓ ଶ୍ରମିକ ଉପରେ ଅଭିଯାନ ଚଳାଇଛି । ସଞ୍ଚିତ ଧନ ଓ କ୍ଷମତା ହରାଇବା ଭୟରେ ନାନା ଫନ୍ଦି ଫିକର କରି କେତେ ଦୋଷ ଓ କପଟର ଆଶ୍ରୟ ନେଉଛି । ମୃତ୍ୟୁର ଭୟ ତହିଁର ମୂଳରେ । ମଧ୍ୟବିତ୍ତ କଷ୍ଟାର୍ଜିତ କିଞ୍ଚିତ ଧନ କ୍ଷମତା ରକ୍ଷାର ଉପରୁ ଓ ତଳୁ ସବୁବେଳେ ଆକ୍ରାନ୍ତ ହୋଇ ଆତ୍ମରକ୍ଷାରେ ବିବ୍ରତ । ମୃତ୍ୟୁର ଭୟ ତହିଁର କାରଣ । ସବୁବେଳେ ହରାଇଲି ହରାଇଲି ଏହି ମନୋଭାବ ତାକୁ ଦିନକୁ ଶହେଥର ମାରୁଛି । ଶ୍ରମିକ ଯୋଗ୍ୟତା ଓ ପରିଶ୍ରମରୁ ଅଧିକ ଉପାର୍ଜନ ପରାୟଣ ହୋଇ କେତେ ଦୁଃଖ ଓ ଦୁର୍ଦ୍ଦଶା ବରଣ କରୁଛି ଏହି ମୃତ୍ୟୁର ଭୟରେ । ଶିକ୍ଷାଳୟରେ ଦେଖୁଁ ପେଟଚିନ୍ତା ଶିକ୍ଷକଙ୍କର ପଟ୍ଟଚିନ୍ତା । ପେଟଚିନ୍ତା ଏଡ଼ାଇବାର ନୁହେଁ । ଶିକ୍ଷକଙ୍କର ପରିବାର ଅଛନ୍ତି । ପରିବାରର ଭବିଷ୍ୟତ୍‌ ରହିଛି । ଶିକ୍ଷକ ଯାହା ପାଆନ୍ତି ତାହା ତାଙ୍କର ଯୋଗ୍ୟତା ଓ ପରିଶ୍ରମରୁ କମ୍‌ ଏହା ସ୍ୱୀକାର୍ଯ୍ୟ । ତେବେ ନ୍ୟାଯ୍ୟ ହେଉ, ସତ୍ୟ ହେଉ ବା ତଦ୍‌ ବିପରୀତ ହେଉ, ଯଥେଷ୍ଟ ଗ୍ରାସାଚ୍ଛାଦନ ପାଇଁ ଶିକ୍ଷକତା ବାହାରେ ତାଙ୍କୁ ଆଉକିଛି କରିବାକୁ ହୁଏ ଯଦ୍ଦ୍ୱାରା ତାଙ୍କର ମୂଳ କର୍ତ୍ତବ୍ୟରେ ତ୍ରୁଟି ଘଟେ । ତାକୁ ଘୋଡ଼ାଇବାକୁ ଯାଇ ସେ ପାପର ପ୍ରଶ୍ରୟ ଦିଅନ୍ତି ଏହି ମୃତ୍ୟୁ ଭୟରେ । ଛାତ୍ର ଯାହା ଚଗଲାମି କରେ, ଶିକ୍ଷକଙ୍କଠାରୁ ଘୋଡ଼ାଇ ରଖିବାକୁ ଚେଷ୍ଟା କରେ ତାଡ଼ନା ଭୟରେ । ଚଗଲାମି ଘୋଡ଼ାଇବାର ଅଭ୍ୟାସ କ୍ରମେ ତାକୁ ଭୀରୁ କରେ । ବଣିକର ଅସାଧୁତା ମୂଳରେ ଏହି ମୃତ୍ୟୁର ଭୟ । କୃଷକର ମୃତ୍ୟୁର ଭୟ କେତେଦୂର ତାହା ସମସ୍ତେ ସବୁ କାଳରେ ଦେଖୁଥାଇଁ ପ୍ରକୃତି ଉପରେ ଏତେ ନିର୍ଭର କରୁଥିବାରୁ । ରାଜତନ୍ତ୍ର ହେଉ ବା ଗଣତନ୍ତ୍ର ହେଉ ଶାସକର ମୁଣ୍ଡରେ ମୃତ୍ୟୁର ଭୟ ସବୁବେଳେ ଳୁଚକାଳି କେଳେ । ମୁକୁଟମଣ୍ଡିତ ରାଜଶିର ଶ୍ରମିକର ଲୁଖୁରା ଶିରଠାରୁ କେଉଁ ଗୁଣରେ ଶ୍ରେୟସ୍କର ? ଏକ କଥାରେ ମୃତ୍ୟୁର ଭୟ ଚିରକାଳ ଦୁର୍ଦ୍ଦଣ୍ଡ ପ୍ରତାପରେ ଏ ପୃଥିବୀକୁ ଶାସନ କରୁଛି ।

 

ପ୍ରକୃତି ଚରିତ୍ର ଟିକିଏ ବିଶ୍ଳେଷଣ କଲେ ଅବାନ୍ତର ହେବ ନାହିଁ । ସୃଷ୍ଟି ସ୍ଥିତିଳୟ ଅନନ୍ତ କାଳରୁ ଏ ତିନି ଅବସ୍ଥା ସମୀକ୍ଷଣ କରୁଁ । ଜଗତରେ ଏପରି ଜୀବ ଓ ଏପରି କୌଣସି ବସ୍ତୁ ନାହିଁ ଯାହାର ଏ ତିନି ଅବସ୍ଥା ନାହିଁ । ସୃଷ୍ଟିବେଳେ କାହାରି ଉଁ ଚୁଁ କରିବାର ନାହିଁ । ସ୍ଥିତିବେଳେ ମଧ୍ୟ ତଦ୍‌ବତ୍‌ । ତଦୁପରି ପାରିପାର୍ଶ୍ୱିକ ବାତାବରଣ ମୋହମୁଗ୍‌ଧ, ପ୍ରଲୁବ୍‌ଧ ଓ ମାୟାଚ୍ଛନ୍ନ ଜୀବକୁ ଦୁଃଖ ଦୁର୍ଦ୍ଦଶାପନ୍ନ କଲେହେଁ ‘ପିମ୍ପୁଡ଼ି କାମୁଡ଼ା’ ପରି ମୁଣ୍ଡ ଛିଣ୍ଡିଯିବ ପଛେ କାମୁଡ଼ା ହୁଗୁଳା କରେ ନାହିଁ, ଏହା ହାସ୍ୟାଷ୍ପଦ । ଆଉ ସବୁଦିନ ସେହିପରି ସେହି ଧନ୍ଦା ସେହି ପାଇଟି ଯାହା କରି କରି ମନରେ ବିରାଟ ବିରକ୍ତି ଜମାଟ ବାନ୍ଧି ଜୀବନକୁ ଦୁଃଖ ଓ ଦୁଶ୍ଚିନ୍ତାଗ୍ରସ୍ତ କଲେହେଁ ଆକଣ୍ଠ ତନ୍ମିମଜ୍ଜନ ପରାୟଣ ଜୀବର ଏ ଅବସ୍ଥା ନରକ ଛଡ଼ା ଆଉ କଅଣ ହୋଇପାରେ । ଏ ଅବସ୍ଥାରେ ଆରପାରିରେ କଅଣ ଅଛି ଦେଖିବାର କୌତୁହଳ ହୃଦୟରେ ପୋଷଣ କେଡ଼େ ସହଜ ଓ ସୁଖମୟ ତାହା ମୋହମୁଗ୍‌ଧ ମନକୁ ନ ଆସିବା ଆଶ୍ଚର୍ଯ୍ୟଜନକ । ବୁଦ୍ଧିମାନକୁ ଏହା ବତାଇବାକୁ ହେବ ନାହିଁ । ସ୍ଥିତିବେଳେ ଉଁ ଚୁଁ କରିବାର ନାହିଁ । ତେବେ ଳୟ ବେଳକୁ ଏ ଆପତ୍ତି ବା ଭୟ କାହିଁକି ? ତେବେ ଏହା ସ୍ୱତଃସିଦ୍ଧ ଯେ ଲୟ ମାନବିକ ଓ ଜୈବିକ ଶକ୍ତି ସାମର୍ଥ୍ୟର ବାହାରେ । ତାର ଔଷଧ ନାହିଁ । ଯେ ରୋଗର ଔଷଧ ନାହିଁ ସେ ରୋଗ ସହିବାକୁ ହେବ । ଲୟକୁ ରୋଗ କଳ୍ପନା କରିବା ଭୁଲ୍‍ । ସରଳ କଥାରେ ବୁଝାଇବାକୁ ହେଲେ ଏ କଷ୍ଟ ଓ ଦୁଷ୍ଟ କଳ୍ପନା ଳୟ ବିଧାତାଙ୍କର ବିଧାନ ।

 

ମୃତ୍ୟୁକୁ ପୁରାତନ ଭାରତ ଯେ ଭାବରେ ନେଇଛି ବୋଧହୁଏ ଅନ୍ୟ କୌଣସି ଦେଶ ବା ଜାତି ସେ ଭାବରେ ନେଇ ନାହାନ୍ତି । ଶ୍ରୀମଦ୍‌ ଭଗବଦ୍‌ଗୀତା ମୃତ୍ୟୁର ବିଶ୍ଳେଷଣର ଶେଷ ସୀମାରେ ପହଞ୍ଚିଛି । ଏହି ଜ୍ଞାତିମୃତ୍ୟୁର ଭୟ ଅର୍ଜୁନଙ୍କୁ ଅତିଷ୍ଠ କରାଇ ଯୁଦ୍ଧତ୍ୟାଗୋନ୍ମୁଖ କରିବା ବେଳେ ଭଗବାନ ଶ୍ରୀକୃଷ୍ଣ ମୃତ୍ୟୁକୁ ଘାଣ୍ଟି ଚକଟି ଦେଖାଇଲେ ମୃତ୍ୟୁ ଅମୃତ, ମଙ୍ଗଳମୟ ବିଧାତାଙ୍କର ଅମୃତବିଧାନ । ସେଥିରୁ ଏ କେତୋଟି ମୋଟା କଥା ନ ଲେଖିଲେ ହେବନାହିଁ । ଜନ୍ମ ହେଲେ ମରିବାକୁ ହେବ ପୁଣି ମଲେ ପୁଣି ଜନ୍ମିବାକୁ ହେବ । ଯାହା ଅପରିହାର୍ଯ୍ୟ ପ୍ରାକୃତିକ ନିୟମ ତା ପାଇଁ ଶୋଚନା ମୂର୍ଖତା ମାତ୍ର । ବସ୍ତ୍ର ଦଦରା ହେଲେ ତାହା ଛାଡ଼ିବାକୁ ହୁଏ । ତଦ୍‌ବତ୍‌ ଏ ଶରୀର ଜୀର୍ଣ୍ଣ ହେଲେ ତାହା ନ ଛାଡ଼ିବ ତ କଅଣ ଏ ଜୀର୍ଣ୍ଣ ଦେହ ନେଇ ସଦୈବ ନାନା ରୋଗ ନିପୀଡ଼ିତ ତଥା ଶ୍ରୁତି, ଦୃଷ୍ଟି ଓ ଜୀର୍ଣ୍ଣ ଶକ୍ତିବିହୀନ ପୁରାତନ ଏ ଦେହ ନେଇ ଅକାରଣ ଦୁଃଖ ଭୋଗ କରିବ ? ଦେହ ମାଟିର, ମାଟିରେ ମିଶିବା ଏହାର ପରିଣତି । ମାତ୍ର ଦେହଗତ ଆତ୍ମା ଅମର, ତାର ଜନ୍ମ ନାହିଁ ମୃତ୍ୟୁ ନାହିଁ । ଜନ୍ମମୃତ୍ୟୁ କେବଳ ଦେହ ପାଇଁ ଦେହନାଶ ପାଇଁ । ଦେହନାଶ ପାଇଁ ମାନସିକ ବିକାର ବା ଭୟ ଅସୁନ୍ଦର ଅଯୋଗ୍ୟ ଏବଂ ଅବାନ୍ତର । ଏବଂମ୍ୱିଧ ଆତ୍ମା ଅସ୍ତ୍ରରେ ଅଚ୍ଛେଦ୍ୟ, ଅଗ୍ନିରେ ଅଦହ୍ୟ ଓ ଜଳରେ ଅକ୍ଳେଦ୍ୟ । ଇତ୍ୟାଦି । ଇତ୍ୟାଦି ।

 

ଗୀତାର ପୁରାତନ ଭାରତ ଏହା ବୁଝିଥିଲା । ବୁଝି ତାକୁ କାର୍ଯ୍ୟରେ ଦେଖାଇଥିଲା । ତହିଁର ଭୂରି ଭୂରି ପ୍ରମାଣ ଇତିହାସର ପୃଷ୍ଠା ସବୁ । ଜାଣନ୍ତି ଦୁର୍ଯ୍ୟୋଧନ, ଭୀଷ୍ମ, କର୍ଣ୍ଣ ଓ ଦ୍ରୋଣ ମହାଭାରତ ଯୁଦ୍ଧରେ ‘‘ଯତ୍ର ଯୋଗେଶ୍ୱର କୃଷ୍ଣ, ଯତ୍ର ପାର୍ଥ ଧନୁର୍ଦ୍ଧର’’ ଜାଣି ଶୁଣି କିପରି କର୍ତ୍ତବ୍ୟର ଅନୁରୋଧରେ ଅମୃତ ମୃତ୍ୟୁର ବରଣ ପାଇଁ ଯୁଦ୍ଧ କରୁଥିଲେ । ସେମାନେ ଅଜେୟ, ଅଜିତମୃତ୍ୟୁର ଅକୁତୋ ଭୟ । ଜାଣନ୍ତି, ଏ ଯୁଦ୍ଧରେ ଯଦୁବଂଶ ଓ ସୋମବଂଶର ନିପାତ । କିନ୍ତୁ ଏ ନିପାତ ପାଇଁ, ଅମୃତମୃତ୍ୟୁର ବରଣ ପାଇଁ, ମାନବିକତା ପାଇଁ କର୍ତ୍ତବ୍ୟର ଅନୁରୋଧରେ ଏ ଯୁଦ୍ଧ । ଛାର ମୃତ୍ୟୁର ଭୟ ସେମାନଙ୍କୁ କର୍ମଚ୍ୟୁତ କରିପାରେ ? ଜାଣନ୍ତି, ପୃଥ୍ୱୀରାଜ, ଜୟଚନ୍ଦ୍ରର ଷଡ଼ଯନ୍ତ୍ର, ମହମ୍ମଦଘୋରୀର ନିମନ୍ତ୍ରଣ, କେତେ ଘରଭାଇ ବିଭୀଷଣ ଜୟଚନ୍ଦ୍ରର ଅଗ୍ରବର୍ତ୍ତିତାରେ ଆଗନ୍ତୁକ ପକ୍ଷଭୁକ୍ତ ହୋଇ ପୃଥ୍ୱୀରାଜଙ୍କର ସର୍ବନାଶ, ପୃଥ୍ୱୀରାଜ ଗ୍ରାସ ପାଇଁ ଲେଲିହାନ ଜିହ୍ୱା, ଭ୍ରାତୃନିଧନ ରୋଷରେ ଆତ୍ମଗୃହଦାହ ଅଗ୍ରପଶ୍ଚାତ୍‌ ବିଚାର ନାହିଁ । ଭାରତ ରମଣୀ ଲାଲାମ ଶିଖାମଣି ସଂଯୁକ୍ତା ଏ ଯୁଦ୍ଧର ପରିଣାମ । ଜାଣି ଜାଣି ସହାସ୍ୟେ ଚିତ୍ତ ଜଳାଇ ସ୍ୱାମୀଙ୍କୁ ସହାସ୍ୟେ ଯୁଦ୍ଧପରାୟଣ କରାଇ ସ୍ୱହସ୍ତେ ଅସ୍ତ୍ର ଶସ୍ତ୍ର ପିନ୍ଧାଇ ଯୁଦ୍ଧୋନ୍ମୁଖୀ କରାଇ ଚିତା ସ୍ଥାନରେ ସ୍ୱାମୀ ବିନାଶର ଖବର ଅପେକ୍ଷାରେ ଅନାଇ ରହିଥିଲେ । ଭୃକ୍ଷେପ ନାହିଁ, ମନରେ ବିକାର ନାହିଁ କି ରାଗ ନାହିଁ, ଛାର ମୃତ୍ୟୁଭୟ ସେ ତ ଅତି ତୁଚ୍ଛ ହାସ୍ୟସ୍କର ଭାବି ପରପାର ଦର୍ଶନେ ସ୍ୱାମୀ ସହ ପୁନର୍ମିଳନ ଭରସାରେ ନିର୍ଭରଶୀଳା । ମୃତ୍ୟୁ ଖବର ଶ୍ରବଣ ମାତ୍ରେ ଅନଳସ୍ୱାମୀ ବାହୁ ବିସ୍ତାରକରି ଶୀତଳାଙ୍ଗରେ ମୋତେ ଗ୍ରହଣ କର କହି ଚିତାରୋହଣ ଓ ଦେହରକ୍ଷା କରଣ । ଏହାର ପଟାନ୍ତର ନାହିଁ । ଭାରତୀୟା ରମଣୀ ପକ୍ଷେ ମୃତ୍ୟୁ ଅମୃତ । ଶତ ରାଜପୁତ୍ର ଓ ରାଜପୁତ ରମଣୀ ବହୁକାଳ ଧରି ଏ ଚିତାଜାଳି ରଖିଲେ । ଏ ଦିଗରେ ଭାରତ ଇତିହାସର ପୃଷ୍ଠା ମୃତ୍ୟୁଭୟକୁ ଦେଶରୁ ଦୂରକରି ରଖିଥିଲା । କୁକ୍ଷଣରେ ଭାରତ ଏ ଚିତାଗ୍ନି ଭୁଲିଲା । ବିଦେଶୀ ବଣିକର କୁଟନୀତିରେ ଗୃହଭେଦ ନୀତିରେ ଭୁଲିଲା । ଜାଣେ ଭାରତ ଏ କୁଟନୀତିରେ ଏ ଗୃହଭେଦରେ ତାର ସୁନାର ଭାରତ ଚୁନା ହେବ । ହେବ ହେଉ, ବିଦେଶୀ କରିବ କଅଣ ? ସୁନାତକ ନେବ କିନ୍ତୁ ସୁଜଳାଂ ସୁଫଳାଂ ଶସ୍ୟ ଶ୍ୟାମଳାଂ ଭାରତରେ ତା ପାଇଁ ଯଥେଷ୍ଟ ରହିଛି । ସେ ଶୋଇଥିବ ତା ମୁହଁରେ ଆସି ସୁଫଳାଂ ପଡ଼ିବ । ହାୟ ! ଏ କର୍ମକ୍ଳିଷ୍ଟତା, ଏ ବିଚାର, ଏ ମୋହ, ଏ କର୍ତ୍ତବ୍ୟବିମୁଖତା ଭାରତକୁ ଦେଢ଼ଶହ ଶତାବ୍ଦୀ ଧରି ପରାଧୀନ ପଙ୍କରେ ବୁଡ଼ାଇଲା । ଭାରତୀୟ ମୂର୍ଖ ଅନ୍ନ କାଙ୍ଗାଳ, ଦୁର୍ଭିକ୍ଷ ପ୍ରପୀଡ଼ିତ, ପାଶ୍ଚାତ୍ୟାଗତ ନାନା ରୋଗନିପୀଡ଼ିତ, ଗୋଶୂନ୍ୟ, ଗୋଦୁଗ୍‌ଧଶୂନ୍ୟ । ଗୋମାଂସପୂର୍ଣ୍ଣ ମନୁଷ୍ୟକଙ୍କାଳପୂର୍ଣ୍ଣ ଏକ ଶ୍ମଶାନରେ ପରିଣିତା ଭାରତ ଜନନୀ, ନୃମୁଣ୍ଡମାଳିନୀ କାଳୀ, ସ୍ୱଶିବ ପାଦଦଳନ ପରାୟଣା, ରସାତଳ ଓ ନିରୟ ଗମନୋନ୍ମୁଖିନୀ । ଚଣ୍ଡୀ, ପ୍ରଚଣ୍ଡା, ଉଲ୍ଲଙ୍ଗା, କାକ ପେଚକ ଗ୍ରୁଧ୍ର କୁକ୍‌କୁର ଶୃଗାଳର ବିକଟ ରାବ ମଧ୍ୟରେ କିଏ ତୁମେ ଟାଙ୍ଗରାମୁଣ୍ଡ ମହାକାପାଳିକ ଯୋଗୀ, ଅସ୍ପୃଶ୍ୟତା ନିବାରଣେ ମହା ଅଘୋରୀ ସାଧକ ! ଭାରତ ଶ୍ମଶାନରେ ଶବୋପରି ଆସୀନ ସତ୍ୟ ଓ ଅହିଂସା ମନ୍ତ୍ରପୁତ ଶାନ୍ତିବାରି ବିତରଣ ବ୍ୟୋପଦେଶେ ସର୍ବତ୍ୟାଗୀ ଅଗୃହୀ ପାଦଚାରି । ପାଦଚାରୀ ହୋଇ ମୃତ୍ୟୁଞ୍ଜୟ ପରି ମୃତ୍ୟୁର ଭୟ ଦୂର କରିବାକୁ ପଞ୍ଚଜନ୍ୟ ମହାଶଙ୍ଖର ନିନାଦରେ ଭାରତୀୟ ଗଗନ ଆଚ୍ଛାଦନ କଲ । ଧନ୍ୟ ଏ ଶଙ୍ଖନିନାଦ । ଲକ୍ଷ ଲକ୍ଷ ସୁଯୋଗ୍ୟ କ୍ଷମତାଶାଳୀ ଭୋଗୀ ମାତୃସନ୍ତାନ ନିଦ୍ରା ପରିହାର କରି ଚମକ୍‌ପ୍ରଦ ତ୍ୟାଗବ୍ରତରେ ବ୍ରତୀ ହୋଇ ସତ୍ୟ ଓ ଅହିଂସା ମନ୍ତ୍ର ଗ୍ରହଣ କରିବା, ଆଗ୍ରହରେ ସେମାନଙ୍କ ଫାସୀକାଠ ବରଣ, ଧୀର ବିଷପାନ, ଗଭୀର ତମସାଚ୍ଛନ୍ନ, ମୂଷାମଶକ ପୂର୍ଣ୍ଣ ନରକାଧିକ ବ୍ରିଟିଶର କାରାବରଣ, ଲାଠିଲୁଠ, ଘରପୋଡ଼ି, ଅଶ୍ରୁ ନିର୍ଯାସକାରୀ ବାଷ୍ପର ବଳିହେବା ଓ ଆଉ କେତେ ଦୁଃଖ ବରଣ ତାହା ଅକଳନୀୟ, ଅବର୍ଣ୍ଣନୀୟ ଓ ଅଲେଖନୀୟ । ସାଧକ ! ତମର ସତ୍ୟ ଓ ଅହିଂସା ମନ୍ତ୍ରଦୀକ୍ଷିତ ମହାଭାରତର ୪୦ କୋଟି ଲୋକସମାକୀର୍ଣ୍ଣ ମୃତ୍ୟୁଭୟଶୂନ୍ୟ ୪୦ କୋଟି ମୁଖନିଃସୃତ ଏ ସତ୍ୟ ଅହିଂସା ଧନିରେ ଭାରତ କାହିଁକି ସାରା ପୃଥିବୀର କର୍ଣ୍ଣ ବଧିର । ଭଗବାନଙ୍କର ଆସନ ଟଳମଳ । ଛାର ବ୍ରିଟିଶ ! ଭୀତତ୍ରସ୍ତ ହୋଇ ତାର ଆସନ ତ୍ୟାଗ । ସ୍ୱାଧୀନତା ରବିର ଉଦୟ । ଏ ରବି ଆଗମନଶଂସୀ ରାତ୍ରି ଅନ୍ଧକାର ପୂର୍ଣ୍ଣଲୋପ ପୂର୍ବେ ସାଧକର ସାଧନାର ମୂଳ ନ ବୁଝି ଭାରତ ମଧ୍ୟରେ ଭ୍ରାତୃ ବିବାଦ ଓ ଭାରତକୁ ଦ୍ୱିଖଣ୍ଡୀକରଣ । ତେଣୁ ସ୍ୱାଧୀନତା ରବିର ଉଦୟ ପରେ ମଧ୍ୟ ସାଧକର ସାଧନାର ଅନ୍ତ ନାହିଁ, ବିଶ୍ରାମ ନାହିଁ । ବିଭଙ୍ଗ ହୃଦୟରେ ଊର୍ଦ୍ଧ୍ୱଅଶୀତି ବୟଃକ୍ରମ କାଳରେ ତାଙ୍କର ମୃତ୍ୟୁ ଦିବରେ ପଟ୍ଟଶିଷ୍ୟ ସର୍ଦ୍ଦାର ପଟେଲଙ୍କୁ କହିଲେ, ‘‘କଅଣ ମୋତେ ଏହି ଅନ୍ଧାରରେ ବୁଡ଼ାଇବାକୁ ଗତ ଅନଶନରୁ ବଞ୍ଚାଇ ରଖିଲ ।’’ ହାୟ ! କିଏ ଜାଣିଥିଲା ସ୍ୱାଧୀନତା ରବି ଉଦୟର ଏତେ ଅଳ୍ପକାଳ ମଧ୍ୟରେ ଭାରତରେ ସ୍ମୈରାଚାର ଭାରତକୁ ଏତେ ଦୁର୍ନୀତିପରାୟଣ କରିବ । କିଏ ଜାଣିଥିଲା ଏହି ମୃତ୍ୟୁଭୟଭୀତ ଆମ ଭିତରୁ ଜଣେ କାପୁରଷପଣିଆଁ କରି ଭଗବତ୍‌ ଉପାସନା ବେଳେ ତାଙ୍କୁ ଗୁଳି କରିବ ? ଏ ପାପ ଶତ ଜଳରେ ଧୌତ ହେବ ନାହିଁ । ସାଧକର ସତ୍ୟ ଓ ଅହିଂସା ମହାମନ୍ତ୍ର ହିଁ ଏ ମୃତ୍ୟୁର ଭୟ ପାପକୁ ଏଡ଼ାଇ ପାରିବ । ‘ସତ୍ୟ’ ‘ମୃତ୍ୟୁ’ ‘ଜନାର୍ଦ୍ଦନ’ ଏ ତିନି ମଧ୍ୟରେ ନାମ କେବଳ ପ୍ରଭେଦ, ଅନ୍ୟଥା ଏ ତିନି ଏକ, ଅଦ୍ୱିତୀୟ । ତେବେ ଏହି ଏକତ୍ୱର ବରଣ କରି ହୃଦୟ ସଂଶୋଧନ କରୁଁ । ସତ୍ୟ ପାଇଁ, ମୃତ୍ୟୁ ପାଇଁ, ଜନତା ଜନାର୍ଦ୍ଦନ ପାଇଁ ଆତ୍ମତ୍ୟାଗ କରୁଁ । ଯାହା ସତ୍ୟ ଯାହା ନ୍ୟାୟ ଯାହା ଉଦାର ଯାହା ପ୍ରେମମୟ, ତାକୁ ହୃଦୟରେ ପୋଷଣ କରି ପୃଥିବୀକୁ ଦେଖାଉଁ ଭାରତ ପକ୍ଷରେ–

 

‘‘ବସୁଧୈବ କୁଟୁମ୍ୱକଂ’’

Image